Unknown

 

 

 

 

 

 

 

 

 

 

ଇତାଲୀର ଶ୍ରେଷ୍ଠଗଳ୍ପ

ଅନୁବାଦକ

ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

 

ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ

 

ସୂଚୀପତ୍ର

 

୧.

ଲକ୍ଷ୍ମୀ ନାରାୟଣ ମହାନ୍ତି

ଭୂମିକା

୨.

ଗାବ୍ରିୟେଲ ଦ୍ୟ ଆନୁତ୍‍ସିଓ

ଅର୍ଘ୍ୟ

୩.

ଲଇଜି ପିରାନଦେଲ୍ଲୋ

ନଗ୍ନ ସତ୍ୟ

୪.

ଗିଓଭାନ୍ନି ଭେରଗା

ବାଘୁଣୀ

୫.

ରବାର୍ଟୋ ବ୍ରକୋ

ଆତ୍ମାର ମୁକ୍ତି

୬.

ଆଲବାର୍ତୋ ମୋରାଭିୟା

ଭୁଜଙ୍ଗିନୀ

୭.

ଏଲିଓ ଭତ୍ତୋରିନି

ଯୁଦ୍ଧକାଳୀନ ଆତ୍ମକଥା

୮.

ଗ୍ରାଜିୟା ଦେଲେଦ୍ଦା

ଆକାଶ ହୃଦୟ

୯.

ମାତ୍ତୋ ବାନ୍-ଦେଲ୍ଲୋ

ପ୍ରତିଶୋଧ

୧୦.

ମାରିଓ ସଲଦାତି

ଦୁଇ ଶିକ୍ଷକ

୧୧.

ଇଗନାତ୍‍ସିଓ ସିଲୋନ

ଶୃଶାଳ

୧୨.

ଗିଓଭାନ୍ନି ବୋକ୍‍କାସିଓ

ଶିକାରୀ ପକ୍ଷୀ

Image

 

ଭୂମିକା

 

ଇତାଲୀ କଦାପି ରୋମ୍‍ର ପ୍ରାଚୀନ ପରମ୍ପରାକୁ ସମୂଳେ ହରାଇ ବସି ନାହିଁ । ଭୂଗୋଳ, ଭାଷା ଓ ଜାତି ଦୃଷ୍ଟିରୁ ଇତାଲୀୟମାନେ ନିଜକୁ ରୋମ୍‍ ସାମ୍ରାଜ୍ୟର ଉତ୍ତରାଧିକାରୀ ବୋଲି ଭାବନ୍ତି । ତଥାପି, ମଧ୍ୟ ଯୁଗରେ, ବାରମ୍ବାର ବାହ୍ୟ-ଆକ୍ରମଣ ହେତୁ, ଇତାଲୀ ବହୁ ପରିମାଣରେ ପ୍ରାଚ୍ୟଦ୍ୱାରା ପ୍ରଭାବିତ ହୋଇଥିଲା । ମଧ୍ୟଯୁଗର ଶେଷଭାଗରେ ଆକ୍ରମଣକାରୀମାନେ ଫ୍ରାନ୍ସରୁ ଏଠାକୁ ଗୀତ ଓ କବିତା’ ନେଇ ଆସିଥିଲେ । ଅଦ୍ୟାବଧି ଇତାଲୀୟ ସାହିତ୍ୟର ପ୍ରାଚୀନତମ ନିଦର୍ଶନ ସିସିଲିରେ ଦେଖିବାକୁ ମିଳେ ।

 

କଥା ଓ କବିତାରେ ଇତାଲୀୟମାନେ ସମସ୍ତଙ୍କୁ ଟପିଯାଇଛନ୍ତି । ଇତାଲୀର ସର୍ବପ୍ରଥମ ବିଶ୍ୱବିଦିତ କବି ହେଉଛନ୍ତି ଦାନ୍ତେ, ଆଉ ପ୍ରଥମ ଗଦ୍ୟକଥାର ସମ୍ଭାର ହେଉଛି ନାନାସୂତ୍ରରୁ ସଂଗୃହିତ ‘‘ଶହେ ପ୍ରାଚୀନ କାହାଣୀ’’ । ଏଥିରୁହିଁ ଗପ ଓ ଉପନ୍ୟାସର ଉତ୍ପତ୍ତି ହେଲା । ପ୍ରଥମ ପ୍ରଧାନ ଗଦ୍ୟ-ଲେଖକ ଓ ପ୍ରସିଦ୍ଧ ‘‘ଡିକେମେରନ’’ ଗ୍ରନ୍ଥର ରଚୟିତା’ ଗିଓଭାନ୍ନି ବୋକ୍‍କାସିଓ (୧୩୧୧-୧୩୭୫) କଥା-ସାହିତ୍ୟକୁ ଉଚ୍ଚତମ ସୋପାନକୁ ଘେନିଯାଇଥିଲେ । ତା’ପରେ ମାତ୍ତୋ ବାନ୍-ଦେଲ୍ଲୋଙ୍କ (୧୪୮୦-୧୫୬୦) ପରି କେତେକ କଥାଶିଳ୍ପୀ ଅବହେଳିତ ମାନବ ଜୀବନର ବିଭିନ୍ନ ବିଭାବକୁ ରୂପ ଦେଲେ । କରୁଣ କାହାଣୀ, ବ୍ୟଙ୍ଗ ବିଦ୍ରୁପ, ପ୍ରେମମୟ ଆଖ୍ୟାନ, ପ୍ରାଚୀନ ଗାଥା, ନିମ୍ନସ୍ତରର ସମକାଳୀନ ଜୀବନଧାରା ସେମାନଙ୍କ ଲେଖନୀଦ୍ୱାରା ଜନସମକ୍ଷରେ ପ୍ରଭାବିତ ହେଲା । ତନ୍ମଧ୍ୟରୁ ଅଧିକାଂଶ ରଚନା କର୍କଶ, କଠୋର ଓ କ୍ରୁର ହେଲେ ସୁଦ୍ଧା ‘‘ଶିକାରୀ ପକ୍ଷୀ’’ ଭଳି ରମଣୀୟ ଗପ ବେଳେ ଦୃଷ୍ଟିଗୋବର ହେଉଥିଲା ।

 

ଦେଶରେ ପୁନର୍ଜାଗରଣର ଅବସାନ ତଥା ରାଜନୀତିକ ପରିବର୍ତ୍ତନ ଫଳରେ ଇତାଲୀୟ ସାହିତ୍ୟରେ ମଧ୍ୟ ଅଧୋପତନ ପରିଲକ୍ଷିତ ହେଲା । ଅଷ୍ଟାଦଶ ଶତାବ୍ଦୀର ଶେଷଭାଗକୁ ଅବଶ୍ୟ ଏହି ଅବସ୍ଥାର କିଞ୍ଚିତ୍‍ ଉନ୍ନତି ହୋଇଥିଲା । ମାତ୍ର ସମଗ୍ର ୟୁରୋପର ବହୁମୁଖୀ ସାହିତ୍ୟ-ପ୍ରବାହରେ ତାହାର ସତ୍ତା ଜଣାପଡ଼ିଲା ନାହିଁ । ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରେ କବିତା’ ଓ ଉପନ୍ୟାସରେ ଆଦି ରସ ମୁଖ୍ୟ ଅଂଶଗ୍ରହଣ କଲା । ଗିଓଭାନ୍ନି ଭେରଗାଙ୍କର (୧୮୪୦-୧୯୨୨) ଆକସ୍ମିକ ଆବିର୍ଭାବରେ ପ୍ରକୃତ ଛୋଟଗପର ସ୍ୱାଦ ମିଳିଲା ।

ଗାବ୍ରିୟେଲ ଦ୍ୟ ଆନୁତ୍‍ସିଓ (୧୮୬୩-୧୯୩୮) ଥିଲେ ମୂଳତଃ ଉନବିଂଶ ଶତାବ୍ଦୀର ଉଗ୍ର ପ୍ରେମଧର୍ମୀ ସାହିତ୍ୟର ସାଧକ । ତାଙ୍କର କବିତା, ନାଟକ, ଉପନ୍ୟାସ, ଗପ ଇତ୍ୟାଦି ଯେମିତି ତୀବ୍ର, ବେଗମୟୀ ଓ ବର୍ଣ୍ଣାଢ଼୍ୟ, ସେମିତି ଆତ୍ମକୈନ୍ଦ୍ରିକ ଓ ସ୍ୱୈରାଚାର ପନ୍ଥୀ ଥିଲା । ତାଙ୍କର ସାହିତ୍ୟ ତଥା କର୍ମଜୀବନରେ ଉଗ୍ର ଜାତୀୟତାବୋଧ ଉଦ୍ଦାମ ହୋଇଥିଲା । ପ୍ରଥମ ମହାଯୁଦ୍ଧରେ ସେ ପଚାଶରୁ ଅଧିକ ଅଭିଯାନରେ ଅଂଶଗ୍ରହଣ କରିଥିଲେ । ମାତ୍ର ଏହି ବିଚିତ୍ର ବ୍ୟକ୍ତିଙ୍କର ପ୍ରଭାବ ଇତାଲୀର ମୁସୋଲିନୀଙ୍କର ଅଭ୍ୟୁତ୍ଥାନ ଓ ଫାସିଷ୍ଟ୍‍ ଶାସନରେ ସହାୟକ ହୁଅନ୍ତେ, ‘‘କ୍ରେପାସକୁଲାର ଓ ଫିଉଚାରିଷ୍ଟ’’ ଗୋଷ୍ଠୀ ନାମରେ ଦେଲେ ଶକ୍ତିଶାଳୀ ଆଧୁନିକତାପନ୍ଥୀ ତାଙ୍କର ବ୍ୟକ୍ତିକୈନ୍ଦ୍ରିକ ଓ ଆତ୍ମମୟ ଅଭିପ୍ରେରଣ ବଦଳରେ ଦେଶକାଳ ସମାବୃତ ବାସ୍ତବ ଜୀବନକୁ ରୂପାୟିତ କରିବା ନିମନ୍ତେ ସୁବିଖ୍ୟାତ ବାସ୍ତବବାଦୀ ଔପନ୍ୟାସିକ ଭେରଗାଙ୍କୁ ଅନୁସରଣ କରିବାକୁ ଲାଗିଲେ । ଫଳରେ ଦେଖାଗଲା, ଯୁଦ୍ଧୋତ୍ତର ଇତାଲୀର ବିଶେଷ ଅଞ୍ଚଳର ବାସ୍ତବ ଜୀବନକୁ ନିଜ ରଚନାର ଉପକରଣ କଲେ ଗ୍ରାଜିୟା ଦେଲେଦ୍ଦା (୧୮୭୬-୧୯୩୬), ଯେ ‘‘ମାଆ’’ ଉପନ୍ୟାସ ନିମନ୍ତେ ୧୯୨୬ ସାଲରେ ନୋବେଲ ପୁରସ୍କାର ପାଇଥିଲେ । ବ୍ୟଙ୍ଗରସାତ୍ମକ କାହାଣୀକାର ହିସାବରେ ରବାର୍ଟୋ ବ୍ରକୋ (୧୮୮୫) ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ୧୯୨୨ ସାଲରୁ ୧୯୪୩ ସାଲ ପର୍ଯ୍ୟନ୍ତ ଇତାଲୀରେ ଫାସିଷ୍ଟ ଶାସନ ଚାଲିଥିଲା । ସେତିକିବେଳେ ନାଟକରେ ଏକ ନୂତନ ଆନ୍ଦୋଳନ ଦେଖାଦେଲା । ସେହି ମହାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ୧୯୩୪ ସାଲରେ ନୋବେଲ ପୁରସ୍କାରପ୍ରାପ୍ତ ଲୁଇଜି ପିରାନଦେଲ୍ଲୋ (୧୮୬୭-୧୯୩୬) । ନାଟ୍ୟକାର ହେବା ଆଗରୁ ସେ ଉପନ୍ୟାସ ଓ ଗପରେ ଖ୍ୟାତି ଲଭିଥିଲେ । ୧୯୨୬ ସାଲରେ ସେ ନିଜର ରଙ୍ଗମଞ୍ଚ ପ୍ରତିଷ୍ଠା କରି ଦେଶର ତରୁଣ ନାଟ୍ୟକାରମାନଙ୍କୁ ବିଶେଷ ଉତ୍ସାହିତ କରିଥିଲେ । ତାଙ୍କରି ପ୍ରଭାବରେ ଇତାଲୀୟା ନାଟକ ଏକ ସମ୍ପୂର୍ଣ୍ଣ ନତନ ମନସ୍ତତ୍ଵ ପ୍ରଧାନ ରୂପରେ ଉଜ୍ଜୀବିତ ହେଲା । ସେହିପରି କଥା-ସାହିତ୍ୟ କ୍ଷେତ୍ରରେ ମଧ୍ୟ ମନୋଲୋକର ଅନୁଶୀଳନ ଓ ବିଶ୍ଳେଷଣ ପ୍ରଧାନ ଉପଜୀବ୍ୟ ହେଲା । ଦେଶରେ ରାଜନୀତିକ ମତବାଦ କିମ୍ବା ସମକାଳୀନ ଶାସନ ବ୍ୟବସ୍ଥା ଜନିତ ଜୀବନର ଯେଉଁ ରୂପ ପ୍ରକଟିତ ହେଲା, ପ୍ରାପ୍ତବୟସ୍କ ଲେଖକମାନେ ଅବଶ୍ୟ ତାହାକୁ ଏଡ଼ିଦେଲେ । ମାତ୍ର କେତେକ ତରୁଣ ଲେଖକ ରାଜନୀତିକ ମତବାଦକୁ ନିଜ ରଚନାର ମାଧ୍ୟମ ରୂପେ ନିବବାଦରେ ଗ୍ରହଣ କଲେ । ଫଳରେ ସେମାନଙ୍କୁ ଅଶେଷ ନିର୍ଯ୍ୟାତନା ଭୋଗିବାକୁ ପଡ଼ିଲା । ୧୯୩୦ ସାଲରେ ବାଧ୍ୟ ହୋଇ ଇଗନାତ୍ ସିଓ ସିଲୋନ (୧୯୦୦) ଦେଶ ଛାଡ଼ି ସୁଇଜରଲାଣ୍ଡକୁ ପଳାଇଗଲେ, ଏବଂ ସେଠାରୁ ତାଙ୍କର ଜନପ୍ରିୟ ରାଜନୀତିକ ଉପନ୍ୟାସ ‘‘ଫଣ୍ଟାମାରା’’, ‘‘ରୋଟି ଓ ମଦ’’, ଇତ୍ୟାଦି ପ୍ରକାଶିତ ହେଲା । କିନ୍ତୁ ଆଲବାର୍ତୋ ମୋରାଭିୟା (୧୯୦୭) ସ୍ୱଦେଶରେ ରହି ମୁସୋଲିନୀଙ୍କ ଉଦ୍ଦେଶ୍ୟରେ ଖଣ୍ଡିଏ ବ୍ୟଙ୍ଗାତ୍ମକ ଉପନ୍ୟାସ ଲେଖିଥିଲେ, ଯାହା ଅବଶ୍ୟ ପ୍ରକାଶନର ମାସକପରେ ବାଜ୍ୟାପ୍ତ ହୋଇଗଲା ।

ଦ୍ଵିତୀୟ ମହାଯୁଦ୍ଧ ପରେ ଇତାଲୀରେ ଶାସନର ବ୍ୟବସ୍ଥା ବଦଳିଲା । ସୁତରାଂ ଲେଖକମାନେ ସ୍ୱାଧୀନ ଭାବରେ ସାହିତ୍ୟ-ଚର୍ଚ୍ଚା କରିବାକୁ ଅବକାଶ ପାଇଲେ । ଅଭିଜ୍ଞତା ପ୍ରସୂତ ଜୀବନ ଦର୍ଶନ ସହ ବାସ୍ତବାଶ୍ରୟୀ କଥା ସାହିତ୍ୟରେ ସିଲୋନ, ମୋରଭିୟା, ଏଲିଓ ଉତ୍ତୋରିନ (୧୯୦୯), ମାରିଓ ସାଲଦାତି ପ୍ରମୁଖ ଆନ୍ତର୍ଜାତିକ ସମ୍ମାନ ଲାଭ କଲେ । ସେମାନଙ୍କ ଭିତରୁ ସିଲୋନ ବୟୋଜ୍ୟେଷ୍ଠ, ୧୮ବର୍ଷ ବୟସରୁ ବିଭିନ୍ନ ସମ୍ବାଦପତ୍ରର ସମ୍ପାଦକ, ଯୁଦ୍ଧପରେ ୧୯୪୪ ସାଲରେ ସ୍ୱଦେଶକୁ ଫେରି ଏକ ନବସମାଜ ପ୍ରତିଷ୍ଠା ଉଦ୍ଦେଶ୍ୟରେ ରାଜନୀତିରେ ଭାଗ ନେଇଥିଲେ, କିନ୍ତୁ ୧୯୫୦ ସାଲରେ ସାହିତ୍ୟ କ୍ଷେତ୍ରକୁ ଫେରିଆସିଲେ । ଜୀବନ-ଶିଳ୍ପୀ ମୋରଭିୟା ଯୁଦ୍ଧୋତ୍ତର ଯୁଗରେ ପାଶ୍ଚାତ୍ୟ କଥା-ସାହିତ୍ୟରେ ଏକ ବିସ୍ମୟକର ନାମ । ୧୯୨୫ ସାଲରେ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶିତ ହୋଇଥିଲା । ମୁସୋଲିନୀଙ୍କ ଅମଳରେ ତାଙ୍କର ବହିସବୁ ବାଜ୍ୟାପ୍ତ ହେବାରୁ, ସେ ପାର୍ବତ୍ୟ ଅଞ୍ଚଳରେ ଲୁଚିରହି ଛଦ୍ମନାମରେ ଲେଖିବାକୁ ଲାଗିଲେ-। ତାଙ୍କର ରଚନାର ପ୍ରଧାନ ଗୁଣ ହେଉଛି ସାବଲୀଳ ଭାଷା ଓ ହୃଦୟଗ୍ରାହୀ କଥନଭଙ୍ଗୀ-। ତାହାଛଡ଼ା ତାଙ୍କର ଉପନ୍ୟାସର ପାତ୍ର-ପାତ୍ରୀ ଓ ସେମାନଙ୍କର ଜୀବନ-କାହାଣୀ ଅନ୍ୟ ଦେଶର ଜନ-ଜୀବନ ସହିତ ମିଶିଯାଏ । ରୋମ୍‍ର ପ୍ରଖର ସୂର୍ଯାଲୋକିତ ପ୍ରଭାତ, ସ୍ଵପ୍ନମୟ ସନ୍ଧ୍ୟା, ବିଳାସ ବ୍ୟସନରେ ମତ୍ତନୈଷ୍ଠକ ଜୀବନ, ଗ୍ରୀଷ୍ମକାଳୀନ ତାପଦଗ୍ଧ ମଧ୍ୟାହ୍ନ ତାଙ୍କର ଅତୁଳନୀୟ ବର୍ଣ୍ଣନା-ଗୁଣରେ ରୂପ-ରସ-ଗନ୍ଧରେ ଜୀବନ୍ତ ହୋଇଛି । ବାସ୍ତବର ଅନୁସରଣ ତାଙ୍କର ପ୍ରଧାନ ଲକ୍ଷ୍ୟ, ତେଣୁ ସତ୍ୟପ୍ରକାଶରେ ସେ ନିର୍ମମ, ଅକୁଣ୍ଠ, ଅଲଜ୍ଜା ଭିତ୍ତୋରିନ ହେଉଛନ୍ତି ଇତାଲୀର ଜଣେ ଶ୍ରେଷ୍ଠ ନୂତନ ଲେଖକ, ପ୍ରଖ୍ୟାତ ଔପନ୍ୟାସିକ ଅନୁବାଦକ ଓ ସମାଲୋଚକ । କିନ୍ତୁ ତାଙ୍କର ଗୀତିକାବ୍ୟ ରୀତିରେ ଗପ କହିବାର ଧରଣ ନିଶ୍ଚୟ ସ୍ଵକୀୟ । ତାଙ୍କର ‘‘ସିସିଲିରେ କଥୋପକଥନ’’ ଆଙ୍ଗିକର ପରୀକ୍ଷାରେ ଏକ ଅସାମାନ୍ୟ କୀର୍ତ୍ତି । ଇତାଲୀୟ ସାହିତ୍ୟରେ ବାସ୍ତବତା’ର ଆନ୍ଦୋଳନରେ ତାଙ୍କର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ତାଙ୍କର ଲେଖାରେ କାର୍ଯ୍ୟଠାରୁ କାବ୍ୟ, ଚିତ୍ରକଳ୍ପ ଓ ଭାଷାର ମୂଲ୍ୟ ଅଧିକ । ଗୋଟିଏ ପ୍ରବନ୍ଧରେ ସେ କହିଛନ୍ତି–‘‘ବର୍ତ୍ତମାନ ଆମର ସମାଲୋଚନା ସାହିତ୍ୟକୁ ବାଦ ଦେଲେ, ସମସାମୟିକ ଇତାଲୀୟ ସାହିତ୍ୟ ସମ୍ବନ୍ଧରେ କୌଣସି ଆଲୋଚନା ସମ୍ପୂର୍ଣ୍ଣ ହେବ ନାହିଁ ।’’ ଏହି କଥା ପଦକ ନିରାଟ ସତ-। ବର୍ତ୍ତମାନ ଇତାଲୀର ପ୍ରାୟ ପ୍ରତ୍ୟେକ କବି ଓ ଔପନ୍ୟାସିକ ଯଥେଷ୍ଟ ସମାଲୋଚନା ସାହିତ୍ୟ ଲେଖୁଛନ୍ତି । ଏଥିରୁ ଜଣାଯିବ ଯେ ଆଜି ଇତାଲୀୟ ସାହିତ୍ୟିକମାନେ ଖାଲି ଲେଖୁନାହାନ୍ତି, ଚିନ୍ତା ବି କରୁଛନ୍ତି-ସାହିତ୍ୟକୁ ସେମାନେ ଗଭୀର ଦୃଷ୍ଟିରେ ଦେଖୁଛନ୍ତି ଏବଂ ତତ୍ ସହିତ ଆତ୍ମ-ଜିଜ୍ଞାସା ମଧ୍ୟ କରୁଛନ୍ତି ।

ସାମ୍ପ୍ରତିକ ମାର୍କିନ ସାହିତ୍ୟ ଇତାଲୀୟ ସାହିତ୍ୟକୁ କେତେକ ପରିମାଣରେ ପ୍ରଭାବିତ କରିଛି ସତ, ମାତ୍ର ସମାଜର ତଳସ୍ତରର ସାଧାରଣ ମଣିଷର ଜୀବନକୁ ଅବଲମ୍ବନ କରି ଗପ ଲେଖିବାକୁ ଯାଇ ଆଜିର ଇତାଲୀୟ କଥାକାରମାନେ ଜୀବନକୁ ପରମଗୁରୁ ବୋଲି ମାନିଛନ୍ତି । ନବ-ବାସ୍ତବତା’ ଆଜି ଇତାଲୀୟ ସାହିତ୍ୟରେ ବହୁଳ ପରିମାଣରେ ଦେଖା ଯାଉଛି । ତାହାରି ମୂଳରେ ଅଛି ଜୀବନ-ନିଷ୍ଠା ଓ ଜୀବନ ପ୍ରତି ଐକାନ୍ତିକ ଆନୁଗତ୍ୟ ।

କଥା-ସାହିତ୍ୟରେ ଇତାଲୀ ଅତୀବ ସମୃଦ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହି ଦେଶର ଗପ ସବୁ ମାଧୁର୍ଯ୍ୟପୂର୍ଣ୍ଣ, ରସାପ୍ଳୁତ ଓ ଚରିତ୍ର ଗଠନ ଦିଗରେ ଏକାନ୍ତ ସହାୟକ । ଚତୁର୍ଦ୍ଦଶ ଶତାବ୍ଦୀରୁ ଇତାଲୀୟ କଥା-ସାହିତ୍ୟ ନିଜର ଗୌରବ-ନିଶାଣ ଉଡ଼ାଇ ଚାଲିଛି । ସେହିକାଳରୁ ଏପର୍ଯ୍ୟନ୍ତ ଏଗାରଟି ପ୍ରତିନିଧିମୂଳକ ରତ୍ନ ସଯତ୍ନରେ ଆହରଣ କରି ଏହି ସଞ୍ଚୟନରେ ପରିବେଷିତ ହେଲା । ନିର୍ବାଚିତ ଗପଗୁଡ଼ିକ ଯେ ପାଠକ ମହଲରେ ନିଶ୍ଚୟ ଆନନ୍ଦ ଓ ଆବେଦନ ସଞ୍ଚାର କରିବ, ଏଥିରେ ଆଦୌ ସନ୍ଦେହ ନାହିଁ ।

‘‘ପୃଥିବୀର ଶ୍ରେଷ୍ଠ ଗଳ୍ପ ଗ୍ରନ୍ଥମାଳା’’ ପର୍ଯ୍ୟାୟରେ ବିଭିନ୍ନ ଦେଶ ମହାଦେଶରୁ ସଂଗୃହିତ ଜନପ୍ରିୟ ଓ ଚିତ୍ତାକର୍ଷକ ଗପଗୁଡ଼ିକ ବାରଖଣ୍ଡରେ ପ୍ରକାଶନର ଏକ ସୁଚିନ୍ତିତ ଯୋଜନା ହୋଇଯାଇଛି ।

ମାତ୍ର ଏଯାବତ୍ ଛଅଖଣ୍ଡ ପୁସ୍ତକ ପ୍ରକାଶିତ ହେଲାଣି । ଅନ୍ୟାନ୍ୟ ଖଣ୍ଡର ମୁଦ୍ରଣ ଚାଲିଛି-। ସେସବୁ ଅଚିରେ ପାଠକଙ୍କ ହାତରେ ଯାଇ ପହଞ୍ଚିବ । ଗୁଣଗ୍ରାହୀ ପାଠକଙ୍କର ଅକୁଣ୍ଠ ଶ୍ରଦ୍ଧା, ଅକପଟ ସହାନୁଭୂତି ଓ ଅଶେଷ ଆଗ୍ରହ ଯୋଗୁଁ ଏପରି ଏକ ଦୁରୂହ ବିରାଟ ଯୋଜନାର ସୁଚାରୁ ସମ୍ପାଦନ କେବଳ ସମ୍ଭବ ହୋଇପାରୁଛି ।

 

କଟକ

ଲକ୍ଷ୍ମୀ ନାରାୟଣ ମହାନ୍ତି

ସ୍ନାନ ପୂର୍ଣ୍ଣିମା (୧୩୭୫)

 

ଜୁନ ୧୦, ୧୯୬୮

 

Image

 

ଅର୍ଘ୍ୟ

 

ସେଣ୍ଟ୍‍ ଗନ୍ସେଲଭୋଙ୍କର ବାର୍ଷିକ ମହୋତ୍ସବ । ଇତାଲୀର ମାସ୍‍କାଲିକୋ ନଗରୀର ପ୍ରତ୍ୟେକ ନରନାରୀ ଏହି ଉତ୍ସବରେ ଯୋଗ ଦିଅନ୍ତି । ସମାରୋହ ବିରାଟ । ନଗରୀରେ ଆନନ୍ଦର ବନ୍ୟା ବହିଯାଏ । ପତାକା ଓ ଫୁଲମାଳରେ ପ୍ରତ୍ୟେକ ତୋରଣ-ଦ୍ଵାର ସଜ୍ଜିତ ହୁଏ । ପ୍ରତି ଗୃହଦ୍ଵାରରେ ମଙ୍ଗଳ ଘଟ ସ୍ଥାପିତ ହୁଏ ।

 

ଏହି ନଗରରେ ଅଧିଷ୍ଠିତ ଦେବତା’ ସେଣ୍ଟ୍‍ ଗନ୍ସେଲଭୋ । ପ୍ରବାହ ଅଛି ଯେ, ପୁରାକାଳରେ ଏହି ଦେବତାଙ୍କ କୃପାରୁ ଏହି ନଗରୀ ଏକ ପ୍ରବଳ ଶତ୍ରୁର ନୃଶଂସ ଆକ୍ରମଣରୁ ଆଶ୍ଚର୍ଯ୍ୟ ଭାବରେ ରକ୍ଷା ପାଇଥିଲା । ଆଜି ଦିନଟି ତାହାରି ବିଜୟୋତ୍ସବ ।

 

ଗୀର୍ଜାରେ ଅଛି ସେଣ୍ଟ୍‍ ଗନ୍ସେଲଭୋଙ୍କର ବିରାଟ ପ୍ରସ୍ତର ମୂର୍ତ୍ତି । ସେହି ମୂର୍ତ୍ତିକୁ ଆଜି ବହନ କରି ନିଆହେବ ନଗର ମଝିରେ ବିଶେଷ ଭାବରେ ପ୍ରସ୍ତୁତ ହୋଇଥିବା ପୂଜା ମଣ୍ଡପକୁ । ସେଠାରେ ଦିନସାରା ପୂଜା ଅର୍ଚ୍ଚନା ଓ ଆନନ୍ଦ ମେଳାର ଉତ୍ସବ ଚାଲିବ ।

 

ବିଶାଳ ବୃକ୍ଷପରି ବିପୁଳ ଭାର ସେହି ମୂର୍ତ୍ତିକୁ ବହନ କରି ନେଇଯିବା ସହଜ କାମ ନୁହେଁ । ନଗରର ଆଠଜଣ ଶ୍ରେଷ୍ଠ ବଳଶାଳୀ ବୀରଙ୍କ ଉପରେ ଅର୍ପିତ ହୋଇଛି ସେହି ଗୁରୁ-ଦାୟିତ୍ୱ ।

 

ଗୀର୍ଜା ସମ୍ମୁଖରେ ପ୍ରକାଣ୍ଡ ଶୋଭାଯାତ୍ରା ଅପେକ୍ଷା କରିଛି । ବାଜଣା ବାଜୁଛି । କୋଳାହଳ ଓ ଉତ୍ତେଜନାର ଅନ୍ତ ନାହିଁ ।

 

‘‘ଉଠ, ଉଠ, ରାସ୍ତା ଛାଡ଼ । ବାହକମାନେ ଆସୁଛନ୍ତି ।’’

 

ଉତ୍ତେଜିତ ଜନତା’ ଘୁଞ୍ଚି ଠିଆ ହେଲା । ସେମାନଙ୍କ ମଝିରେ ଆଠଜଣ ବାହକ ଧୀର ପଦକ୍ଷେପରେ ଗୀର୍ଜାଆଡ଼କୁ ଆଗେଇ ଗଲେ । ସେମାନଙ୍କ ସୁଗଠିତ ବଳିଷ୍ଠ ଶରୀରଆଡ଼କୁ ପ୍ରଶଂସାମାନ ନରନାରୀର ଦୃଷ୍ଟି । ଖରା ସେମାନଙ୍କର ଚକ୍ଷୁର ଦୃଷ୍ଟି, ମୁଖରେ ସୌମ୍ୟ ହସ, ସାରା ଅବୟବର ଶକ୍ତି ବିଚ୍ଛୁରିତ ହେଉଛି ।

 

ପ୍ରଧାନ ପୁରୋହିତ ଡାକ ଛାଡ଼ିଲେ–’’ସବୁ ପ୍ରସ୍ତୁତ, ତୁମ୍ଭେମାନେ ଆଗେଇ ଆସ ।’’

 

ଶାନ୍ତ ପାଦ-କ୍ଷେପରେ ବାହକ ଆଠଜଣ ମର୍ମର ମୂର୍ତ୍ତି ସାମନାକୁ ଆଗେଇଗଲେ । ପୁରୋହିତ ସେମାନଙ୍କ ମଥାରେ ଶାନ୍ତି-ଜଳ ସିଞ୍ଚିଲେ ।

 

ବାଜଣା ଜୋରରେ ବାଜିବାକୁ ଲାଗିଲା ।

 

‘‘ଜୟ, ସେଣ୍ଟ୍‍ ଗନ୍ସେଲଭୋଙ୍କର ଜୟ ।’’

 

ନଗର–ଦେବତାଙ୍କ ଜୟ ଧ୍ୱନିରେ ଆକାଶ ପ୍ରକମ୍ପିତ ହେଲା ।

 

ବାହକମାନଙ୍କ ମଧ୍ୟରୁ ଜଣକର ନାମ ଉମାଲିଦୋ । ସେହି ଏମାନଙ୍କର ନାୟକ । ଆଗରେ ଦକ୍ଷିଣ ପାଖରେ ତାହାର ସ୍ଥାନ ।

 

‘‘ଉଠାଅ’’–ଆଦେଶ ଦେଲେ ପୁରୋହିତ ।

‘‘ଉଠାଅ’’–ପାଟି କଲା ଉମାଲିଦୋ ।

ଅସ୍ଫୁଟ ଶବ୍ଦ କରି ବାହକ । ଆଠଜଣ ମୂର୍ତ୍ତିର ତଳଦେଶରେ ବନ୍ଧା ହୋଇଥିବା କାଠପଟାର ଆଠପାଖ ଧରି ମୂର୍ତ୍ତିକୁ କାନ୍ଧ ଉପରକୁ ଉଠାଇବା ଚେଷ୍ଟାରେ ନିୟୋଜିତ ହେଲେ ।

ପାହାଡ଼ର ଭାର ବହନ କରିଦେବ ମୂର୍ତ୍ତି ଯେମିତି ସ୍ତବ୍ଧ ହୋଇଅଛି, ଉମାଲିଦୋ ପୁଣି ପାଟି କଲା-’’ଆହୁରି ଜୋରରେ, ଭାଇମାନେ ! ଜୟ ସେଣ୍ଟ୍‍ ଗନ୍ସେଲଭୋ ।’’

‘‘ଉଠିଛି, ଉଠିଛି ।’’ ଚାରିଆଡ଼େ ଗୁଞ୍ଜନ ଉଠିଲା ।’’ ଠାକୁର ଉଠିଲେ ।’’

ଅକସ୍ମାତ୍ କଅଣ ଯେମିତି ହେଲା । କାହାରି ପାଦ ବୋଧହୁଏ ଟଳିଲା ।

‘‘ସମ୍ଭାଳ, ସମ୍ଭାଳ ।’’

‘‘ଗଲା, ଗଲା, ଗଲା ।’’

‘‘ସର୍ବନାଶ, ଘୁଞ୍ଚି, ଘୁଞ୍ଚି ।’’

ମୂର୍ତ୍ତି ହଲିଗଲା । ସାବଧାନ ! ଗଲା ବୋଧହୁଏ ! ଉମାଲିଦୋର ଠିକ୍ ପଛପଟରେ ଯେଉଁ ଦୁଇଜଣ ବାହକ ଥିଲେ, ସେମାନେ ଭାର ସମ୍ଭାଳି ନପାରି ଟିକିଏ ଦୋହଲି ପଡ଼ିଲେ । ତେଣୁ ଏହି ବିପର୍ଯ୍ୟୟ ।

 

ଉମାଲିଦୋ ପ୍ରାଣପଣେ ଚିତ୍କାର କଲା–’’ସମ୍ଭାଳ ।’’

 

କିନ୍ତୁ ସେତେବେଳକୁ ମୂର୍ତ୍ତି ଟିକିଏ ଢଳି ପଡ଼ିଲାଣି ଉମାଲିଦୋ ଆଡ଼କୁ । ଦେହର ସବୁ ଶକ୍ତି ଦ୍ୱାରା ଉମାଲିଦୋ ମୂର୍ତ୍ତିକୁ ଧରି ରଖିଲା ।

 

ବିହ୍ଵଳ ସ୍ତବ୍ଧତାରେ କେତୋଟି ମୁହୂର୍ତ୍ତ ବିତିଗଲା ।

 

ତା’ ପରେ ଧୀରେ ଧୀରେ ମୂର୍ତ୍ତିକୁ ବେଦୀ ଉପରେ ଠିଆ କରାଇ ଦିଆଗଲା ।

 

ଉମାଲିଦୋର ଜୀବନ-ତୁଚ୍ଛ-କରିଥିବା ଚେଷ୍ଟାରେ ମୂର୍ତ୍ତି ପଡ଼ିଗଲା ନାହିଁ ସତ, କିନ୍ତୁ ଦେବତାକୁ ଯେତେବେଳେ ପତନରୁ ରକ୍ଷାକରି ବେଦୀ ଉପରେ ଠିଆ କରାଇଦିଆଗଲା, ସେତେବେଳେ ଦେଖାଗଲା, ଉମାଲିଦୋର ଡାହାଣ ହାତର ମଣିବନ୍ଧ ପର୍ଯ୍ୟନ୍ତ ମୂର୍ତ୍ତି ତଳେ ଚାପା ପଡ଼ିଯାଇଛି ।

 

ଆଖପାଖର ଜନତା’ ହାୟ ହାୟ କରି ଉଠିଲେ । କଅଣ ହେଲା, କଅଣ ହେଲା ରବ ଶୁଣାଗଲା ଚାରିଆଡ଼େ । ମାଟିରେ ଆଣ୍ଠୁ ଲଗାଇ ବସି ପଡ଼ିଛି ଉମାଲିଦୋ । ତାହାର ଡାହାଣ ହାତଟା ଯେଉଁଠି ଚାପା ପଡ଼ିଛି, ସେଠାରେ ଥୋଳା ଥୋଳା ରକ୍ତ ଜମାଟ ବାନ୍ଧିଛି । ମଣିବନ୍ଧ ଯାଏ ହାତଟା ପେଷିହୋଇ ଗୁଣ୍ଡ ହୋଇ ଏକବାରେ କାଗଜ ପାରି ଚେପଟା ହୋଇଯାଇଛି ।

 

ଜନତା’ ଦୁଃଖରେ ଚିତ୍କାର କରୁଛି । ଉମାଲିଦୋ ସ୍ଥିର, ଅଚଞ୍ଚଳ । କେବଳ ତାହାର ଦୁଇ ଚକ୍ଷୁରେ କାତର ବେଦନାର ଅସ୍ଫୁଟ ଆଭାସ ।

 

ଉମାଲିଦୋକୁ ମୁକ୍ତିଦେବା ପାଇଁ ତାହାର ସଙ୍ଗୀମାନେ ପୁଣି ସମବେତ ଚେଷ୍ଟାରେ ମୂର୍ତ୍ତିକୁ ଉଠାଇବା କାମରେ ଆତ୍ମନିୟୋଗ କଲେ । ଦେବତା’ ଧୀରେ ଧୀରେ ଉଠିଲେ । ଉମାଲିଦୋ ତାହାର ରକ୍ତାକ୍ତ ନିଷ୍ପେସିତ ହାତ ଖଣ୍ଡିକ ଘୁଞ୍ଚାଇନେଲା । ସେହି ଦୃଶ୍ୟ ଦେଖି ସ୍ତ୍ରୀଲୋକମାନେ ଆର୍ତ୍ତନାଦ କରି ଆଖି ବୁଜିଲେ ।

 

‘‘ଘରକୁ ଯାଅ, ଉମାଲିଦୋ ।’’

 

‘‘ଡାକ୍ତର ପାଖକୁ ଚାଲ ।’’

 

ଅନେକେ ସାନ୍ତ୍ୱନା ଦେଲେ । ଅନେକେ ସାହାଯ୍ୟ କରିବାକୁ ଆଗେଇ ଆସିଲେ । ଜଣେ ମହିଳା ତାଙ୍କର ଓଢ଼ଣୀଟା ତାହାର ହାତ ବାନ୍ଧିବା ପାଇଁ ଖୋଲିଦେଲେ ।

 

ଏଣେ ଉମାଲିଦୋର ସ୍ଥାନରେ କିଏ ବାହକ ହେବ ସେଥିପାଇଁ ତନାଘନା ପଡ଼ିଗଲା ।

 

‘‘ଏଥର ମୋ ପାଳି ।’’

 

‘‘ନା, ତା’ପରେ ଥିଲା ମୋ ପାଳି ।’’

 

‘‘ନା, ନା, ମୁଁ ଦେବତାଙ୍କୁ କାନ୍ଧେଇବି ।’’

 

ତିନି ଚାରିଜଣଙ୍କ ଭିତରେ ରୀତିମତ ଝଗଡ଼ା ଆରମ୍ଭ ହୋଇ ଯାଇଛି ।

 

ବାମହାତରେ ଜନତାକୁ ହଟାଇ ଉମାଲିଦୋ ଆଗେଇ ଆସିଲା । ବିକ୍ଷତ ମଣିବନ୍ଧଟା ଝୁଲି ପଡ଼ିଛି । ରକ୍ତ ଜମି ଜମି ସମଗ୍ର କ୍ଷତ ସ୍ଥାନଟା କଳା ପଡ଼ିଯାଇଛି ।

 

ନିଷ୍କମ୍ପ କଣ୍ଠରେ ଉମାଲିଦୋ କହିଲା-’’କାହାରି ପାଳି ନୁହେଁ । ମୋ ପାଳି ମୁଁ ନିଜେ ଶେଷ କରିବି ।’’

 

ସମସ୍ତେ ହତବାକ୍ । ଉମାଲିଦୋ କଅଣ ପାଗଳ ହେଲା କି ? ଏହି ଅବସ୍ଥାରେ ସେ ମୂର୍ତ୍ତି ବହନ କରିବ ?

 

ମଥାନତ କରି ଉମାଲିଦୋ ଜଣାଇଲା- ହଁ, ସେ ନିଜେ ବହନ କରିବ ଏବଂ କଥା ଶେଷକରି ସେ ପୁନରାୟ ନିଜ ସ୍ଥାନକୁ ଯାଇ ଅନ୍ୟ ବାହକମାନଙ୍କ ସହିତ କାନ୍ଧ ମିଳେଇଲା ।

 

ବିରାଟ ଶୋଭାଯାତ୍ରା ଆଗରେ ମୂର୍ତ୍ତି କାନ୍ଧେଇ ବାହକମାନେ ସତର୍କ ପଦ ବିକ୍ଷେପରେ ଚାଲିଛନ୍ତି । ବାଜଣାର ଛନ୍ଦରେ ସେମାନଙ୍କର ଗୋଡ଼ ପଡ଼ୁଛି । ବକ୍ଷର ମାଂସପେଶୀ ତାରି ତାଳରେ ଉଠୁଛି ପଡ଼ୁଛି ।

 

‘‘ଉମାଲିଦୋ, କେମିତିକା ଲାଗୁଛି ?’’

 

ପଛରୁ ସଙ୍ଗୀ ଜଣେ ପ୍ରଶ୍ନ କଲା । କିନ୍ତୁ ଉମାଲିଦୋ ଉତ୍ତର ଦେଲା ନାହିଁ । ଖାଲି ମଥା ହଲାଇଲା । ତାହାର ଦୁଇ ଚକ୍ଷୁରେ ଧୀରେ ଧୀରେ ଯେପରି ଅନ୍ଧକାର ଘୋଟି ଆସୁଛି । ପାରିବ ନାହିଁ କଅଣ ସେ ତାହାର ଯାତ୍ରା ଶେଷ କରି, ପୂଜା-ମଣ୍ଡପରେ ଦେବତାକୁ ପ୍ରତିଷ୍ଠିତ କରି ?

 

ରାସ୍ତାର ବାଙ୍କରେ ମୋଡ଼ ଘୂରିବାକୁ ଯାଇ ଉମାଲିଦୋର ପାଦ ଟଳିଗଲା । ନା ! ଆଉତ ପାରି ହେଉ ନାହିଁ ! ଶେଷରେ କଅଣ ଅନ୍ୟ ସଙ୍ଗୀମାନଙ୍କର ବି ବିପଦ ଘଟାଇବ ସେ ? ତାହାର ସଙ୍କେତରେ ବାହକମାନେ ଅଟକିଗଲେ । ସେ ଆଉ ପାରୁ ନାହିଁ, ଅନ୍ୟ କେହି ଆସୁ, ଜଣାଇଲା ଉମାଲିଦୋ ।

 

କହିବା ମାତ୍ରେ ଦୌଡ଼ି ଆସିଲା ଆଉଜଣେ । ଉମାଲିଦୋ ସାବଧାନ ହୋଇ ଘୁଞ୍ଚି ଠିଆହେଲା । ନବାଗତ ବାହକ ତାହାର ସ୍ଥାନ ଗ୍ରହଣ କଲା । ଶୋଭାଯାତ୍ରା ପୁଣି ଅଗ୍ରସର ହେଲା ।

 

ଉମାଲିଦୋ ଆଉ ଠିଆ ହୋଇପାରିଲା ନାହିଁ । ଧୀରେ ଧୀରେ ରାସ୍ତାକଡ଼ରେ ବସି ପଡ଼ିଲା । କାନ୍ଧ ଉପରୁ ଗୁରୁ ଭାର ଖସିଯିବା ସଙ୍ଗେ ସଙ୍ଗେ ତାହାର ଦେହର ସମସ୍ତ ଶକ୍ତି ଯେମିତି ନିଃଶେଷ ହୋଇଯାଇଛି । ଦୁଇ ଚକ୍ଷୁରେ ଅତଳ ଅନ୍ଧକାର ।

 

ଅଦୂରରେ ପୂଜା-ମଣ୍ଡପରେ ଘଣ୍ଟା-ଧ୍ୱନି ହେଉଛି । ଦେବତା’ ବୋଧହୁଏ ସିଂହାସନରେ ବସିଲେ । ବାଜଣା ବାଜୁଛି । ପୂଜାର ବାଜଣା ।

 

‘‘ଆହା, ଉମାଲିଦୋ, ତୁମେ ଏକ୍ଷଣି ଏଠାରେ କାହିଁକି ବସିଛ ? ଘରକୁ ଯାଅ । ଡାକ୍ତର ଦେଖାଅ ! ଆହା, ହାତଟା ଏକବାରେ ଯାଇଛି ।’’

 

ସମବେଦନା ଜଣାଇ ସମସ୍ତେ ଚାଲିଗଲେ । ପୂଜାର ଲଗ୍ନ ନିକଟେଇ ଆସୁଛି । ଉତ୍ସବ ଆରମ୍ଭ ହେଲାଣି । ସମସ୍ତେ ଉର୍ଦ୍ଧ୍ୱଶ୍ୱାସରେ ପୂଜାମଣ୍ଡପ ଆଡ଼କୁ ଦୌଡ଼ିଛନ୍ତି । ଉମାଲିଦୋ ଆଡ଼କୁ କାହାରି ଦୃଷ୍ଟି ଦେବାର ସମୟ ନାହିଁ ।

 

ହାତଟା ପ୍ରକୃତରେ ଏକବାରେ ଯାଇଛି । ଏହି ଡାହାଣ ହାତ ଦ୍ୱାରା ସେ ଏତେଦିନ ଜୀବିକା ଅର୍ଜନ କରିଛି । ସୁଦକ୍ଷ କାରିଗର ସେ । ଡାହାଣ ହାତରେ ତାହାର ଯାହା କିଛି କାମ । ସେହି ଡାହାଣ ହାତଟା ଆଉ ନାହିଁ । ଆଘାତର ବେଦନା ଅପେକ୍ଷା ଉମାଲିଦୋର ବକ୍ଷରେ ଜମିଗଲା ଅବସାଦ ଓ ହତାଶା । ସେ ପଙ୍ଗୁ ହୋଇଗଲା । ବ୍ୟର୍ଥ ତାହାର ଭବିଷ୍ୟତ ।

 

କମରରେ ତାହାର ଖୋସା ହୋଇଥିଲା ତୀକ୍ଷ୍‍ଣ ଧାର ଛୁରୀକା । ବାମହାତରେ ସେହି ଛୁରୀ ବାହାର କରି ଆଣି ଉମାଲିଦୋ ଉଠି ଠିଆହେଲା । ତାହାର ପାଦ ଟଳୁଛି, ମଥା ଘୂରାଉଛି । ସେ ଠିଆ ହୋଇପାରୁ ନାହିଁ । ତଥାପି ତାହାକୁ ପୂଜା-ମଣ୍ଡପକୁ ଯିବାକୁ ହେବ । ପ୍ରତ୍ୟେକ ନାଗରିକ ଆଜି ଦେବତାକୁ ଅର୍ଘ୍ୟ ଦେବେ । କେବଳ ସେ କଅଣ କିଛି ମାତ୍ର ଦେବ ନାହିଁ ?

 

ଧୂପ ଧୂଆଁରେ ପୂଜାସ୍ଥଳୀ ଧୂସର ହୋଇଯାଇଛି । ପୁରୋହିତ ପୂଜାରେ ବସିଛନ୍ତି । ପ୍ରକାଣ୍ଡ ବେଦୀ ସମ୍ମୁଖରେ ନାନାବିଧ ଅର୍ଘ୍ୟ, ଉପହାର ଓ ଉପଚାର ।

 

ଧୀରେ ଧୀରେ ଉମାଲିଦୋ ବେଦୀ ଆଗକୁ ଆସିଲା । ଜନତା’ର ଦୃଷ୍ଟି ତା’ ଉପରେ ପଡ଼ିଲା ।

 

‘‘ଉମାଲିଦୋ ଆସିଛି । ଉମାଲିଦୋ ।’’

 

କିନ୍ତୁ ଏ କଅଣ କରୁଛି ସେ ? ବାମହାତରେ ଛୁରୀ କାହିଁକି ? ଏ କଅଣ ! ଏ କଅଣ ! ଛୁରୀରେ ସେ ତାହାର ଡାହାଣ ହାତଟା କାଟି ପକାଇଛି ! ଚାରିଆଡ଼େ ତୁମୁଳ ଗୁଞ୍ଜନ-ଧ୍ୱନି ଶୁଣାଯିବାକୁ ଲାଗିଲା ।

 

ଡାହାଣ ହାତଟି ବେଦୀ ଉପରେ ସ୍ଥାପନ କରି ବାମ ହାତରେ କ୍ଷୁରଧାର ଛୁରୀକା ଧରି ଉମାଲିଦୋ ନିଜର ଡାହାଣ ହାତର କହୁଣୀ ତଳେ ସେହି ଛୁରୀ ବସାଇଦେଲା । ରକ୍ତର ସୁଅ ଛୁଟିବାକୁ ଲାଗିଲା । ନିର୍ବିକାର ଉମାଲିଦୋ । ଚିତ୍କାର କରୁ କରୁ ସେ ଡାହାଣ ହାତଟା ଦି ଗଡ଼ କରିଦେଲା । ତା’ପରେ ବାମ ହାତରେ ସେହି ଖଣ୍ଡିତ ହାତର ଅଂଶଟିକୁ ବେଦୀ ଉପରେ ସ୍ଥାପନ କରି ଉମାଲିଦୋ ଆର୍ତ୍ତକଣ୍ଠରେ ଜଣାଇଲା-’’ଦେବତା’ ! ମୋର ଏହି ଶ୍ରେଷ୍ଠଅର୍ଘ୍ୟ ତୁମକୁ ଦେଲି ।’’

 

–ଗାବ୍ରିୟେଲ ଦ୍ୟୁ ଆନତ୍ ସିଓ

Image

 

ନଗ୍ନ ସତ୍ୟ

 

‘‘ମରିଗଲେ, ବୁଝିଲ ବନ୍ଧୁ, ମରିଗଲେ ବି, ମଣିଷ ନିଜର ଖଣ୍ଡିଏ ଘର ଲୋଡ଼େ । ଯଦି ମୃତବ୍ୟକ୍ତିଟି ଥିଲାବାଲା ହୋଇଥାଏ, ତାହାର ଖଣ୍ଡିଏ ସୁନ୍ଦର ଘର ଦରକାର ହୁଏ । ଏଥିପାଇଁ ସେ ବି ହକ୍‍ଦାର । ସୁଖ-ସ୍ଵଚ୍ଛନ୍ଦରେ ରହିବାକୁ ହେଲେ, ତାହାର ଇଚ୍ଛା ଏହା ଯେମିତି ମାର୍ବଲ ପଥରରେ ତିଆରି ହୁଏ, ଏବଂ ତା’ ଉପରେ ନାନା କାରୁକାର୍ଯ୍ୟ କରାହୋଇଥାଏ । ଆଉ ତା’ପରେ, ମୃତବ୍ୟକ୍ତିଟିର ଅଜାଡ଼ି ଦେବାକୁ ଯଦି ଅଜସ୍ର ଅର୍ଥ ଥାଏ, ତାହାହେଲେ ତ କବର ଉପରେ ମୋ ପରି ଜଣେ ବଡ଼ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ଗୋଟିଏ ବିରାଟ...ବିରାଟ...କଅଣ କହନ୍ତି ତାହାକୁ ? .....ରୂପକ, ହଁ, ଗୋଟିଏ ବିରାଟ ରୂପକ ତିଆରି କରାଇନିଏ ସେ...ଖଣ୍ଡିଏ ପଥର ଉପରେ ଲାଟିନ ଭାଷାରେ ଲେଖାହୋଇଥାଏ । ତାହାର ପରିଚୟ.....ସେ କଅଣ ଥିଲା, ସେ କଅଣ ନଥିଲା...ଚାରିଦିଗରେ ଫୁଲଫଳଭରା ଗୋଟିଏ ମନୋରମ ଛୋଟ ବଗିଚା, ଏବଂ କୁକୁରଗୁଡ଼ାକୁ ଦୂରେଇ ରଖିବା ପାଇଁ ଗୋଟିଏ ସୁନ୍ଦର ରେଲିଂ ଆଉ.... ।

 

‘‘ଓଃ ! ଚୁପ୍ କର ! ମୋତେ ଜଳେଇ ପୋଡ଼େଇ ମାରିଲୁ !’’ କନଷ୍ଟାଣ୍ଟିନୋ ପଲିୟାନି ଚିତ୍କାର କଲା, ତ ମୁହଁଟି ଝାଳରେ ବୁଡ଼ିଯାଇ ଝଲସୁଥିଲା ।

 

ସିରୋ କାଲ୍ଲି ଆଙ୍କୁଶି ପରି ବଙ୍କା ହୋଇଥିବା ତାହାର ଛେଳି-ଦାଢ଼ିଯୁକ୍ତ ମୁଖଟି ଛାତିଉପରୁ ଉଠାଇଲା । ନୀରବରେ ପଲିୟାନି ଆଡ଼କୁ ଅନାଇ, ନାକ ଉପରକୁ ଲମ୍ବିଯାଇଥିବା ଟୋପିତଳୁ ତ ଆଖି ଟେକିଲା, ଏବଂ ତା’ପରେ ଅନେକ ଭାବିଚିନ୍ତି ମନ ସ୍ଥିରକରି, ତା’ ବନ୍ଧୁ ସମ୍ବନ୍ଧରେ ନିଜର ମତାମତ ପ୍ରକାଶ କଲା ଗୋଟିଏ ମାତ୍ର ଶବ୍ଦରେ–’’ଗଧ’’ ।

 

ଏତିକିରେ ସବୁ କଥା ତୁଟିଗଲା ।

 

ଟିକିଏ ଆଗରୁ ପଲିୟାନି ସୋଫାଟି ଓ ଛୋଟ କାର୍ପେଟଟା ଖୁବ୍ ଯତ୍ନରେ ପରିଷ୍କାର କରି ରଖିଥିଲା । ସିରୋ କଲ୍ଲି ନିଜର ଲମ୍ବାଗୋଡ଼ ଦୁଇଟି କାର୍ପେଟ ଉପରେ ଛଡ଼ା ଛଡ଼ା କରି ଲମ୍ବାଇ ନିଶ୍ଚିନ୍ତ ଆରାମରେ ଆସି ସୋଫା ଉପରେ ବସିଲା ।

 

ପଲିୟାନି ନିଜର ଷ୍ଟୁଡିଓଟା ପରିଷ୍କାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିଲା, ଆବକ୍ଷ ମୂର୍ତ୍ତିଗୁଡ଼ିକ ଏପରି ଭାବରେ ସଜାଇରଖୁଥିଲା ଯେ ଯେମିତି ସେଗୁଡ଼ିକ ଖୁବ୍ ଭଲ ଦେଖାଯିବ । ପ୍ରଦର୍ଶନୀରୁ ଫେରି ଆସିଥିବା ତାହାର ନନୀଯ ତିଆରି ପ୍ଳାଷ୍ଟରର ପୁରୁଣା ଧୂଳି ମିଶା ହଳଦିଆ ମୂର୍ତ୍ତିଗୁଡ଼ାକ ଷ୍ଟୁଡିଓ ପଛରେ ସଜାଇ ରଖୁଥିଲା, ଭବିଷ୍ୟତରେ ଯେଉଁସବୁ ମୂର୍ତ୍ତି ସେ ପ୍ରଦର୍ଶନୀକୁ ପଠାଇବ ସେଗୁଡ଼ାକ ଆଗରେ ଭଲ କରି ବାଛି ବାଛି ଥୋଉଥିଲା-ନିଜେ ଏତେ ଖଟୁଛି, ଅଥଚ ବନ୍ଧୁଟି ଆରାମରେ ବସି ଏଣୁତେଣୁ ବକୁଛି ବୋଲି ସେହି ଚିନ୍ତାରେ ପଲିୟାନି ଖୁବ୍ ବିରକ୍ତ ହେଉଥିଲା । ଢେର ଅଧୈର୍ଯ୍ୟ ହୋଇ କହିପକାଇଲା; ‘‘ତାହାହେଲେ ଏକ୍ଷଣି, ଏଠାରୁ ଯାଉଛୁ ନା ? ହଁ, ନା ନାଁ ?’’

 

‘‘ନା ।’’

 

‘‘ବେଶ୍, ଈଶ୍ୱରଙ୍କ ଦ୍ୱାହି ତୋତେ, ମୁଁ ଯେଉଁ ପାଖଟା ପରିଷ୍କାର କରିଛି ଅନ୍ତତଃ ସେଇଠି ବସି ଟିକିଏ ମଇଳା କରନା । ମୁଁ ତୋତେ କହିଛିନା, କେତେଜଣ ଭଦ୍ର ମହିଳାଙ୍କର ଆସିବାର ଅଛି-।’’

 

‘‘ମୋର ତୋତେ ବିଶ୍ୱାସ ହେଉ ନାହିଁ ।’’

 

‘‘ଏହି ଚିଠି । ଦେଖ ! କମାଣ୍ଡାର ସେରା ଅଲ୍ଲିଙ୍କ ପାଖରୁ କାଲି ଆସିଛି:’’ ଶ୍ରଦ୍ଧେୟ ବନ୍ଧୁ, ଆପଣଙ୍କୁ ଜଣାଇ ଦେଉଛି ଯେ କାଲି ପ୍ରାୟ ଏଗାରଟା ବେଳେ–’’ ।’’

 

‘‘ଏଗାରଟା କଅଣ ବାଜି ନାହିଁ ?’’

 

‘‘ବାଜି ଗଲାଣି !’’

 

‘‘ମୋର ତୋତେ ବିଶ୍ୱାସ ନାହିଁ । ପଢ଼ !’’

 

‘‘ଆପଣଙ୍କୁ ଦେଖା କରିବାକୁ ଯିବେ ସିନୋରା କନ୍.......ସେ ଶବ୍ଦଟା କଅଣ ?’’

 

‘‘କନ୍‍ଫୁସିୟସ ।’’

 

‘‘କଣ୍ଟ୍‍........କିମ୍ବା କନ୍ସାଲ୍‍ଭି, ମୁଁ ଠିକ୍ ଭାବରେ ପଢ଼ିପାରୁ ନାହିଁ, ଏବଂ ତାଙ୍କର କନ୍ୟା । ଆପଣ ସେମାନଙ୍କର କିଛି କାମ କରିଦେବେ, ଏହା ସେମାନଙ୍କର ଇଚ୍ଛା । ମୋର ଦୃଢ଼ବିଶ୍ୱାସ ଯେ...ଇତ୍ୟାଦି, ଇତ୍ୟାଦି ।’’

 

‘‘ତୁ ନିଜେ ସେହି ଚିଠିଟା ଲେଖି ନାହୁଁ ତ ?’’ ମୁଖଟି ପୁଣି ବକ୍ଷ ଉପରେ ଗୁଞ୍ଜି, ସିରୋ କଲ୍ଲି ପଚାରିଲା ।

 

‘‘ବୋକା !’’ ପଲିୟାନି କହି ପକାଇଲା । ହସିବ କି କାନ୍ଦିବ ଠିକ୍‍ କରିନପାରି, ସେ ପ୍ରାୟ ହତାଶ ହୋଇପଡ଼ିଲା ।

 

କଲ୍ଲି ଉତ୍ତେଜନାରେ ଗୋଟିଏ ଆଙ୍ଗୁଳି ଉଠାଇଲା ।

 

‘‘ମୋତେ ତାହା କହିପାରିବୁ ନାହିଁ । ମୁଁ ତା’ର ପ୍ରତିବାଦ କରୁଛି । କାରଣ ପ୍ରକୃତରେ ମୁଁ ବୋକା ହୋଇଥିଲେ, ମୁଁ କେମିତିକ ଲୋକ ହୋଇଥାଆନ୍ତି ଜାଣୁନା ? ତାହା ହୋଇଥିଲେ ମୁଁ ଅନ୍ୟ ସମସ୍ତଙ୍କୁ କରୁଣାପୂର୍ଣ୍ଣ ଦୃଷ୍ଟିରୁ ଦେଖୁଥାଆନ୍ତି । ମୁଁ ଖୁବ୍ ଭଲ ପୋଷାକ, ଜୋତା ପିନ୍ଧୁଥାଆନ୍ତି, ଆଉ ଗୋଟାଏ ସୁନ୍ଦର ଟାଇ....ହେଲିୟୋପ୍ରୋ ରଙ୍ଗର...ହେଲିୟୋଟ୍ରୋ...ତାହାକୁ କଅଣ କହନ୍ତି ତ ? .......ହେଲିୟୋଟ୍ରୋପି, ଏବଂ ତୋ ପରି ଭେଲ୍‍-ଭେଟ୍‍ର ଗୋଟାଏ ୱେଷ୍ଟକୋଟ୍‍-ହାୟରେ ମୋର ଫଟା କପାଳ । ଶୁଣ । ମୁଁ ଯାହା କହୁଛି ତାହା କର ଏବଂ ମୋ କହିବାନୁଯାୟୀ କଲେ ତୋର ଖୁବ୍ ଭଲ ହେବ । ଯଦି ସତରେ ଏହି କନ୍‍ଫୁସିୟସ୍ ମହିଳାମାନେ ଏଠାକୁ ଆସୁଥାଆନ୍ତି, ତାହାହେଲେ ଚାଲ ଷ୍ଟୁଡିଓଟା ପୁଣି ଖୁବ୍ ପରିଷ୍କାର କରିଦେବା, ତାହା ନ ହେଲେ ସେମାନଙ୍କର ତା’ ଉପରେ ଗୋଟାଏ ଅତି ଖରାପ ଧାରଣା ଜାତ ହେବ । ସେମାନେ ଆସି ଦେଖିବେ ଯେ ତୁ ଏକବାରେ କାର୍ଯ୍ୟରେ ମଗ୍ନ, ଝାଳ ବହିଯାଉଛି......ମୋର କହିବାର କଥା, ମୁଣ୍ଡରଝାଳ ତୁଣ୍ଡରେ ମାରି । କିଛି କାଦୁଅ ନେ, ଷ୍ଟାଣ୍ଡ ଉପରେ ରଖ, ଆଉ ମୁଁ ଏଠାରେ ଗଡ଼ୁଛି, ଯେତେଦୂର ପାରୁ ଏହାର ଗୋଟାଏ ପ୍ରତିମୂର୍ତ୍ତି ଗଢ଼ୁ । ଆମେ ତାହାକୁ କହିବା ‘‘ଶ୍ରମିକ ।’’ ମୋ କଥାଟା ମନେରଖ - ନାମଦେଖି ନ୍ୟାସନାଲ ଗ୍ୟାଲେରୀ ତୁରନ୍ତ କିଣିନେବ । ମୋ ଜୋତା...ହଁ, ଖୁବ୍ ପୁରୁଣା ହୋଇଗଲାଣି; କିନ୍ତୁ ତୁ ଚାହିଁଲେ ତାହାକୁ ଏକବାରେ ନୂଆ କରିଦେଇପାରୁ, କାରଣ, ତୋତେ ଖୋସାମତ କରୁନାହିଁ, ମୁଁ କହିପାରେଁ, ଭାସ୍କର ହିସାବରେ’’ ତୁ ଜଣେ ବେଶ୍ ପକ୍କା ମୋଚୀ ।’’

 

କନଷ୍ଟାଣ୍ଟିନୋ ପଲିୟାନିର ଏଠି ପ୍ରତି ନଜର ନଥିଲା । ସେ କାନ୍ଥରେ କେତେଗୁଡ଼ିଏ କାର୍ଟୁନ ଛବି ଟାଙ୍ଗୁଥିଲା । ତା’ ମତରେ କଲ୍ଲିର ଜୀବନଟା ଏକବାରେ ବ୍ୟର୍ଥ, ଗତଯୁଗର ଯାଉଁ-ଯାଉଁ ଅଟକି-ଠିଆ ହୋଇଥିବା ଏକ ସ୍ମୃତି, ଶିଳ୍ପୀ ମହଲରେ ସେହି ପୁରୁଣା ଚାଲିଚଳଣ-ଅପରିଚ୍ଛନ୍ନ ଓ ଅବହେଳିତ ଚେହେରା, ଢିଲା, ଏବଂ ନିଜର ଏହି ମଜ୍ଜାଗତ ଆଳସ୍ୟ ସ୍ୱାଭାବିକ । ନ ହେଲେ, କାମ କରିବା ପାଇଁ ତାହାର ସ୍ପୃହା ଜାତ ହେଲେ ସେତେବେଳେ ତା’ ମଥାରୁ ଯାହା ବାହାରେ ତାହା ଶ୍ରେଷ୍ଠଶିଳ୍ପୀଙ୍କ କାର୍ଯ୍ୟ ସହିତ କି ତାଳ ହେବ । ପଲିୟାନି ସେ ସମ୍ବନ୍ଧରେ କିଛି ଜାଣେ: କେତେ ସମୟରେ ଗୋଟିଏ ମୂର୍ତ୍ତି ଭିତରେ କୌଣସି ଏକ ବିଶେଷ ଭାବ ଫୁଟାଇବା ପାଇଁ ସେ ଯେତେବେଳେ ଝାଳନାଳ ହେଉଥାଏ, ତାହାର ବନ୍ଧୁଟି ଷ୍ଟୁଡିୟୋକୁ ଆସି ଅବହେଳିତ ଭାବରେ ନିଜର ବୁଢ଼ା ଆଙ୍ଗୁଳିର କେତୋଟି ସ୍ପର୍ଶରେ ତାହା ସହଜରେ ଫୁଟାଇପାରେ । କିନ୍ତୁ କଲ୍ଲି ପଢାପଢ଼ି କରିଥିଲେ ଆହୁରି ଭଲ ହୋଇଥାଆନ୍ତା, ଭାସ୍କର୍ଯ୍ୟ-ଶିଳ୍ପର ଇତିହାସ ସମ୍ବନ୍ଧରେ ଟିକିଏ କିଛି ଜାଣିଥିଲେ ବି ଚଳନ୍ତା । ତା’ ଛଡ଼ା ନିୟମିତ ଭାବରେ ଜୀବନଯାପନ କରି ନିଜ ଚେହେରା ପ୍ରତି ଟିକିଏ ଦୃଷ୍ଟିଦେବା ତାହାର ଉଚିତ୍‍ । ପ୍ରକୃତରେ, ସେ ଏହିସବୁ ଅଦ୍ଭୁତ ଭାବନା ମଥାରେ ରଖିଥାଏ ଏବଂ ଏମିତି ଅଜବ ପୋଷାକ ପିନ୍ଧିଥାଏ ଯେ ତାହାକୁ ଦେଖିଲେ ସହିହୁଏ ନାହିଁ । କାହିଁକି, ପଲିୟାନି ନିଜେ ଦୁଇବର୍ଷ ବିଶ୍ୱବିଦ୍ୟାଳୟରେ ପଢ଼ି ଏକ୍ଷଣି ତ ବେଶ୍ ଆସ୍ତେ ଆସ୍ତେ ତାହାର କାମ କରିଯାଉଛି..... ।

 

ଏତିକି ବେଳେ ଦୁଆରରେ ଦୁଇଟି ମୃଦୁ କରାଘାତ ହେଲା । ଟୁଲ୍ ଉପରେ ଠିଆହୋଇ ସେ ତାହାର ସ୍କେଚ୍‍ଗୁଡ଼ାକ ଟାଙ୍ଗୁଥିଲା, ଶବ୍ଦ ଶୁଣିପାରି କୁଦି ପଡ଼ିଲା ।

 

‘‘କଅଣ,ତୁ ଯିବୁ ନାହିଁ ?’’ କଲ୍ଲିର ହାତମୁଠାକୁ ହଲାଇ, ସେ ତାହାକୁ ପଚାରିଲା ।

 

‘‘ସେମାନେ ଆସିଗଲେ ମୁଁ ଚାଲିଯିବି’’, ଉଠିପଡ଼ିବାର କୌଣସି ଇଙ୍ଗିତ ନ ଦେଖାଇ, ତାହାର ବନ୍ଧୁ ଜବାବ ଦେଲା ।’’ଏତେ ଉଚ୍ଚ ଓ ଶକ୍ତିଶାଳୀ ହୁଅ ନାହିଁ । ଏମିତି ସ୍ୱାର୍ଥପର ଓ ଅସଭ୍ୟ ହେଲେ ଚଳିବନା, ତାହାଙ୍କ ସହିତ ମୋର ଅନ୍ତତଃ ପରିଚୟ କରାଇଦେ ।’’

 

ପଲିୟାନି ନିଜର କପାଳ ଉପରୁ କୁଞ୍ଚୁକୁଞ୍ଚିଆ ବାଳ ଟେକିଦେଇ, ଦୁଆର ଖୋଲିଦେବାକୁ ଦୌଡ଼ିଗଲା ।

 

ସିନୋରା କନ୍ସାଲ୍‍ଭି ଘରେ ପ୍ରବେଶ କଲା । ପଛରେ ତାଙ୍କର ଝିଅ, ତରୁଣୀ ବାଳିକାଟିଏ, ଗଭୀର ଶୋକ-ପୋଷାକ ପରିଧାନ କରିଛି, ମୋଟା କ୍ରେପର ଓଢ଼ଣାରେ ତାହାର ମୁଖଟି ଆବୃତ । ଗୁଡ଼ାହୋଇଥିବା ଖଣ୍ଡିଏ ଲମ୍ବା କାଗଜ ହାତରେ ଧରିଛି । ମାଆ ସୁନ୍ଦର ହାଲୁକା ପାଉଁଶିଆ ରଙ୍ଗର ପୋଷାକ ପିନ୍ଧିଛି, ତାହାର ସୁଗଠିତ ଦେହକୁ ଖୁବ୍ ଚମତ୍କାର ମଣୁଛି । ତାହାର ମଥାର ବାଳ ପୋଷାକ ପରି ପାଉଁଶିଆ ବର୍ଣ୍ଣ ହୋଇଗଲାଣି, କିନ୍ତୁ ତାହା ଯୁବତୀସୁଲଭ ଢଙ୍ଗରେ ବନ୍ଧାଯାଇଛି । ମଥାରେ ଭାୟୋଲେଟ ଫୁଲ ଖୋସା ହୋଇଥିବା ଛୋଟ ସୁନ୍ଦର ଟୋପିଟାଏ ।

 

ସିନୋରା କନ୍ସାଲ୍‍ଭିଙ୍କୁ ଦେଖିଲେ ଜଣାପଡ଼ୁଥାଏ, ବୟସ ହୋଇଯାଇଥିଲେ ସୁଦ୍ଧା ସେ ଯେ ଏକ୍ଷଣି ସୁନ୍ଦରୀ ଏହି ବିଷୟରେ ସେ ବିଶେଷ ସଚେତନ । ଝିଅଟି ଯେତେବେଳେ ମୁହଁର ଓଢ଼ଣାଟି ଟୋପି ଉପରକୁ ଉଠାଗଲା, ସେତେବେଳେ ଦେଖାଗଲା ଯେ ଶୋକରେ କାତର ହୋଇଥିଲେ ବି ସେ ତ କମ୍ ସୁନ୍ଦରୀ ନୁହେଁ ।

 

ପ୍ରାଥମିକ ଭଦ୍ରତା-ବିନିମୟ ପରେ, ପଲିୟାନି ଲକ୍ଷ୍ୟ କଲା ସେ ହାତଦୁଇଟି ପକେଟରେ ପୁରାଇ, ଟୋପିଟା ପ୍ରାୟ ନାକ ଉପରକୁ ଖସାଇଆଣି ଏବଂ ଖଣ୍ଡିଏ ଦରପୋଡ଼ା ସିଗାରେଟ ଓଠ ଭିତରେ ପୁରାଇ କଲ୍ଲି ତଥାପି ସେଠାରେ ଟହଲ ମାରୁଥିଲା । ତାହାର ଚାଲିଯିବାର କୌଣସି ଲକ୍ଷଣ ଦେଖାଯାଉ ନଥିଲା ।

 

ସିନୋରିନା କନ୍ସାଲ୍‍ଭି ହଠାତ୍ ଅବାକ୍ ହୋଇଯାଇ ମୁହଁରେ ତଳକୁ କରି, ପଚାରିଲା, ସିନୋର କଲ୍ଲି ? ସିରୋ କଲ୍ଲି ? ଭାସ୍କର ?’’

 

ସିଧା ଠିଆହୋଇ ଏବଂ ମଥାରୁ ଟୋପିଟା ଉଠାଇନେଇ, କଲ୍ଲି ଜବାବ ଦେଲା, ‘‘ଭାସ୍କର ? କାହିଁକି ନୁହେଁ ? ହଁ, ମୁଁ ବି ଜଣେ ଭାସ୍କର ।’’

 

ସିନୋରିନା କନ୍ସାଲ୍‍ଭି ଟିକିଏ ବିରକ୍ତି ଓ ଅପ୍ରସ୍ତୁତ ବୋଧ କଲା । ସେ କାନ୍ଦିଲା, ‘‘କିନ୍ତୁ ମୁଁ ଶୁଣିଥିଲି ଯେ ଆପଣ ଆଉ ରୋମ୍‍ରେ ରହୁ ନାହାନ୍ତି ।’’

 

‘‘ନା ! ମୁଁ ଏଠାରେ ଭଲରେ ଅଛି । ସିନୋରିନା, କହିବାକୁ ଗଲେ, ମୁଁ ଛୁଟିରେ ଅଛି । ପ୍ରଥମେ, ଗୋଟିଏ ବୃତ୍ତିନେଇ ରୋମ୍‍ଭଳି ଏକ ସୁନ୍ଦର ସ୍ଥାନରେ ଆସି ଚିରକାଳ ଅଳସୁଆମି କରି କଟାଇବି ବୋଲି ସ୍ଥିର କରିଥିଲି, ଏବଂ ତା’ପରେ...’’

 

ମାଆ ମୃଦୁ ହସୁଥିଲା । ସିନୋରିନା କନ୍ସାଲ୍‍ଭି ତା’ ଆଡ଼କୁ ଅନାଇ କହିଲା: ‘‘କଅଣ କରିବାକୁ ହେବ ?’’

 

‘‘ମୁଁ ଚାଲିଯାଉଛି ?’’ କଲ୍ଲି ପଚାରିଲା ।

 

ସିନୋରିନା ଚଞ୍ଚଳ ଚଞ୍ଚଳ ଜବାବ ଦେଲା,’’ନା, ନା, ଆପଣ ଚାଲିଯିବେ କାହିଁକି, ଏଠାରେ ରହିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି, କାରଣ.....

 

ମାଆ ଚିତ୍କାର କଲା ,’’କି ଅପୂର୍ବ ମିଳନ !’’ ତା’ପରେ ପଲିୟାନି ଆଡ଼କୁ ଫେରିପଡ଼ି, ସେ ପୁଣି କହିଲା, ‘‘କିନ୍ତୁ ଯେ କୌଣସି ମତେ ଗୋଟିଏ ଉପାୟ ସ୍ଥିର କରାଯିବ...ଆପଣମାନେ ଦୁଇ ଜଣ ବନ୍ଧୁ, ନୁହେଁ ନା ?’’

 

‘‘ଖୁବ୍ ଘନିଷ୍ଠ ବନ୍ଧୁ,’’ ପଲିୟାନି ତୁରନ୍ତ ଜବାବ ଦେଲା ।

 

‘‘ଏତେ ଘନିଷ୍ଠ ଯେ ଏହି କେତେ ମୁହୂର୍ତ୍ତ ଆଗରୁ ସେ ମୋତେ ତଡ଼ିଦେବା ପାଇଁ ବ୍ୟସ୍ତ ହୋଇପଡ଼ିଥିଲା,’’ ବାଧାଦେଇ କଲ୍ଲି କହିଲା ।

 

‘‘ଚୁପ୍ କର !’’ ଗଳାର ସ୍ୱର ନରମ କରି ପଲିୟାନି କହିଲା । ତା’ପରେ ମହିଳାମାନଙ୍କ ଆଡ଼କୁ ବୁଲିପଡ଼ି ସେ କହିଲା,’’ଆପଣମାନେ ବସନ୍ତୁ । ଅପଣମାନଙ୍କର ଆଗମନର କାରଣ କଅଣ ଜାଣିପାରେ କି ?’’

 

ସିନୋରା କନ୍ସାଲ୍‍ଭି, ସୋଫା ଉପରେ ବସୁ ବସୁ, ଆରମ୍ଭ କଲା,’’ବେଶ୍, ଘଟଣାଟି ହେଉଛି, ମୋ ଝିଅ ବିଚରା ଯାହାଙ୍କର ବାଗ୍‍ଦତ୍ତା ଥିଲା ସେ ହଠାତ୍ ମରିଯିବାରୁ ତାହାର ଆଜି ଏ ଦୂରବସ୍ଥା ।’’

 

‘‘କି କରୁଣ !’’

 

‘‘ଓଃ !’’

 

‘‘ଏହା ଏକ ଦାରୁଣ ଆଘାତ ! ଠିକ୍ ତାହାର ବିବାହ ପୂର୍ବେ-କଳ୍ପନା କରନ୍ତୁ ତ......ସେ ଶିକାରକୁ ଯାଇଥିଲେ, ଗୋଟିଏ ଦୁର୍ଘଟଣାରେ ପ୍ରାଣ ହରାଇଲେ । ଆପଣମାନେ ବୋଧହୁଏ ଖବର କାଗଜରେ ଏହା ପଢ଼ିଥିବେ । ଜୁଲିୟୋ ସୋରନି ।’’

 

‘‘ଓଃ ! ହଁ, ସୋରନି,’’ ପଲିୟାନି କହିଲା ।’’ଖବରକାଗଜରେ ଲେଖାଥିଲା ଯେ ନିଜର ବନ୍ଧୁକରୁ ଗୁଳି ଫୁଟିଗଲା–’’

 

‘‘ଗତ ମାସର ଆରମ୍ଭରେ....ନା, ତାହାର ପୂର୍ବମାସ......ମୋର କହିବାର କଥା, ଏବେ ତିନିମାସ ହୋଇଗଲା । ବିଚରାଟି ମୋର ଜଣେ ଦୂର ସମ୍ପର୍କୀୟ ଭାଇର ପୁଅ, ସ୍ତ୍ରୀ ମରିଯିବା ପରେ ତା’ ବାପ ଆମେରିକା ଚାଲିଯାଇ ରହିଛି । ବେଶ୍, ଦେଖ, ଜୁଲିୟେତ୍ତା (ମୋ ଝିଅର ନାମ ମଧ୍ୟ ଜୁଲିୟା)– ।’’

 

ଏତିକିବେଳେ ପଲିୟାନି ନମ୍ରଭାବରେ ମଥାନତ କଲା ।

 

ମାଆ କହି ଚାଲିଲା,’’ଭାବୀସ୍ୱାମୀର ସ୍ମୃତିରକ୍ଷା ପାଇଁ ଜୁଲିୟେତ୍ତା ଭେରାନୋରେ (ରୋମ୍‍ରେ ପ୍ରଧାନ କବର ସ୍ଥାନ) ଗୋଟିଏ ସ୍ମୃତିସ୍ତମ୍ଭ ନିର୍ମାଣ କରିବାକୁ ଚାହେ । ବର୍ତ୍ତମାନ ସେଠାରେ କେବଳ ଗୋଟିଏ ମାମୁଲି କବର ଅଛି । ଏହି ସ୍ମୃତିସ୍ତମ୍ଭଟି କିପରି ହେବ ଏ ବିଷୟରେ ତାହାର ନିଜର କେତେଗୁଡ଼ିଏ ଧାରଣା ଅଛି । କାରଣ, ମୁଁ ଆପଣମାନଙ୍କୁ ଜଣାଇପାରେ, ମୋ ଝିଅର ଛବି ଅଙ୍କନ ବିଷୟରେ ସର୍ବଦା ଯଥେଷ୍ଟ ପ୍ରତିଭା ଅଛି ।’’

 

‘‘......ଖୁବ୍ କମ୍,’’ ଝିଅଟି ଆଖିତଳକୁ କରି, ଭୀରୁତା’ ସହକାରେ, ଲାଜ ଲାଜ ହୋଇ ବାଧାଦେଲା ।’’ସେଟା ଗୋଟାଏ ସମୟ-କାଟିବା ଆମୋଦ, ଏତିକି ମାତ୍ର ।’’

 

‘‘ମାଫ କରିବେ, କିନ୍ତୁ ବିଚରା ଜୁଲିୟୋର ବି ଇଚ୍ଛା ଆପଣଙ୍କ ଠାରୁ ଶିଖିବ-’’

 

‘‘ମାଆ, ରୁହ !’’ ଜୁଲିୟେତ୍ତା ଜୋରଦେଇ କହିଲା । ଖଣ୍ଡିଏ ସଚିତ୍ର ପତ୍ରିକାରେ ଏହି ଭଦ୍ରବ୍ୟକ୍ତିଙ୍କର, ଅର୍ଥାତ୍ ସିନୋର କଲ୍ଲିଙ୍କଦ୍ୱାରା ଅଙ୍କିତ ଗୋଟିଏ କବର ସ୍ମୃତିସ୍ତମ୍ଭର ନକ୍ସା ଦେଖି, ମୁଁ ଖୁବ୍ ପ୍ରୀତ ହୋଇଗଲି, ଏବଂ......’’

 

‘‘ହଁ, ତାହାହିଁ ଆମ ଆଗମନର ଉଦ୍ଦେଶ୍ୟ’’, ଝିଅକୁ କଥା କହିବାକୁ ଦ୍ଵିଧା କରୁଛି ଦେଖି, ତା’ ମାଆ ଯୋଗ କରିଦେଲା ।

 

‘‘କିନ୍ତୁ’’, ଝିଅଟି କହିବାକୁ ଲାଗିଲା,’’ଏହାକୁ ଟିକିଏ ଅଦଳ ବଦଳ କରିବାକୁ ମୁଁ ଚାହୁଁଛି...-।’’

 

‘‘କହିପାରିବ କି ସେଟା କେଉଁଟା,’’ କଲ୍ଲି ପଚାରିଲା ।’’ଜୀବନ୍ତ ମଣିଷମାନେ ମୋତେ ଆଦର କରୁନାହାନ୍ତି ଦେଖି, ଅନ୍ତତଃ ମୃତବ୍ୟକ୍ତିଙ୍କଠାରୁ କିଛି କାମ ପାଇବା ଆଶାରେ, ମୁଁ କେତେଗୁଡ଼ିଏ କବରର ନକ୍ସା କରିଛି ।’’

 

ପଲିୟାନି ଗୋଟିଏ ପାଖକୁ ଘୁଞ୍ଚିଯାଉଥିବାର ଦେଖି, ସେ ଟିକିଏ ବିରକ୍ତ ହୋଇ କହିଲା,’’ମାଫ କରିବେ, ସିନୋରିନା । ଆପଣ କଅଣ ଭାବିଛନ୍ତି ଯେ ମୋ ବନ୍ଧୁର ଗୋଟିଏ ନକ୍ସା ଅନୁଯାୟୀ ଆପଣ ଗୋଟିଏ ସ୍ମୃତିସ୍ତମ୍ଭ ତିଆରି କରିବେ ?’’

 

‘‘ନା, ଠିକ୍ ତାହା ନୁହେଁ......ନା, ମୋର ଇଚ୍ଛା ଏମିତିକା,’’ ଝିଅଟି ଉତ୍ସାହ ସହକାରେ ଜବାବ ଦେଲା ।’’ ସିନୋର କଲ୍ଲିଙ୍କର ଛବିର ଉଦ୍ଦେଶ୍ୟ ମୃତ୍ୟୁ ଜୀବନକୁ ତା’ ଆଡ଼କୁ ଟାଣିନେଉଛି–ଯଦି ମୁଁ ଠିକ୍ ଭାବରେ ବୁଝିଥାଏଁ.... ।’’

 

ଓ ! ବୁଝିପାରିଲି ଆପଣ କେଉଁଟାର କଥା କହୁଛନ୍ତି,’’ କଲ୍ଲି କହିଲା । ଗୋଟିଏ ଆବରଣ ଭିତରେ ଏକ କଙ୍କାଳ, ସେଇଟା ତ ? ଆବରଣ ଭିତରୁ ଜଣେ ତାହା ସ୍ପଷ୍ଟ ଦେଖିପାରେ-। ସେ ଜୀବନକୁ ମୁଠାଇ ଧରିଛି–ଜଣେ ସୁନ୍ଦରୀ ବାଳିକା–ଯେ ତାହା ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହିଁ । ହଁ, ହଁ...ଖୁବ୍ ସୁନ୍ଦର । ଅପୂର୍ବ ! ସେହି ଛବିଟା କଥା ଆପଣ କହୁଛନ୍ତି ତ-।’’

 

ସେହି ଅଦ୍ଭୁତ-ଚେହେରା ବିଶିଷ୍ଟ ଶିଳ୍ପୀର ଆତ୍ମାକୈନ୍ଦ୍ରିକତାରେ ସିନୋରା କନ୍ସାଲ୍‍ଭି ଆଶ୍ଚର୍ଯ୍ୟ ହେଲେ ସୁଦ୍ଧା, ହସ ଚାପି ରଖିପାରିଲେ ନାହିଁ ।

 

‘‘ସେ ବିନୟୀ, ନୁହେଁ ନା ?’’ ପଲିୟାନି ତାହାକୁ ଲକ୍ଷ୍ୟ କରି କହିଲା ।’’ଏକବାରେ ଅସ୍ୱାଭାବିକ ଧରଣର ।’’

 

‘‘ଆ, ଜୁଲିଆ’’, ସେ ତା’ ଝିଅକୁ କହିଲା ।’’ଆଉ ଭୂମିକା ନକରି ତୋ ଛବିଟା ସେମାନଙ୍କୁ ଦେଖାଇଲେ ବୋଧହୁଏ ଭଲ ହେବ ।’’

 

ଝିଅଟି ଅନୁରୋଧ କଲା,’’ରୁହ, ମାଆ । ପ୍ରଥମେ ସିନୋର ପଲିୟାନିଙ୍କୁ ବିଷୟଟିଖୁବ୍‍ ପରିଷ୍କାର ଭାବରେ ବୁଝାଇଦେଲେ ବରଂ ଭଲ ହେବ । କଥାଟି ହେଉଛି, ସ୍ମୃତିସ୍ତମ୍ଭର ଚିନ୍ତା ପ୍ରଥମେ ଯେତେବେଳେ ମୋ ମନକୁ ଆସିଲା, ମୁଁ ସ୍ୱୀକାର କରୁଛି ଯେ ସେତେବେଳେ ଏହି କାର୍ଯ୍ୟଟି ତୁରନ୍ତ ସିନୋର କଲ୍ଲିଙ୍କ ଉପରେ ନ୍ୟସ୍ତ କରିବି ବୋଲି ଭାବିଥିଲି । ତାଙ୍କର ଛବିଟା ହିଁ ତାହାର କାରଣ ।’’ କଲ୍ଲିଙ୍କ ଆଡ଼କୁ ବୁଲିପଡ଼ି, ସେ ପୁଣି କହିଲା, କିନ୍ତୁ ମୁଁ ଶୁଣିଥିଲି. ଆଗରୁ ବି ତାହା କହିଛି, ସେ ଆପଣ ଆଉ ରୋମ୍‍ରେ ରହୁନାହାନ୍ତି । ତେଣୁ ସେତେବେଳେ ମୋ ନିଜର ଭାବନା ଓ ଧାରଣା ଅନୁଯାୟୀ ତାଙ୍କର ଛବିଟାକୁ ମୋର ନିଜସ୍ୱ କରିନେବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କଲି-ଅର୍ଥାତ୍‍ ତାହାକୁ ଏପରି ଭାବରେ ଅଦଳ ବଦଳ କଲି ଯଦ୍ଦ୍ଵାରା ତାହା ମୋ କଥାଟା ଏବଂ ମୋ ଅଭିଳାଷ ପ୍ରକାଶ କରିବ । ମୁଁ ମୋ କଥାଟି ପରିଷ୍କାର କରି କହୁଛି ତ ?’’

 

‘‘ଚମତ୍କାର ଭାବରେ ଅବଶ୍ୟ’’, ପଲିୟାନି ଉତ୍ସାହିତ ହୋଇ କହିଲା ।

 

ଝିଅଟି କହି ଚାଲିଲା,’’ମୃତ୍ୟୁ ଓ ଜୀବନର ମୂର୍ତ୍ତି ଦୁଇଟିକୁ ମୁଁ ଛାଡ଼ିଦେଲି, କିନ୍ତୁ ମୃତ୍ୟୁର ଜୋରକରି ଜୀବନକୁ ଧରିନେବା ଭାବନାଟିକୁ ମୁଁ ଏକବାରେ ବଦଳାଇ ଦେଇଛି । ମୁଁ ଏହି ପରିବର୍ତ୍ତନଟି ମାତ୍ର କରିଦେଇଛି । ମୋର ପରିବର୍ତ୍ତିତ ଛବିଟିରେ, ମୃତ୍ୟୁ ଆଉ ଜୀବନକୁ ଭିଡ଼ି ଧରିନାହିଁ, କିନ୍ତୁ ତାହାର ଭାଗ୍ୟକୁ ଆଦରି ସେ ଜୀବନକୁ ବିବାହ କରୁଛି ।

 

‘‘ମୃତ୍ୟୁ ଜୀବନକୁ ବିଭା ହେଉଛି !’’ ଏକ ବିସ୍ମୟାତ୍ମକ ସ୍ୱରରେ ପଲିୟାନି କହିଲା ।

 

‘‘ତା’ପରେ !’’ କଲ୍ଲି ଚିତ୍କାର କଲା ।’’ଜୀବନର ମୃତ୍ୟୁକୁ ବିବାହ, ଏହି ଭାବନା ତ !’’

 

ଝିଅଟି ଟିକିଏ ନମ୍ରହସର ରେଖା ଖେଳାଇ କହିଲା,’’ଜୀବନର ମୃତ୍ୟୁ ସହିତ ବିବାହ । ଆହୁରି ମଧ୍ୟ, ମୁଁ ଗୋଟିଏ ବିବାହ ମାଧ୍ୟମରେ ଏହାକୁ ସ୍ପଷ୍ଟଭାବରେ ଫୁଟାଇଦେବାକୁ ଚେଷ୍ଟା କରିଛି-। ସିନୋର କଲ୍ଲି ଯେମିତି କରିଥିଲେ, କଙ୍କାଳଟି ଠିକ୍‍ ସେମିତି ଠିଆ ହୋଇଛି, କିନ୍ତୁ ବିବାହ ପୋଷାକର ଭଙ୍ଗ ଭିତରୁ ତାହାର ଗୋଟିଏ ମାତ୍ର ହାତ ବାହାରକୁ ଫୁଟି ଦିଶୁଛି । ସେହି ହାତରେ ବିବାହମୁଦିଟିଏ । ଆଉ ଜୀବନ, ଲଜ୍ଜାନମ୍ର ବିନୀତ ଦୃଷ୍ଟିରେ, କଙ୍କାଳର ଦେହକୁ ଲାଗି ଠିଆହୋଇ ମୁଦିଟି ନେବା ପାଇଁ ତାହାର ହାତ ଧରିଛି ।

 

‘‘ଚମତ୍କାର ! ଖୁବ୍ ସୁନ୍ଦର ! ମୁଁ ଏବେ ବୁଝିପାରିଲି,’’ କଲ୍ଲି କହି ପକାଇଲା ।’’କିନ୍ତୁ ଏହା ଆଉ ଗୋଟିଏ ଭାବନା-ଅପରୂପ ! ଆଉ ଗୋଟିଏ ଏକବାରେ ନୂଆ ଚିନ୍ତା, ସମ୍ପୂର୍ଣ୍ଣ ପୃଥକ ! ଅପରୂପ ! ମୁଦି......ଆଙ୍ଗୁଳି । ସୁନ୍ଦର !’’

 

‘‘ବେଶ୍, ହଁ, ମୁଁ ମାନୁଛି, ଏହା ଟିକିଏ ଅଲଗା,’’ ତାହାର ଉଚ୍ଛ୍ୱସିତ ପ୍ରଶଂସାରେ ଲଜ୍ଜିତ ହୋଇ, ଝିଅଟି ପୁଣି ଯୋଗ କଲା ।’’କିନ୍ତୁ ଅସ୍ଵୀକାର କରିହେବ ନାହିଁ ଯେ ମୁଁ ଆପଣଙ୍କ ଛବିଟାର ସୁଯୋଗ ନେଇଛି ଏବଂ...... ।’’

 

‘‘ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ,’’ କଲ୍ଲି କହିଲା । ‘‘ଆପଣଙ୍କ ଭାବନା ମୋଠାରୁ ଯଥେଷ୍ଟ ସୂକ୍ଷ୍ମତର, ଏବଂ ଆପଣଙ୍କର ନିଜସ୍ୱ ବି । ମୋ କଥା କହିବାକୁ ଗଲେ, କେବଳ ଭଗବାନ ଜାଣନ୍ତି ସେହି ଭାବନାଟି କାହାର... ।’’

 

ସିନୋରିନା କନ୍ସାଲ୍‍ଭି ନିଜର କାନ୍ଧ ଉଠିଲା ଏବଂ ପୁଣି ଆଖି ତଳକୁ ଆଣିଲା ।

 

ତାହାର ମାଆ ଅସହିଷ୍ଣୁ ଭଙ୍ଗୀରେ କହିଲା,’’ସତ କହିବାକୁ ଗଲେ, ତା’ ଇଚ୍ଛା ମୁତାବକ କରିବା ପାଇଁ ମୁଁ ଝିଅକୁ ଛାଡ଼ି ଦେଉଛି, କିନ୍ତୁ ମୁଁ କହିବି ଯେ ତାହାର ଭାବନା ମୋତେ ଆଦୌ ପସନ୍ଦ ଲାଗୁ ନାହିଁ ।’’

 

‘‘ମାଆ, ରୁହ !’’ ଝିଅଟି ପୁଣି କହିଲା । ତା’ପରେ ପଲିୟାନି ଆଡ଼କୁ ବୁଲିପଡ଼ି, ସେ କହିବାକୁ ଲାଗିଲା: ‘‘ଆଚ୍ଛା, କେତେଦିନ ପୂର୍ବେ, ଆମର ପୁରୁଣା ବନ୍ଧୁ କମାଣ୍ଡାର ସେ ରାଲ୍ଲିଙ୍କୁ ଏହି ବିଷୟରେ ପରାମର୍ଶ ମାଗିଥିଲି... ।’’

 

‘‘ବିଭାଘରରେ ତାଙ୍କର ଜଣେ ସାକ୍ଷୀ ହେବାର ଥିଲା,’’ ତାହାର ମାଆ ଦୀର୍ଘ ଶ୍ୱାସ ଛାଡ଼ି କହିଲା ।

 

‘‘ଆଉ କମାଣ୍ଡାର ଆପଣଙ୍କ ନାମ କହିଲେ,’’ ଝିଅଟି କହି ଚାଲିଲା,’’ତେଣୁ ଆମେ ଆପଣଙ୍କ ନିକଟକୁ ପଚାରିବାକୁ ଆସିଥିଲୁ– ।’’

 

‘‘ନା, ନା, ମୋତେ ମାଫ କରନ୍ତୁ, ସିନୋରିନା,’’ ପଲିୟାନି ତତ୍‍କ୍ଷଣାତ୍ ଜବାବ ଦେଲା-।’’ ମୋର ବନ୍ଧୁଙ୍କୁ ଯେତେ ବେଳେ ଆପଣ ଏଇଠି ପାଇଛନ୍ତି– ।’’

 

କଲ୍ଲି କ୍ରୋଧ ପରବଶ ହୋଇ କାନ୍ଧ ହଲାଇ କହିଲା,’’ଓଃ, ବାଜେ ବକର ବକର ହୁଅନା-! ତୋ କଥା ଶୁଣିଲେ ମୋ ହାଡ଼ ଜଳିଯାଉଛି ।’’

 

ସେ ଦୁଆର ଆଡ଼କୁ ଚାଲିଯାଉଥିଲା । ପଲିୟାନି ତାହାର ହାତଧରି ତାହାକୁ ଟାଣିନେଇ, କହିଲା: ‘‘ଦେଖ । ତୁ ଭୁଲ୍‍ ବୁଝୁଛୁ ? ସିନୋରିନା ଖାଲି ମୋ ପାଖକୁ ଆସିଥିଲେ, କାରଣ ସେ ଜାଣିଥିଲେ ଯେ ତୁ ରୋମ୍‍ରେ ନାହୁଁ ।’’

 

‘‘କିନ୍ତୁ ସେ ତ ସମୁଦାୟ ନକ୍ସାଟା ବଦଳାଇ ଦେଇଛନ୍ତି ।’’ ନିଜକୁ ମୁକ୍ତ କରିବା ପାଇଁ ଭିଡ଼ାଭିଡ଼ି କରୁଁ କରୁଁ, କଲ୍ଲି ବଡ଼ପାଟିରେ କହିଲା ।’’ମୁଁ ଯାଉଛି ! ମୋର ସେଥିରେ କଅଣ ଅଛି ? ସେ ତୋ ପାଖକୁ ଆସିଛନ୍ତି । ମୋତେ ମାଫ କରିବେ, ସିନୋରିନା; ସିନୋରା । ନମସ୍କାର ।’’

 

‘‘ଶୁଣ !’’ ହାତ ନ ଛାଡ଼ି, ପଲିୟାନି ଦୃଢ଼ ସ୍ୱରରେ କହିଲା ।’’ମୁଁ ତ ଏ କାର୍ଯ୍ୟର ଭାର ଗ୍ରହଣ କରୁ ନାହିଁ । ତୁମେ ବି ମନ କରୁଛ । ତା’ର ଅର୍ଥ ଆମ ଦୁହିଁଙ୍କ ଭିତରୁ କେହି ଏ କାମ କରିବେ ନାହିଁ ।’’

 

‘‘କିନ୍ତୁ–ମୋତେ ମାଫ କରିବେ–ତାହାହେଲେ ଆପଣମାନେ ମିଳିମିଶି କରୁ ନାହାନ୍ତି ?’’ ମାଆ ବାଧା ଦେଇ କହିଲା ।’’ଆପଣମାନେ ଦୁହେଁ ମିଶି କଅଣ ଏହା କରିପାରିବେ ନାହିଁ ?’’

 

ଝିଅଟି ତତ୍‍କ୍ଷଣାତ୍‍ କହି ପକାଇଲା, ମୋ ପାଇଁ ଆପଣମାନଙ୍କ ଭିତରେ... ।’’

 

କଲ୍ଲି ଓ ପଲିୟାନି ଏକା ସାଙ୍ଗରେ କହି ପକାଇଲେ,’’ଆଦୌ ନୁହେଁ ।’’

 

କଲ୍ଲି କହିବାକୁ ଲାଗିଲା:’’ସିନୋରିନା, ଏହି ବ୍ୟାପାର ସହିତ ମୋର ଆଉ କୌଣସି ସମ୍ବନ୍ଧ ନାହିଁ । ଆଉ ତା’ ଛଡ଼ା-ଆପଣ ଦେଖନ୍ତି-ମୋର ଷ୍ଟୁଡିୟୋଟିଏ ବି ନାହିଁ । ତେଣୁ ଏହି କାମ କରିବା ପାଇଁ ମୁଁ ଆଦୌ ଯୋଗ୍ୟ ନୁହେଁ । ଚାରିଆଡ଼େ ଯେ ଯେଉଁଠି ଅଛି ସମସ୍ତଙ୍କୁ ଗାଳିମନ୍ଦ ଦେବା ଛଡ଼ା ମୋ ଦ୍ୱାରା ଆଉ କିଛି ହେବ ନାହିଁ । ତେଣୁ ଆପଣମାନେ ନିଶ୍ଚୟ ଏହି ପାଗଳଟିକୁ ଏଠାରେ– ।’’

 

ପଲିୟାନି କହିଲା,’’ବାଜେ ବକି କିଛି ଫଳ ନାହିଁ । ସିନୋରା ଯାହା କହିଲେ, ହୁଏତ ଆମେ ଦୁହେଁ ମିଶି କହିବା, ନଚେତ ମୁଁ ଏହା ଗ୍ରହଣ କରିବି ନାହିଁ ।’’

 

‘‘ଟିକିଏ ରୁହନ୍ତି, ସିନୋରିନା,’’ ସିନୋରିନାଙ୍କ ପାଖରେ ସୋଫା ଉପରେ ପଡ଼ିଥିବା କାଗଜଖଣ୍ଡିକ ଆଡ଼କୁ ହାତ ବଢ଼ାଇ, କଲ୍ଲି କହିଲା ।’’ଆପଣଙ୍କ ନକ୍ସାଟା ଦେଖିବା ପାଇଁ ମୋର ଖୁବ୍ ଲୋଭ ହେଉଛି । ତାହା ଦେଖିପାରିଲେ.....’’

 

‘‘ଓଃ ! ଅପରୂପ କିଛି ଦେଖିବା ପାଇଁ ଆଶା କରିବେ ନାହିଁ,’’ ସିନୋରିନା କନ୍ସାଲ୍‍ଭି ଗୁଣୁଗୁଣୁ ହୋଇ କହିଲା, ଏବଂ କମ୍ପିତ ଆଙ୍ଗୁଳିରେ କାଗଜଟା ଖୋଲିଲା ।’’ପେନ୍ସିଲ କିପରି ଧରିବାକୁ ହୁଏ ମୁଁ ଜାଣେ ନା...ମୋ ଭାବଟି ଫୁଟାଇବା ପାଇଁ ମୁଁ କେତୋଟି ଗାର ମାତ୍ର ଟାଣିଛି...ଏହା ଏକବାରେ କଞ୍ଚା ହାତର କାମ...ଦେଖନ୍ତି !’’

 

‘‘ପୋଷାକ ପିନ୍ଧିଛି ?’’ ଚମକି ପଡ଼ି, କଲ୍ଲି ସହସା କହି ପକାଇଲା ।

 

‘‘ଆପଣ କିପରି ମନେ କରୁଛନ୍ତି ? ପୋଷାକ କାହିଁକି ନ ପିନ୍ଧିବ ?’’ ଝିଅଟି ଟିକିଏ ଡରିଯାଇ, ବ୍ୟାକୁଳ ହୋଇ, ପଚାରିଲା ।

 

‘‘ମାଫ କରିବେ ! ଆଦୌ ନୁହେଁ !’’ କଲ୍ଲି ଟିକିଏ ଗରମ ହୋଇଯାଇ କହିଲା-।’’ଜୀବନର ମୂର୍ତ୍ତିକୁ ସେମିଜ ପିନ୍ଧାଇ ଆପଣ ଚିତ୍ର କରୁଛନ୍ତି...କିମ୍ବା ଆମେ ଏହାକୁ ଜାମା କହିପାରୁ...ଏହା ଚଳିବ ନାହିଁ ! ନା, ମୁଁ କହୁଛି, ନଗ୍ନ, ନଗ୍ନ, ନଗ୍ନ ! ସିନୋରିନା, ଜୀବନକୁ ନଗ୍ନ କରିବାକୁ ହେବ-ସମ୍ପୂର୍ଣ୍ଣ ନଗ୍ନ ।’’

 

ସିନୋରିନା କନ୍ସାଲ୍‍ଭି ଥଙ୍ଗେଇ ଥଙ୍ଗେଇ କହିଲା,’’ମୋତେ ମାଫ କରିବେ, କିନ୍ତୁ ମୋର ଇଚ୍ଛା ଆପଣ ନକ୍ସାଟା ଆହୁରି ମନଯୋଗ ସହକାରେ ଦେଖନ୍ତୁ ।’’

 

‘‘ହଁ, ମୁଁ ତ ଦେଖିପାରୁଛି,’’ କଲ୍ଲି ବଡ଼ପାଟି କରି କହିଲା ।’’ଆପଣ ନିଜକୁ ପ୍ରତିଫଳିତ କରିବାକୁ ଚାହିଁଛନ୍ତି-ଜୀବନର ଛବି ପାଇଁ ‘‘ଆପଣ ନିଜକୁ ପ୍ରତିଫଳିତ କରିବାକୁ ଚାହିଁଛନ୍ତି-ଜୀବନରେ ଛବି ପାଇଁ ଆପଣ ନିଜର ପ୍ରତିକୃତି ଅଙ୍କନ କରିଛନ୍ତି । (ମୁଁ ତ କହିପାରେ ଯେ ଆପଣ ଦେଖିବାକୁ ତା’ଠାରୁ ବେଶୀ ସୁନ୍ଦର ।) କିନ୍ତୁ ବର୍ତ୍ତମାନ ଆମେ କଳା-ରାଜ୍ୟରେ ଅଛୁଁ, ଆଉ ଏହି ଚିତ୍ରଟି ପ୍ରତିପାଦନ କରୁଛି ଯେ ଜୀବନ ମୃତ୍ୟୁକୁ ବିବାହ କରୁଛି । ବେଶ୍, କଙ୍କାଳ ପରିଧାନ କରିଛି, ତେଣୁ ଜୀବନର ମୂର୍ତ୍ତିଟା ନଗ୍ନ ହେବ, ଜଣାଶୁଣା କଥା-ସମ୍ପୂର୍ଣ୍ଣ ନଗ୍ନ ଓ ଅତି ସୁନ୍ଦର, ସିନୋରିନା । ଏହି ଆଚ୍ଛାଦିତ କଙ୍କାଳର ଭୀଷଣ ମୂର୍ତ୍ତି ନିକଟତର ଜୀବନର ପ୍ରତିମୂର୍ତ୍ତି ଏପରି ହେବା ଦରକାର । ନଗ୍ନ, ପଲିୟାନି, ତୁମେ କଅଣ ଏହା ଭାବ ନାହିଁ ? ନଗ୍ନ, ସିନୋରା, ସେୟା ନୁହେଁ ନା ? ସମ୍ପୂର୍ଣ୍ଣ ନଗ୍ନ, ସିନୋରିନା-ଏକବାରେ, ପୁରାପୁରି, ମୁଣ୍ଡରୁ ଗୋଡ଼ ଯାଏ ! ମୋତେ ବିଶ୍ୱାସ କରନ୍ତୁ, ନ ହେଲେ ଏହା ଡାକ୍ତରଖାନାର ଗୋଟିଏ ଛବି ଭଳି ଦେଖାଯିବ-ଗୋଟିଏ ମୂର୍ତ୍ତି ପୋଷାକ-ପରିହିତ, ଆଉ ଅନ୍ୟଟିର ସ୍ନାନ-ପୋଷାକ । ସିନୋରିନା ଆମକୁ ଗୁରୁ କଳାର କାର୍ଯ୍ୟଟି ପ୍ରସ୍ତୁତ କରିବାକୁ ହେବ, ଏବଂ ଏହି ବିଷୟରେ କୌଣସି ସଙ୍ଗତ ଯୁକ୍ତି ନ ଥାଇପାରେ ।’’

 

‘‘ନା, ନା–ମୁଁ ଅତି ଦୁଃଖିତ...’’, ନିଜେ ଓ ତା’ ମାଆ ଉଠିପଡ଼ିବାରୁ, ସିନୋରିନା କନ୍ସାଲ୍‍ଭି କହିଲା ।’’ କଳା ଦିଗରୁ ଆପଣ ବୋଧହୁଏ ଠିକ୍ । ମୁଁ ସେହି ବିଷୟରେ ଯୁକ୍ତି କରିବିନାହିଁ, କିନ୍ତୁ ମୋ ନକ୍ସା ଜରିଆରେ କିଛି ବ୍ୟକ୍ତ କରିବାକୁ ମୁଁ ଉଦ୍ୟମ କରିଛି, ଏବଂ ମୁଁ ଯେଉଁ ଉପାୟରେ ଏହା କରିଛି ତାହା କେବଳ ସେହି ଉପାୟରେ କୁହାଯାଇପାରେ । ଆପଣଙ୍କ ପରାମର୍ଶ ଗ୍ରହଣ କଲେ, ମୁଁ ଯେଉଁ ବାର୍ତ୍ତା ପ୍ରକାଶ କରିବାକୁ ଚେଷ୍ଟା କରୁଛି ତାହା ମୋତେ ତ୍ୟାଗ କରିବାକୁ ହେବ ।’’

 

‘‘କିନ୍ତୁ ଆପଣ କାହିଁକି ତାହା କରିବେ ? ମୋ ମତ ତାହା ନୁହେଁ । ଆପଣଙ୍କର ଭୁଲ୍‍ ହେଉଛି ଯେ ଆପଣ ନିଜ ଶରୀରକୁ ଏକ ବ୍ୟକ୍ତିଗତ ବସ୍ତୁରୂପେ ଗ୍ରହଣ କରୁଛନ୍ତି, ସଙ୍କେତ ନୁହେଁ । ଆପଣ କହିପାରିବେ ନାହିଁ ଯେ ସେହିପରି କରିବା ଦ୍ୱାରା ଛବିଟି ସୁନ୍ଦଦର ହୋଇଛି ।

 

‘‘ନା, ମୁଁ କହୁ ନାହିଁ ଯେ ଏହା ସୁନ୍ଦର,’’ ସେ ଜବାବ ଦେଲା ।’’ କିନ୍ତୁ ଆପଣ ଏକ୍ଷଣି ଯାହା କହିଲେ ଏକବାରେ ଠିକ୍ । ମୁଁ ଛବିଟିକୁ ଏକ ସଙ୍କେତ ରୂପେ ଚିତ୍ରଣ କରିବାକୁ ଯାଇ ନାହିଁ, କିନ୍ତୁ ମୋ ନିଜର ଶରୀର, ମୋ ନିଜର ଘଟଣା ରୂପେ–ଭବିଷ୍ୟତ ପାଇଁ ମୋର ଅଭିଳାଷ । ଆଉ ମୋରି ଉପାୟରେହିଁ ମୁଁ କେବଳ ତାହା କରିପାରେ । ଆପଣ ଦେଖନ୍ତୁ.....ଆଚ୍ଛା, ଯେଉଁଠି ସ୍ମୃତିସ୍ତମ୍ଭଟି ନିର୍ମିତ ହେବ, ସେହି ସ୍ଥାନଟିର କଥା ଚିନ୍ତା କରନ୍ତୁ...ନା, ଆପଣ ଯେମିତି କହୁଛନ୍ତି.....ଜୀବନର ମୂର୍ତ୍ତିଟା ମୁଁ ଠିକ୍‍ ସେହିପରି କରିପାରିଲି ନାହିଁ ।’’

 

କଲ୍ଲି ନିଜର ହାତ ଦୁଇଟି ଟେକି, କାନ୍ଧ ବଙ୍କାଇ, ଅସମ୍ମତି ସୂଚକ ଭଙ୍ଗୀରେ କହିଲା,’’ଆପଣଙ୍କ ପକ୍ଷରେ ଏହା କଳ୍ପନା ମାତ୍ର– ।’’

 

ମଧୁର ଅଥଚ ଅତି ବିଷଣ୍ଣ ହସ ଖେଳାଇ, ଝିଅଟି ତାହାକୁ ସୁଧାରିଲା: ‘‘ବରଂ ଭାବପ୍ରବଣତା ବୋଲି କୁହନ୍ତୁ, ତାହାହେଲେ ତାହା ପ୍ରତି ସମ୍ମାନ ଜାତ ହେବ ।’’

 

ଦୁଇ ଶିଳ୍ପୀ ସ୍ଥିର କଲେ ଯେ କମାଣ୍ଡାର ସେରାଲୀଙ୍କ ସହିତ ପରାମର୍ଶ କରି ସେମାନେ ସବୁ ବ୍ୟବସ୍ଥା କରିବେ । ତା’ପରେ, ସିନୋରା କନ୍ସାଲ୍‍ଭି ଓ ତାଙ୍କର ଶୋକାଛନ୍ନ କନ୍ୟା ବିଦାୟ ଗ୍ରହଣ କଲେ ।

 

ସିରୋ କଲ୍ଲି ଆନନ୍ଦରେ ନିଜର ହାତ ଘଷି ଘଷି, ଗୀତ ଗାଈ ଗାଇ ଗାଇ ଷ୍ଟୁଡିୟୋ ଭିତରେ ଏପାଖରୁ ସେପାଖ ଯାଏ ପଦଚାରଣ କରିବାକୁ ଲାଗିଲା ।

 

ପ୍ରାୟ ଏକ ସପ୍ତାହ ପରେ, କନ୍‍ଷ୍ଟାଣ୍ଟିନୋ ପଲିୟାନି ମୂର୍ତ୍ତିଟିର ମସ୍ତକ ଅଙ୍କନ କରିବା ପାଇଁ କେତୋଟି ସିଟିଂ ଦେବା ଲାଗି ସିନୋରିନାକୁ କହିବା ପାଇଁ କନ୍ସାଲ୍‍ଭିଙ୍କର ଘରେ ଯାଇ ପହଞ୍ଚିଲା ।

 

କମାଣ୍ଡାର ସେରାଲ୍ଲିଙ୍କ ସହିତ ସିନୋରା କନ୍ସାଲ୍‍ଭିଙ୍କର ପ୍ରଗାଢ଼ ବନ୍ଧୁତା ଥିଲା । କମାଣ୍ଡାରଙ୍କ ନିକଟରୁ ପଲିୟାନି ଶୁଣିଥିଲା, ସେହି ଭୀଷଣ ଦୁର୍ଘଟଣା ପରେ ସେରାଲ୍ଲି ତିନିଦିନ ମାତ୍ର ବଞ୍ଚିଥିଲେ ଏବଂ ସେହି ସମୟରେ ସେ ତାଙ୍କର ଅଗାଧ ପୈତୃକ ସମ୍ପତ୍ତି ସିନୋରିନା କନ୍ସାଲ୍‍ଭିକୁ ଦେଇଯାଇଥିଲେ । ତେଣୁ ଏହି ସ୍ମୃତିସ୍ତମ୍ଭ ନିର୍ମାଣରେ ଆଦୌ କାର୍ପଣ୍ୟ ଦେଖାଯିବ ନାହିଁ ।

 

କମାଣ୍ଡାର ବ୍ୟକ୍ତ କରିଥିଲେ ଯେ ସେହି ଦୁର୍ଘଟଣା ହେତୁ ତାଙ୍କର ନିଜର ଦୁଶ୍ଚିନ୍ତା, ଦୁଃଖ ଓ ବିରକ୍ତିର ଶେଷ ନାହିଁ-ସିନୋରିନା କନ୍ସାଲ୍‍ଭିର ବ୍ୟବହାରରେ ତାହା ବରଂ ଆହୁର ବଢ଼ିଯାଇଛି । ଝିଅଟି ବିଚରା, ତାହାକୁ ଦେଖିଲେ ଦୁଃଖ ଆସୁଛି, କିନ୍ତୁ ସେ ଭାରୀ ଚଟକି । ସତକଥା କହିବାକୁ ଗଲେ, ତାହାକୁ ପ୍ରକୃତରେ ଦେଖିଲେ ଜଣାଯାଏ ଯେମିତିକି ତାହାର ଅଧିକ ଶୋକ ପ୍ରକାଶରେ ସେ ଅଦ୍ଭୁତ ଆନନ୍ଦ ଲାଭ କରୁଛି । ଓଃ ! ଏହା ଏକ ଭୀଷଣ ଦୁର୍ଘଟଣା–ସମସ୍ତେ ଏହା ସ୍ୱୀକାର କରିବେ-ବାସ୍ତବିକ ବିନା ମେଘରେ ବଜ୍ରପାତ । ଆଉ ସରିନି ଜଣେ ଖୁବ୍ ସୁନ୍ଦର ତରୁଣ ଯୁବକ ଥିଲେ–ବିଚରା ସୁଦର୍ଶନ ମଧ୍ୟ, ଏବଂ ଝିଅଟିକୁ ଖୁବ୍ ଭଲ ପାଉଥିଲେ । ଏହା ନିଃସନ୍ଦେହ ଯେ ବିଭା ହୋଇଥିଲେ ସେ ତାହାକୁ ଖୁବ୍ ସୁଖୀ କରାଇଥାଆନ୍ତେ । ବୋଧହୁଏ ସେଇଥିପାଇଁ ଦୈବ ତାହାଙ୍କୁ ଛଡ଼ାଇ ନେଇଗଲା ।

 

ଏହା ପ୍ରାୟ ଅନୁମିତ ହୁଏ, ଯେମିତିକି କମାଣ୍ଡାର ସେରାଲ୍ଲିଙ୍କ ଦୁଃଖ ବଢ଼ାଇବା ପାଇଁ ସରିନିଙ୍କ ପରି ଏମିତି ଜଣେ ଭଲ ମଣିଷକୁ ଛଡ଼ାଇ ନିଆଁ ଯାଇଛି । ଆପଣ ଏହା ବିଶ୍ୱାସ କରିବେ ତ ? କାହିଁକି, ସରିନି-ତାହାର ପ୍ରେମିକ-ବିବାହପରେ ତାହାକୁ ନେଇ ରହିବାପାଇଁ ଯେଉଁ ଘରଟି ତିଆରି କରିଥିଲେ, ଝିଅଟି ତାହା ଛାଡ଼ିବାକୁ ଏକବାରେ ମନା କରିଦେଲା । ଏହା ପ୍ରକୃତରେ ଏକ ପ୍ରେମ-ନୀଡ଼ । ଝିଅଟି ତାହାର ଭଲ ଲୁଗାପଟାସବୁ ସେଠାକୁ ନେଇଯାଇଛି, ଏବଂ ଦିନର ଅଧିକାଂଶ ସମୟ ସେ ସେଠାରେ ରହେ, ଆଦୌ କାନ୍ଦେ ନାହିଁ ! କିନ୍ତୁ ବୋହୁ ହୋଇ ଯେଉଁ ଜୀବନ ସେ ସେହି ଘରେ ବିତାଇ ଥାଆନ୍ତା, ଯେଉଁ ଜୀବନ ଏମିତି ନିର୍ମମ ଭାବରେ ତା’ ଠାରୁ ଛଡ଼ାଇ ନିଆ ଯାଇଛି, ତାହାରି ସ୍ଵପ୍ନ ଦେଖି ସେ ଅନୁତାପରେ ଦିନ ବିତାଇ ଦିଏ ।

 

ବାସ୍ତବିକ, ପଲିୟାନି ସିନୋରିନା କନ୍ସାଲ୍‍ଭିକୁ ତା’ ଘରେ ପାଇଲା ନାହିଁ । ଚାକରାଣୀ ତାହାକୁ ଭିୟା ଦି ପୋର୍ତ୍ତା ପିନସିୟାନୋରେ ଥିବା ନୂଆ ଘରର ଠିକ୍‍ଣା ଦେଲା । ଯେଉଁ ତିକ୍ତ-ମଧୁର ବ୍ୟଥାରେ ବିଚରା ଝିଅଟି ଜଳିପୋଡ଼ି ହୋଇ ମରୁଥିଲା, ପଲିୟାନି ଯାଉଥିଲାବେଳେ ତାହା ଭାବୁଥିଲା–ବିବାହ ପୂର୍ବରୁ କନ୍ୟାଟି ବିଧବା । ଭାଗ୍ୟ ଶେଷ ମୁହୂର୍ତ୍ତରେ ବାଧା ଦେଇନଥିଲେ ଯେଉଁ ସ୍ୱପ୍ନଟି ସତ୍ୟରେ ପରିଣତ ହେବାକୁ ଯାଉଥିଲା, ସେହି ସ୍ଵପ୍ନ ଜରିଆରେ ସେ ତାହାର ଅତୃପ୍ତ ଆତ୍ମାର ଶାନ୍ତି ଖୋଜି ବୁଲୁଥିଲା ।

 

କେତେ ଆସନ୍ନ ମଧୁର ଦିନର କଥା ଭାବି, ଭାବୀ ବାର କନ୍ୟା ଦୁହେଁ କେତେ ଦୋକାନ ବୁଲି ବୁଲି ଗୋଟି ଗୋଟି କରି ଆସବାବପତ୍ର କିଣି, ଘରଟିକୁ କେତେ ଆନନ୍ଦରେ ସଜାଇଥିଲେ । କେତୋଟି ଦିନପରେ ସେମାନେ ସେଠାରେ ଘର ବାନ୍ଧି ଥାଆନ୍ତେ । ମଧୁର ସ୍ମୃତି, ଅଭିଳାଷ, ପ୍ରତିଜ୍ଞା ଓ ଆଶାରେ ଭରପୂର ହୋଇ, ସେହି ଜିନିଷପତ୍ରଗୁଡ଼ିକ ଯେମିତି ଭାବରେ ସୁସଜ୍ଜିତ ହୋଇ ରହିଥିଲା, ଆଜି ବି ତାହା ଠିକ୍‍ ସେମିତି ଅଛି । .....ନବବଧୂ ପ୍ରତି କି ନିର୍ଦ୍ଦୟତା–ଏବଂ ଏହିପରି ଏକ ସୁଖମୟ ଦିନରେ ମଧ୍ୟ, ପଲିୟାନି ଦୀର୍ଘଶ୍ୱାସ ପକାଇ ଭାବିଲା ।

 

ପବନରେ ବସନ୍ତର ଓ ସୂର୍ଯ୍ୟାଲୋକରେ ଉଷ୍ଣତାର ପ୍ରଥମ ସ୍ପର୍ଶ ସେ ପରିଷ୍କାର ଭାବରେ ଅନୁଭବ କରିପାରିଲା । ତା’ ମନ ଆନନ୍ଦରେ ନାଚିବାକୁ ଲାଗିଲା । ସେହି ନୂଆ ଘରେ, ସେ ଦେଖିବ, ଜୁଲିୟେତ୍ତା କନ୍ସାଲ୍‍ଭି ବସନ୍ତର ସୂର୍ଯ୍ୟାଲୋକ ଆଡ଼କୁ ଝରକା ଖୋଲିବସିଛି - ଈଶ୍ୱର ଜାଣନ୍ତି, ଆଜିପରି ଦିନରେ ତାହାର ସେହି ମଧୁର ସ୍ଵପ୍ନ ତାହାକୁ କି କଠୋର ଯନ୍ତ୍ରଣା ଦେଉଥିବ ।

 

ପଲିୟାନି ଘରେ ପ୍ରବେଶ କରିବା ବେଳକୁ, ଜୁଲିୟେତ୍ତା ଗୋଟିଏ ଚିତ୍ରଫଳକ ଆଗରେ ବସି, ନିଜର ପ୍ରେମିକଙ୍କର ଖଣ୍ଡିଏ ଛୋଟ ଫଟରୁ, ନିର୍ଭୀକ ଭାବରେ ଗୋଟିଏ ବଡ଼ଚିତ୍ର ଅଙ୍କନ କରିବାରେ ବ୍ୟସ୍ତ ଥିଲା । ତାହାର ମାଆ କମାଣ୍ଡାର ସେରାଲ୍ଲିଙ୍କ ପାଠାଗାରରୁ ଆଣିଥିବା ଖଣ୍ଡିଏ ଫରାସୀ ଉପନ୍ୟାସ ବସି ପଢ଼ୁଥିଲା ।

 

ସତ କହିବାକୁ ଗଲେ, ଏକ ବିୟୋଗାନ୍ତ ଦୃଶ୍ୟରେ ପରିଣତ ହୋଇଥିବା ତାହାର’’ପ୍ରେମ-ନୀଡ଼ରେ’’ ଏକାକୀ ରହିବାକୁ ସିନୋରିନା କନ୍ସାଲ୍‍ଭି ଅଧିକ ପସନ୍ଦ କରୁଥିଲା । କିନ୍ତୁ ସିନୋରା ଭୟ କରୁଥିଲା, କାଳେ ତା’ ଝିଅର ଅଦ୍ଭୁତ ଢଙ୍ଗଢାଙ୍ଗ ହେତୁ ସେ କିଛି ଦୁଃସାହସିକ କାମ କରିପାରେ । ତେଣୁ ଏଘରକୁ ଆସିଲେ ସେ ବରାବର ତା’ ଝିଅ ସାଙ୍ଗରେ ଆସେ । ଝିଅର ଦୁଖଭୋଗର ଏହି ଏକାନ୍ତ ନିବିଷ୍ଟତାରେ ସେ କ୍ରୋଧାନ୍ୱିତ ହୋଇଯାଉଥିଲା, ଏବଂ ସେଠାରେ ବସି ମନେମନେ ଫୁଲିଉଠୁଥିଲା, କିନ୍ତୁ ଅତି କଷ୍ଟରେ କୌଣସି ପ୍ରକାର ବାହ୍ୟ ସମାଲୋଚନାରୁ ସେ କେବଳ ବିରତ ରହୁଥିଲା ।

 

ତରୁଣୀ ଥିଲାବେଳେ ସିନୋରା କନ୍ସାଲ୍‍ଭି କପର୍ଦ୍ଦକଶୁନ୍ୟା ହୋଇପଡ଼ିଥିଲା-ବିଧବା, ତା’ ସହିତ ଝିଅଟିଏ ଏବଂ ତାହାର ଝିଅ ଯେମିତି ଦୃଢ଼ ପ୍ରତିଜ୍ଞା ହୋଇପଡ଼ିଛି, ଜୀବନର ସବୁ ଦୁଃଖ ସ୍ଵାଚ୍ଛନ୍ଦ୍ୟକୁ ନିଜର ଶୋକ ସହିତ ଚିର ଦିନ ଲୁହା ବାଡ଼ ଭିତରେ ବନ୍ଦ କରି ରଖିବା ପାଇଁ ସେ ସମ୍ପୂର୍ଣ୍ଣ ଅସମର୍ଥ ହୋଇପଡ଼ିଥିଲା । ଭାଗ୍ୟ ଯେଉଁ ନିଷ୍ଠୁର ଆଘାତ ଦେଇଛି ସେଥିପାଇଁ ଜୁଲିୟେତ୍ତା ଯେ ଶୋକ ପ୍ରକାଶ କରିବ ନାହିଁ, ସେ ଏହା କହିନଥିଲା । କିନ୍ତୁ ସେ ମନେ କରୁଥିଲା-ଏବଂ ତା’ ସହିତ ତାହାର ପ୍ରିୟ ଓ ଘନିଷ୍ଠ ବନ୍ଧୁ କମାଣ୍ଡାର ସେରାଲ୍ଲି ମଧ୍ୟ ବିଶ୍ୱାସ କରୁଥିଲେ-ଯେ ସେ ଅତିମାତ୍ରାରେ ତାହାର ଶୋକପ୍ରକାଶ କରୁଥିଲା । ସେ ଭାବୁଥିଲା ଯେ ତା’ ଝିଅର ଅଭାଗା ଭାବୀସ୍ୱାମୀ ଅଗାଧ ସମ୍ପତ୍ତି ରଖିଯାଇଥିବା ହେତୁ ଯେ ତା’ର ସୁଯୋଗ ନେଉଛି ଏବଂ ସେଇଥିପାଇଁ ଏହି ଅବାଧ ଦୁଃଖପ୍ରକାଶର ବିଳାସରେ ନିଜକୁ ଭସାଇ ଦେଉଛି । ସେ ନିଜେ ଜୀବନର ଘୃଣ୍ୟତମ ସତ୍ୟଗୁଡ଼ିକର ତିକ୍ତ ଅଭିଜ୍ଞତା ଲାଭ କରିଛି । ତାହାର ଏବେ ବି ମନେ ପଡ଼ିଯାଏ, ସ୍ୱାମୀଙ୍କର ମୃତ୍ୟୁ ବେଦନାରେ ଜର୍ଜରିତ ହୋଇଥିଲେ ସୁଦ୍ଧା, ଜୀବନଯାତ୍ରା ନିର୍ବାହ କରିବା ପାଇଁ ତାହାକୁ କି ଦୁଃଖକଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ତା’ ଝିଅ ତାହାର ଶୋକ ସମୟ ଖୁବ୍ ସହଜରେ କଟାଉଛି । ତାହାର ନିଜର ଦୁଃଖପୂର୍ଣ୍ଣ ଅଭିଜ୍ଞତା କଥା ଭାବିଲେ ଝିଅର ଶୋକ-ଆସକ୍ତି ହୁଏତ କ୍ଷମା କରାଯାଇପାରେ-ହଁ, ଏହି ପରିସ୍ଥିତିରେ ପ୍ରାୟ କ୍ଷମଣିୟ-କିନ୍ତୁ କେବଳ ଗୋଟିଏ ସର୍ତ୍ତରେ ଯେ ଏହା ଯେମିତି ବେଶୀ ଦିନ ନଚଳେ । ତାହାର ପ୍ରିୟ ଓ ଘନିଷ୍ଠ ବନ୍ଧୁ କମାଣ୍ଡାର ସେରାଲ୍ଲି ସବୁବେଳେ ଏହା କହନ୍ତି ।

 

ସିନୋରାର ବୁଦ୍ଧି ପ୍ରଖର, ସଂସାରର ବହୁ ବିଷୟରେ ତାହାର ଅଭିଜ୍ଞତା ଅଛି, ତେଣୁ ସେ ତାହାର ଝିଅକୁ ନିଜର ଦୁଃଖ ବିଳାପରେ ସଂଯତ ହେବାକୁ ଅନେକଥର ପ୍ରବର୍ତ୍ତାଇଛି, କିନ୍ତୁ କିଛି ଫଳ ହୋଇନାହିଁ । ଜୁଲିୟୋତ୍ତା ଅତ୍ୟଧିକ ଭାବପ୍ରବଣା । ବୋଧହୁଏ ଦୁଃଖରେ ଯେ ଯେତେ ଅଭିଭୂତ ହୋଇ ନପଡ଼ିଛି, ସେହି ଭାବନାରେ ହିଁ ସେ ତା’ଠାରୁ ବେଶୀ ଦ୍ରବୀଭୂତ ହୋଇ ଯାଇଛି । ଯଦି ଏହା ହୋଇଥାଏ, ତାହାହେଲେ ଏହା ବଡ଼ ଦୁର୍ଭାଗ୍ୟର କଥା: କାରଣ ସମୟର ଗତି ସଙ୍ଗେ ସଙ୍ଗେ ଭାବନାର ଶକ୍ତି ଅବଶ୍ୟ ହ୍ରାସ ଲଭିବ-ଏଥିରେ ଆଦୌ ସନ୍ଦେହ ନାହିଁ-କିନ୍ତୁ ଗୋଟିଏ ଭାବନା ମଧ୍ୟରେ ଏହା ସମ୍ପୂର୍ଣ୍ଣ ବିପରୀତ ଆକାର ଧାରଣ କରେ; ଏହା ବଦ୍ଧମୂଳ ହୋଇଯାଏ । ଏହି ଦୁଃଖ ଭୋଗରେ ଯେଉଁ ଆନନ୍ଦ, ତା’ରି ଫଳରେ ଜୀବନ ମୃତ୍ୟୁକୁ ବିବାହ କରୁଛି (ବିବାହ ଉତ୍ସବ ଉପଲକ୍ଷେ ଏହା ଏକ ଚମତ୍କାର ଧାରଣା !) –ଏହିପରି ଏକ ଅଦ୍ଭୁତ ଧାରଣାର ବଶବର୍ତ୍ତୀ ହୋଇ ସେ ଗୋଟିଏ ସମାଧି ସ୍ମୃତିସ୍ତମ୍ଭ ନିର୍ମାଣ କରିବା ପାଇଁ ପ୍ରସ୍ତାବ କରିଛି । ତାହାର ଆହୁରି ଗୋଟିଏ ଅଦ୍ଭୁତ ଖିଆଲ ଅଛି - ବରକନ୍ୟା ଦୁହେଁ ଘରଟିକୁ ଠିକ୍‍ ଯେମିତି ଭାବରେ ସଜାଇଥିଲେ ସେହିପରି ରଖିବା । ଏହାଦ୍ୱାରା ଯେଉଁ ବିବାହିତ ଜୀବନ ସେ ଉପଭୋଗ କରିପାରିଲା ନାହିଁ, ସେହି ପ୍ରାୟ ସତ୍ୟ ହୋଇଥିବା ସ୍ୱପ୍ନର ଇଙ୍ଗିତ ତାହାଦ୍ୱାରା ସତ୍ୟତା ଧାରଣ କରିପାରିବ ।

 

ପଲିୟାନି ସେମାନଙ୍କ ସହିତ ସାକ୍ଷାତ୍‍ କରିବାକୁ ଆସିଛି ଦେଖି ସିନୋରା କନ୍ସାଲ୍‍ଭି ଖୁବ୍ ଖୁସି ହୋଇଗଲା ।

 

ଖୋଲା ଝରକାବାଟେ ସୂର୍ଯ୍ୟକିରଣ ବିଛେଇ ହୋଇଯାଇଥିଲା । ବାହାରେ ଭିଲା ବର୍ଗେସର ଦୃଶ୍ୟ-ବଡ଼ ସବୁଜ ପ୍ରାନ୍ତର ଏବଂ ଚମତ୍କାର ପାଇନ୍‍ ବଣ ଗଭୀର ନୀଳ ବସନ୍ତର ଆକାଶକୁ ପ୍ରାୟ ସ୍ପର୍ଶ କରୁଛି । ଏହା ଏକ ଚିତ୍ତହାରୀ ଦୃଶ୍ୟ ।

 

ପଲିୟାନି ପ୍ରବେଶ କରନ୍ତେ, ସିନୋରିନା ଉଠିପଡ଼ି ତାହାର ଛବିଟା ଲୁଚାଇବାକୁ ଚେଷ୍ଟାକଲା, କିନ୍ତୁ ପଲିୟାନି ସାମାନ୍ୟ ବାଧାଦେଇ, ତାହାକୁ ଅଟକାଇଲା, ‘‘କାହିଁକି ? ମୋତେ କଅଣ ତାହା ଟିକିଏ ଦେଖାଇବ ନାହିଁ ?’’

 

‘‘ଆଃ, ଏହି ମାତ୍ର ଆରମ୍ଭ କରିଛି ।’’

 

‘‘ବେଶ୍ ତ, ଆପଣ ଚମତ୍କାର ଭାବରେ ଆରମ୍ଭ କରିଛନ୍ତି,’’ ନଇଁପଡ଼ି ସେଟା ଦେଖୁଁ ଦେଖୁଁ, ସେ କହିଲା ।’’ବାସ୍ତବିକ ଖୁବ୍ ଭଲ ! ଏଟା ସରିନିଙ୍କର ତ ? ......ହଁ, ଏବେ ମୁଁ ଭାବୁଛି, ସେହି ଫଟୋଗ୍ରାଫ୍‍ଟା ଦେଖି ତାଙ୍କର ମୁହଁଟା ଭଲଭାବରେ ମୋର ମନେ ପଡ଼ିଗଲା । ହଁ, ହଁ, ମୁଁ ତାହାଙ୍କୁ ଚିହ୍ନିପାରିଲି । ...କିନ୍ତୁ ସେ କଅଣ ଦାଢ଼ି ରଖିଥିଲେ ?’’

 

‘‘ନା’’, ଝିଅଟି ଶୀଘ୍ର ଜବାବ ଦେଲା,’’ସେ ରଖିନଥିଲେ-କିଛି ସମୟ ପାଇଁ ନୁହେଁ ।’’

 

‘‘ଆଃ ! ମୁଁ ତ ଭାବୁଛି ତାହା ନୁହେଁ । ......ଅତି ସୁନ୍ଦର ମଣିଷଟିଏ-ଅତି ।’’

 

ଝିଅଟି ପୁଣି କହି ଚାଲିଲା,’’ମୁଁ ଛବିଟି କରିପାରୁ ନାହିଁ, କାରଣ ଏହି ଫଟୋଟା ମିଳୁ ନାହିଁ-ମୋ ମନରେ ତାଙ୍କର ଯେଉଁ ଛବି ଅଛି, ଏହା ପ୍ରକୃତରେ ସେହି ଛବିପରି ନୁହେଁ ।’’

 

‘‘ହଁ, ମୁଁ ଜାଣେ ଆପଣ କଅଣ ଚାହାନ୍ତି,’’ ପଲିୟାନି ତତ୍‍କ୍ଷଣାତ୍‍ ସମ୍ମତି ଜଣାଇଲା-।’’ ସେ ଆହୁରି-ଆହୁରି ଅଧିକ....ସତେଜ ଥିଲେ-ସେ ଆହୁରି ବେଶୀ ଜୀବନ୍ତ ଦେଖାଯାଉଥିଲେ-।’’

 

ମାଆ ମନ୍ତବ୍ୟ କଲା, ‘‘ସେହି ଫଟୋଟା ଆମେରିକାରେ ଉଠାହୋଇଥିଲା । ତାହା ଅବଶ୍ୟ ମୋ ଝିଅ ସହିତ ଆବଦ୍ଧ ହେବା ଆଗରୁ ।’’

 

ଝିଅଟି ବିଷାଦପୂର୍ଣ୍ଣ ସ୍ୱରରେ କହିଲା,’’ଆଉ ମୋ ପାଖରେ ତାଙ୍କର ଅନ୍ୟ ଫଟୋ ନାହିଁ-। ଦେଖନ୍ତୁ ! ଏହିପରି, ମୁଁ ମୋ ଆଖି ବନ୍ଦ କଲି, ଆଉ ଦୁର୍ଘଟଣା ଆଗରୁ ସେ ଯେମିତିଥିଲେ ମୁଁ ତାହାଙ୍କୁ ଠିକ୍‍ ସେମିତି ଦେଖିପାରୁଛି । କିନ୍ତୁ ଠିକ୍‍ ତାହାଙ୍କୁ ଚିତ୍ରଣ କରିବାକୁ ବସିଲାବେଳକୁ, ତାହାଙ୍କ ମୁହଁ ମୋତେ ଆଉ ଦେଖାଯାଉ ନାହିଁ । ସେତିକି ବେଳେ ମୁଁ ଫଟୋକୁ ଚାହୁଁଚି ଏବଂ ତତ୍‍କ୍ଷଣାତ୍‍ ମୋତେ ବୋଧହେଉଛି ଯେ ଏହା ତାଙ୍କର ଏକ ଜୀବନ୍ତ ପ୍ରତିକୃତି-। କିନ୍ତୁ ଯେତେବେଳେ ମୁଁ ଛବିଟି ଅଙ୍କିବାକୁ ଚେଷ୍ଟା କରୁଛି, ସେତେବେଳେ ଫଟରେ ମୁଁ ତାଙ୍କର ସାମଞ୍ଜସ୍ୟ ଦେଖିପାରୁ ନାହିଁ । ଏଥି ପାଇଁ ମୁଁ ହତାଶ ହୋଇପଡ଼ୁଛି ।’’

 

ପଲିୟାନି ଉପରେ ଦୃଷ୍ଟି ନିବଦ୍ଧ କରି, ତାହାର ମାଆ କହିଲା,’’ଦେଖ, ଜୁଲିୟା, ତୁ ଚିବୁକର ରେଖା ବିଷୟ କହୁଛୁ ତ–ଦାଢ଼ିଟା ଉଠାଇଦେବା ତୋର ଇଚ୍ଛା । ତୁ କଅଣ ଦେଖିପାରୁ ନାହୁଁ ଯେ ସିନୋର ପଲିୟାନଙ୍କର ଚିବୁକ...... ।’’

 

ସେ ଲଜ୍ଜିତ ହୋଇ ମୃଦୁ ହସିଲା । ପ୍ରାୟ ଅଜାଣତରେ ସେ ତାହାର ଚିବୁକ ଟେକି ଧରିଲା, ସେମିତି ସିନୋରିନା କନ୍ସାଲ୍‍ଭିକୁ ଦେଖାଉଛି ଯେ ସେ ତାହା ଧୀରେ ଠଉରାଇ ନେଇ ତାହା ଦ୍ୱାରା ଅଙ୍କିତ ସରିନିର ଛବିରେ ବସାଇଦେଉ ।

 

ସିନୋରିନା ବିବ୍ରତ ଓ ଲଜ୍ଜିତ ହୋଇଗଲା, ଏବଂ ପଲିୟାନିର ମୁହଁକୁ ଆଉ ପ୍ରାୟ ଅନାଇପାରିଲା ନାହିଁ । (ତା’ ମାଆର ଅବଶ୍ୟ ଏହିପରି ଭାବରେ କଥା କହିବା ଆଦୌ ଉଚିତ୍‍ ହୋଇ ନାହିଁ, ବିଶେଷତଃ ଏହି ଦୁଃଖ ସମୟରେ ।)

 

କୌଣସି ଗୂଢ଼ ଅଭିସନ୍ଧି ନରଖି, ସିନୋରା କନ୍ସାଲ୍‍ଭି ପୁଣି କହିଲା,’’ଆଉ ନିଶ ବି, ଦେଖ ! ଜୁଲିୟୋ ବିଚରା ତାହାର ଶେଷ କେତେ ମାସ ଠିକ୍‍ ଏହିପରି ନିଶ ରଖିଥିଲା, ତୋର କଅଣ ଏହା ମାନେ ପଡ଼ୁ ନାହିଁ ?’’

 

ସିନୋରିନା ଆଘାତ ପାଇଲା । ସେ ନରମ ସ୍ୱରରେ କହିଲା,’’ଆମେ ତ ନିଶ ଆଲୋଚନା କରୁନଥିଲୁ । ମୁଁ ନିଶଟିଏ ଆଙ୍କିବାକୁ ଯାଉ ନାହିଁ ।’’

 

‘‘ନା, ଆଦୌ ନୁହେଁ,’’ ପଲିୟାନି ଏକମତ ହେଲା, କିନ୍ତୁ ସେ ସ୍ୱାଭାବିକ ଭାବରେ ଟି ନିଶରେ ଟିକିଏ ହାତ ବୁଲାଇଦେଇ ମୃଦୁ ହସି ପକାଇଲା ।

 

ତା’ପରେ ସେ ଚିତ୍ର-ଫଳକ ପାଖକୁ ଯାଇ କହିଲା: ଦେଖନ୍ତୁ ସିନୋରିନା, ଆପଣ ଯଦି ମୋତେ ଅନୁମତି ଦିଅନ୍ତି, ତାହାହେଲେ ଆପଣଙ୍କୁ ତାଙ୍କର ସାମଞ୍ଜସ୍ୟ ଦେଖାଇଦେବାକୁ ମୁଁ ଚେଷ୍ଟା କରିବି । ......ଏଇଠି ଆପଣଙ୍କ ଛବିଟିର ଏହି କୋଣରେ, କେତୋଟି ବିନ୍ଦୁମାତ୍ର......ଆପଣ କିଛି ମନେକରିବେ ନାହିଁ, କରିବେ ନା ? ଆପଣ ତାହାପରେ ଲିଭାଇଦେଇ ପାରନ୍ତି । ମୁଁ ଆପଣଙ୍କୁ ଦେଖାଇଦେବାକୁ ଚାହେଁ, ବିଚରା ସରିନିଙ୍କୁ ମୁଁ କେତେଦୂର ମନେରଖି ପାରିଛି ।’’

 

ସେ ବସି ପଡ଼ିଲା, ଏବଂ ଫଟୋ ସାହାଯ୍ୟରେ ତାହାର ପ୍ରେମିକର ମଥା ଆଙ୍କିବାକୁ ଲାଗିଲା । ସିନୋରିନା କନ୍ସାଲ୍‍ଭି ଖୁବ୍ ତନ୍ମୟ ହୋଇ ତାହାର ଦ୍ରୁତ-ରେଖାଗୁଡ଼ିକୁ ଲକ୍ଷ୍ୟ କରିବାକୁ ଲାଗିଲା । ତାହାର ସମଗ୍ର ଅନ୍ତର ଏକାଗ୍ର ଓ ଆଶାୟୀ ବୋଧ ହେଲା । କାମଟି ଯେତେ ଆଗେଇବାକୁ ଲାଗିଲା, ସେ ସମୟ ସମୟରେ ଆନନ୍ଦପୂର୍ଣ୍ଣ ଚିତ୍କାର କରିବାକୁ ଲାଗିଲା । ଏଥିରେ ପଲିୟାନି ଉତ୍ତେଜିତ ବୋଧ କଲା ଏବଂ ତାହାର ପେନ୍ସିଲ ଦ୍ରୁତ ଗତିରେ ଚାଲିବାକୁ ଲାଗିଲା । ଅବଶେଷରେ ସେ ଆଉ ତାହାର ଉଚ୍ଛ୍ୱାସ ଚାପି ନପାରି କହି ପକାଇଲା ‘‘ଦେଖ, ଏ,ଦେଖ, ମା ! ସରିନିଙ୍କୁ ! ଏକବାରେ ଠିକ୍ ଓଃ ! କିଛି ବଦଳାନ୍ତୁ ନାହିଁ...ଆପଣଙ୍କୁ ଅଶେଷ ଧନ୍ୟବାଦ......ଆପଣ କି ଚମତ୍କାର ଆଙ୍କି ପାରନ୍ତି.....ଅବିକଳ; ସମ୍ପୂର୍ଣ୍ଣ ଅବିକଳ... ।’’

 

ପଲିୟାନି ଆସନରୁ ଉଠିପଡ଼ି, କହିଲା, ‘‘କେବଳ ଟିକିଏ ଅଭ୍ୟାସ ହିଁ ଦରକାର ।’’ ସେ ଯଥେଷ୍ଟ ବିନୟ ସହକାରେ କହିଲା, ‘‘କିନ୍ତୁ ଜୁଲିୟେତ୍ତାର ଅକପଟ ପ୍ରଶଂସାରେ ସେ ଯେ ଆନନ୍ଦଲାଭ କରିଛି ଏହା ପରିଷ୍କାର ଭାବରେ ପ୍ରକାଶ ପାଇଲା । ......ତାହାଛଡ଼ା–ଆପଣ ଦେଖନ୍ତୁ, ବିଚରା ସରିନିଙ୍କୁ ମୁଁ ଭଲ ଭାବରେ ମନେରଖିଛି ।’’

 

ସିନୋରିନା କନ୍ସାଲ୍‍ଭି ତେବେ ବି ଛବିଟା ଆଡ଼କୁ ଅନାଇଥିଲା, ଯେମିତିକି ଯେତେ ବି ତାହାର ଆଶା ଆଦୌ ମେଣ୍ଟୁନଥିଲା ।

 

‘‘ଚିବୁ.....ହଁ.....ଆପଣ ଠିକ୍‍ ରଖିଛନ୍ତି, ଏକବାରେ ଠିକ୍‍...ଓଃ ! ହଜାରେ ଥର ଆପଣଙ୍କୁ ଧନ୍ୟବାଦ ।’’

 

ସେହି ସମୟରେ, ସରିନିଙ୍କର ଯେଉଁ ଫଟୋଟା ମଡେଲ୍‍ ରୂପେ ବ୍ୟବହୃତ ହୋଇଥିଲା ଚିତ୍ରଫଳକରୁ ଖସିପଡ଼ିଲା ଏବଂ ସିନୋରିନା ସେତେବେଳେ ପଲିୟାନିର ଛବିଟି ପାଇଁ ଏତେ ପ୍ରଶଂସାମୁଖର ହୋଇପଡ଼ିଥିଲା ଯେ ତାହାକୁ ପୁଣି ଉଠାଇଆଣିବା ପାଇଁ ତାହାର ମନ ବଳିଲା ନାହିଁ ।

 

ସେଇଠି ଭୂଇଁରେ ତାହା ପଡ଼ିରହିଲା । ସେହି ମ୍ଳାନ-ଛବିଟି ଅତି ବିଷଣ୍ଣ ଦେଖାଯାଉଥିଲା, ଯେମିତିକି ସେ ବୁଝିପାରିଥିଲା ଯେ ସେ ଆଉ କେବେ ହେଲେ ଉଠାଯିବ ନାହିଁ ।

 

ଯାହାହେଉ, ପଲିୟାନି ନଇଁପଡ଼ି ତାହା ଉଠାଇନେଲା ଏବଂ ନମ୍ରଭାବରେ ତାହାକୁ ଦେଖାଇଲା ।

 

ସିନୋରିନା କହିଲା,’’ଆପଣଙ୍କୁ ଧନ୍ୟବାଦ, କିନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କ ଛବିଟିର ସଦ୍‍ବ୍ୟବହାର କରିବି । ତେଣୁ ଦେଖନ୍ତୁ, ସେହି କଦର୍ଯ୍ୟ ଫଟୋଟା ଆଡ଼କୁ ଆଉ ଅନାଇବାକୁ ମୁଁ ଚାହିଁବି ନାହିଁ ।’’

 

ସେତିକିବେଳେ ସେ ଆଖିଟେକି ଅନାଇଲା ଏବଂ ପଲକମାତ୍ରେ ତାହାର ମନେହେଲା ଯେ ଘରଟି ଆଗଅପେକ୍ଷା ଅଧିକ ଉଜ୍ଜ୍ୱଳ ହୋଇଯାଇଛି । ଲମ୍ବା ଫରାସୀ ଝରକା ଭିତରଦେଇ ସୁନ୍ଦର ଅଟ୍ଟାଳିକା ଓ ଉଦ୍ୟାନର ଅପୂର୍ବଦୃଶ୍ୟ ଦେଖି, ସେ ତୃପ୍ତିର ଗଭୀର-ନିଶ୍ୱାସ ଗ୍ରହଣ କଲା । ଏତେଦିନ ହେଲା ତାହାର ହୃଦୟ ଶୋକରେ ଭାରାକ୍ରାନ୍ତ ଥିଲା । ସେହି ରମଣୀୟ ଦିବସର ଆନନ୍ଦୋଜ୍ଜ୍ୱଳ ଆଲୋକ ତା’ ହୃଦୟର ଗଭୀରତମ ପ୍ରଦେଶରେ ପ୍ରବେଶ କଲା । ତାହାକୁ ଜଣାପଡ଼ିଲା, ଯେମିତିକି ସେହି ପ୍ରଶଂସାସୂଚକ ସାମାନ୍ୟ ଅଭିବ୍ୟକ୍ତି ତତ୍‍କ୍ଷଣାତ୍‍ ସବୁ ଅତ୍ୟାଚାର ଦୂରକରି ଦେଇଛି ଏବଂ ମୁକ୍ତିର ନିଶାରେ ତାହାକୁ ମାତାଲ କରିପକାଇଛି ।

 

ଏହା ମୁହୂର୍ତ୍ତେ ମାତ୍ର ରହିଲା । ତା’ ଭିତରେ କଅଣ ଘଟିଗଲା ସିନୋରିନା କନ୍ସାଲ୍‍ଭି ତାହା କୌଣସିମତେ ନିଜେ ବୁଝିପାରିଲା ନାହିଁ । ସହସା ତା’ ମନରେ ଧାରଣା ଜନ୍ମିଲା ଯେ ସେହିସବୁ ନୂତନ ବସ୍ତୁ ଭିତରେ ସେ ନିଜେ ବି ନୂତନର ଧାରଣ କରିଛି-ନୂତନ ଓ ମୁକ୍ତ, କେତେ ମୁହୂର୍ତ୍ତ ଆଗରୁ ଯେଉଁ ଦୁଃସ୍ଵପ୍ନ ତାହାର ଶ୍ୱାସରୋଧ କରୁଥିଲା ତାହାଠାରୁ ବି ଖୋଲା ଝରକା ଭିତର ଦେଇ ଜୀବନର କେତୋଟି ନିଶ୍ୱାସ ଦ୍ରୁତଗତିରେ ପ୍ରବେଶ କରି, ତା’ ହୃଦୟରେ ଭୟଙ୍କର ଓଲଟପାଲଟ ସୃଷ୍ଟି କରିଛି । ସମ୍ଭବତଃ ଜଣାଯାଉଥିଲା ଯେପରିକି କେବଳ ଭିତରେ ନୁହେଁ, ବାହାରେ ମଧ୍ୟେ, ଚାରିଆଡ଼ର ଯେଉଁସବୁ ପଦାର୍ଥକୁ ସେ ପ୍ରାଣହୀନ ବୋଲି ଏତେଦିନ ଯାଏ ଜାଣିଆସିଥିଲା, ସେହିସବୁକୁ ସେ ଏତେ ଟିକିଏ ବି ସ୍ଥାନାନ୍ତର କରି ନାହିଁ, ତାହାର ମୃତ୍ୟୁ ସ୍ୱପ୍ନର ସତର୍କତାର ତାହାକୁ ସାହାଯ୍ୟ କରିବବୋଲି ସେହି ସବୁ ବି ଯେମିତି ପ୍ରାଣଲାଭ କରି ବଞ୍ଚିଉଠିଛନ୍ତି ।

 

ଅତି ବିଚକ୍ଷଣ ଭାସ୍କର ଓ ତା’ ମା’ ଭିତରେ ହେଉଥିବା କଥାବାର୍ତ୍ତା ପ୍ରତି ସେ କାନ ଦେଲା,ଏବଂ ସେହି ଘରଟିର ଓ ତା’ର ଚାରିପଟ ଦୃଶ୍ୟର ପ୍ରଶଂସା ଶିଳ୍ପୀର ମୁଖରୁ ଶ୍ରବଣକଲା-କି ସୁମଧୁର କଣ୍ଠସ୍ୱର ତାହାର ! ମାଆ ପ୍ରସ୍ତାବକଲା ଯେ ସେ ଅନ୍ୟକୋଠରୀଗୁଡ଼ିକ ବୁଲି ଦେଖିବ ଏବଂ ଅଦ୍ଭୁତ ଉଦ୍‍-ବେଗପୂର୍ଣ୍ଣ ଅବସ୍ଥାରେ ଝିଅଟି ବି ତାହାର ପଛେପଛେ ବୁଲିବାକୁ ଲାଗିଲା । ତାହାକୁ ପୁଣି ଜୀବନ୍ତ କରିବା ପାଇଁ ସେହି ତରୁଣ ବ୍ୟକ୍ତିଟି, ସମ୍ପୂର୍ଣ୍ଣ ଅଜଣା ହୋଇ ସୁଦ୍ଧା, କଅଣ ତାହାର ମୃତସ୍ୱପ୍ନରେ ପ୍ରବେଶ କରିଛି ?

 

ଏହି ନୂଆ ଧାରଣାଟି ଏମିତି ପ୍ରବଳ ହୋଇପଡ଼ିଲା ଯେ ସେମାନେ ଯେତେବେଳେ ଶୟନକକ୍ଷ ନିକଟରେ ପହଞ୍ଚିଲେ, ସେ କୌଣସି ମତେ ସେହି ଦୁଆର-ବନ୍ଧ ଟପିପାରିଲା ନାହିଁ । ସେ ଲକ୍ଷ୍ୟ କଲା, ତାହାର ମାଆ ଓ ତରୁଣ ବ୍ୟକ୍ତିଟି ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଦୃଷ୍ଟି ବିନିମୟ ହେଲା, ଆଉ ଅଧିକ ସମୟ ନିଜକୁ ସମ୍ଭାଳି ନପାରି ସେଖୁବ୍‍ କାନ୍ଦିପକାଇଲା ।

 

ଯେଉଁ ଶୋକରେ ସେ ଏତେଦିନ ବହୁବାର ଭାଙ୍ଗିପଡ଼ିଥିଲା ସେଥିରେହିଁ ତା’ ଚକ୍ଷୁରୁ ଅବିରଳ ଲୋତକ ଝରିପଡ଼ିଲା । କିନ୍ତୁ କୌଣସି ଅସ୍ପଷ୍ଟ ଉପାୟରେ ସେ ବୁଝିପାରିଲା ଯେ ଏହିଥର ତା’ କ୍ରନ୍ଦନରେ ପ୍ରଭେଦ ଦେଖାଦେଇଛି, ପର୍ବ ପାରି ତା’ର କ୍ରନ୍ଦନର ସ୍ୱର ତା’ ଭିତରେ ଦୁଃଖର ପ୍ରତିଧ୍ୱନି ଉଠାଇ ନାହିଁ, ଯେଉଁ ମୂର୍ତ୍ତି ସଦାବେଳେ କ୍ରନ୍ଦନ ସହିତ ତା’ ଆଖି ଆଗରେ ଭାସିଯାଏ ଆଜି ଆଉ ତାହାର ଦେଖା ମିଳିଲା ନାହିଁ । ଏହା ସେ ଆହୁରି ସ୍ପଷ୍ଟଭାବରେ ବୁଝିପାରିଲା, ଯେତେବେଳେ ତାହାର ମାଆ ଦ୍ରୁତ ତା’ ପାଖକୁ ଆସି ଆଗପରି ସେହି ଏକ କଥାରେ ତାହାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲା ଏବଂ ମନରେ ଦମ୍ଭବାନ୍ଧି ତାକୁ ଉପଦେଶ ଦେଲା । ସେ ଏହିଭଳି ସାନ୍ତ୍ୱନା ସମ୍ଭାଳିପାରିଲା ନାହିଁ, କିନ୍ତୁ ଖୁବ୍‍ ଚେଷ୍ଟାକରି ତାହାର କ୍ରନ୍ଦନର ବେଗ ରୋଧ କରିଦେଲା । ତରୁଣ ବ୍ୟକ୍ତିଟି ଯେତେବେଳେ ତାହାକୁ ନିଜର ଶୋକଠାରୁ ବିଛିନ୍ନ କରିବା ପାଇଁ ବୁକ୍‍ଷ୍ଟାଣ୍ଡ ଉପରେ ଥିବା ତାହାର ନକ୍ସାର ଆଲବମ୍‍ଟା ତାହାକୁ ଦେଖାଇବାକୁ ଅନୁରୋଧ କଲା, ସେ ତା’ ପ୍ରତି କୃତଜ୍ଞତା ଜ୍ଞାପନ କଲା ।

 

ସେ ତା’ ଛବିଗୁଡ଼ିକର ପରିମିତ ଓ ନୈଷ୍ଠିକ ପ୍ରଶଂସା କଲା, କେତେ ପରାମର୍ଶ ଦେଲା ଏବଂ ଭୁଲ୍‍ଗୁଡ଼ିକ ଦେଖାଇଦେଲା । ସେ ପ୍ରଶ୍ନ ପଚାରିବାରୁ ଜୁଲିୟେତ୍ତା ବୁଝାଇବାକୁ ଲାଗିଲା ଏବଂ ତେଣୁ ଏକ ଆଲୋଚନା ଚାଲିଲା । ଶେଷରେ ଜୁଲିୟେତ୍ତାର ଅସାଧାରଣ କ୍ଷମତା ବିଷୟ ଉଲ୍ଲେଖ କରି, ସେ ତାହାକୁ ଭଲଭାବରେ ଛବି ଅଙ୍କନ ଶିଖିବାକୁ ପରାମର୍ଶ ଦେଲା । ଏହା ଅବହେଳା କଲେ ପାପ ହେବ, ପ୍ରକୃତ ପାପ ! ସେ କଅଣ କେବେ ରଙ୍ଗରେ ଛବି ଆଙ୍କିବାକୁ ଚେଷ୍ଟା କରିଛି ? କରି ନାହିଁ ? ସତରେ ! କାହିଁକି ନୁହେଁ ? ନକ୍ସା କରିବାରେ ଯାହାର ଏମିତି ସୁନ୍ଦର ହାତ ଏବଂ ଯେ ଏଥିପାଇଁ ଏତେ ଉତ୍ସାହ ଦେଖାଇଛି ତା’ ପକ୍ଷରେ ଏହା ଆଦୌ କଷ୍ଟକର ହେବନାହିଁ ।

 

କନଷ୍ଟାନଟିନୋ ପଲିୟାନ ତାହାକୁ ଚିତ୍ରବିଦ୍ୟା ଶିକ୍ଷାଦେବାକୁ ପ୍ରସ୍ତାବ କଲା । ସିନୋରିନା କନ୍ସାଲ୍‍ଭି ତାହା ଗ୍ରହଣ କଲା । ସ୍ଥିରହେଲା ଯେ କାଲିଠାରୁ ପାଠ ଆରମ୍ଭ ହେବ-ସେଠାରେ, ନୂଆ ଘରେ, ଯାହା ଆନନ୍ଦପୂର୍ଣ୍ଣ ଆଶାରେ ସେମାନଙ୍କ ପାଇଁ ପ୍ରତୀକ୍ଷାରେ ରହିଥିଲା ।

 

ପ୍ରାୟ ଦୁଇ ମାସ ପରେ ପଲିୟାନିର ଷ୍ଟୁଡିୟୋରେ ସୋଫା ଉପରେ ସିରୋ କଲ୍ଲି ଗଡ଼ପଡ଼ ହେଉଥିଲା । ତା’ ଭିତରେ ଗୋଟିଏ ପ୍ରକାଣ୍ଡ ସମାଧି-ସ୍ମୃତିସ୍ତମ୍ଭ ବିକ୍ଷିପ୍ତ ହୋଇ ପଡ଼ିଥିଲା-କାର୍ଯ୍ୟଟି ଏବେ ଆରମ୍ଭ ହୋଇଛି । ସେ ଖଣ୍ଡିଏ ପୁରୁଣା ସୁତା ପାଇଜାମା ଗୋଡ଼ ଭିତରେ ପିନ୍‍ ମାରିଦେଇ ପିନ୍ଧିଛି । ପାଇପ ଟାଣୁ ଟାଣୁ ସେ ତା’ ସାମନାରେ କଳା କାଠ ଟୁଲ୍‍ ଉପରେ ସିଧା ଠିଆ ହୋଇଥିବା ଗୋଟିଏ କଙ୍କାଳ ସହିତ ଅଦ୍ଭୁତ ଭାବରେ କଥାବାର୍ତ୍ତା କରୁଥିଲା । ଜଣେ ଡାକ୍ତର ବନ୍ଧୁଙ୍କ ନିକଟରୁ ମଡେଲ କରିବା ପାଇଁ ସେ ଏହାକୁ ମାଗି ଆଣିଛି ।

 

ଖପୁରୀ ଉପରେ ଟିକିଏ ବଙ୍କାଇ ସେ ଗୋଟିଏ କାଗଜର ଟୋପୀ ମାରି ଦେଇଛି, ଏବଂ କଙ୍କାଳଟି ଜଣେ ସାଧାରଣ ସୈନ୍ୟପରି ଦେଖାଯାଉଛି–ସେ ସିଧା ଠିଆହୋଇ, ଭାସ୍କର-କର୍ପୋରାଲ ସିରୋ କଲ୍ଲି ପାଇପ୍‍ ଟାଣିବା ଫାଙ୍କରେ ଯେଉଁ ଉପଦେଶ ତାହାକୁ ଦେଉଛି, ତାହା ଶୁଣୁଥିଲା ।

 

‘‘ଆଚ୍ଛା, କୁହତ ବୃଦ୍ଧ, ତୁମେ କାହିଁକି ଶିକାର କରିବାକୁ ଗଲ ? ଦେଖିପାରୁଛ, ଏହାଦ୍ୱାରା ତୁମେ କି କଦର୍ଯ୍ୟ ଗୋଳମାଳରେ ପଡ଼ିଯାଇଛ ? ସେଇଥି ପାଇଁ ତୁମେ ଆଜି ଏକ କଦାକାର ଭୂତ ହୋଇଯାଇଛ......କାଠି ପରି ଗୋଡ଼......ତୁମର ସମସ୍ତ ଦେହଟା ଗୋଛାଏ ହାଡ଼ ମାତ୍ର । ବର୍ତ୍ତମାନ-ତୁମକୁ ପଚାରୁଛି-ତୁମେ କଅଣ ଭାବୁଛ ଯେ ତୁମର ଏହି ବିଭାଘର କେବେ ହୋଇପାରିବ ? ଦେଖ, ବନ୍ଧୁ, ଜୀବନ ଠିଆହୋଇଛି, ଦେଖ; ଦେଖ, କିପରି ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ ବାଳିକାଟିଏ ମୁଁ ଗଢ଼ିଛି । ତୁମେ କଅଣ ପ୍ରକୃତରେ ନିଜେ ଗର୍ବାନ୍ଵିତ ମନେ କରୁଛ ଯେ ସେ ତୁମକୁ ବିଭା ହେବାକୁ ରାଜିଅଛି ? ମଧୁର ଓ ଲଜ୍ଜିତ ଭଙ୍ଗୀରେ, ସେ ତୁମକୁ ଲାଗି ଠିଆହୋଇଛି । ସେ ବାଲ୍‍ଟି ବାଲ୍‍ଟି ଲୋତକ ଢାଳିଛି । କିନ୍ତୁ ବିବାହ-ମୁଦିକଥା ଥରେ କୁହନା-ତାହା ଆଉ ହେବ ନାହିଁ ! ତୁମେ ଏହି ଧାରଣା ମଥା ଭିତରୁ ଦୂର କରିଦିଅ.......ତା’ ପଛରେ ଟଙ୍କା ଖର୍ଚ୍ଚକରି ଦେଖୁନାହଁ, ବୃଦ୍ଧ–ତା’ ପଛରେ ତୁମର ସର୍ବସ୍ଵ ଉଡ଼ାଇ ଦେଉନାହଁ ? କଅଣ ! ତୁମେ ତାହାକୁ ତୁମର ଥଳି ଓ ତା’ ଭିତରେ ଥିବା ଟଙ୍କାସବୁ ଦେଇସାରିଛ ? ତାହାହେଲେ ମୁଁ ତୁମ ପାଇଁ ଏକ୍ଷଣି କଅଣ କରିପାରେ ବୋଲି ତୁମେ ଆଶା କରୁଛ ? ତୁମେ କି ବିପଦରେ ପଡ଼ିଛ ତାହା ମୋତେ କହି ତୁମର କିଛି ଲାଭ ନାହିଁ । ମୁଁ ଜାଣିଥିଲି, କଅଣ ଘଟିବ । ଏହା ଗୋଟିଏ ପାପିଷ୍ଠ ପୃଥିବୀ ଏବଂ ଏଠାରେ କେହି ନାହାନ୍ତି ଯାହାକୁ ତୁମେ ବିଶ୍ୱାସ କରିପାରିବ.......ବର୍ତ୍ତମାନ କଅଣ ଘଟିଛି ତୁମେ ବୋଧହୁଏ ଜାଣିଥିବ, ତୁମେ ଜାଣିନାହଁ ? ସେ ଛବି ଅଙ୍କନ ଶିଖିବା ଆରମ୍ଭ କରିଛି–ଜୀବନ-ଆଉ ତାହାର ଶିକ୍ଷକ କିଏ ବୋଲି ତୁମେ ଭାବୁଛ ? କନ୍‍ଷ୍ଟାଣ୍ଟିନୋ ପଲିୟାନି ! ବର୍ତ୍ତମାନ ବୃଦ୍ଧ ଏହା ଟିକିଏ ମୋଟା ଏହା ଥଟ୍ଟାର ବାହାରେ । ମୁଁ ଯଦି ତୁମରି ଅବସ୍ଥାରେ ଥାଆନ୍ତି ମୁଁ ତାହାକୁ ଦ୍ଵନ୍ଦ୍ୱଯୁଦ୍ଧକୁ ଡାକ ଦିଅନ୍ତି......ଆଜି ସକାଳେ କଅଣ ଘଟିଛି ତୁମେ ଜାଣନା ? ତୁମେ ତ ଜାଣ, ମୋ ଉପରେ କଦା ହୁକୁମ–ସେ ଚାହେଁ ନାହିଁ, ଜୀବନକୁ ନଗ୍ନରୂପ ଦେବାକୁ ସେ ମୋତେ ବିଶେଷ ଭାବରେ ବାରଣ କରିଛି । ଆଚ୍ଛା, ସେ-ଗଧ ହେଲେ ସୁଦ୍ଧା-ଭାସ୍କର ତ, ଏବଂ ସେ ଭଲକରି ଜାଣେ ସେ ପ୍ରଥମେ ନଗ୍ନମୂର୍ତ୍ତି ନ ଗଢ଼ିଲେ, ପରେ ତାହାକୁ ପୋଷାକପତ୍ର ପିନ୍ଧାଇପାରିବ ନାହିଁ । ଏକ୍ଷଣି ଟିକିଏ ମନଦେଇ ଶୁଣ କଅଣ ଘଟିଛି । ମୁଁ ଜୀବନର ଯେଉଁ ଚମତ୍କାର ନଗ୍ନ ମୂର୍ତ୍ତିଟି ତିଆରି କରିଛି ତା’ ଉପରେ ସେହି ବାଳିକାଟିର ମୁଖ ବସାଇବାକୁ ସେ ଦେବ ନାହିଁ । ସେଥିପାଇଁ ସେ ଆସେ-ତୁମେ ତାହାକୁ ଦେଖି ନାହଁ ? –ଏବଂ ଷ୍ଟାଣ୍ଡ ଉପରେ କୁଦିପଡ଼ି କରଣୀର ଦୁଇଟା ଚୋଟରେ ମୋଦ୍ୱାରା ଅଙ୍କିତ ସମଗ୍ର ମୁଖମଣ୍ଡଳକୁ ସେ ଲିଭାଇଦିଏ । ଜାଣ ବନ୍ଧୁ, ସେ କାହିଁକି ଏମିତି କଲା ? ମୁଁ ତାହାକୁ ପାଟି କରି କହିଲି,’’ରହ, ରହ ! ଅଧ ମୁହୂର୍ତ୍ତକ ଭିତରେ ଯାଇ ମୁଁ ତାହାକୁ ପୋଷାକ ପିନ୍ଧାଇ ଦେଉଛି । ମୁଁ ତାହାକୁ ଠିକ୍‍ ଭାବରେ ପୋଷାକ ପିନ୍ଧାଇଦେବି ।’’ ‘‘କିନ୍ତୁ କିଛି ଫଳ ହେଲା ନାହିଁ ! ସେମାନେ ବର୍ତ୍ତମାନ ଜୀବନକୁ ନଗ୍ନରୂପେ ଦେଖିବାକୁ ଚାହାନ୍ତି.......ଏହା ନଗ୍ନ ଜୀବନ ହେବ, ଜୀବନ ଯେତେ ନଗ୍ନ ଓ ଅପରିପକ୍ଵ ହେବାର କଥା ହେବ ! ସେମାନେ ମୋର ପ୍ରଥମ ଛବି ପାଖକୁ ଫେରିଆସିଛନ୍ତି....ଜୀବନର ଛବି ହେବ ଗୋଟିଏ ରୂପକ, ଏବଂ ଏଥିରୁ ଝିଅଟିର ମୂର୍ତ୍ତି କରିବା ପରିକଳ୍ପନା ସମ୍ପୂର୍ଣ୍ଣ ରୂପେ ପୋଛିଦିଆ ହୋଇଛି ! ହେ ମୋର ପ୍ରିୟତମ ବନ୍ଧୁ ବର୍ତ୍ତମାନ ତୁମେ ତାହାକୁ ଭିଡ଼ି ଧରିବ, ଏବଂ ସେ ତୁମ ସହିତ କୌଣସି ସମ୍ପର୍କ ରଖିବାକୁ ମନା କରିଦେବ ! ......ଆଃ ! ତୁମେ ବର୍ତ୍ତମାନ ମୋତେ କୁହ ତ-ଏହି ପୃଥିବୀରେ ତୁମର ଶିକାରକୁ ଯିବାର କି ଗରଜ ପଡ଼ିଥିଲା ?

 

–ଲଇଜି ପିରାନ ଦେଲ୍ଲୋ

Image

 

ବାଘୁଣୀ

 

ସେ ଡେଙ୍ଗୀ ଓ ରୋଗଣୀ ଥିଲା । ତାହାର ଦୁଇଟି ଶକ୍ତ ଓ ଉଦ୍ଧତ ବକ୍ଷ ଥିଲା । ତଥାପି ତାହାର ବୟସ ହଟି ଯାଇଥିଲା । ତାହାର ଦେହର ରଙ୍ଗ ଶେତା ଦିଶୁଥିଲା, ଯେମିତି ସେ ସର୍ବଦା ଜରରେ ପଡ଼ିଥିଲା । ତାହାର ସେହି ବିବର୍ଣ୍ଣ ମୁଖରେ ଡିମା ଡିମା ଆଖି ଓ ଲାଲ ଟହ ଟହ ଓଠ ସତେକି ଲୋକଙ୍କୁ ଗିଳିପକାଇବାକୁ ଧାଇଁଆସୁଥିଲା ।

 

ଗାଁଟା ଯାକ ସମସ୍ତେ ତାହାକୁ ଧେଡ଼ୀ କୁତି ବୋଲି ଡାକୁଥିଲେ କାରଣ ଯେତେ ହେଲେ ବି କିଛି ତାହାର ମନକୁ ପାଉନଥିଲା-ଆଦୌ ନୁହେଁ । ଯେତେବେଳେ ସେ ଜଙ୍ଗଲୀ କୁତିପରି ନିଃସଙ୍ଗ ଓ କ୍ଷୁଧାର୍ତ୍ତ ଗଧିଆ ପରି ସନ୍ଦେହଜନକ ଭଙ୍ଗୀରେ ଦାଣ୍ଡ-ଘାଟରେ ଚାଲିଯାଉଥିଲା, ସେତେବେଳେ ନାରୀମାନେ କୃଶ ଚିହ୍ନ ଆଙ୍କୁଥିଲେ । ତାହାର ଲାଲ ଟହଟହ ଓଠରେ ମୁହୂର୍ତ୍ତକ ଭିତରେ ସେ ଯେମିତି ସେମାନଙ୍କର ସ୍ୱାମୀ-ପୁତ୍ରଙ୍କର ସବୁ ରକ୍ତ ଶୋଷିନେଉଥିଲା । ତାହାର ଶୟତାନୀ-ସୁଲଭ ଚକ୍ଷୁର ପଲକପାତରେ ସେ ସେମାନଙ୍କୁ ଯେମିତି ଅକ୍ଳେଶରେ ତାହାର ଜାମା ତଳକୁ ଟାଣିନେଇ ଯାଉଥିଲା । ଏପରିକି ସନ୍ଥ ଆଗ୍ରିପୀନାଙ୍କ ବେଦୀ ସାମନାରେ ଠିଆହେଲେ ସୁଦ୍ଧା ବୋଧହୁଏ ପୁରୁଷମାନେ ସେହି ଆକର୍ଷଣ ଏଡ଼ିଦେଇ ପାରିବେ ନାହିଁ । ଭାଗ୍ୟକୁ ସେ କଦାପି ଗୀର୍ଜା-ଦୁଆର ମାଡ଼ୁ ନଥିଲା । ଇଷ୍ଟର ବେଳେ ନୁହେଁ କି ବଡ଼ଦିନରେ ବି ନୁହେଁ । ସମବେତ ପ୍ରାର୍ଥନାରେ ଯୋଗଦେବାକୁ କିମ୍ବା ସ୍ଵୀକାରୋକ୍ତି କରିବାକୁ ମଧ୍ୟ ସେ ଯାଉନଥିଲା । ତାହାରି ପାଇଁ ଯୀଶୁ ମତ ସନ୍ଥ ମେରୀଙ୍କର ପ୍ରକୃତ ଭୃତ୍ୟ ଫାଦର ଆଞ୍ଜିଓଲିନୋ ନିଜର ଆତ୍ମା ବିସର୍ଜନ କରିଥିଲେ-

 

ଲକ୍ଷ୍ମୀ ଝିଅଟି, ବିଚାରୀ ମାରିଚ୍ଚିୟା, ଧେଡ଼ୀ କୁତିର ଝିଅ ବୋଲି ଅନ୍ତରାଳରେ ଆଖିରୁ ଲୁହ ଗଡ଼ାଉଥିଲା । ଗାଁର ଆଉ ସବୁ ଝିଅମାନଙ୍କ ପରି ତାହାର ବି ଅଲମାରୀରେ ଭଲ ଭଲ ଲୁଗାପଟା ଥିଲା, ଆଉ ଜମିବାଡ଼ି ମଧ୍ୟ; କିନ୍ତୁ ତାହାର ଅନ୍ତରରେ ଗୋଟିଏ ବଡ଼ ଚିନ୍ତା ଥିଲା-ଧେଡ଼ୀ କୁତିର ଝିଅ ବୋଲି କେହି ତାହାକୁ ବିଭା ହେବେ ନାହିଁ । ଦିନେ ଧେଡ଼ୀ କୁତିଟି ଗୋଟିଏ ଟୋକାର ପ୍ରେମରେ ପଡ଼ିଲା, ମାତ୍ର କେତେଦିନ ତଳେ ସେ ଯୁଦ୍ଧରୁ ଫେରି ଆସିଥିଲା । ନୋଟାରୀ ଖେତରେ ସେ ତାହା ସାଙ୍ଗରେ ଘାସ କାଟୁଥିଲା । ପ୍ରେମ ଶବ୍ଦଟିର ତୀବ୍ରତମ ଅର୍ଥରେ ଧେଡ଼ୀ କୁତି ତାହାକୁ ଚାହିଁଲା । ପୋଷାକ ତଳେ ତାହାର ସର୍ବାଙ୍ଗରେ ନିଆଁର ସୁଅ ଛୁଟିଲା । ଟୋକାଟିର ଆଖିରେ ଆଖି ରଖି ସେ ସମତଳ ଦେଶର ଭରା ଜ୍ୟେଷ୍ଠର ତୀବ୍ର ତୃଷା ଅନୁଭବ କଲା, କିନ୍ତୁ ଟୋକାଟି ଅବିଚଳିତ ଭାବରେ ଘାସ କାଟିଯିବାକୁ ଲାଗିଲା-ହାତରେ ଦା ଧରି ନଇଁପଡ଼ି କଟିବାରେ ଲାଗିଥାଏ ।

 

ଟୋକାଟି ବେଳେ ବେଳେ ପଚାରୁଥିଲା-’’କଥା କଅଣ, ପୀନା ?’’

 

ସେହି ବିଶାଳ ଖେତରେ କେଉଁଠି ପତଙ୍ଗର ଡେଣାର ଆବାଜ ଛଡ଼ା ଅନ୍ୟ କୌଣସି ଶବ୍ଦ ନଥାଏ ଏବଂ ଯେଉଁଠି ପ୍ରଖର ସୂର୍ଯ୍ୟକିରଣ ମୁଣ୍ଡ ଉପରେ ହାତୁଡ଼ି ପିଟୁଥାଏ, ସେଇଠି ଧେଡ଼ୀ କୁତି ଅକ୍ଲାନ୍ତ ଭାବରେ ଥରେ ହେଲେ ଅଣ୍ଟା ସିଧା କରି ଠିଆ ନ ହୋଇ, ଥରେ ଓଠ ନ ମେଲାଇ, ଗୋଟିକ ପରେ ଗୋଟିଏ, ଗଦା ଗଦା ଘାସ ବୋଝରେ ଭର୍ତ୍ତି କରିବାରେ ଲାଗୁଥିଲା-ଖାଲି ଟିକିଏ ନାନି ପାଖରେ ରହିବା ଲାଗି; କିନ୍ତୁ ତେଣେ ନାନି ଘାସ କାଟିବାରେ ଲାଗି ରହୁଥିଲା, ଏବଂ ଘାସ କାଟି ଜମା କରିଦେଉଥିଲା ।

 

ମଝିରେ ମଝିରେ ସେ ଏତିକି ମାତ୍ର ପଚାରୁଥିଲା–’’କଅଣ ଚାହ ତୁମେ, ପୀନା ?’’

 

ଦିନେ ସନ୍ଧ୍ୟାବେଳେ, ସାରାଦିନର ପରିଶ୍ରମ ପରେ କ୍ଲାନ୍ତହୋଇ ଚାଷୀମାନେ ଯେତେବେଳେ ଖମାର ଘରର ଚଟାଣରେ ବସି ଢୁଳାଉଥାଆନ୍ତି ଏବଂ ଗାଢ଼ ଅନ୍ଧକାରରେ ଆଛନ୍ନ ଗାଁର ରାସ୍ତାରେ କୁକୁର ଭୁକୁଥାଏ, ଧେଡ଼ୀ କୁତି ତାହାକୁ ପଚାରିବାରୁ ସେ କଅଣ ଚାହେ ତାହା ତାହାକୁ ଜଣାଇଦେଲା ।

 

‘‘ଆଉ ମୁଁ ଚାହେ ତୁମର ଝିଅକୁ, ଯେ ଏକ୍ଷଣି କୁମାରୀ ଅଛି,’’–ହସି ହସି ନାନି ତାହାକୁ ଜବାବ ଦେଲା ।

 

ଏହା ସୁନୀଲ ମାତ୍ରେ ଧେଡ଼ୀ କୁତି ଦୁଇହାତରେ ତାହାର ମୁଣ୍ଡର ବାଳ ଛିଡ଼ାଇବାକୁ ଲାଗିଲା’’ ମଥା ଭୁଇଁରେ ପିଟିଲା ଏବଂ ପଦେ ହେଲେ କଥା ନକହି ପଳାଇଗଲା । ତହିଁ ଉତ୍ତାରୁ ଖମାର ଘରେ ତାହାର ଆଉ ଦେଖା ମିଳିଲା ନାହିଁ; କିନ୍ତୁ ନାନି ସାଙ୍ଗରେ ତାହାର ପୁଣି ଦେଖାହେଲା ଅକ୍ଟୋବର ମାସରେ, ଯେତେବେଳେ ବରିପୋଲୁଅ ତେଲର ଘଣା ପଡ଼ିଥିଲା, କାରଣ ନାନି ନିଜର ଘର ପାଖରେ କାମ କରୁଥିଲା । କାରଖାନାର କାମର ଶବ୍ଦରେ ସେ ରାତି ସାରା ସୋଇ ପାରୁ ନଥିଲା ।

 

‘‘ବରିପୋଲୁଅ-ବସ୍ତାଟା ନେଇ ମୋ ସାଙ୍ଗରେ ଆ’’–ସେ ତା’ ଝିଅକୁ କହିଲା ।

 

ସେତେବେଳେ ନାନି କୋଦାଳରେ ବରିପୋଲୁଅ ସବୁ ତେଲ ଘଣା ଭିତରକୁ ଠେଲି ଦେଉଁ ଦେଉଁ ‘‘ହୁଇ’’ ‘‘ହୁଇ’’ ବୋଲି ଗୋଟାଏ ଶବ୍ଦ କରି ଗଧଟାକୁ ସତର୍କ କରିଦେଉଥିଲା, ଯେମିତି ସେଟା ଟିକିଏ ହେଲେ ରହି ନଯାଏ ।

 

ପୀନା ତାହାକୁ ପଚାରିଲା–’’ତୁମେ ମୋର ଝିଅ ମାରିଚ୍ଚିୟାକୁ ଚାହଁ ?’’

 

‘‘ତୁମର ଝିଅ ମାରିଚ୍ଚିୟାକୁ ତୁମେ କି କି ଜିନିଷ ଦେବ ?’’ ନାନି ତାହାକୁ ଓଲଟି ପଚାରିଲା ।

 

‘‘ତାହାର ବାପର ଯାହା କିଛି ଅଛି ସେସବୁ ତ ସେ ପାଇବ । ତାହାଛଡ଼ା ମୋର ଘରଟା ବି ମୁଁ ତାହାକୁ ଦେଇଦେବି । ହାଣ୍ଡିଶାଳରେ ଗୋଟାଏ କୋଣରେ ଟିକିଏ ଜାଗା ହେଲେ ମୋର ଚଳିଯିବ-ଖଣ୍ଡିଏ ମସିଣା ପକାଇବା ଭଳି ଜାଗା ଟିକିଏ ହେଲେ ମୋର ଯଥେଷ୍ଟ ହେବ ।’’

 

‘‘ଯଦି ତାହାହିଁ ହୁଏ, ତାହାହେଲେ ବଡ଼ଦିନ ବେଳକୁ ଏ ବିଷୟରେ କଥା ହେବା ।’’

 

ସେତେବେଳେ ନାନିର ଚେହେରା ତେଲ-ଚିଟଚିଟା ଓ କଦର୍ଯ୍ୟ ଦିଶୁଥିଲା । ତାହାର ଦେହ ସାରା ତେଲ ଛିଟା ଓ ପେଷା ବରିପୋଲୁଅର ଟିକି ଟିକି ଖଣ୍ଡ ଆସି ଲାଗିଥିଲା । ସେତେବେଳେ ମାରିଚ୍ଚିୟା କୌଣସିମତେ ତାହାକୁ କାମନା କରିପାରିଲା ନାହିଁ; କିନ୍ତୁ ତାହାର ମାଆ ତା’ ମଥାର ବାଳ ଧରି ଟାଣି ଟାଣି ତାହାକୁ ଚୁଲି ପାଖକୁ ନେଇଗଲା ଏବଂ ଦାନ୍ତ ରଗଡ଼ି ତାହାକୁ ଧମକ ଦେଲା,’’ ‘‘ଯଦି ତୁ ତାହାକୁ ଗ୍ରହଣ ନକରୁ, ତାହା ହେଲେ ମୁଁ ତୋତେ ଖୁନ୍ କରିବି !’’

 

ତା’ପରେ ଧେଡ଼ୀ କୁତିଟି ପ୍ରାୟ ଅସୁସ୍ଥ ହୋଇପଡ଼ିଲା । ଲୋକେ କହିବାକୁ ଲାଗିଲେ ଯେ ଶୟତାନ ବୁଢ଼ା ହେଲେ ସାଧୁ ହୋଇଯାଏ । ଆଉ ସେ ଯେଉଁଠି ପାରେ ସେଇଠି ଘୂରି ବୁଲିଲା ନାହିଁ । ତାହାର ସେହି ବଶୀକରଣ ଚକ୍ଷୁର ଦୃଷ୍ଟି ନିକ୍ଷେପ କରି ସେ କାହାର ଦୁଆର ସାମନାରେ ଠିଆ ହୋଇ ରହିଲା ନାହିଁ । ସେ ତାହାର ସେହି ଦୃଷ୍ଟି ନିଜର ଜୋଇଁ ଉପରେ ନିବଦ୍ଧ କରିବାକୁ ଲାଗିଲା । ସେତେବେଳେ ନାନି ହସୁଥିଲା ଏବଂ ପବିତ୍ର କୁମାରୀଙ୍କର ମୂର୍ତ୍ତିଟି ବାହାର କରି ନିଜର ଛାତି ଉପରେ କୃଶ ଆଙ୍କୁଥିଲା, ମାତ୍ର ମାରିଚ୍ଚିୟା ଘରେ ରହୁଥିଲା ଏବଂ ଛୁଆପିଲାଙ୍କ ଦେଖାଶୁଣା କରୁଥିଲା । ଏଣେ ତାହାର ମାଆ ପୁରୁଷଙ୍କ ସାଙ୍ଗରେ ଖେତକୁ ଯାଉଥିଲା । ଠିକ୍ ପୁରୁଷଙ୍କ ପରି ବିଲ ବାଛୁଥିଲା, ବାଳୁଙ୍ଗା କାଟୁଥିଲା, ଗୋରୁଙ୍କୁ ଖୁଆଉଥିଲା, ଆଙ୍ଗୁଠିଲତା ଛାଟୁଥିଲା-ଯେତେବେଳେ ଜାନୁୟାରୀ ମାସରେ ଉତ୍ତର-ପୂର୍ବ ଓ ଭୂମଧ୍ୟ-ସାଗରୀୟ ବାୟୁ ବହିଆସେ, ଯେତେବେଳେ ଗଧଗୁଡ଼ାକର ମୁଣ୍ଡ ତଳକୁ ନଇଁପଡ଼େ ଏବଂ ପୁରୁଷମାନେ ଉତ୍ତର ଦିଗର କାନ୍ଥଆଡ଼କୁ ମୁହଁକରି ଢୁଳାନ୍ତି, ସେତେବେଳେ ବି ଏହାର ବ୍ୟତିକ୍ରମ ହେଉନଥିଲା । ଯେତେବେଳେ କୌଣସି ଭଲଝିଅ ରାସ୍ତାକୁ ବାହାରନ୍ତି ନାହିଁ, ସେହି ମଧ୍ୟାହ୍ନ ଓ ସନ୍ଧ୍ୟାକାଳୀନ ପ୍ରାର୍ଥନାର ମଝିରେ ଭୟଙ୍କର ସମୟରେ, ସେତେବେଳେ ପୀନା ହିଁ ହେଉଛି ଏକମାତ୍ର ଜୀବିତ ବ୍ୟକ୍ତି ଯେ ଗାଁର ବାଟଘାଟରେ ଘୂରି ବୁଲୁଥିଲା, ଗୋଡ଼-ପୋଡ଼ି ଯାଉଥିବା ପଥୁରିଆ ରାସ୍ତାରେ, ଧାନ କଟା ହୋଇଥିବା ଜଳନ୍ତା ବିଲ ଭିତରେ-କଣ୍ଠରୋଧକାରୀ ଗରମରେ ଲୁପ୍ତପ୍ରାୟ ଖେତ, ଯାହା ସୁଦୂରରେ ଯାଇ ମିଶିଛି, ଧୁଆଁଳିଆ ଏଟନା ସାଙ୍ଗରେ, ଯେଉଁଠି ଦିଗନ୍ତ ଉପରେ ଭାରୀ–ହୋଇ ଝୁଲୁଛି ଆକାଶ-ସେଠାରେ ପୀନା ଘୂରି ବୁଲୁଥାଏ ।

 

‘‘ଉଠ’’, ଧୂଳି ଧୂସରିତ ବୁଦା କଡ଼ରେ ଗାତ ଭିତରକୁ ପଶି ଯାଇ ମୁଣ୍ଡ ତଳେ ହାତ ରଖି ଶୋଇ ପଡ଼ିଥିବା ନାନିକୁ ସେ ଡାକିଲା । ‘‘ଉଠ ! ମଦ ଆଣିଛି, ତଣ୍ଟି ଶୁଖି ଯିବଣି, ଟିକିଏ ପିଇଦିଅ-।’’ ନାନି ତାହାର ତନ୍ଦ୍ରାଳସ ନିଦ ମଳମଳ ଆଖି ମେଲି ଦେଖିଲା । ସେ ସାମନାରେ ଠିଆ ହୋଇଛି–ଫିକା ଚେହେରା, ଉଦ୍ଧତ ବକ୍ଷ ଓ କୋଇଲା ପରି କଳା ଆଖିରେ–ନାନି ଅଣ୍ଡାଳି ଅଣ୍ଡାଳି ଦୁଇ ହାତ ବଢ଼ାଇଦେଲା ।

 

‘‘ନା ! ଏହି ମଧ୍ୟାହ୍ନ ଓ ସନ୍ଧ୍ୟାର ପ୍ରାର୍ଥନାର ମଝିରେ ଭୟଙ୍କର ସମୟରେ କୌଣସି ଭଲଝିଅ ଘରୁ ଗୋଡ଼ କାଢ଼େ ନାହିଁ !’’ ନାନି କଇଁ କଇଁ ହୋଇ କାନ୍ଦି ପକାଇଲା, ଗାତର ଶୁଖିଲା ଘାସ ଉପରେ ନିଜର ମଥା କଚାଡ଼ି ଦେଲା । ତାହାର ନଖ ଛାତି ମଝିରେ ଗଭୀର ଭାବରେ ବସିଗଲା ।’’ ଚାଲିଯାଅ ! ଚାଲିଯାଅ ! ଆଉ କେବେ ଖମାର ଘରକୁ ଆସିବ ନାହିଁ !’’ ‘‘ ଧେଡ଼ୀ କୁତି ଚାଲିଗଲା; ତାହାର ଅପରୂପ କେଶର ବେଣୀ ଠିକ୍‍ ଭାବରେ ବାନ୍ଧୁ ବାନ୍ଧୁ । ନିଜର ସାମନାରେ ଦୃଷ୍ଟି ସ୍ଥିରରଖି ସେ ଚାଲିଗଲା–ତାହାର ଦୁଇଟି ଆଖି କୋଇଲା ପରି କଳା ଦିଶୁଥିଲା ।

 

କିନ୍ତୁ ସେ ପୁଣି ଖମାର ଘରକୁ ଗଲା; ତା’ପରେ ବାରମ୍ବାର ଯିବାକୁ ଲାଗିଲା. ଏବଂ ନାନି ବି ଆଉ ତାହାକୁ ବାରଣ କଲା ନାହିଁ ବରଂ ତାହାର ଆସିବାକୁ ଉଛୁର ହେଲେ, ସେହି ମଧ୍ୟାହ୍ନ ଓ ସନ୍ଧ୍ୟାକାଳୀନ ପ୍ରାର୍ଥନାର ମଝିରେ ଭୟଙ୍କର ସମୟରେ ସେ ଶୁଭ୍ର ଓ ଜନାହୀନ ପ୍ରାନ୍ତର ମୁଣ୍ଡରେ ଠିଆହୋଇ ତାହାପାଇଁ ଅପେକ୍ଷା କରେ । ତାହାର କପାଳରୁ ଝାଳ ଗମଗମ ବୋହିପଡ଼ୁଥାଏ । ସେ ଦୁଇ ହାତରେ ନିଜ ମୁଣ୍ଡର ବାଳ ଟାଣି ଓଟାରି, ବାରମ୍ବାର କହୁଥାଏ !

 

‘‘ଚାଲିଯାଅ ! ଚାଲିଯାଅ ଏଠୁ । ଆଉ ଏ ଖମାର ଘରକୁ ଆସିବ ନାହିଁ ।’’ ବିଚାରୀ ମାରିଚ୍ଚିୟା ଦିନରାତି ବସି ବସି ଆଖିରୁ ଲୁହ ଗଡ଼ାଏ । ତାହାର ମାଆ ସ୍ତବ୍ଧ ଓ ବିବର୍ଣ୍ଣ ପ୍ରାନ୍ତରରୁ ଘରକୁ ଫେରି ଆସିଲେ, ଅଶ୍ରୁ ଓ ଇର୍ଷାରେ ଜ୍ୱଳନ୍ତ ଦୃଷ୍ଟି ମେଳି ସେ ବି ଅବିକଳ ଧେଡ଼ୀ କୁତି ପରି ନିଜର ମାଆ ଆଡ଼କୁ ଅନାଇ ରହେ ।

 

‘‘ଇତର, ଇତର ମାଆ ।’’ ସେ କହେ’’ ଇତର ମାଆ !’’

 

‘‘ଚୁପ୍ ।’’

 

‘‘ଚୋର । ଚୋର ।’’

 

‘‘ଚୁପ୍ ।’’

 

‘‘ପୋଲିସ ପାଖକୁ ଯିବି ମୁଁ, ନିଶ୍ଚୟ ଯିବି !’’

 

‘‘ଯାଉନୁ !’’

 

ସତରେ ତାହା ହେଲା । ସେ ଗଲା, କୋଳରେ ଶିଶୁଟିକୁ କାଖେଇ, ମନରେ ଡରଭୟ ନରଖି, ଆଖିରୁ ଟୋପାଏ ହେଲେ ଲୁହ ନ ଝରାଇ, ପାଗଳିନୀ ପରି ସେ ଘରୁ ବାହାରିଗଲା । କାରଣ ଯାହାକୁ ଜୋର କରି ତାହା ଉପରେ ଚପାଇଦିଆ ହୋଇଛି ତାହାର ସେହି ତେଲ ଚିଟାଚିଟା, କଦର୍ଯ୍ୟ, ସର୍ବାଙ୍ଗରେ ତେଲ-ଛିଟା ଓ ପେଷା-ବରିପୋଲୁଅର ଟିକି ଟିକି ଖଣ୍ଡ ଲାଗିଥିବା ସ୍ୱାମୀକୁ ସେ ଏକ୍ଷଣି ଅତିମାତ୍ରାରେ ଭଲ ପାଇଲାଣି ।

 

ପୋଲିସ ସର୍ଜେଣ୍ଟ ନାନିକୁ ଡକାଇଲେ । ସେ ତାହାକୁ ଜେଲ୍‍ ଦଣ୍ଡ, ଏପରିକି ଫାସିର ଭୟ ଦେଖାଇଲେ । ନାନି କାନ୍ଦିବାକୁ ଲାଗିଲା, ଦୁଇହାତରେ ମୁଣ୍ଡର ବାଳ ଛିଣ୍ଡାଇଲା, କୌଣସି କଥାର ପ୍ରତିବାଦ ଜଣାଇଲା ନାହିଁ, ଏବଂ ଆପଣାର କଥା ଖୋଲି କହିବାକୁ ବି ଚେଷ୍ଟା କଲା ନାହିଁ ।

 

‘‘ପ୍ରଲୋଭନ !’’ ସେ କହିଲା ।

 

‘‘ନରକର ପ୍ରଲୋଭନ ।’’

 

ସାର୍ଜେଣ୍ଟଙ୍କ ଗୋଡ଼ ତଳେ ଲମ୍ବ ହୋଇ ପଡ଼ିଯାଇ, ତାହାକୁ ଜେଲଖାନାକୁ ପଠାଇବା ପାଇଁ ସେ ମିନତୀ କଲା ।

 

‘‘ଭଗବାନଙ୍କର ଦ୍ୱାହି, ସାର୍ଜେଣ୍ଟ, ଏହି ନରକରୁ ଆପଣ ମୋତେ ଉଦ୍ଧାର କରନ୍ତୁ, ମୋତେ ମାରି ପକାନ୍ତୁ, ମୋତେ ଗିରଫ କରନ୍ତୁ । ଆଉ କେବେ ହେଲେ ଯେମିତି ମୁଁ ତାହାକୁ ଦେଖିବାକୁ ନପାଏ, କେବେ ଯେମିତି ଏହା ନ ହେଉ ! କେବେ ହେଲେ ନୁହେଁ ।’’

 

‘‘ନା !’’ ଅଥଚ ଧେଡ଼ୀ କୁତି ସାର୍ଜେଣ୍ଟକୁ ଜବାବ ଦେଲା ।’’ ନା, ମୁଁ ହାଣ୍ଡିଶାଳର ଗୋଟିଏ କୋଣରେ ପଡ଼ିରହିଛି, ଆଉ ମୋର ସମୁଦାୟ କୋଠାଟା ବିବାହର ଯୌତୁକ ହିସାବରେ ମୁଁ ତାହାକୁ ଦାନ କରିଛି । ଏଟା ମୋର କୋଠା । ମୁଁ କଦାପି ଏ ଘରଛାଡ଼ି ଯାଇପାରିବି ନାହିଁ ।’’

 

ଏହାର କିଛିଦିନପରେ ନାନି ପେଟରେ ଗଧର ନାତ ଖାଇ ପ୍ରାୟ ଦରମରା ହୋଇ ପଡ଼ିରହିଲା; କିନ୍ତୁ ଏଣେ ଧେଡ଼ୀ କୁତି ଘରଛାଡ଼ି ଚାଲି ନଯିବା ଯାଏ, ପୁରୋହିତ ତାହାକୁ ଶେଷ ଆଶୀର୍ବାଦ ଦେବାପାଇଁ ଯିବାକୁ ରାଜି ହେଲେ ନାହିଁ । ଅବଶେଷରେ କୁତି ବାହାରିଗଲା, ଆଉ ତାହାର ଜୋଇଁ ବି ସଚ୍ଚା ଖ୍ରୀଷ୍ଟାନ ପରି ପୃଥିବୀ ଛାଡ଼ି ଚାଲିଯିବା ପାଇଁ ପ୍ରସ୍ତୁତ ହେବାକୁ ଲାଗିଲା । ସେ ପୁରୋହିତଙ୍କ ସାମନାରେ ନିଜର ସ୍ଵୀକାରୋକ୍ତି ଜଣାଇଲା, ଏବଂ ଏପରି ଅନୁଶୋଚନାରେ ଶେଷ ଆଶୀର୍ବାଦ ଗ୍ରହଣ କଲା ଯେ ସବୁ କୌତୂହଳୀ ପ୍ରତିବେଶୀ ଓ ଗ୍ରାମବାସୀମାନେ ତାହାର ଶଯ୍ୟାପାଖରେ ଠିଆହୋଇ ଆଖିରୁ ଲୁହ ଗଡ଼ାଇଲେ । ଯଦି ସେ ସେହି ଦିନ ମରିଯାଇଥାଆନ୍ତା, ତାହା ହେଲେ ତା’ ପକ୍ଷରେ ବରଂ ଭଲ ହୋଇଥାଆନ୍ତା, ଆଉ ତାହା ହେଲେ ସେ ସୁସ୍ଥ ହେବା ପରେ ଶୟତାନ ଫେରି ଆସି ପୁଣି ତାହାକୁ ପ୍ରଲୋଭିତ କରିପାରି ନଥାଆନ୍ତା, ଏବଂ ତାହାର ଦେହ ଓ ଆତ୍ମାକୁ ଆଚ୍ଛନ୍ନ କରିପାରି ନ ଥାଆନ୍ତା ।

 

‘‘ମୋତେ ଛାଡ଼ିଦିଅ !’’ ସେ ଧେଡ଼ୀ କୁତିକୁ କହିଲା, ‘‘ଭଗବାନଙ୍କର ଦ୍ୱାହି, ମୋତେ ଟିକିଏ ଶାନ୍ତିରେ ରହିବାକୁ ଦିଅ । ମୁଁ ଯମଦ୍ୱାରରୁ ଫେରିଆସିଛି । ବିଚାରୀ ମାରିଚ୍ଚିୟା ଦରମଲା ହୋଇଗଲାଣି । ସହରଟାଯାକ ସମସ୍ତେ ଏସବୁ କଥା ଜାଣିସାରିଲେଣି । ଯଦି ତୁମେ ନ ବୁଝ ଯେ ଆମ ଦୁହିଁଙ୍କ ପକ୍ଷରେ ଭଲ.... ।’’

 

ନିଜେ ଆଖି ଉପାଡ଼ି ପକାଇବାକୁ ତାହାର ଇଚ୍ଛା ହୁଏ, ଯଦ୍ଦ୍ଵାରା ଧେଡ଼ୀ କୁତିର ଆଖି ତାହାକୁ ଆଉ ଦେଖିବାକୁ ନପଡ଼େ, କାରଣ ଯେତେବେଳେ ସେହି ଦୁଇଟି ଆଖି ତାହାର ଆଖି ଉପରେ ସ୍ଥିର ହୋଇଯାଏ ସେତେବେଳେ ତାହାର ସର୍ବାଙ୍ଗ ଓ ଆତ୍ମା ଶିଥିଳ ହୋଇଆସେ । ସେହି ମାୟାଠାରୁ ସେ ନିଜକୁ କିପରି ଛଡ଼ାଇ ନେବ, ତାହା ସେ ଜାଣିନଥିଲା । ଯେଉଁ ସବୁ ଆତ୍ମାର ନରକ ପ୍ରାପ୍ତି ହୋଇଛି, ସେମାନଙ୍କ ଲାଗି ପ୍ରାର୍ଥନା କରିବା ପାଇଁ ସେ ଅର୍ଥଦାନ କରୁଥିଲା ଏବଂ ପୁରୋହିତ ଓ ସାର୍ଜେଣ୍ଟଙ୍କଠାରୁ ସାହାଯ୍ୟ ଲୋଡ଼ୁଥିଲା । ଇଷ୍ଟାର ପର୍ବବେଳେ ସେ ସ୍ଵୀକାରୋକ୍ତି ଜଣାଇବାକୁ ଗଲା । ଗୀର୍ଜାର ପ୍ରାଙ୍ଗଣରେ ଗୋଡ଼ି-ବିଛା ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯାଇ ସମସ୍ତଙ୍କୁ ସାମନାରେ ଚାରିଫୁଟରୁ ବେଶି ରାସ୍ତା ଜିଭରେ ଚାଟିବାର ଶାସ୍ତି ସେ ମଥାପାତି ଗ୍ରହଣ କଲା । ତା’ପରେ ଧେଡ଼ୀ କୁତି ପୁଣି ତା’ ପାଖରେ ଆସି ହାଜର ହେଲା ତାହାକୁ ପ୍ରଲୋଭିତ କରିବା ପାଇଁ ।

 

‘‘ଶୁଣ !’’ ସେ ଧେଡ଼ୀ କୁତିକୁ କହିଲା, ‘‘ଆଉ କେବେ ଖମାର ଘରକୁ ଆସିବ ନାହିଁ । ଯଦି ଆସିବ, ଭଗବାନଙ୍କ ନାମରେ ଶପଥ କରି କହୁଛି, ମୁଁ ତୁମକୁ ମାରି ପକାଇବି !’’

 

‘‘ମାର ମୋତେ,’’ କୁତି ଜବାବ ଦେଲା ।

 

‘‘ମୁଁ ଖାତିର କରେ ନାହିଁ । ତୁମକୁ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ ।’’

 

ସବୁଜ ଯବ-ଖେତ ଭିତରେ ତାହାକୁ ଆଗେଇ ଆସିବାର ଦେଖି, ନାନି ଆଙ୍କୁଠି-କ୍ଷେତର ଲତା ଛାଟିବା ବନ୍ଦକରି ଏଲମ ଗଛର ଦଳରୁ ଗୋଟାଏ କୁରାଢ଼ୀ ଟାଣି ଆଣିଲା । କୁତି ତାହାକୁ ଦେଖିଲା-ଫିକା ମୁଖ ଓ ଡିମା ଡିମା ଆଖିରେ ସେ ଆଗେଇ ଆସୁଛି; ହାତର କୁରାଢ଼ୀଟା ସୂର୍ଯ୍ୟ କିରଣରେ ଝଟକୁଛି; କିନ୍ତୁ କୁତି ପାଦେ ହେଲେ ପଛକୁ ହଟିଗଲା ନାହିଁ, ଆଖି ନୂଆଇଁଲା ନାହିଁ । ବାଘୁଣୀ ବରଂ ତା’ଆଡ଼କୁ ଆଗେଇ ଯିବାକୁ ଲାଗିଲା; ଲାଲ ପପି ଫୁଲରେ ହାତ ଆବୃତ, ଯେମିତି ଦୁଇଟି କଳା ଆଖି ନାନିକୁ ଗ୍ରାସ କରିବାକୁ ଧାଇଁଛି !

 

‘‘ଆଃ ! ନରକକୁ ଯାଉ ତୋ ଆତ୍ମା !’’ ନାନି କହିଲା ।

 

–ଗିଓଭାନ୍ନ ଭେରଗା

Image

 

ଆତ୍ମାର ମୁକ୍ତି

 

ସେବିକା ଭଉଣୀ ଫିଲୋମେନା ନିଜର ପାପ ସ୍ଵୀକାର କରିବା ପାଇଁ ଧର୍ମଗୁରୁଙ୍କ ନିକଟରେ ଆସି ଠିଆହେଲେ । ବିନୟ ନମ୍ରକଣ୍ଠରେ ସେ କହିବାକୁ ଲାଗିଲେ ।

 

‘‘ପିତା, ମୁଁ ଯେଉଁ ପାପ କରିଛି ସେହି ବିଷୟରେ ଏପର୍ଯ୍ୟନ୍ତ ବି ନିଶ୍ଚିତ ହୋଇପାରି ନାହିଁ । ବିବେକକୁ ଧିକ୍କାରିଛି-ସେ କେତେବେଳେ କହିଛି ହଁ, ଆଉ କେତେବେଳେ କହିଛି ନାଁ । ହଁ ନ କହି ସେ ଯେତେବେଳେ ନାଁ କହିଛି, ସେତେବେଳେ ମୋର ବେଦନା ଚାରିଗୁଣ ବଢ଼ିଯାଇଛି ।’’

 

ଧର୍ମଗୁରୁ ଟିକିଏ ବିପଦରେ ପଡ଼ିଲେ । ଘଟଣାଟା କଅଣ ଠିକ୍‍ ତାଙ୍କର ବୋଧଗମ୍ୟ ହେଲା ନାହିଁ ।’’ ଆଉ ଟିକିଏ ଭଲ ଭାବରେ ଖୋଲି କରି କୁହ । କିଛିହେଲେ ଚାପି ରଖିଲେ ଚଳିବ ନାହିଁ । ସୁତରାଂ ବିଚାରର ଭାର ମୋତେ ଦିଅ । ଭଗବାନ ମୋତେ ଆଲୋକ ଦେଖାଇବେ । କୁହ, ସବୁ କଥା ଖୋଲି କୁହ ।’’

 

‘‘ପିତା, ସବୁକଥା ଆପଣଙ୍କୁ ଖୋଲି କହୁଛି । ସୋମବାର ମଧ୍ୟରାତ୍ରରେ ମୋତେ ୫ ନମ୍ବର ୱାର୍ଡ଼ର ୭ ନମ୍ବର ଶଯ୍ୟା ନିକଟରେ କାମ ଦିଆହୋଇଥିଲା । ଭଉଣୀ ମେରିୟା ଅନୁପସ୍ଥିତ ଥିବାରୁ ମୋର ସେଠାରେ କାମ ପଡ଼ିଥିଲା । କାମକୁ ଆସିବା କ୍ଷଣି କର୍ତ୍ତବ୍ୟରତ ଡାକ୍ତର ମୋତେ ଜଣାଇଦେଲେ ଯେ, ୭ ନମ୍ବର ରୋଗୀର ବଞ୍ଚିବାର ଆଶା ଆଦୌ ନାହିଁ । ସେ କହିଲେ ଯେ, ଆଉ ବେଶୀ ବେଳ ତାହାକୁ ରୋଗ-ଯନ୍ତ୍ରଣା ଭୋଗ କରିବାକୁ ପଡ଼ିବ ନାହିଁ । ଭୋର ଆଗରୁ ତାହାର ପ୍ରାଣବାୟୁ ଉଡ଼ିଯିବ । ବିଶେଷ କୌଣସି ବ୍ୟବସ୍ଥା ଆବଶ୍ୟକ ନାହିଁ କହି ସେ ଟିକିଏ ବିଶ୍ରାମ ନେବା ପାଇଁ ଚାଲିଗଲେ ।

 

‘‘ମୁଁ ତାହାର ବିଛଣା କତିରେ ବସି ଅଧଘଣ୍ଟା ଅନ୍ତରରେ ତାହାକୁ ଔଷଧ ଦେବାକୁ ଲାଗିଲି, ଆଉ ତାହାର ମୁମୂର୍ଷୁ ଆତ୍ମାର ମୁକ୍ତି କାମନା କରି ପ୍ରାର୍ଥନା କରିବାକୁ ଲାଗିଲି ।’’

 

‘‘କାହାର ଆତ୍ମା ପାଇଁ ?’’

 

‘‘ଯେଉଁ ହତଭାଗ୍ୟ ଜୀବନ-ମୃତ୍ୟୁର ସନ୍ଧିକ୍ଷଣରେ ଆସି ଠିଆହୋଇଥିଲା, ତାହାରି ଆତ୍ମା ପାଇଁ ।’’

 

‘‘ରୋଗିଣୀ, ନା ରୋଗୀ ?’’

 

‘‘ତାହା କଅଣ ଆପଣଙ୍କୁ ଆଗରୁ କହି ନାହିଁ ?’’

 

‘‘ନା, ତୁମେ ୭ ନମ୍ବର ଶଯ୍ୟାର କଥା କହିଥିଲ । କିନ୍ତୁ ୭ ନମ୍ବର ଶଯ୍ୟା ବୋଇଲେ ସ୍ତ୍ରୀ ନା ପୁରୁଷ, ମୁଁ କିପରି ତାହା ବୁଝିବି ? ହେଉ, କୁହ ।’’

 

‘‘ସେତେବେଳେ ପ୍ରାୟ ରାତି ତିନିଟା । ମୋର କାନରେ ଆସି ବାଜିଲା ମୁମୂର୍ଷୁ ରୋଗୀର ଅସ୍ଫୁଟ କଣ୍ଠସ୍ୱର-ଭଉଣୀ ଫିଲୋମେନା, ସେ ଆସିଛି । ମୁଁ ଅବାକ ହୋଇଗଲି । ମଝିରାତି ପରେ ତାହାକୁ କୌଣସି କଥା କହିବାର ଶୁଣି ନାହିଁ ।

 

‘‘ମୁଁ ତା’ କାନରେ କହିଲି-କିଛି ଭୟ ନାହିଁ, ଭାଇ ।’’

 

‘‘ସେ ପୁଣି କ୍ଷୀଣକଣ୍ଠରେ କହିବାକୁ ଲାଗିଲା-ବର୍ତ୍ତମାନ ମୋର ବୟସ ପଚିଶ ବର୍ଷ ମାତ୍ର-। ଏତେ ଅଳ୍ପ ବୟସରୁ ଧରଣୀର ପବନ ଆଲୋକ ଛାଡ଼ି ଚାଲିଯିବା ଅବଶ୍ୟ ଖୁବ୍ ବେଦନାଦାୟକ, ତଥାପି ମୁଁ ପ୍ରସ୍ତୁତ ଅଛି । ମୁଁ ଦରିଦ୍ର, ମୁଁ ନିଃସଙ୍ଗ-ମୋର ବଞ୍ଚି ରହିବାରେ କି ଲାଭ ? ମୋର ଜଣେ କବି ହେବାର ବାସନା ଥିଲା, କିନ୍ତୁ ହୋଇପାଇଲି ନାହିଁ । ନାରୀର ପ୍ରେମ ଚାହିଥିଲି, କିନ୍ତୁ ତାହା ବି ପାରିଲି ନାହିଁ । ଆଜି ମୃତ୍ୟୁର ଏହି ସନ୍ଧିକ୍ଷଣରେ ମୋ ଭାଗ୍ୟ ଭଲ ଯେ ତୁମେ ମୋ କତିରେ ଅଛ-ନ ହେଲେ ମୃତ୍ୟୁ ବି ମୋର ନିଃସଙ୍ଗ ଜୀବନକୁ ଅକ୍ଳେଶରେ କାଢ଼ି ନେବାପାଇଁ ଚାଲିଆସନ୍ତା-

 

‘‘ସେ ରହିଗଲା । ମୁଁ ପୁଣି କହିଲି-କୌଣସି ଭୟ ନାହିଁ, ଭାଇ ! ଭଗବାନ ତୁମର ସହାୟକ ହେବେ ।

 

‘‘କିଛିକ୍ଷଣ ପରେ ତାହାର ମ୍ଳାନ ନୀଳଚକ୍ଷୁ ଦୁଇଟି ଲୋତକରେ ଉଛୁଳି ପଡ଼ିଲା ।

 

‘‘ସେ କହିଲା-ଭଉଣୀ ଫିଲୋମେନା, ମୋତେ ଟିକିଏ ଦୟା କରିବ ?

 

‘‘ନିଶ୍ଚୟ କରିବି, ଭାଇ ।

 

‘‘ଟିକିଏ ରହିଯାଇ ସେ କହିଲା–ମୁଁ ଶାନ୍ତିରେ ମରେ, ଏହା କଅଣ ତୁମେ ଚାହଁ ? ଭଗବାନଙ୍କ ଉପରୁ ବିଶ୍ୱାସ ନ ହରାଇ ମୁଁ ଏ ପୃଥିବୀରୁ ବିଦାୟ ନିଏ, ତୁମେ ନିଶ୍ଚୟ ଏହା ଚାହଁ ।

 

‘‘ମୁଁ ଜବାବ ଦେଲି–ନିଶ୍ଚୟ ।’’

 

‘‘ଠିକ୍ ଜବାବ ଦେଇଥିଲ ?–ଧର୍ମଗୁରୁ ପଚାରିଲେ ।’’

 

‘‘ତାହାହେଲେ ମୋତେ ଟିକିଏ ସାହାଯ୍ୟ କର–ମୁମୂର୍ଷୁ ରୋଗୀ କହିଲା ।

 

‘‘ମୁଁ ପଚାରିଲି–କେଉଁ ଭାବରେ ତୁମକୁ ସାହାଯ୍ୟ କରିପାରିବି, ଭାଇ ?

 

‘‘ଏହି ବ୍ୟଥାଜୀର୍ଣ୍ଣ ଜୀବନ-ବୈତରଣୀ ଅତିକ୍ରମଣରେ ମୋତେ ଟିକିଏ ସାହାଯ୍ୟ କର । ତୁମର ଦୟା ମୋର ପର ପାରର ସମ୍ବଳ ହେଉ । ମୋର ଉଷର ଜୀବନର ଶେଷପ୍ରାନ୍ତରେ ତାହା ଅକ୍ଷୟ ମରୁଦ୍ଵୀପ ରଚନା କରୁ । ଦୟା କର, ଦୟା କର, ଭଉଣୀ ଫିଲୋମେନା ।

 

‘‘କଅଣ ତୁମର ଦରକାର, ଭାଇ ? କଅଣ କରିବାକୁ ହେବ ତୁମ ପାଇଁ ? –ମୁଁ ପ୍ରଶ୍ନ କଲି ।

 

‘‘ମୋତେ ଗୋଟିଏ ଶେଷ ଚୁମ୍ବନ ଦିଅ-କ୍ଷୀଣ କଣ୍ଠରେ ସେ କହିଲା ।’’

 

‘‘ଚୁମ୍ବନ’’ ଧର୍ମଗୁରୁ ଚମକି ପଡ଼ିଲେ ।

 

‘‘ମୁଁ କହିଲି–ଅସ୍ଥିର ହୁଅ ନାହିଁ, ଭାଇ । ଭଗବାନହିଁ ତୁମକୁ ସ୍ନେହ ଚୁମ୍ବନ ଦେବେ । ସେଥିପାଇଁ ପ୍ରସ୍ତୁତ ହୋଇ ରୁହ ।’’

 

‘‘ଠିକ୍ କହିଛ !’’ ଧର୍ମଗୁରୁ କହିଲେ ।

 

‘‘କିନ୍ତୁ ତେବେ ବି ସେ ନିରସ୍ତ ହେଲା ନାହିଁ । କାତର କଣ୍ଠରେ ସେ ଅନୁନୟ କରିବାକୁ ଲାଗିଲା-ଦୟା କର, ଭଉଣୀ, ମୃତ୍ୟୁ-ପଥ-ଯାତ୍ରୀଙ୍କୁ ଏତିକି ମାତ୍ର ଅନୁଗ୍ରହ କର । ତୁମର ଏହି ଦୟା ମୋର ମୁକ୍ତିପଥ ପ୍ରଶସ୍ତ କରୁ, ଏହା କଅଣ ତୁମେ ଚାହଁ ନାହିଁ ? ତୁମେ କଅଣ ମୋର ଆତ୍ମାର ମୁକ୍ତି ଚାହଁ ନାହିଁ ? ଚିରଦିନ ମୁଁ ନରକରେ ପଚିସଢ଼ି ମରେ, ଏହା କଅଣ ତୁମର ଇଚ୍ଛା ?’’

 

‘‘ତୁମେ କଅଣ ଜବାବ ଦେଲ ?’’ ଧର୍ମଗୁରୁ ପଚାରିଲେ ।

 

‘‘ତାହାର ଏହିସବୁ କଥା ଶୁଣି ମୁଁ ଡରିଗଲି । ଅବସ୍ଥାଟା ମୁଁ ମନେ ମନେ ଭାବିବାକୁ ଲାଗିଲି । ଆକାଂକ୍ଷା ରଖି ମଲେ ତାହାକୁ ପରକାଳରେ ବି ଶାସ୍ତିଭୋଗ କରିବାକୁ ପଡ଼ିବ, ଆଉ ମୁଁ ହେବି ତା’ର କାରଣ । ଫଳରେ ମୋତେ ବି ଶାସ୍ତି ଘେନିବାକୁ ହେବ । ଭାବୁ ଭାବୁ ମୁଁ ବିଭ୍ରାନ୍ତ ହୋଇପଡ଼ିଲି । ଏଣେ ଧୀରେ ଧୀରେ ସେ ମୃତ୍ୟୁଆଡ଼କୁ ଆଗେଇ ଯାଉଥିଲା । ଖୁବ୍‍ କଷ୍ଟରେ ସେ ନିଶ୍ୱାସ ନେଉଥିଲା । ମୁଖରେ ତାହାର ଫୁଟି ଉଠିଥିଲା ଆସନ୍ନ ମୃତ୍ୟୁର କୃଷ୍ଣରେଖା । ମୁଁ ଚଞ୍ଚଳ ହୋଇପଡ଼ିଲି । ଘରେ ଆଲୋକ ମୃଦୁ ଭାବରେ ଜଳୁଥିଲା । ଅନ୍ୟ ରୋଗୀମାନେ ନିଶ୍ଚିନ୍ତରେ ଶୋଇଥିଲେ । ମ୍ଳାନ ଆଲୋକରେ ଧଳା ଧଳା ଶଯ୍ୟାଗୁଡ଼ିକ କବର ଭଳି ଦେଖାଯାଉଥିଲା । ମୃତ୍ୟୁ-ରାଜ୍ୟରେ ଯେମିତି ମୁଁ ପହଞ୍ଚିଯାଇଛି । ବେଦନାରେ ମୋର ଅନ୍ତର କୁଙ୍କୁରି ଉଠିଲା । ମୁଁ ନଇଁପଡ଼ି ମୃତ୍ୟୁ ପଥ-ଯାତ୍ରୀକୁ ଚୁମ୍ବନ କଲି । ସେ ଅତି କ୍ଷୀଣକଣ୍ଠରେ ମୋତେ ଧନ୍ୟବାଦ ଜଣାଇଲା । ମୁଁ ପ୍ରାର୍ଥନା କରିବାକୁ ବସି ପଡ଼ିଲି ।’’

 

‘‘କେଉଁଠି ତୁମେ ଚୁମ୍ବନ କଲ ?’’ ଧର୍ମଗୁରୁ ଜିଜ୍ଞାସା କଲେ । ତାହାଙ୍କ କଣ୍ଠରେ ଉଦ୍‍-ବେଗ ସୁପରିସ୍ଫୁଟ ।

 

‘‘ଅସ୍ପଷ୍ଟ ଆଲୋକ ଥିବାରୁ ମୁଁ ଠିକ୍ ଜାଗାଟା ଦେଖିପାରିଲି ନାହିଁ । ତେବେ ବୋଧହୁଏ ମୁଁ ତା’ ଓଠରେ ଚୁମ୍ବନ କରିଥିଲି ।’’

 

ଭଉଣୀ ଫିଲୋମିନା ଶାନ୍ତ କଣ୍ଠରେ ଉଚ୍ଚାରଣ କଲା ।

 

‘‘ନା, ଏ ଅନ୍ୟାୟ, ଅନ୍ୟୟ ।’’ ଧର୍ମଗୁରୁ କହିଲେ,’’ କିନ୍ତୁ ଅନ୍ୟାୟ କାର୍ଯ୍ୟ ସତ୍ ଉଦ୍ଦେଶ୍ୟ ଘେନି କରିଛ ବୋଲି ମନେ ହୁଏ । ତୁମେ ଧର୍ମର ପ୍ରେରଣାର ଭୁଲ୍ କରିଛ-ନା, ମହା ଅନ୍ୟାୟ କରିଛ । ଓଠ ବଦଳରେ ଯଦି ତାହାର ଭ୍ରୁରେ ଚୁମ୍ବନ ଦେଇ ଥାଆନ୍ତ । ଏଥିରେ ତାହାର ଆତ୍ମାର ବି ମୁକ୍ତି ହୋଇଥାଆନ୍ତା । ଛାଡ଼, ମୁମୂର୍ଷୁ ପୁରୁଷକୁ ତୁମେ ଚୁମ୍ବନ କରିଛ, ଏହି ଯାହା ବଞ୍ଚିଗଲା ।’’

 

‘‘ମୁଁ ବି ତାହା ଭାବିଛି ।’’

 

‘‘ଛାଡ଼, ଏଥି ପାଇଁ ଆଉ ଭାବି କିଛି ଫଳ ନାହିଁ-କାରଣ ସେ ତ ଆଉ ବଞ୍ଚି ରହି ନାହିଁ । ମାଟି ତଳେ ସେ ବର୍ତ୍ତମାନ ଶାନ୍ତିରେ ଶୋଇ ପଡ଼ିଛି ।’’

 

‘‘ନା, ତାହା ନୁହେଁ । ସେ ଏବେ ବି ବଞ୍ଚିଛି ।’’

 

‘‘ବଞ୍ଚିଅଛି !’’

 

‘‘ହଁ, ଭୋର ପର୍ଯ୍ୟନ୍ତ ତାହାର ଅବସ୍ଥା ବିଶେଷ ଖରାପ ଥିଲା । କିନ୍ତୁ ପ୍ରଭାତର ପ୍ରଥମ ଆଲୋକ-ସମ୍ପାତ ସଙ୍ଗେ ସଙ୍ଗେ ତାହାର ଅବସ୍ଥାର ମଧ୍ୟ ଉନ୍ନତି ହେବାକୁ ଲାଗିଲା । ଡାକ୍ତର ସାହେବ ୱାର୍ଡ଼ରେ ପ୍ରବେଶ କରି ରୋଗୀର ମୁଖମଣ୍ଡଳରେ ହାସ୍ୟରେଖା ଦେଖି ବିସ୍ମୟରେ ହାତବାକ୍ ହୋଇଗଲେ । ଏ ଯେ ଧାରଣାର ଅତୀତ ! ସେ ଯତ୍ନ ସହକାରେ ରୋଗୀକୁ ପରୀକ୍ଷା କଲେ । ବିଧି ମତ ଓଉସାଧିଦି ଦେଇ ନିମ୍ନ କଣ୍ଠରେ ସେ କହିଲେ-ଅଦ୍ଭୁତ ବ୍ୟାପାର ! ଏମିତି ସଚରାଚର ହୁଏ ନାହିଁ । ଛଡ଼ା, ବିଚରା ଭଲ ହୋଇଯିବ ।’’

 

‘‘ନା, ସର୍ବନାଶ ହୋଇଗଲା !’’ ଧର୍ମଗୁରୁ ହତାଶାରେ କହି ପକାଇଲେ ।

 

‘‘ଆପଣ କଅଣ କହୁଛନ୍ତି !’’

 

‘‘ବ୍ୟାପାରଟା ଅତି ଗୁରୁତର । ଜୀବନ୍ତ ମଣିଷର ଓଠରେ ଯଦି ତୁମେ ଚୁମ୍ବନ କର, ତାହାହେଲେ କଅଣ ଯେ କରିବାକୁ ହେବ ତାହା ମୁଁ ଜାଣେ ନାହିଁ । ଯେ ମରିଯିବି, ତାହାକୁ ଚୁମ୍ବନ କରିବା ଅବଶ୍ୟ ଅଲଗା କଥା । କାରଣ ମୃତ୍ୟୁପରେ ଭଗବାନଙ୍କ ଆଶୀର୍ବାଦରେ ସବୁ କିଛି ଦୋଷ ଲିଭିଯାଇ ଥାଆନ୍ତା । କିନ୍ତୁ ବଞ୍ଚିରହିଲେ ସେହି ଆଶୀର୍ବାଦ ନମିଳି ବି ପାରେ । ଛାଡ଼, ସବୁ ଲଜ୍ଜା ଦୂରକୁ ଠେଲିଦେଇ ଏଥର ଆମର ଖୋଲାଖୋଲି ଆଳାପ କରିବା ଦରକାର ।’’

 

କିଛି ସମୟ କଅଣ ଭାବି ଧର୍ମଗୁରୁ ପୁଣି ପ୍ରଶ୍ନ କଲେ,’’ ଆଚ୍ଛା, ତୁମର ସେହି ଡାକ୍ତରଟି କେମିତିକା ଲୋକ ?’’

 

‘‘ଅତି ଭଲ ମଣିଷ ।’’

 

‘‘ନା, ମାନେ କେମିତିକା ଡାକ୍ତର ?’’

 

‘‘ନାମଜାଦା ଡାକ୍ତରମାନଙ୍କ ମଧ୍ୟରୁ ସେ ବି ଜଣେ ।’’

 

‘‘ହୁମ୍ ! ତୁମର ସେହି ରୋଗୀଟି ଆଜି କିପରି ଅଛି ?’’

 

‘‘ଆଗ ଠାରୁ ଭଲ ।’’

 

‘‘ନା, ତୁମର ନିସ୍ତାର ନାହିଁ ।’’

 

‘‘ଭଗବାନ !’’

 

‘‘ଏବେ ବି ତାଙ୍କର ନାମ ଧରିବାକୁ ତୁମର ସାହସ ଅଛି ?’’

 

‘‘ମୁଁ ମହା ଅପରାଧ କରିଛି, ପିତା !’’

 

‘‘ତୁମେ କ୍ଷମାର ଅଯୋଗ୍ୟ ।’’

 

ଏହା ଶୁଣି ଭଉଣୀ ଫିଲୋମେନା କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ତାହା ଦେଖି ଧର୍ମଗୁରୁଙ୍କର ଟିକିଏ ଦୟା ହେଲା । ସେ କହିଲେ, ‘‘ମୁଁ କୌଣସି ବାଟ ଦେଖୁ ନାହିଁ । ମୋର ଚାରିଆଡ଼େ ବର୍ତ୍ତମାନ ବି ଅନ୍ଧକାର ।’’ ତୁମେ ସ୍ୱୀକାର କରିଛ ଯେ, ବିବେକ ଯେତେବେଳେ କହେ ଯେ ତୁମେ ପାପ କରି ନାହଁ ସେତେବେଳେ ତୁମର ଯନ୍ତ୍ରଣା ବୃଦ୍ଧି ପାଏ । ଅଥଚ ଯେତେବେଳେ ସେ କହେ ଯେ, ତୁମେ ପାପ କରିଛ ସେତେବେଳେ ଠିକ୍ ସେତିକି ବେଦନା ତୁମେ ଉପଲବ୍ଧ କର ନାହିଁ । ଏହା କିପରି ସମ୍ଭବ ? କହିପାରିବ ?’’

 

‘‘ମୁଁ ଠିକ୍ କହିପାରିବି ନାହିଁ । ମୁ ଯାହା ଅନୁଭବ କରିଛି, ତାହା ଆପଣଙ୍କ ନିକଟରେ ସ୍ୱୀକାର କରିଛି ।’’

 

‘‘ତୁମେ ଯାହା କରିଛି ସେଥି ପାଇଁ ତୁମେ ଅନୁତପ୍ତ ?’’

 

‘‘ପାପ କରିଛି, ସୁତରାଂ ଅନୁତାପ ମୋତେ କରିବାକୁ ହିଁ ହେବ ।’’

 

‘‘ମୁଁ ତୁମକୁ ବର୍ତ୍ତମାନ ମୁକ୍ତିମନ୍ତ୍ର ଦେଇପାରିବି ନାହିଁ । ଆମକୁ ଆଉ କିଛିଦିନ ଅପେକ୍ଷା କରିବାକୁ ହେବ । ରୋଗୀର ଅବସ୍ଥା ଶେଷ ପର୍ଯ୍ୟନ୍ତ କି ପର୍ଯାୟରେ ପହଞ୍ଚିବ ତାହା ଆମକୁ ଦେଖିବାକୁ ପଡ଼ିବ ଏବଂ ସେହି ଅନୁସାରେ କାମ କରିବାକୁ ହେବ । ଆଜି ଯାଅ । ମୁଁ ଆଜି ଆଉ କିଛି ଶୁଣିବାକୁ ଚାହେ ନାହିଁ । ଶୋଇବାକୁ ଯିବା ପୂର୍ବରୁ କୃତକର୍ମ ପାଇଁ ଅନୁଶୋଚନା କର–ବୁଝିଲ-?’’

 

‘‘ମୁଁ ତାହା କରେ, ପିତା ।’’

 

‘‘ଭଲ ।’’

 

କିଛିଦିନ ପରେ ଭଉଣୀ ଫିଲୋମେନା ପୁଣି ସେହି ଧର୍ମଗୁରୁଙ୍କ ନିକଟକୁ ଆସିଲେ ।

 

‘‘୭ ନମ୍ବର ରୋଗୀ କିପରି ଅଛି ?’’

 

‘‘ଆଗ ଅପେକ୍ଷା ଢେର ଭଲ ।’’

 

‘‘ଡାକ୍ତରମାନେ କଅଣ କହୁଛନ୍ତି ?’’

 

ସେ ବଞ୍ଚିଯିବ ବୋଲି ସେମାନେ ମନେ କରନ୍ତି ।’’

 

‘‘ନା, ବତ୍ସ, ତୁମର ଆଉ କୌଣସି ଆଶା ନାହିଁ ।’’

 

‘‘ଏ କଥା ବି ମୁଁ ତାହାକୁ କହିଦେଇଛି ।’’

 

‘‘କଅଣ କହିଛ ତୁମର ରୋଗୀକୁ ?’’

 

‘‘ମୁଁ ତାହାକୁ କହିଛି ଯେ, ତାହାର ହେତୁ ମୋର ସର୍ବନାଶ ହେଲା ଏବଂ ସେ ବଞ୍ଚିଯିବ ଜାଣିଥିଲେ ମୁଁ କଦାପି ତାହାକୁ ଚୁମ୍ବନ କରି ନଥାଆନ୍ତି ।’’

 

‘‘ରୋଗୀ କଅଣ ଜବାବ ଦେଲା ?’’

 

‘‘ସେ କହିଲା ଯେ କୌଣସି ମତେ ସେ ମୋର କ୍ଷତି ହେବାକୁ ଦେବ ନାହିଁ, ଯେଉଁ ପରି ହେଉ ମୋ ଆତ୍ମାକୁ ରକ୍ଷା କରିବ ।’’

 

‘‘ସେ ମରିଯାଇ ହୁଏତ ତାହା କରିପାରି ଥାଆନ୍ତା ।’’

 

‘‘ତାହା କରିବ ବୋଲି ସେ ସ୍ଥିର କରିଛି । ଯେଉଁଦିନ ଡାକ୍ତର ତାହାକୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଘୋଷଣା କରିବେ, ସେହି ଦିନ ହିଁ ସେ ମୋ ପାଇଁ ଆତ୍ମହତ୍ୟା କରିବ ।’’

 

ପୁଣି ଏକ ନୂଆ ପରିସ୍ଥିତିର ଉଦ୍ଭବ ହେଲା । ଧର୍ମଗୁରୁ କେତେ ମିନଟ କଅଣ ଚିନ୍ତା କରି ପଦୋଚିତ ଗାମ୍ଭୀର୍ଯ୍ୟ ବଜାୟ ରଖି କହିଲେ ।

 

‘‘ଛାଡ଼, ତୁମକୁ ମୁକ୍ତିମନ୍ତ୍ର ଦେବା ହିଁ ଭଲ । ଏହି ଶ୍ରେଣୀର ଲୋକ ଯଦି ପୁଣି ମରିବାକୁ ଆରମ୍ଭ କରେ, ତାହା ହେଲେ ଆମକୁ ସବୁ କିଛି ନୂଆକରି ଆରମ୍ଭ କରିବାକୁ ପଡ଼ିବ ।’’

 

–ରବାର୍ଟୋ ବ୍ରକୋ

Image

 

Unknown

ଭୂଜଙ୍ଗିନୀ

 

ମୋର ଶରୀରଟା ଶୀର୍ଣ୍ଣ, ସ୍ନାୟୁଗୁଡ଼ାକ ଦୁର୍ବଳ, ହାତଗୋଡ଼ସବୁ ରୋଗା ଓ ଲମ୍ବା, ଆଉ ପେଟଟା ଏତେ ଚେପଟା ଯେ ଯାଇ ଜାମାଟାକୁ ଅଣ୍ଟାରେ ବାନ୍ଧି ରଖିବା ଲାଗି ମୋତେ ଯଥେଷ୍ଟ କସରତ କରିବାକୁ ପଡ଼େ । ପଦିଏ କଥାରେ କହିବାକୁ ଗଲେ, ଜଣେ ପକ୍କା ଲରୀ ଚାଳକ ପକ୍ଷରେ ଯାହା ଯାହା ଦରକାର ସେଥି ଭିତରୁ ମୋର କେଉଁଟା ହେଲେ ନାହିଁ । ଆଚ୍ଛା, ଆପଣମାନେ କଅଣ ଲରୀ ଚାଳକମାନଙ୍କୁ ଭଲଭାବରେ ଲକ୍ଷ୍ୟ କରିଛନ୍ତି ? ସେମାନଙ୍କର ଥାଏ ପ୍ରୟୋଜନୀୟ ଶକ୍ତି ସାମର୍ଥ୍ୟ, ଚଉଡ଼ା କାନ୍ଧ, ପେଶୀବହୁଳ ହାତ, ପୁରୁଷସୁଲଭ ପିଠି ଓ ସ୍ଫୀତ ଉଦର । ତାହାର ପ୍ରଧାନ କାରଣ ହେଉଛି, ସେମାନଙ୍କୁ ବିଶେଷ ଭାବରେ ନିର୍ଭର କରିବାକୁ ହୁଏ ଦୁଇଟି ହାତ, ପିଠି ଓ ପେଟ ଉପରେ । ହାତର କାମ ହେଉଛି, ଲରୀର ହାତେ ପରିଧି ପରିମିତି ଷ୍ଟିୟରିଂଟାକୁ ଇଚ୍ଛା ଅନୁଯାୟୀ ବୁଲାବୁଲି କରିବା ଆଉ କେବେ କେବେ ପାହାଡ଼ରାସ୍ତାର ବାଙ୍କ ଉପରେ ତାହାକୁ ପୁରାପୁରି ଚକ୍ରାକାରରେ ଘୂରାଇବା । ପିଠିର କାମ ହେଉଛି, ଘଣ୍ଟା ଘଣ୍ଟା ଧରି ଏକ ଆସନରେ ବସି ରହିବା ଏବଂ କ୍ଳିଷ୍ଟ ନିସ୍ତେଜ ଦେହଟାକୁ ସଳଖ କରି ରଖିବା । ଆଉ ପେଟର କାମ ହେଉଛି, ଶରୀରଟାକୁ ଆସନ ଉପରେ ନିଶ୍ଚଳ ଭାବରେ ଭିଡ଼ି ରଖିବା, ଠିକ୍ ଯେମିତି ମାଟି ଉପରେ ପଥର ଗାନ୍ଥୀନି ହୋଇଥାଏ । ଏ ତ ଗଲା ଶାରୀରିକ ଦିଗ । ନୈତିକ ଦିଗରୁ ଦେଖିଲେ ବି ମୋର ବିଶେଷ ଯୋଗ୍ୟତା ନାହିଁ । ଲରୀ-ଚାଳକ ପକ୍ଷରେ ସ୍ନାୟୁ, ଖାମ-ଖିଆଲ, ଗୃହାସକ୍ତ ଭାବ ବା ଅନ୍ୟ ଯେ କୌଣସି ସୁକ୍ଷ୍ମ ପ୍ରବଣତା ଜାତୀୟ କିଛି ଭାବ ରଖିବା ଉଚିତ୍‍ ନାହିଁ । ଗୋରୁ-ବାଛୁରୀଙ୍କୁ ମଡ଼ାଇଦେବା ଲରୀ ଚାଳକଙ୍କ ପକ୍ଷରେ ନିହାତି ମାମୁଲି କଥା । ଆଉ, ସ୍ତ୍ରୀଲୋକଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଔତ୍ସୁକ୍ୟ-ବର୍ଜିତ ହେବାହିଁ ସେମାନଙ୍କର ଏକାନ୍ତ ବାଞ୍ଚନୀୟ । ନୋହିଲେ ଅବିଶ୍ରାନ୍ତ ଯାତାୟାତର ମଝିରେ ସେମାନଙ୍କୁ ନିଃସନ୍ଦେହରେ ପାଗଳ ହୋଇଯିବାକୁ ହେବ; କିନ୍ତୁ ମୁଁ ଏ ସବୁର ବ୍ୟତିକ୍ରମ । ମୋର ଭାବପ୍ରବଣତା ଓ ଅନ୍ୟାନ୍ୟ କାର୍ଯ୍ୟ ଢେର ଅଛି । ମୋର ସ୍ୱଭାବଟା ଟିକିଏ ତେଢ଼ା ଏବଂ ସ୍ତ୍ରୀ ଲୋକଙ୍କୁ ବି ମୁଁ ଖୁବ୍‍ ପସନ୍ଦ କରେ ।

ତଥାପି, ଏହି କାମ ସକାଶେ ମୋର ଆବଶ୍ୟକୀୟ ଯୋଗ୍ୟତା ନଥିଲେ ସୁଦ୍ଧା ମୁଁ ଲରୀ-ଚାଳକ ହେବାକୁ ମନ ବଳାଇଥିଲି ଏବଂ ଗୋଟିଏ ବେସରକାରୀ ମାଲ-ପରିବହନ ସଂସ୍ଥାରେ ବି ଖଣ୍ଡିଏ ଚାକିରୀ ପାଇଗଲି । କମ୍ପାନୀ ତରଫରୁ ପଲୋମବୀ ବୋଲି ଜଣେ ଲୋକକୁ ମୋର ସହକାରୀ ହିସାବରେ ଦିଆଗଲା; କିନ୍ତୁ ସତ କହିବାକୁ ଗଲେ, ଲୋକଟା ହେଉଛି ନିପଟ ଓଲ । ମାତ୍ର ଲରୀ-ଚାଳନାରେ ସେ ଗୋଟିଏ ବଡ଼ ଓସ୍ତାଦ, ଅଥଚ ତା’ ମୁଣ୍ଡ ଭିତରେ ଥିଲା ତୁଚ୍ଛା ଗୋବର -ଅବଶ୍ୟ ଲରୀ-ଚାଳକମାନେ ଯେ ବୁଦ୍ଧିମାନ ହୁଅନ୍ତି ନାହିଁ ସେ କଥା ମୁଁ କହୁ ନାହିଁ । ଅତଏବ ଲରୀ ସାଙ୍ଗରେ ସେ ଏକାତ୍ମ ହୋଇଯାଇଥିଲା । ତାହାର ବୟସ ନିହାତି କମ୍‍ ନଥିଲା । ତେବେ ତାହାର ଢଙ୍ଗଢାଙ୍ଗରୁ ପିଲାଳିଆ ସ୍ୱଭାବଟା ଆମ ଆଖିରେ ଅଧିକ ପରିମାଣରେ ବାରି ହେଉଥିଲା-ମୁହଁଟି ଫୁଲୁକା, ଗାଲ ଦୁଇଟି ଗୋଲ, ଛୋଟ ଭ୍ରୂତଳେ ସାନ ସାନ ଆଖି ଦୁଇଟି, ଆଉ ଟଙ୍କା-ବାକ୍ସର କଣା ପରି ଛୋଟ ପାଟିଟା । ସେ ପ୍ରାୟ କଥାବାର୍ତ୍ତା କରେ ନା-କଲେ ବି ‘‘ହଁ’’ ‘‘ହୁଁ’’ ଛଡ଼ା ଆଉ ବେଶୀ କିଛି କହେ ନାହିଁ । ମାତ୍ର ଭୋଜନ କଥାପଡ଼ିଲା ମାତ୍ରେ ତାହାର ବୁଦ୍ଧି ଝଲସି ଉଠେ । ମୋର ପରିଷ୍କାର ମନେ ଅଛି–ଦିନେ ନେପଲ୍ସ ଯିବା ରାସ୍ତାରେ ଖୁବ୍‍ କ୍ଲାନ୍ତ ଓ କ୍ଷୁଧାର୍ତ୍ତ ହୋଇ ଆମେ ଇଟି ଠାରେ ଗୋଟିଏ ସରାଇଖାନାରେ ଯାଇ ପଶିଲୁ । ସେତେବେଳେ ସରାଇଖାନାରେ ସାମଗ୍ରୀ ଭିତରେ କେବଳ ଥିଲା ଷଣ୍ଢ ଚମଡ଼ା ସାଙ୍ଗରେ ରନ୍ଧା ହୋଇଥିବା ସୀମର ଘୁଘୁନି । ମୁଁ ତ ସେହି ଖାଦ୍ୟକୁ ବିଲକୁଲ ଛୁଇଁଲି ନାହିଁ, ମୋର ଦେହ କେମିତି ଘୃଣାରେ ଭରିଗଲା; କିନ୍ତୁ ପଲୋମବି ସେଥିରୁ ପୂରାପୂରି ଦୁଇଟି ଗିନା ଉଦରସ୍ଥ କଲା । ତା’ପରେ, ଆରାମରେ ଦେହଟାକୁ ଚୌକିରେ ଲମ୍ବାଇ ଦେଇ ସେ ମୋ ଆଡ଼କୁ ଏମିତି ଭାବରେ ଅନାଇଲା, ଯେମିତି କୌଣସି ଜରୁରୀ ବିଷୟ କହିବା ପାଇଁ ସେ ବ୍ୟଗ୍ରତା ପ୍ରକାଶ କରୁଛି । ଶେଷକୁ ସେ କଅଣ କଲା ନା, ନିଜର ପେଟ ଉପରେ ହାତଟା ବୁଲାଉ ବୁଲାଉ କହିଲା-ଆଉ ଚାରି ଗିନା ସେଥିରୁ ଅକ୍ଲେଶରେ ସାବାଡ଼ କରିଦେଇ ଥାଆନ୍ତି । ଅର୍ଥାତ୍‍, ଏହି କଥା ପଦକ କହିବା ପାଇଁ ତାହାକୁ ସେତେବେଳେ ଅନେକ ଭାବିଚିନ୍ତି ସ୍ଥିର କରିବାକୁ ପଡ଼ିଲା ।

ଏହି ଧରଣର ଜଣେ ସଙ୍ଗୀକୁ ପାଖରେ ବସାଇ ଯାହାକୁ କାଠର ପିତୁଳା କହିଲେ କିଛି ଅନ୍ୟାୟ ହେବ ନାହିଁ–ଯେତେ ବେଳେ ମୁଁ ପ୍ରଥମେ ଇଟାଳୀୟାକୁ ଦେଖିଲି, ସେତେବେଳର ଅବସ୍ଥାଟା ଆଉ କଅଣ ବା କହିବି ? ସେହି ସମୟରେ ମୋର ରୋମ୍‍ରୁ ନେପଲ୍ସ ଯାତାୟାତର ବରାଦ ଥିଲା । ଗାଡ଼ିରେ ମାଲ ଭିତରେ ଥାଏ ଇଟା, ଭଙ୍ଗାଚୁରା ଲୁହା, ଛାପା କାଗଜର ବଡ଼ ବଡ଼ ବଣ୍ଡିଲ୍, କାଠର ଓଜନଦାର ଗଣ୍ଡି, କଳ କବଜା, ଆଉ କେବେ କେବେ ଗୋଟିଏ ମାଠରୁ ଅନ୍ୟ ମାଠକୁ ନେଇଯିବା ପାଇଁ ମେଣ୍ଢା ପଲ । ଥରେ ଟେରାସିନ୍ନା ନିକଟରେ ଇଟାଲିୟା ନାମରେ ଝିଅଟିଏ ଆମ ଗାଡ଼ି ଅଟକାଇ ତାହାକୁ ରୋମ୍‍ରେ ପହୁଞ୍ଚାଇଦେବା ଲାଗି ମୋତେ ଅନୁରୋଧ କଲା । ଆମ ଉପରେ କଡ଼ା ହୁକୁମ ଥିଲା, କୌଣସି ତୃତୀୟ ବ୍ୟକ୍ତିକୁ ଗାଡ଼ିରେ ନ ଚଢ଼ାଇବା କିମ୍ବା ଅନ୍ୟ କେଉଁଠି ନ ପହୁଞ୍ଚାଇଦେବା; କିନ୍ତୁ ତାହାକୁ ଦେଖିଲାମାତ୍ରେ ମନେମନେ ମୁଁ ଠିକ୍ କଲି, ଖାଲି ଏହିଥରକ ପାଇଁ ଅନ୍ତତଃ ମାଲିକର ହୁକୁମ ଅମାନ୍ୟ ଚଳିଯାଇପାରେ । ଆମେ ତାହାକୁ ହାତଠାରି ଡାକିବାରୁ ସେ ଆସି ତୁରନ୍ତ କୁଦିପଡ଼ି ଗାଡ଼ି ଭିତରକୁ ଚଢ଼ିଗଲା; ଏବଂ ତା’ପରେ କହିଲା–’’ଲରୀ-ଚାଳକଙ୍କର ଜୟ ହେଉ । ସତରେ ସେମାନେ ଖୁବ୍‍ ଭଲ ଲୋକ ।’’

କଥା ପ୍ରସଙ୍ଗରେ କୁହାଯାଇପାରେ ଯେ ଇଟାଲୀୟାର ଚେହେରାରେ ଖୁବ୍ ଗୋଟାଏ ମାଦକତା ଥିଲା । ନିଟୋଳ ସ୍ୱାସ୍ଥ୍ୟ, ସୂକ୍ଷ୍ମକଟୀ, ଆଉ ଭିଡ଼ିଲା କାଞ୍ଚୁଲୀ ତଳେ ପ୍ରଲବ୍ଧକାରୀ ଉନ୍ନତ ବିକ୍ଷୋଜ । ସୁଠାମ ଗ୍ରୀବା, ପିଙ୍ଗଳ କେଶ-ଗୁଚ୍ଛପୂର୍ଣ୍ଣ ଛୋଟ ମସ୍ତକ ଏବଂ ଦୁଇଟି ଆୟତ ସବୁଜ ନୟନ । କିନ୍ତୁ ତାହାର ଦୀର୍ଘ ଦେହ ତୁଳନାରେ ପାଦ ଦୁଇଟି ଥିଲା ଛୋଟ ଓ ବଙ୍କା । ସେ ଚାଲିଲାବେଳେ ଜଣାଯାଉଥିଲା, ଯେମିତି ସେ ଆଣ୍ଠୁ ଦୁଇଟି ଟିକିଏ ଭାଙ୍ଗିଦେଇ ଚାଲୁଛି । ବାସ୍ତବିକ ସେ ସୁନ୍ଦରୀ ନଥିଲା, ଅଥଚ ସୌନ୍ଦର୍ଯ୍ୟଠାରୁ ବେଶୀ କିଛି ଗୋଟାଏ ଯେମିତି ତାହାର ଥିଲା । ସେହି ସହଯାତ୍ରାରେ ମୁଁ ତାହାର ପ୍ରମାଣ ମଧ୍ୟ ପାଇଲି । କାରଣ ଯେତେବେଳେ ଆମେ ସିସ୍‍ଟାରନା ପର୍ଯ୍ୟନ୍ତ ଆସିଲୁ ଏବଂ ପଲୋମବି ଯାଇ ଚାଳକର ଆସନରେ ବସିଲା, ସେତେବେଳେ ସେ ମୋ ହାତଟି ନିଜ ହାତ ଭିତରକୁ ନେଇଯାଇ ଚିପିବାକୁ ଲାଗିଲା । ଯେତେବେଳେ ଗାଡ଼ି ଆସି ଭେଲେଟ୍ରିରେ ପହଞ୍ଚିଲା ଏବଂ ପଲୋମବି ଷ୍ଟିୟରିଂଟା ମୋ ହାତରେ ଦେଲା, ସେତେବେଳେ ଯାଇ ମୁଁ ଏଥିରୁ ତ୍ରାହି ପାଇଲି । ସେତେବେଳେ ଗ୍ରୀଷ୍ମ କାଳ, ଚାରିଟା ବେଳ, ଅର୍ଥାତ୍‍ ପ୍ରଚଣ୍ଡ ଗରମ ସମୟ । ସୁତରାଂ ମୋର ହାତ ଦୁଇଟି ଝାଳରେ ଓଦା ହୋଇଯାଇଥିଲା । କିନ୍ତୁ ପ୍ରତି ମୁହୂର୍ତ୍ତରେ ସେ ତାହାର ସବୁଜ ଓ ଚଟୁଳ ଦୃଷ୍ଟିରେ ଏମିତି ଭାବରେ ମୋଆଡ଼କୁ ଚାହିଁ ରହିଥିଲା ଯେ ମନେ ହେଉଥିଲା, ଏତେ ଦିନ ଯାଏ ଯେଉଁ ଜୀବନଟା କେବଳ ଖଣ୍ଡିଏ ଆଶ୍‍ଫାଲ୍‍ଟର ସରୁ ବର୍ଣ୍ଣହୀନ ଫିତା ବୋଲି ମନେ ହେଉଥିଲା, ଆଜି ବୋଧହୁଏ ଭାଗ୍ୟଦେବୀ ତା’ ଉପରେ କିଞ୍ଚିତ୍‍ ପ୍ରସନ୍ନା ହେଲେ । ଏତେଦିନ ହେଲା ଏତକ ବୋଧହୁଏ ମୁଁ ଅନ୍ତର ଭିତରେ ଖୋଜୁଥିଲି-ଜଣେ ନାରୀର ସାନ୍ନିଧ୍ୟ । ସିସ୍‍ଟାରନା ଓ ଭେଲେଟ୍ରିର ମଝିରାସ୍ତାରେ ପଲୋମବି ଗାଡ଼ି ଅଟକାଇ ଚକଗୁଡ଼ିକ ତଦାରଖ କରିବା ପାଇଁ ଥରେ ତଳକୁ ଓହ୍ଲାଇଗଲା, ଆଉ ମୁଁ ବି ସେହି ଅବସରରେ ଇଟାଲିୟାକୁ ଥରେ ଚୁମ୍ବନ କରିଦେଲି । ମୁଁ ଭେଲେଟ୍ରିରେ ଇଚ୍ଛାକରି ହାତ ବଦଳାଇଲି, କାରଣ ମୋ ନିକଟରେ ଦିନକ ପାଇଁ ଟିକିଏ ହାତ-ଚାପା ଓ ଗୋଟିଏ ଚୁମ୍ବନ ଯଥେଷ୍ଟ ବୋଲି ମନେ ହେଲା ।

ତା’ ପରଠୁଁ ଇଟାଲିୟା ନିୟମିତଭାବରେ ସପ୍ତାହରେ ଥରେ, କେବେ କେବେ ଦୁଇ ଥର ବି ଆମ ଗାଡ଼ିରେ ରୋମ୍‍ରୁ ଟେରାସିନନା ଗଲା ଓ ଆସିଲା । ସକାଳେ ସେ ଫୁଟପାଥର କାନ୍ଥକୁ ଲାଗି ଠିଆ ହୋଇଥାଏ, ଏବଂ ହାତରେ ଗୋଟାଏ ପୁଡ଼ିଆ କିମ୍ବା ସୁଟ୍‍କେଶ୍‍ ଧରିଥାଏ । ଯଦି ପଲୋମବି ଷ୍ଟିୟରିଂ ଧରିଥାଏ, ତାହାହେଲେ ସେ ରାସ୍ତାଟା ଯାକ ମୋ ହାତଟି ନିଜ ହାତ ଭିତରେ ଧରି ବସିଥାଏ । ନେପଲ୍ସରୁ ଫେରିବାବେଳେ ସେ ଟେରାସିନନାରେ ଆମ ପାଇଁ ଅପେକ୍ଷା କରିଥାଏ । ଗାଡ଼ି ରହୁ ନ ରହୁଣୁ ସେ କୁଦିପଡ଼ି ଚଢ଼ିଯାଏ, ଏବଂ ତା’ପରେ ତାହାର ହାତମୁଠା ଭିତରେ ମୋ ହାତ ଜାବୁଡ଼ି ଧରେ । କେବେ କେବେ ମୁଁ ପଲୋମବିର ଆଖିରେ ଧୂଳିଦେଇ ଓ ଇଟାଲିୟାର ଇଚ୍ଛା ବିରୁଦ୍ଧରେ ବି ତାହାର ଗାଲରେ ଲୁଚାଇ ଚୁମ୍ବନ ଆଙ୍କିଦିଏ । ଅସଲ କଥା, ମୁଁ ଗଭୀର ଭାବରେ ତାହାର ପ୍ରେମରେ ପଡ଼ିଯାଇଥିଲି । ବୋଧହୁଏ ତାହାର ଗୋଟାଏ ପ୍ରଧାନ କାରଣ ହେଉଛି, ଅନେକଦିନ ଯାଏ କୌଣସି ନାରୀର ସହଚର୍ଯ୍ୟା ନ ପାଇ ମୁଁ ସେ ଅଭ୍ୟାସଟା ପ୍ରାୟ ଭୁଲିଯିବାକୁ ବସିଥିଲି । ମନର ଏପରି ଏକ ଅବସ୍ଥା ବେଳେ ସେ ମୋ ଆଡ଼କୁ ଏମିତି ଭାବରେ ଚାହେଁ ଯେ, ଛୋଟପିଲାଙ୍କ ପରି ମୋର ଦୁଇଟି ଆଖିରେ ଲୁହ ଭରିଯାଏ । ମୁଁ ଜାଣେ, ତାହା ମୋର ଅନୁଭୂତିର କାନ୍ଦଣା । ତେବେ ନୟନର ନୀର ଯେ ପୁରୁଷ ମଣିଷର ଦୁର୍ବଳତାର ଲକ୍ଷଣ, ତାହା ଘୋଡ଼ାଇବା ପାଇଁ ମୁଁ କାନ୍ଦଣା ବନ୍ଦ କରିବାକୁ ବ୍ୟର୍ଥଚେଷ୍ଟା କରେ । ଗାଡ଼ି ଚଳାଉ ଚଳାଉ ପଲୋମବିର ନିଦ୍ରାର ସୁଯୋଗ ନେଇ ଆମେ କ୍ଷୀଣକଣ୍ଠରେ କଥାବାର୍ତ୍ତା କରୁଁ । ମୁଁ କଅଣ ଯେ କହୁଥିଲି ସେତେବେଳେ, ଏକ୍ଷଣି ତାହା ମୋର କିଛି ମନେନାହିଁ-ହୁଏତ ନିତାନ୍ତ ତୁଚ୍ଛଗପ, ଥଟ୍ଟା ପରିହାସ ଏବଂ ପ୍ରଣୟ-ସୁଲଭ ଆଳାପ ! ତଥାପି ମୁଁ ସ୍ମରଣ କରିପାରୁଛି ଯେ ସେତେବେଳେ ସମୟ ଯେମିତି ହୁ ହୁ କରି ଚାଲିଯାଉଥିଲା । ଟେରାସିନନା ଠାରୁ ଶାୟିତ ଏହି ଯେଉଁ ଦୀର୍ଘ ଆଶ୍‍ଫାଲ୍‍ଟର ଫିତାଟା, ଯାହାର କେବେ ହେଲେ ଶେଷ ନାହିଁ ବୋଲି ମୋର ଧାରଣା ଥିଲା–ସେଟା ଯେମିତି କେଉଁ ଯାଦୁ ବଳରେ ହଠାତ୍ ଶେଷ ହୋଇଯାଉଥିଲା । ଗାଡ଼ିର ବେଗ ଘଣ୍ଟାରେ ପନ୍ଦରରୁ କୋଡ଼ିଏ ମାଇଲ ଭିତରେ କରି ଦେଉଥିଲି । ଯାବତୀୟ ଯାନବାହାନ, ଏପରିକି ଖମାରର ଗୋରୁଗାଡ଼ିଗୁଡ଼ାକ ସୁଦ୍ଧା, ଆମକୁ ଟପି ଆଗେଇଯାଉଥିଲେ । ଅଥଚ ଗନ୍ତବ୍ୟସ୍ଥଳରେ ମୁଁ ଠିକ୍ ନିଦ୍ଧିଷ୍ଟ ସମୟରେ ପହଞ୍ଚୁଥିଲି ଏବଂ ଇଟାଲୀୟା ବି ଓହ୍ଲାଇ ଯାଉଥିଲା । ରାତିବେଳଟା ମୋତେ ଆହୁରି ଭଲ ଲାଗୁଥିଲା । ମନେ ହେଉଥାଏ, ଲରୀଟା ଆପେ ଆପେ ଆଗକୁ ମାଡ଼ି ଚାଲିଛି, ଆଉ ମୁଁ ଗୋଟିଏ ହାତରେ ଷ୍ଟିୟାରିଂ ଓ ଅନ୍ୟ ହାତରେ ଇଟାଲୀୟାର ଅଣ୍ଟାକୁ ଭିଡ଼ିଧରି ବସି ରହିଥାଏ । ମଝିରେ ମଝିରେ ସାମନାପଟୁ ଅନ୍ଧକାର ଭିତରେ ବିପରୀତମୁଖୀ ଗାଡ଼ିଗୁଡ଼ାକ କେବେ କେବେ ହେଡ଼୍‍ଲାଇଟ୍‍ ଜାଳି ଓ କେବେ କେବେ ଲିଭାଇ ଧାଇଁ ଆସନ୍ତି । ମୁଁ ବି ମୋ ଗାଡ଼ିର ଆଲୁଅରେ ଅନୁରୂପ ସଙ୍କେତ ଦେଇ ସେମାନଙ୍କୁ ଜଣାଇ ଦିଅ, ମୁଁ କେତେ ଖୁସି । ମୁଁ ଯେମିତି ସେମାନଙ୍କୁ ଜଣାଇଦେବାକୁ ବରାବର ଚାହୁଥିଲି–’’ ମୁଁ ଇଟାଲୀୟାକୁ ଭଲ ପାଏ, ଇଟାଲୀୟା ବି ମୋତେ ଭଲ ପାଏ ।’’

କିନ୍ତୁ ଗୋଟିଏ ବିଷୟରେ ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା–ହୁଏତ ପଲୋମବି କିଛି ଦେଖୁନଥିଲା, କିମ୍ବା ଦେଖି ସୁଦ୍ଧା ନଦେଖିବାର ଛଳନା କରୁଥିଲା । ମୋଟ କଥା, ଇଟାଲୀୟାର ଏହି ଆସିବା–ଯିବା ସମ୍ପର୍କରେ ସେ ଦିନେ ହେଲେ କୌଣସି କଥା ପଚାରି ନାହିଁ । ଇଟାଲୀୟା ଗାଡ଼ିରେ ଚଢ଼ିଲା କ୍ଷଣି ସେ ଗୋଟାଏ ହୁଙ୍କାର ଶବ୍ଦ କରି ତାହାକୁ ଅଭ୍ୟର୍ଥନା ଜଣାଏ ଏବଂ ତା’ପରେ ଘୁଞ୍ଚିଯାଇ ତାହା ପାଇଁ ଜାଗା କରିଦିଏ । ସବୁ ସମୟରେ ଇଟାଲିୟା ମଝିରେ ବସୁଥାଏ, କାରଣ ମୋତେ ରାସ୍ତା ଉପରେ ଗୋଟାଏ ଦୃଷ୍ଟି ରଖିବାକୁ ପଡ଼େ, ଆଉ ପଲୋମବିକୁ ଜାଣିବାକୁ ହୁଏ ସାମନା ଗାଡ଼ିକୁ ଟପି ଆଗେଇଯିବା ଭଳି ରାସ୍ତା ଅଛି କି ନା । ଏପରିକି, ଯେତେବଳେ ମୁଁ ପ୍ରେମର ବିହ୍ଵଳ ହୋଇ ଗାଡ଼ିର ଉଇଣ୍ଡ୍‍ ସ୍କ୍ରିନ୍‍ ଉପରେ ଇଟାଲିୟାର ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କଲି, ସେତେବେଳେ ବି ସେ ତିଳେ ହେଲେ ଆପତ୍ତି ଉଠାଇଲା ନାହିଁ । ଅନେକ ଭାବି ଚିନ୍ତି ସେତେବେଳେ ମୁଁ କାଚ ଉପରେ ଲେଖାଇଲି–‘‘ଇଟାଲିୟା ଦୀର୍ଘଜୀବୀ ହେଉ !’’ କିନ୍ତୁ ପଲୋମବୀ ଏଡ଼େ ବୋକା ଯେ ବିଷୟଟିର ଦ୍ଵିର୍ଥ ଟିକକ ବୁଝିପାରିଲା ନାହିଁ । ମାତ୍ର ଯେତେବେଳେ ସହଗାମୀ ଲରୀର ଲୋକେ ଏହାକୁ କେନ୍ଦ୍ରକରି ରସିକତା କରିବାକୁ ଲାଗିଲେ–‘‘କି ହେ, ଖୁବ୍‍ ଦେଶପ୍ରେମିକ ତ ହୋଇଗଲଣି ।’’ ସେତେବେଳେ ସେ ପାଟିଏ ହସିଦେଇ ସବୁ ଦାନ୍ତ ବାହାର କରି ମୋତେ କହିବାକୁ ଲାଗିଲା– ‘‘ସେମାନେ ମନେ କରିଛନ୍ତି ଇଟାଲୀକୁ ବୁଝାଉଛି ବୋଲି; କିନ୍ତୁ ପ୍ରକୃତରେ ସେଟା ଯେ ଗୋଟିଏ ଝିଅର ନାମ ସେମାନେ ତାହା ବୁଝିପାରି ନାହାନ୍ତି; କିନ୍ତୁ ତୁମେ ଭାରି ଚାଲାକ-।’’

ଏହିପରି ଭାବରେ ଦୁଇମାସ କି ତାଠୁଁ ବେଶୀକାଳ ଆମର ବେଶ୍‍ ମଜାରେ କଟିଗଲା । ଇତି ମଧ୍ୟରେ ଦିନେ ଇଟାଲିୟାକୁ ଟେରାସିନନାରେ ଓହ୍ଲାଇଦେଇ ନେପଲ୍ସରେ ପହଞ୍ଚିଛି, ଏହି ସମୟରେ ଉପରୁ ହୁକୁମ ଆସିଲା ଯେ ମାଲପାତ୍ର ଖଲାସ କରିଦେଇ ସେହି ରାତିରେ ରୋମ୍‍କୁ ଫେରିଯିବାକୁ ହେବ ଏବଂ ନେପଲ୍ସରେ ରାତି ବିତାଇବାକୁ ପଡ଼ିବ ନାହିଁ । ମୋର ଖୁବ୍‍ ରାଗ ହେଲା, କାରଣ ପରଦିନ ସକାଳେ ଇଟାଲିୟା ସାଙ୍ଗରେ ଆମର ଦେଖା କରିବାର ବ୍ୟବସ୍ଥା ଆଗରୁ ହୋଇସାରିଥିଲା । ଅଥଚ ଏଣେ ହୁକୁମ ତାମିଲ କରିବାକୁ ହେବ । ଅଗତ୍ୟା ମୁଁ ଷ୍ଟିୟରିଂ ଧରି ବସିଲି ଏବଂ ପଲୋମବୀର ତତ୍‍କ୍ଷଣାତ୍‍ ନାକ ଡାକିବା ଆରମ୍ଭ ହୋଇଗଲା । ଇଟ୍ରି ଯାଏ ଭଲରେ ଚାଲି ଆସିଲୁ, କାରଣ ରାସ୍ତାଟା ଯାକ ବାଙ୍କରେ ପୂରି ରହିଛି । ଆଉ ରାତିବେଳେ ଏହି ବାଙ୍କ ତ ଲରୀ-ଚାଳକଙ୍କର ପ୍ରକୃତ ବନ୍ଧୁ, କାରଣ ସେଥିଯୋଗୁଁ ସବୁବେଳେ ସେମାନଙ୍କୁ ଆଖି ଖୋଲି ରହିବାକୁ ହୁଏ ଏବଂ ସେମାନଙ୍କର ଟିକିଏ ଢୁଳେଇ ପଡ଼ିବାର ସମୟ ସୁଦ୍ଧା ନ ଥାଏ; କିନ୍ତୁ ଇଟି ପରେ କମଳାଲେମ୍ଭୁ ବଗିଚା ଭିତରେ ଫଣ୍ଡିଆଡ଼କୁ ଯିବା ବାଟରେ ମୋର ଆଖି ଦୁଇଟା ଯେମିତି ନିଦରେ ଟିକିଏ ମୁଦି ଆସିବାକୁ ଲାଗିଲା ଏବଂ ମୁଁ ତତ୍‍କ୍ଷଣାତ୍‍ ନିଜକୁ ସଜାଗ ରଖିବା ପାଇଁ ଇଟାଲିୟାର କଥା ଭାବିବାକୁ ଲାଗିଲି; କିନ୍ତୁ ତାହା ସମ୍ବନ୍ଧରେ ଯେତେ ଚିନ୍ତା କରିବାକୁ ଲାଗିଲି, ସେହି ଚିନ୍ତାସବୁ ମୋ ମଥା ଭିତରେ ଅରଣ୍ୟର ଶାଖା ପ୍ରଶାଖାର ନିବିଡ଼ତା ଓ ଅନ୍ଧକାରାଛନ୍ନ ଗଭୀରତା ଭଳି ସେତେ ଜଟିଳ ହେବାକୁ ବସିଲା । ଥରେ ନିଜ ମନେ ମନେ କହିପକାଇଲି- ‘‘ଭାଗ୍ୟକୁ ଚିନ୍ତା କରିବା ପାଇଁ ଜଣକୁ ପାଇଛି, ନୋହିଲେ କେତେବେଳୁ ଶୋଇପଡ଼ି ସାରନ୍ତିଣି ।’’ କିନ୍ତୁ ବାସ୍ତବିକ ଏହିସବୁ ଚିନ୍ତା ସ୍ରୋତ ମୋର ନିଦ୍ରିତ ଅବସ୍ଥାରେ ମନ ଭିତରେ ବହିଯାଉଥିଲା, ଅର୍ଥାତ୍‍ ମୁଁ ଢୁଳେଇ ପଡ଼ିଥିଲି । ସଙ୍ଗେ ସଙ୍ଗେ ବେଶ୍‍ ବୁଝିପାରିଲି ଯେ ଲରୀଟା ରାସ୍ତାଛାଡ଼ି ଗୋଟିଏ ଖାଲ ଭିତରକୁ ଗଡ଼ିଗଲା ଏବଂ ପର ମୁହୂର୍ତ୍ତରେ ପଛର ଟ୍ରେଲରଟା ଗୋଟାଏ ଧକ୍କା ଖାଇ ଓଲଟି ପଡ଼ିଲା । ମୁଁ ଆସ୍ତେ ଗାଡ଼ି ଚଳାଉଥିଲି ବୋଲି ଆମ ଦୁହିଁଙ୍କର କୌଣସି ଆଘାତ ଲାଗିଲା ନାହିଁ ସତ; କିନ୍ତୁ କୌଣସି ଉପାୟରେ ପଦାକୁ ବାହାରି ଆସି ଦେଖେଁ ତ, ଟ୍ରେଲରଟା ଏକବାରେ ଓଲଟି ପଡ଼ିଛି, ତାହାର ଚାରୋଟି ଚକ ଶୂନ୍ୟରେ ଘୁରୁଛି ଏବଂ ବୋଝାଇ ହୋଇଥିବା କଡ଼ା ଇସ୍ତ୍ରୀ ଦିଆ ତିଆରି ଚମଡ଼ାସବୁ ଖାଲରେ ସ୍ତୂପାକାରରେ ଅଜାଡ଼ି ହୋଇ ପଡ଼ିଛି ।

ସେତେବେଳେ କୃଷ୍ଣପକ୍ଷ । ଚତୁର୍ଦ୍ଦିଗ ଅନ୍ଧକାର । କେବଳ ତାରାଗୁଡ଼ିକ କଳା ଆକାଶରେ ଝଟକୁଛନ୍ତି । କପାଳ ଭଲ ଯେ ଆମେ ପ୍ରାୟ ଟେରାସିନନାର ପାଖାପାଖି ପହଞ୍ଚିଯାଇଥିଲୁ । ଘଟଣାସ୍ଥଳର ଡାହାଣ ପଟରେ ଉଚ୍ଚ ତୀଖ ପାହାଡ଼, ଆଉ ବାମପଟରେ ଅଙ୍ଗୁର କ୍ଷେତ ପରେ କୃଷ୍ଣକାୟ ଶାନ୍ତ ସାଗର ।

ଏ ସମ୍ପର୍କରେ ପଲୋମବୀ ମାତ୍ର ପଦିଏ କଥା କହିଲା-’’ଯାହା ହେଉ, ବେଶ କଲ ।’’ ତା’ପରେ କିଛି ସାହାଯ୍ୟ ଆଣିବା ନିମନ୍ତେ ସେ ଚାଲି ଚାଲି ଟେରାସିନନା ଆଡ଼କୁ ଗଲା । ସେଠାରୁ ସହର ପାଖ । ତଥାପି ସହରର ବାହାରେ ଘଟଣାଟି ଘଟିଥିବାରୁ ପଲୋମବୀ ଜଣାଇଲା ଯେ ତାହାକୁ ଭାରି ଭୋକ ହେଉଛି । ତେଣୁ ସେମାନେ ଯେ କୌଣସି ଗୋଟିଏ ସରାଇଖାନାକୁ ଯାଇ ସ୍ୱଚ୍ଛନ୍ଦରେ ପେଟ ପୁରାଇ ଖାଇ ପାରନ୍ତି, କାରଣ ବ୍ରେକ୍‍-ଡାଉନ୍‍ ଲରୀରେ କ୍ରେନ୍‍ ଆଣି ଗାଡ଼ି ଉଠାଇ ବାହାର କଲା ବେଳକୁ ରାତି ପାହି ଯାଇଥିବ । ସୁତରାଂ ଦୁହେଁ ସହରକୁ ଯାଇ ଗୋଟିଏ ହୋଟେଲ ଖୋଜିବାକୁ ଲାଗିଲୁ । କିନ୍ତୁ ସେତେବେଳେ ରାତି ବାରଟା ଉପରେ । ତାହାଛଡ଼ା ସେହି ଗୋଲାକୃତି ପଣ୍ୟସ୍ଥଳୀର ଅନେକାଂଶ ବୋମା-ବିଧ୍ୱସ୍ତ । ଖୁବ୍‍ ଖୋଜା ଖୋଜି କରିବାପରେ ଆମେ ଗୋଟିଏ ମାତ୍ର ‘‘କାଫେ’’ ପାଇଲୁ, ସେଟା ବି ମାଲିକ ବନ୍ଦ କରିବାକୁ ଉପକ୍ରମ କରୁଥିଲା । ସମୁଦ୍ରାଭିମୁଖୀ ଗୋଟିଏ ସରୁ ରାସ୍ତାରେ କିଛି ଦୂର ଆଗେଇ ଆସିବାରୁ ଫାଳେ ଆଲୁଅରେ ଦୁଆର ଉପରେ ଗୋଟାଏ ନାମ ଆମ ଆଖିରେ ପଡ଼ିଲା । ମନରେ ଖୁବ୍‍ ଆଶାବାନ୍ଧି ଆମେ ଟିକିଏ ଶୀଘ୍ର ଚାଲିଲୁ । ବାସ୍ତବିକ ସେଟା ଗୋଟାଏ ସରାଇଖାନା । ବନ୍ଦ ହେବାର ସଙ୍କେତ ଜଣାଇ ସାମନାର ଲୁହା ପରଦାଟା ଉପରୁ ଅଧେ ଖସିଆସିଥିଲା । ଭିତରପଟେ ଗୋଟାଏ କାଚର ଦରଜା । ସେହି ଲୁହା ପରଦାର ଗୋଟିଏ ଫାଙ୍କବାଟେ ଆମେ କାଚ ଦରଜାର ଫାଳେ ଶୂନ୍ୟତା ଭିତରେ ଦୃଷ୍ଟି ନିକ୍ଷେପ କଲୁ ।

ପଲୋମବୀ ନଇଁପଡ଼ି ଲୁହା ପରଦାର ଫାଙ୍କର ଆଖି ରଖି କହିଲା,’’ ଏ, ଏ ତ ବନ୍ଦ ହୋଇଗଲାଣି, ଦେଖୁଛି ।’’ ମୁଁ ବି ନଇଁ ପଡ଼ିଲି । ସାମନାରେ ବେଶ ବଡ଼ ବଖରାଟିଏ, ସହରତଳୀର ସରାଇଖାନା ପରି-କେତୋଟି କାଉଣ୍ଟର ଓ କେତେ ଖଣ୍ଡ ଟେବୁଲ । ଚୌକିଗୁଡ଼ାକ ଟେବୁଲ ଉପରେ ଓଲଟାଇ ରଖାଯାଇଥିଲା ଏବଂ ଆମର ଇଟାଲିୟା ଅଣ୍ଟାରେ ଖଣ୍ଡିଏ ବଡ଼ ତଉଲିଆ ବାନ୍ଧି ହାତରେ ପହଁରାଟିଏ ଧରି ଚଟାଣଟା ସଫା କରିବାରେ ଲାଗିଥିଲା । ତେଣେ କାଉଣ୍ଟରର ସେପଟେ ଘରର ଏକବାରେ ପଛଆଡ଼େ ଜଣେ କୁଜାଲୋକ ବସିଥିବାର ଜଣାଯାଉଥିଲା । ମୁଁ ଆଗରୁ ଅନେକ କୁଜାଲୋକଙ୍କୁ ଦେଖିଛି; କିନ୍ତୁ ଏମିତି ନିଖୁଣ କୁଜାଟିଏ କେଉଁଠି ଦେଖି ନାହିଁ । ମୁଣ୍ଡଟା ଯେମିତି ତାହାର ଦୁଇକାନ୍ଧ ଭିତରେ ଥୁଆ, ଆଉ କୁଜଟା ଉଚ୍ଚତାରେ ମୁଣ୍ଡକୁ ଟପିଯାଇଛି । ଲୋକଟି ତାହାର କୁତ୍ସିତ ଛୋଟ କଳା ଆଖି ଦୁଇଟିରେ ଇଟାଲିୟାଆଡ଼କୁ ଅନାଇ ରହିଥିଲା । ଇଟାଲିୟା ଏପଟ ସେପଟ ଘୂରି ଚଟାଣ ଝାଡ଼ୁ କରୁଥିଲା । ଇତି ମଧ୍ୟରେ ସେହି ଲୋକଟି ତାହାକୁ କଅଣ କହିଲା । ସେ ଆଗେଇଯାଇ ଝାଡ଼ୁଟା ଗୋଟିଏ କଣରେ ରଖିଦେଲା ଏବଂ ତା’ପରେ ଲୋକଟିର ବେକକୁ ଭିଡ଼ିଧରି ଅନେକ ବେଳ ଯାଏ ତାହାକୁ ଚୁମ୍ବନ କରିବାକୁ ଲାଗିଲା । ପୁଣି ସେ ହାତରେ ଝାଡ଼ୁଟା ଧରି ଚଟାଣ ଉପରେ ବେଢ଼ାଏ ନାଚି ଚାଲିଆସିଲା । ଏଥର ସେହି କୁଜା ଲୋକଟା ଘରର ମଝିରେ ଆସି ଠିଆହେଲା । ବୁଝିପାରିଲି, ଲୋକଟିର ପେଶା ସମୁଦ୍ରକୂଳରେ ଘୂରିବୁଲିବା ତାହାର-ପରିଧାନ ଗୋଡ଼ରେ ଚଟି, ଖଣ୍ଡିଏ ନୀଳରଙ୍ଗର କେଉଟ ପିନ୍ଧୁଥିବା ତଳୁ ମୋଡ଼ା ହୋଇଥିବା ପନ୍ତଲୁନ ଏବଂ ଦେହରେ ଖଣ୍ଡିଏ ଛାତିଖୋଲା କାମିଜ । ଲୋକଟି ଦରଜା ଆଡ଼କୁ ଆଗେଇ ଆସିବାରୁ ଆମେ ଏକାସାଙ୍ଗରେ ଅନ୍ତରାଳକୁ ଘୁଞ୍ଚିଗଲୁ । ସେ କାଚ ଦରଜାଟା ଖୋଲି ଲୁହା ପରଦାଟା ଚୌକିଯାଏ ଖସାଇଦେଲା ।

ମାନସିକ ଚାଞ୍ଚଲ୍ୟର ଉଗ୍ରତା ଘୋଡ଼ାଇବା ପାଇଁ ମୁଁ କହିଲି–‘‘ଆଶ୍ଚର୍ଯ୍ୟ ! ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏଇମିତି ଗୋଟାଏ କିଛି ଘଟିବ ।’’ ପଲୋମବୀ ଜବାବ ଦେଲା–‘‘ଯାହା କହିଲ-।’’ ତାହାର କଣ୍ଠସ୍ୱରର ତିକ୍ତତା ଅନୁଭବ କରି ମୁଁ ବିସ୍ମିତ ହୋଇଗଲି । ଦୁହେଁ ସେଠାରୁ କମ୍ପାନୀର ଗ୍ୟାରେଜକୁ ଗଲୁ । ତା’ପରେ ସାରା ରାତିଟା କାଟିଲା ଲରୀଟାକୁ ଝିଙ୍କାଝିଙ୍କି କରି ଉଠାଇବାରେ ଏବଂ ସେହି ଚମଡ଼ାର ସ୍ତୂପ ବୋଝେଇ କରିବାରେ । ତା’ପରେ, ସକାଳେ ଯେତେବେଳେ ମୁଁ ରୋମ୍‍ଆଡ଼କୁ ଗାଡ଼ି ଚଳାଇଯାଉଛି, ପ୍ରଥମେ ପଲୋମବୀ ମୋର ଜାଣତରେ ମୁହଁ ଫିଟାଇ କହିଲା–‘‘ସେଇ ମାଇକିନାଟା, ସେହି ହାରାମଜାଦୀ, ମୋର କଅଣ କଲା ଦେଖିଲ ତ-?’’

ମୁଁ ହତବାକ୍‍ ହୋଇ ପଚାରିଲି–‘‘ତାହାର ମାନେ ?’’

‘‘ବାଃ !’’ ସେ ତାହାର ସ୍ୱଭାବ-ସୁଲଭ ନିର୍ବିକାର ମନ୍ଥର ଭଙ୍ଗୀରେ କହିଯିବାକୁ ଲାଗିଲା-’’ଏହି କେତେ ମାସ ଭିତରେ ତାହା ସାଙ୍ଗରେ ମୋର କେତେ କଥା ହୋଇଛି, ଯିବା ଆସିବା ବେଳେ ରାସ୍ତାଟା ଯାକ ସେ ମୋ ହାତଟି ତାହାର ହାତମୁଠାରେ ଧରି ବସିଛି, ଆଉ କହିବାକୁ ଗଲେ, ଆମର ବିଭାଘରର ପକା ବ୍ୟବସ୍ଥା ବି ପ୍ରାୟ ହୋଇଯାଇଥିଲା । ଆଉ, ଏକ୍ଷଣି ନିଜ ଆଖିରେ ତ ଦେଖିଲେ ନାଗୁଣୀର ବ୍ୟବହାରଟା । ଶେଷରେ କଅଣ ନ କୁଜା ଲୋକ !’’

ତାହାର କଥା ଶୁଣି ମୋର ଦମ୍‍ ବନ୍ଦ ହେବାର ଉପକ୍ରମ ହୋଇଗଲା ।

ଲୋକଟା କଅଣ କହୁଛି ! କିନ୍ତୁ ପଲୋମବି ଅଟକିଲା ନାହିଁ, କହି ଚାଲିଲା–’’ପ୍ରେମର ଉପହାର ହିସାବରେ ମୁଁ ତାହାକୁ କଅଣ ନ ଦେଇଛି–ଗୋଟିଏ ସୁନ୍ଦର ପ୍ରବାଳର ହାର, ଖଣ୍ଡିଏ ଦାମିକା ରେଶମୀ ସ୍କାର୍ଫ, ହଳେ ପେଟେଣ୍ଟ ଚମଡ଼ା ଜୋତା । ଭଗବାନଙ୍କ ନାମ ଧରି କହୁଛି, ଏଥିରେ ତିଳେ ହେଲେ ଯଦି ମିଛ ଥିବ ! ବାସ୍ତବିକ ମୋ ଆଖିକୁ ସେ ଭାରି ଭଲ ଦିଶିଥିଲା । ତାହାଛଡ଼ା ଏହିପରି ଜଣେ ଉପଯୁକ୍ତ ନାରୀ ହିଁ ମୋର ଦରକାର ଥିଲା । ଏକ୍ଷଣି ଦେଖୁଛି, ସେ ଏକ ନମ୍ବର ନିମକହାରାମ, ବଜାତ୍‍, କୃତଘ୍ନ ମାଇକିନାଟେ ।’’

ଏହିପରି ଭାବରେ ଅନେକବେଳ ଯାଏ ସେ ନିଜ ମନେ ମନେ କେତେବେଳେ ଚଢ଼ାସ୍ୱରରେ ତ କେତେ ବେଳେ ନରମସ୍ୱରରେ ତାହା ସମ୍ବନ୍ଧରେ ବକର ବକର ହେବାକୁ ଲାଗିଲା-। ଏଣେ ଗାଡ଼ି ବି ରୋମ୍‍ଆଡ଼କୁ ଧାଇଁଥାଏ । ମୁଁ ମନେ ମନେ ଭାବିଲି–ଯାହା ହେଉ, ଶେଷ ଅବଧି ଇଟାଲିୟା ରେଳଭଡ଼ାଟା ବଞ୍ଚାଇବା ଲାଗି ଆମ ଦୁହିଁଙ୍କୁ ଖୁବ୍‍ ବୋକା ବନେଇ ଛାଡ଼ିଦେଲା-। କ୍ରମେ କ୍ରମେ ପଲୋମବୀ ଉପରେ ମୁଁ ବିରକ୍ତ ହୋଇଯାଉଥିଲି; କାରଣ ସେ ଯାହା କହୁଥାଏ ସେସବୁ ଯେ ମୋର କହିବାର କଥା । ଅଥଚ ତାହାର କଥନଭଙ୍ଗୀରେ ସେ ସବୁ ଯେମିତି ବେଖାପ ମାଲୁମ୍‍ ହେଉଥିଲା । ହଠାତ୍‍ ଥରେ ଦାନ୍ତରେ ଦାନ୍ତ ରଗଡ଼ି ମୁଁ ତାହାକୁ ସାବଧାନ କରିଦେଲି–‘‘ଭଗବାନଙ୍କ ରାଣ, ତୁମେ ବକର ବକର ଟିକିଏ ବନ୍ଦ କରିବ ତ ? ମୋତେ ନିଦ ମାଡ଼ିଲାଣି ।’’ ସେ ଖାଲି ଜବାବ ଦେଲା-‘‘କେଉଁ କେଉଁ ଜିନିଷ ମନରେ ଦୁଃଖ ଦିଏ, ଏଟା ନିଶ୍ଚୟ ସ୍ୱୀକାର କରିବ !’’ ବାସ, ତା’ପରେ ରୋମ୍‍ ଯାଏ ସେ ବାଟ ଯାକ ଆଉ ଫିଟାଇଲି ନାହିଁ ।

ତା’ପରେ ଆଉ କେତୋଟି ମାସ କଟିଯାଇଛି । ପଲୋମବୀର ମନ ଭିତରେ ସବୁ ବେଳେ ଯେମିତି ଗୋଟାଏ ବିମର୍ଷ ଭାବ । ମୋ ପକ୍ଷରେ ରାସ୍ତାଟା ପୁଣି ସେହି ପୁରୁଣା, ନିଷ୍ପ୍ରାଣ, ବର୍ଣ୍ଣହୀନ ଆଶ୍‍ଫାଲ୍‍ଟର ଖଣ୍ଡିଏ ଫିତା-ନା ଅଛି ତାହାର ଆଦି ନା ଅନ୍ତ । ଖାଲି ଦୁଇଓଳି ତାହାର ଛାତି ଉପରେ ମାଡ଼ି ଦଳି ଏପାରି–ସେପାରି ଛୁଇଁ ଦେବା । ଶେଷକୁ ତେବେ ମୁଁ ଚାକିରିଟା ଛାଡ଼ିଦେଲି । ତାହାର ଗୋଟିଏ କାରଣ ବି ଅଛି । ନେପଲ୍ସ ରୋଡ଼ର ଠିକ୍‍ ଉପରେ ଇଟାଲିୟା ଗୋଟିଏ ମଦ ଦୋକାନ ଖୋଲିଲା । ତାହାର ନାମ ଦେଲା-’’ଲରୀ-ଚାଳକଙ୍କ ପାନୀୟଶାଳା ।’’ ଦୋକାନଟି ଖୁବ୍‍ ସଜାସଜି ହୋଇଥିଲା । ଆମେ ଅବଶ୍ୟ ଦିନକ ପାଇଁ ସେଠାରେ ଗାଡ଼ି ଅଟକାଇ ନାହୁଁ କି ଓହ୍ଲାଇ ନାହୁଁ; କିନ୍ତୁ ଇଟାଲିୟା କାଉଣ୍ଟରରେ ଠିଆ ହୋଇଛି ଏବଂ ସେହି କୁଜା ଲୋକଟି ତାହାର ହାତକୁ ମଦ ବୋତଲ ଓ ଗିଲାସ ବଢ଼ାଇଦେଉଛି, ଏ ଦୃଶ୍ୟ ମୋ ନିକଟରେ ଅତ୍ୟନ୍ତ ବେଦନାଦାୟକ ମନେ ହେଲା । ସୁତରାଂ ମୁଁ ମୋ କାମରୁ ଇସ୍ତଫା ଦେଇଦେଲି; କିନ୍ତୁ ପଲୋମବୀ ଆଜି ଯାଏ ସେହି ଲରୀଟିର ଉଇଣ୍ଡ ସ୍କ୍ରିନରେ ଲିଖିତ’’ ଇଟାଲିୟା ଦୀର୍ଘଜୀବୀ ହେଉ’’ ଦ୍ଵିର୍ଥକ ଶବ୍ଦ କେତୋଟି ଧରି ରୋମ୍‍ରୁ ନେପଲ୍ସ ଯାଏ ମାଲପାତ୍ର ଘେନି ଯାତାୟାତ କରୁଛି ।

ଆଲବାର୍ତୋ ମୋରାଭିୟା

Image

 

ଯୁଦ୍ଧକାଳୀନ ଆତ୍ମକଥା

ମରୁଭୂମି

 

‘‘ସହର ମଝିରେ ମରୁଭୂମି ।’’

 

ଆମ୍ଭେମାନେ ତାଆସ ଖେଳୁଥିଲୁ, ଆଉ କଥାବାର୍ତ୍ତା କରୁଥିଲୁ । ଚାରିଜଣ ଯାକ ସିଗାରେଟ ଟାଣୁଥିଲୁ । ହାତରେ ଧରିଥିଲି ଟିକା, ସାହେବ, ବିବି ଆଉ ଗୋଲାମ ବି ଥିଲା ।

 

‘‘କଅଣ କହିଲି ? ସହର ମଝିରେ ? ଏକାବେଳେ ମଝିରେ ନା ?’’

 

‘‘ହଁ, ସେୟା ତ କହିଲି । ଉତ୍ତରରେ ସହର, ପଶ୍ଚିମରେ ସହର, ପୂର୍ବରେ ସହର, ଆଉ ଦକ୍ଷିଣରେ ବି ସହର । ରାସ୍ତାର ମୋଡ଼ରୁ, ରାସ୍ତାରୁ ପବନ ବୋହୁଥିଲା ।’’

 

‘‘ଦେଖିଲ ମରୁଭୂମି ?’’

 

‘‘ମରୁଭୂମି ! ପଥର ଆଉ ଧୂଳି, ଏଠି ସେଠି କେତେ । କେତେବେଳେ ଓୟମଉଡ଼ର ଝଡ, ଶୁଖିଲା-ମେଘ ନାହିଁ–ଆଉ କୁଆ ଅଛନ୍ତି ।’’

 

‘‘ଆଉ ଝିଟିପିଟି ?’’

 

‘‘ଆଉ ଝିଟିପିଟି ।’’

 

‘‘ଆଉ ରାତିରେ ଆଲୁଅ ନାହିଁ, ନୁହେଁ ?’’

‘‘ଗୋଟିଏ ହେଲେ ତାରା ଫୁଟନ୍ତି ନାହିଁ ।’’

ଆମ୍ଭେମାନେ ପରସ୍ପରର ମୁହଁକୁ ଅନାଇବାକୁ ଲାଗିଲୁ । ଟେବୁଲ ଉପରେ ଖଣ୍ଡିଏ ତାଆସ ପଡ଼ିଲା । ଆଉ ଖଣ୍ଡିଏ ପଡ଼ିଲା, ଆଉ ଖଣ୍ଡିଏ, ଆଉ ଖଣ୍ଡିଏ, ତା’ପରେ ଆଉ ଖଣ୍ଡିଏ । ନେପଲ୍ସର ଲୋକଟି ଜିତିଲା ।

‘‘ଖୁବ ବଡ଼ ନା କଅଣ ?’’

‘‘କେହି ଜାଣନ୍ତି ନାହିଁ । ଚାରିଆଡ଼େ ପଡ଼ିରହିଥିଲା ପଶୁମାନଙ୍କର ହାଡ଼-ମଥାର ଖପୁରୀ, ଶିଙ୍ଗ, ଇତ୍ୟାଦି ।’’

‘‘ପ୍ରକୃତ ମରୁଭୂମି ।’’

‘‘ସେଠାରେ ମୁଁ ଘରଦ୍ୱାରର ଧ୍ଵଂସାବଶେଷ ଦେଖିଛି ।’’

‘‘ଲୋକଙ୍କର ଘରଦ୍ୱାର ?’’

‘‘ହଁ, ଲୋକଙ୍କର ଘରଦ୍ୱାର ।’’

‘‘କେମିତି ସେଠି ଯାଇ ପହଞ୍ଚିଲ ?’’

‘‘ଟ୍ୟାକ୍‍ସିରେ । ସାଙ୍ଗରେ ମୋର ଜିନିଷପତ୍ର ଥିଲା ।’’

‘‘ଦେଖିଲ ମରୁଭୂମି ?’’

କ୍ରୋୟେଶିୟାର ଲୋକଟି ହାତର ତାଆସଗୁଡ଼ିକ ତଳେ ରଖିଦେଇ ଦୁଇହାତରେ ନିଜର କପାଳଟା ଚାପିଧରିଲା । ଆମେ ସବୁ ହାତର ତାଆସଗୁଡ଼ିକ ଧରି ବସିଲୁ, ଖଣ୍ଡେ ହେଲେ ତାଆସ ଆଉ ପକାଇପାରିଲୁ ନାହିଁ । ଟେବୁଲ ଉପରେ ଇସ୍କାପାନ ବିବିଟା ପଡ଼ି ରହିଲା ।

କ୍ରୋୟେଶିୟାର ଲୋକଟି କହିବାକୁ ଲାଗିଲା, ‘‘ମୁଁ ଦେଖିପାରୁଛି-ଧ୍ଵଂସାବଶେଷ, ଗଛର ଗଣ୍ଡି, ବିଧ୍ୱଂସ ରେଳ ଧାରଣା, ସ୍ଲୀପାର, ଗାଡ଼ିଗୁଡ଼ିକର ଅଗ୍ନିଦଗ୍ଧ କଙ୍କାଳ ।’’

ଆମେ ଆମର ତାଆସଗୁଡ଼ିକ ପକାଇଦେଲୁ ।

‘‘ଆଉ କେଉଁ ମରୁଭୂମିର କଥା କହୁଛ ନା କଅଣ ?’’

‘‘ନା, ସେହି ଏକ ମରୁଭୂମି ।’’

‘‘ପୃଥବୀର ତ ଗୋଟିଏ ହୃଦୟ ।’’

ନେପଲ୍ସର ଲୋକଟି ଛେପ ପକାଇଲା । ସେ ମଧ୍ୟ ଖେଳଟା ବୁଝିପାରିଥିଲା । ସେ ମୁଣ୍ଡ ହଲାଇଲା ।

ସେ କହିବାକୁ ଲାଗିଲା,‘‘ମୋର ଯେଉଁଠି ଘର, ସେଇଠି ବି ଗୋଟାଏ ଅଛି । ତାହାରି ଚାରିପଟେ ଘେରି ରହିଛି ଗୋଟାଏ ଖଣ୍ଡିଆ ଖାବରା ପାଚିରୀ । ସେଠାରେ କେରାଏ ଘାସ ବି କଞ୍ଚାଏ ନାହିଁ । ଯେଉଁମାନେ ସେହି ବାଟ ଦେଇଯାଆନ୍ତି, ସେମାନେ କ୍ରୁଶ ଚିହ୍ନ ଆଙ୍କନ୍ତି । ସେମାନେ ୟାକୁ ମରୁଭୂମି କହନ୍ତି । ଜାଗାଟା ଅଲିଭ ବଣର ମଝିରେ ।’’

ଆମେ ପୁଣି ସିଗାରେଟ ଧରାଇଲୁ ।

କ୍ରୋୟେଶିୟାର ଲୋକଟି କହିଲା,’’ ମୁଁ ଦେଖିପାରୁଛି, ଯେମିତି ଏକ୍ଷଣି ମୋର ଆଖି ଆଗରେ, ସବୁତକ ମରୁଭୂମି ।’’

ଜଣେ ଖାଲି ବସିଥିଲା, ଆମ ଖେଳରେ ଯୋଗ ଦେଇନଥିଲା । ସ୍ପେନ୍‍ର ଲୋକଟି । ସେ ଏ ଅବଧି ପାଟି ଫିଟାଇନଥିଲା ।

ସେ ପାଟି ଭିତରେ ଦୋକତା ଚୋବାଇ ପାରୁ କରିଦେଇଥିଲା ।

‘‘ମରୁଭୂମି ଗଭୀର ।’’

କଅଣ କହିବାକୁ ଚାହେ ଲୋକଟା ? ଆମେ ସମସ୍ତେ ତାହାଆଡ଼କୁ ଅନାଇ ରହି ଅପେକ୍ଷା କରିବାକୁ ଲାଗିଲୁ ।

ସେ କହିବାକୁ ଲାଗିଲା,‘‘ମୋତେ ଘୋଡ଼ାଇ ଦିଅ । ମୁଁ ଏଇଠି ବସି ରହିଛି । ଦୋକତା ଚୋବଉଛି; କିନ୍ତୁ ମୁଁ ଏବେ ହେଲେ ତାହାର ହାତରୁ ଖସି ପଳାଇଯାଇ ପାରିବି ।’’

ନେପଲ୍ସର ଲୋକଟି କହିଲା,’’ ଆରେ, ଛାଡ଼ ।’’

ସେ ହସି ଦେଲା–ସେ ଏକା, ଏକା ଶୁଣିଲା । ଅନ୍ୟମାନେ ଉଠି ଠିଆହେଲେ ।

ସେ କହିଲା,’’ ଆହା, ପୁରୁଣା ଅତୀତର ସେହି ମୋହିନୀ ମରୁଭୂମି ।’’

ଅନ୍ୟମାନେ ତା’ପରେ ପରେ କହିଲେ–

‘‘ଚକ୍‍ଚକ୍‍ ବାଲି ।’’

‘‘ପ୍ରଚଣ୍ଡ ଖରା ।’’

‘‘ରାସ୍ତାରେ କଟାଇବା ଦିନ, ଦୀର୍ଘ ଦିନ ।’’

‘‘ଯେଉଁଠାରେ ପହଞ୍ଚିବା ବୋଲି ବାହାରିବା, ସେହିସବୁ ନାମ ।’’

‘‘ଆହା, ମୋହିନୀ ମରୁଭୂମି ।’’

 

ପୃଥିବୀର ଯେତେ ସହର

 

ଦିନ ଯାକ ପଥର ଓ ବାଲି ବୋଝେଇ କରିଛୁ, ତା’ପରେ ଟିକିଏ ବିଶ୍ରାମ ନେବାକୁ ବସିଛୁ । ସେତେବେଳେ ରାତି ।

 

ଆମେ କହିଲୁ, ‘‘ହୁମ୍’’ ।

 

ପାହାଡ଼ ତଳେ ଆଲୁଅ ଜଳୁଛି, ସମୁଦ୍ରର ବକ୍ଷରେ ମଧ୍ୟ । ଆମେ ପରସ୍ପର ଆଡ଼କୁ ଅନାଇ ରହିଛୁ । ଉପରେ ଝିଅମାନେ ଯାଉଛନ୍ତି । ଆମେ କହି ଚାଲିଛୁ, ‘‘ହୁମ୍’’ ।

 

ସବୁଠୁଁ ବେଶୀ ଡେଙ୍ଗା ଲୋକଟା କହିଲା,’’ ଆଲିସାନ୍ତେ ।’’

 

ଆମେ ସମସ୍ତେ ବି ଶେଷରେ ତୁଣ୍ଡ ଖୋଲିଲୁ,’’ ଆଲିସାନ୍ତେ ?’’

 

‘‘ସିଡନି ! ଆଲିସାନ୍ତେ !’’

 

‘‘ସିଡନି ବି ?’’

 

‘‘ପୃଥିବୀର ଯେତେ ସହର ।’’

 

ଦୁଇଟି ଝିଅ ଆମରି ପାଖ ଦେଇ ଚାଲିଗଲେ, ତା’ପରେ ରହିଗଲେ ।

 

ଜଣେ ଅପରକୁ ପଚାରିଲା, ‘‘କଅଣ ହେଲା ?’’

 

ଆମେ ଆଙ୍ଗୁଳିରେ ଆଲୁଅଗୁଡ଼ାକ ଆଡ଼କୁ ଠାରି ଦେଲୁ ।

 

‘‘ସହର–’’

 

‘‘ପୃଥିବୀର ଯେତେ ସହର ।’’

 

ସେମାନେ ହସିଲେ, କିନ୍ତୁ ରହିଗଲେ । ଡେଙ୍ଗା ଲୋକଟି କହିଲା, ‘‘ମାନିଲା ।’’

 

ସେମାନେ ଧରାପଡ଼ି ଯାଇଛନ୍ତି । ଆମେ ସେମାନଙ୍କୁ ଦେଖାଇଦେଲୁ ପତ୍ରର ଫାଙ୍କରେ ଆଲୁଅ, ପାଣି ଉପରେ ଆଲୁଅ-ପତ୍ର, ରାତି ।’’ ପୃଥିବୀର ଯେତେ ସହର ।’’

 

ଡେଙ୍ଗା ଲୋକଟି ଚିତ୍କାର କଲା, ‘‘ସାନ୍‍ଫ୍ରାନ୍ସିସ୍କୋ ।’’

 

ଆମେ ସମସ୍ତେ ଚିତ୍କାର କରିବାକୁ ଲାଗିଲୁ ।

 

‘‘ଲେଗ୍‍ହର୍ଣ୍ଣ ।’’

 

‘‘ଆକାପୁଲ କୋ ।’’

 

ଜଣେ ଗେଡ଼ା ଲୋକ କହିଲା, ‘‘ଆରପେୟାଟା ସ୍କ୍ରି ଭିୟା ।’’

 

କମ୍‍ ବୟସ୍କ ପିଲାଟି କମ୍ପୁଛି । ଆମେ ପଚାରିଲୁ, ‘‘ଜାଗାଟା କେଉଁଠି ?’’

 

ଗେଡ଼ା ପିଲାଟି ଜବାବ ଦେଲା,’’ ମୁଁ ଯେଉଁଠି ଥିଲି । ଜାଗାଟା ପାରସ୍ୟରେ ।’’

 

ଆମ ତଳେ ମଲା ନୌକାଟା ଭାସିଗଲା । ଆମ ଭିତରେ ଯେ ସବୁଠୁଁ ବେଶୀ ପ୍ରବୀଣ, ସେ କହିଲା,’’ ମୁଁ ଥିଲି ବ୍ୟାବିଲୋନିୟାରେ ।’’

 

‘‘ବ୍ୟାବିଲୋନିୟାରେ । ବ୍ୟାବିଲୋନିୟାରେ ।’’

 

ଡେଙ୍ଗା ଲୋକଟି ପୁଣି କହିଲା, ‘‘ସେଟା ତ ଗୋଟାଏ ପ୍ରବୀଣ ସହର ।’’

 

ବୁଢ଼ା ଲୋକଟି ପଚାରିଲା, ‘‘ମୁଁ କଅଣ ଯଥେଷ୍ଟ ପ୍ରବୀଣ ନୁହେଁ ? ମୁଁ ତ ସେଠାରେ ଥିଲି ମୋର ଯୁବାକାଳରେ ।’’

 

ଡେଙ୍ଗା ଲୋକଟି କହିଲା, ‘‘କିନ୍ତୁ ସେ ତ ଏକ୍ଷଣି ଶେଷ ହୋଇଯାଇଛି ।’’

 

ବୁଢ଼ା ଜବାବ ଦେଲା, ‘‘ହଁ । କିନ୍ତୁ ସେ ଥିଲା ଅପୂର୍ବ ସୁନ୍ଦର ।’’ ଦୀର୍ଘଶ୍ୱାସ ଛାଡ଼ି ସେ ପୁଣି କହିଲା,’’ ସେ କି ଆଶ୍ଚର୍ଯ୍ୟ ଆଲୁଅ !’’

 

ଲେଖକ ହେବା

 

ମୋର ତ ମାନେ ହୁଏ, ଲେଖକ ହେବାକୁ ବସିଲେ ଅତ୍ୟନ୍ତ ବିନୟୀ ହେବାକୁ ପଡ଼େ ।

 

ବାବାଙ୍କୁ ଦେଖି ମୋର ତ ସେୟା ହିଁ ମନେ ହୋଇଛି । ବାବା ଘୋଡ଼ାର ଖୁରରେ ନାଲ ମାରୁଥିଲେ, ଆଉ ବିୟୋଗାନ୍ତକ ନାଟକ ରଚନା କରୁଥିଲେ । ଘୋଡ଼ାର ଖୁରରେ ନାଲ ମାରିବାଠୁଁ ବିୟୋଗାନ୍ତ ନାଟକ ରଚନାକୁ ସେ କିଛି ବେଶୀ ପ୍ରାଧାନ୍ୟ ଦେଉନଥିଲେ । ଘୋଡ଼ାର ଖୁରରେ ନାଲ ମାରିଲା ବେଳେ ଯଦି କେହି କହୁଥିଲା’’ ସେମିତି ମାର ନାହିଁ, ଏମିତି ମାର, ତୁମେ ଭୁଲ୍‍ କରୁଛ,’’ ବାବା ସେ କଥାକୁ ଆଦୌ କାନ ଦେଉନଥିଲେ । ନୀଳଚକ୍ଷୁରେ ଦୃଷ୍ଟିରେ ସେ ତାହା ଆଡ଼କୁ ଅନାଉଥିଲେ, ହୁଏତ ମୁରୁକି ନୋହିଲେ ଜୋରରେ ହସି ପକାଉଥିଲେ, ଆଉ ମୁଣ୍ଡ ହଲାଉଥିଲେ । କିନ୍ତୁ ଲେଖିଲା ବେଳେ ବାବା ସବୁ ଲୋକଙ୍କର ସମସ୍ତ ପରାମର୍ଶ–ସେ ଯାହା କହୁ– ଶୁଣିଥିଲେ ।

 

କେହି କିଛି କହିଲେ ସେ ମନ ଦେଇ ଶୁଣୁଥିଲେ, ମୁଣ୍ଡ ହଲାଉନଥିଲେ, ମାନିନେଉଥିଲେ । ଲେଖା ସମ୍ବନ୍ଧରେ ସେ ଥିଲେ ଅତ୍ୟନ୍ତ ବିନୟୀ । ସେ କହୁଥିଲେ, ସମସ୍ତଙ୍କଠୁଁ ନେବାକୁ ହୁଏ । ଲେଖାକୁ ଭଲ ପାଉଥିଲେ ବୋଲି ବାବା ସବୁ ବିଷୟରେ ସଦାବେଳେ ବିନୟୀ ହୋଇ ରହିବାକୁ ଚେଷ୍ଟା କରୁଥିଲେ, ସବୁ ବିଷୟରେ ଲୋକଙ୍କଠାରୁ ନେବାକୁ ଚେଷ୍ଟା କରୁଥିଲେ ।

 

ଜେଜେ-ମାଆ ବାବାଙ୍କର ଲେଖା ପଢ଼ି ହସୁଥିଲେ । କହୁଥିଲେ, ‘‘ବୋକାମୀ ।’’

 

ମାଆଙ୍କର ବି ସେହି ମତ । ବାବାଙ୍କର ଲେଖା ପଢ଼ି ସେ ତାହାଙ୍କୁ ଉପହାସ କରୁଥିଲେ-

 

ଖାଲି ମୋର ଭାଇମାନେ ଆଉ ମୁଁ, ଆମେ ହସୁନଥିଲୁ । ଆମେ ଦେଖୁଥିଲୁ, ବାବା କେମିତି ଲାଲ୍‍ ପଡ଼ିଯାଉଥିଲା, ସବିନୟରେ ମୁଣ୍ଡ ନୁଆଁଇ ଦେଉଥିଲେ, ଆଉ ସେୟା ଦେଖି ଦେଖି ଆମେ ବି ଶିଖିଗଲୁ । ଥରେ କିଛି ଶିଖିବି ବୋଲି ମୁଁ ବାବାଙ୍କ ସାଙ୍ଗରେ ଘରୁ ବାହାରକୁ ଚାଲିଯାଇଥିଲି ।

 

ବାବା ପ୍ରାୟ ଏମିତି କରୁଥିଲେ । ନିକାଞ୍ଚନରେ ବସି ଲେଖିବେ ବୋଲି ସେ ମଝିରେ ମଝିରେ ଘରୁ ବାହାରିଯାଉଥିଲେ । ଥରେ ମୁଁ ତାହାଙ୍କ ପଛେ ପଛେ ଗଲି । ଆଠଦିନ ଧରି ଆମେ ଚାଲିଲୁ ଉଚ୍ଛଳ ନାଚର ପ୍ରାନ୍ତର ବକ୍ଷରେ, ନୈଷଙ୍ଗର ରାଶି ରାଶି ଧଳାଫୁଲ ଅତିକ୍ରମ କରି, ମଝିରେ ମଝିରେ କୌଣସି ପାହାଡ଼ର ଛାଇରେ ବିଶ୍ରାମ କରୁଥିଲ । ବାବା ନୀଳଚକ୍ଷୁ ମେଲାଇ ଲେଖୁଥିଲେ, ମୁଁ ବି ଲେଖୁଥିଲି । ଘରକୁ ଫେରି ଆସିଲା କ୍ଷଣି ମାଆଙ୍କଠାରୁ ଯଥେଷ୍ଟ ମାଡ଼ ଖାଇଲି-ଦୁଇଜଣଙ୍କର ପାଉଣାଟା ମୁଁ ଏକା ସହିଲି ।

 

ବାବା ମୋ ନିକଟରେ କ୍ଷମା ଚାହିଁଲେ, ତାହାଙ୍କ ତରଫରୁ ଯେଉଁ ମାଡ଼ଟା ଖାଇଲି, ସେଇଥିପାଇଁ ।

 

ମୋର ଏବେ ବି ମନେ ଅଛି–ମୁଁ କୌଣସି ଜବାବ ଦେଇନଥିଲି ।

 

ମୁଁ କଅଣ କହିପାରି ଥାଆନ୍ତି, କ୍ଷମା କରିଛି ?

 

ଗୋଟାଏ ଭୟଙ୍କର କଣ୍ଠରେ ବାବା ମୋତେ କହିଥିଲେ, ‘‘ଜବାବ ଦେ ! ତୁ କଅଣ ମୋତେ କ୍ଷମା କଲୁ ?’’ ବାବାଙ୍କୁ ଦେଖି ସେତେବେଳେ ମୋର ମନେ ହୋଇଥିଲା, ସେ ଯେମିତି ହ୍ୟାମଲେଟର ପିତାର ପ୍ରେତାତ୍ମା, ପ୍ରତିଶୋଧ ଦାବୀ କରୁଛନ୍ତି; କିନ୍ତୁ ବାବା ସତରେ ଚାହିଁନଥିଲେ ଯେ ମୁଁ ତାହାଙ୍କୁ କ୍ଷମା କରେଁ ।

 

କିନ୍ତୁ ସେଥିରୁ ମୁଁ ଶିଖିଲି, ଲେଖା କଅଣ ।

 

–ଏଲିଓ ଭିତ୍ତରିନି

Image

 

ଆକାଶ ହୃଦୟ

 

ମାର୍ଚ୍ଚ ମାସ, ତେଇଶ ତାରିଖ । ଆକାଶର ପଶ୍ଚିମ କୋଳକୁ ଲାଗି ସୂର୍ଯ୍ୟ ଠିଆ ହୋଇଥାଆନ୍ତି । ତାହାଙ୍କ ଭିତରୁ ଯେଉଁ ରଶ୍ମି ନିର୍ଗତ ହେଉଥାଏ, ତାହାର ସୌନ୍ଦର୍ଯ୍ୟ ସତରେ ଉପଭୋଗ୍ୟ ।

 

ଯେତେବେଳେ ପ୍ରାକୃତିକ ଅବସ୍ଥା ଏହିପରି, ସେତେବେଳେ ଜେଲଖାନାର ଲୁହା ଫଟକଟା ଝଣ ଝଣ ଶବ୍ଦ କରି ଖୋଲିଗଲା । ଜଣେ କଏଦୀ ତା’ ଭିତରେ ପ୍ରବେଶ କଲା । ସତରେ ତାହାର ବୟସ କମ୍‍ । ତାହାର ଚାଲିଚଳନ ଢଙ୍ଗଢାଙ୍ଗ ଓ ଚେହେରା ସବୁ ଅନ୍ୟ କଏଦୀଙ୍କଠାରୁ ଅଲଗା । ସାଦା ପୋଷାକରେ ତାହାର ଦେହଟା ଆବୃତ । ମୁଣ୍ଡ ଉପରେ ଲମ୍ବା ଟୋପି । ତାହାର ରଙ୍ଗ ବି ସାଧା, ଦୁଧ ପରି ଧଳା ଟୋପିର ଗୋଟିଏ ପାଖରେ ଖଣ୍ଡିଏ ରେଶମୀ ଫିତା ବନ୍ଧା ହୋଇଥାଏ । ଏହି ଫିତାଟିର ରଙ୍ଗ ବି ଦେଖିବାକୁ ସାଦା ।

 

ବାଟ ସାରା ସେ ନୀରବରେ ଆସିଛି । କାହାରି ସାଙ୍ଗରେ ପଦେ କଥା ବି ସେ କହି ନାହିଁ । ପୋଲିସ ତାହାକୁ ହାତକଡ଼ି ଦେଇ ରେଳଗାଡ଼ିରେ ବସାଇଆଣିଥିଲା । ରେଳଗାଡ଼ି ଭିତରେ ସେ ପଥର ପରି ଜଡ଼ହୋଇ ମୁହଁ ତଳକୁ ପୋତି ଖାଲି ତାହାର ହାତର ନଖଗୁଡ଼ାକ ଆଡ଼କୁ ଅନାଇ ବସିରହିଥିଲା । ତା’ପରେ ଏଠାରେ ଓହ୍ଲାଇ, ସେ ଅତି ଆଗ୍ରହରେ ଜେଲଖାନାର ପରିଚାଳକଙ୍କ ମୁହଁକୁ ଅନାଇଲା । କିନ୍ତୁ ଜେଲଖାନାର ପରିଚାଳକ ତାହାର ଏହି ଦୃଷ୍ଟିର ବିନିମୟରେ ତାହାର ମୁହଁ ଉପରେ ଯେଉଁ ଦୃଷ୍ଟି ନିକ୍ଷେପ କଲେ, ତାହା ଉଦାସୀନତାରେ ପୂରି ରହିଥିଲା ।

 

କିନ୍ତୁ ଗୋଟାଏ ମଜା କଥା ଦେଖନ୍ତୁ ! କଏଦୀ ଓ ଜେଲ୍‍ ପରିଚାଳକଙ୍କ ନାମ ଏକା । ଦୁଇଜଣଙ୍କ ନାମ କ୍ୟାସିଓଲିଙ୍ଗିନୋ । ସେମାନଙ୍କୁ ଏହା ଜଣା । ହଁ, ସେମାନେ ଜାଣନ୍ତି, ନିଶ୍ଚୟ ତାହା ଜାଣନ୍ତି ।

 

ଜେଲ-ପରିଚାଳକଙ୍କ ଶରୀରଟା ଟିକିଏ ବଙ୍କାଳିଆ, ସାମନାଆଡ଼କୁ ଟିକିଏ ନଇଁ ପଡ଼ିଛି-। ତାଙ୍କର ଛୋଟ ଛୋଟ ହାତ ଦୁଇଟି ପ୍ରାୟ ସବୁ ବେଳେ ନିଜର ଓଭରକୋଟର ପକେଟ ଭିତରେ ପଶି ରହିଥାଏ । ମୁହଁଟି ପରିଷ୍କାର ଭାବରେ କ୍ଷିଅର ହୋଇଥାଏ,-ମୁହଁରେ ଗୋଟାଏ କ୍ଳାନ୍ତିକର ଭାବ, ଆଖି ଦୁଇଟି ସବୁଜ ଓ ବୁଦ୍ଧିର ପରିଚାୟକ, ମୁଣ୍ଡର ବାଳଗୁଡ଼ିକ ଛୋଟ ଛୋଟ କରି କଟା ହୋଇଛି, କାନ ଦୁଇଟି ବେଶ ବଡ଼ ବଡ଼-ସହଜରେ ଲୋକର ନଜର ତା’ ଉପରେ ପଡ଼ିଯାଏ-

 

ଏପ୍ରିଲ ପହିଲା ତାରିଖରେ କ୍ୟାସିଓ ଆବେଦନ କରିଥିଲା । ସେ ଚିଠି ଲେଖିବାକୁ ଅନୁମତି ପାଇଁ ଜେଲ୍‍ ପରିଚାଳକଙ୍କ ପାଖରେ ଜଣାଇଥିଲା ।

 

ସେଇଥି ପାଇଁ କ୍ୟାସିଓକୁ ଜେଲ୍‍ ପରିଚାଳକଙ୍କ ଅଫିସକୁ ଡକା ଯାଇଛି ।

 

କ୍ୟାସିଓ ଗୋଟିଏ ଝରକା ସାମନାରେ ଠିଆ ହୋଇଛି । ସେ ଠିଆହୋଇ ବାହାରେ ଅଜାଡ଼ି ପଡ଼ିଥିବା ସେହି ସୂର୍ଯ୍ୟକିରଣର ସୁନେଲି ଆଭା ଦେଖୁଛି । ଗୋଟିଏ ସାଦା ରଙ୍ଗର ଟେବୁଲ ଆଗରେ ଅସ୍ୱାଭାବିକ ଭାବରେ ନଇଁପଡ଼ି ଜେଲ୍‍ ପରିଚାଳକ ନିଜର କାମ କରୁଛନ୍ତି । କ୍ୟାସିଓ ଯେ ଢେର ବେଳ ହେଲା ଆସି ତାହାଙ୍କ ଆଗରେ ଠିଆ ହୋଇ ଅପେକ୍ଷା କରିଛି, ସେଥି ପ୍ରତି ତାଙ୍କର ଭ୍ରୂକ୍ଷେପ ନାହିଁ ।

 

କେତେବେଳକେ ଯାଇ ଜେଲ୍‍ ପରିଚାଳକ ହଠାତ୍‍ କ୍ୟାସିଓ ଆଡ଼କୁ ଫେରି ଚାହିଁଲେ । କିନ୍ତୁ ତାହାକୁ ସମ୍ମାନ ଦେଖାଇବା ପାଇଁ ସେ ନିଜ ଆସନରୁ ଉଠିଲେ ନାହିଁ, କି ତାହାକୁ ବସିବାକୁ ବି କହିଲେ ନାହିଁ । ତାହାର ମୁହଁକୁ ଥରେ ଚାହିଁଦେଇ, ସେ ତତ୍‍କ୍ଷଣାତ୍‍ ଦୃଷ୍ଟି ଫେରାଇନେଲେ । ସେ ତାହାକୁ ଚାହିଁ କହିଲେ ଜାଲ୍‍ କରିଥିବା ଅପରାଧରେ ତୁମକୁ ତିନିବର୍ଷ ଅଶ୍ରମ କାରାବାସର ହୁକୁମ ହୋଇଛି । ଟିକିଏ ଚୁପ ରହି, ସେହି ଭାବରେ ତାହା ଆଡ଼କୁ ଚାହିଁ, ସେ ପୁଣି କହିଲେ-ହଁ, ମାସରେ ଥରେ ତୁମକୁ ଚିଠି ଲେଖିବାକୁ ଅନୁମତି ଦିଆଗଲା ।

 

କିନ୍ତୁ ମୁଁ ତ ଘରକୁ ଚିଠି ଲେଖିବା ପାଇଁ ଅନୁମତି ଭିକ୍ଷା କରି ନାହିଁ । ମୋ ନିଜର ମନ ଭଲ ରଖିବା ଲାଗି ମୋ କୋଠରୀରେ ବସି ଏଣୁ ତେଣୁ କିଛି ଲେଖିବା ପାଇଁ ଅନୁମତି ପାଇବାକୁ ମୁଁ ଆପଣଙ୍କ ନିକଟରେ.........

 

ଜେଲ୍‍ ପରିଚାଳକ ବାଧା ଦେଇ କହିଲେ-ଜେଲର ନିୟମ ତାହା ନୁହେଁ । ତେବେ, ତୁମେ ଯଦି ଅଫିସରେ କିରାଣୀମାନଙ୍କ ସାମନାରେ ବସି ଜେଲର ଖାତାପତ୍ର ଲେଖିବାକୁ ଚାହ, ମୁଁ ତା’ର କିଛି ବ୍ୟବସ୍ଥା କରିଦେଇପାରେ । କଅଣ ଏଥିରେ ତୁମେ ରାଜି ତ ?

 

କ୍ୟାସିଓ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

 

କିନ୍ତୁ ଗୋଟାଏ କଥା । ଜେଲ୍‍ ପରିଚାଳକ ୨୪୫ ନମ୍ବର ଆସାମୀ, ଅର୍ଥାତ୍‍ କ୍ୟାସିଓ ସମ୍ବନ୍ଧରେ କର୍ତ୍ତୃପକ୍ଷଙ୍କଠାରୁ ଯେଉଁ ରିପୋର୍ଟ ପାଇଥିଲେ, ତହିଁରୁ ସେ ଜାଣିପାରିଛନ୍ତି ଯେ ଏହି ଆସାମୀଟି ଭଦ୍ରଘରର ପିଲା । ତାହାର ଅବସ୍ଥା ଖୁବ୍‍ ଭଲ । ସେ ସାର୍ଡ଼ୋନିୟାର ଜଣେ ବିଖ୍ୟାତ ବଡ଼ ଲୋକ । ସେଥି ପାଇଁ ଜେଲ୍‍ ପରିଚାଳକ ତା’ ପ୍ରତି ସେମିତି କଠୋର ହୋଇପାରୁ ନାହାନ୍ତି । ଆଉ ତାହା ଛଡ଼ା ୨୪୫ ନମ୍ବର କଏଦୀର ମୁହଁ ଓ ଆଖିରେ ଏମିତି ଗୋଟାଏ ଆକର୍ଷଣୀୟ ଭାବ ଅଛି ଯେ, ଜେଲ୍‍ ପରିଚାଳକ ହୁଏତ ଶତଚେଷ୍ଟା କରିସୁଦ୍ଧା ତାହା ବିରୁଦ୍ଧରେ ନିଜର ସ୍ଵଭାବଗତ କଠୋରତା ପ୍ରୟୋଗ କରିପାରୁ ନାହାନ୍ତି । ଏଥିପାଇଁ ତେଣେ ଅନ୍ୟ କଏଦୀସବୁ କ୍ୟାସିଓ ବିରୁଦ୍ଧରେ ମନେ ମନେ ଗୋଟାଏ ହିଂସାଭାବ ପୋଷଣ କରନ୍ତି । ସେମାନେ କୁହାକୁହି ହୁଅନ୍ତି-ଜେଲ୍‍ ପରିଚାଳକ ସାର୍ଡ଼ୋନିୟାର ଲୋକ । କ୍ୟାସିଓ ବି ସେଠାରେ ବାସିନ୍ଦା । ତେଣୁ ଦୁହିଁଙ୍କ ଭିତରେ ନିଶ୍ଚୟ ଗୋଟାଏ ଆତ୍ମୀୟତା ଅଛି । ସେଥିପାଇଁ ସେ ଏହି କଏଦୀକୁ ସାଧାରଣ ଦୃଷ୍ଟିରେ ଦେଖୁ ନାହାନ୍ତି, ସ୍ୱତନ୍ତ୍ର ଦୃଷ୍ଟିରେ ଦେଖୁଛନ୍ତି ।

 

ଏହିପରି ଆହୁରି କେତେ କଅଣ ସେମାନେ କୁହାକୋହି ହୁଅନ୍ତି ।

 

 

ଜେଲଖାନା ଅଫିସର ଗୋଟାଏ ଟେବୁଲ ସାମନାରେ କ୍ୟାସିଓ ବସିଛି । ଟେବୁଲର ତିନିପଟରେ ଆଉ ତିନିଜଣ କଏଦୀ ବସିଛନ୍ତି ।

 

କ୍ୟାସିଓ ଦେଖିଲା, ଏମାନେ ଭଲଭାବରେ କାମ କରିପାରୁ ନାହାନ୍ତି । ଚାରିଆଡ଼େ ବିଶୃଙ୍ଖଳତାର ସ୍ପଷ୍ଟ ଚିହ୍ନ । ଟେବୁଲ ଉପରେ ରଖାଯାଇଥିବା କାଗଜପତ୍ର ଓ ଖାତାସବୁ ମଝିରେ ମଝିରେ ପବନରେ ଘରର ଗୋଟାଏ ଆଡ଼ୁ ଅନ୍ୟ ଆଡ଼କୁ ଉଡ଼ି ଯାଉଛି । ସେମାନେ କେହି ଭ୍ରୂକ୍ଷେପ କରୁନାହାନ୍ତି । ଘର ଭିତରେ ଏଠି ସେଠି ଅଳିଆ ଜମା ହୋଇ ରହିଛି–ଅପରିଷ୍କାର, ଅତ୍ୟନ୍ତ ଅପରିଷ୍କାର । ଏହା ଦେଖି କ୍ୟାସିଓର ମନ ଭିତରେ ବିରକ୍ତ ଓ ଅସନ୍ତୋଷ ଜାତ ହୁଏ ।

 

କିନ୍ତୁ ଖାଲି ଏତିକି ନୁହେଁ ।

 

ସେମାନେ କ୍ୟାସିଓର ସଙ୍ଗ ପସନ୍ଦ କରନ୍ତି ନାହିଁ । ସେମାନେ ତାହାକୁ ସେମାନଙ୍କ ସାମନାରେ ବସିଥିବାର ଦେଖିଲେ ମୁହଁ ଓ ଆଖିରେ ଏମିତି କଦର୍ଯ୍ୟ ଭାବ ପ୍ରକାଶ କରନ୍ତି ଯେ କ୍ୟାସିଓ ତାହା ଦେଖି ଅତିଶୟ ସଙ୍କୁଚିତ ହୋଇଯାଏ । ସେମାନଙ୍କର ସଙ୍ଗ ତାହାକୁ ଭଲ ଲାଗେ ନାହିଁ । ସେ ମନେ ମନେ ଭାବେ-ୟା ଠାରୁ ତାହାର କ୍ଷୁଦ୍ର ନିର୍ଜନ କୋଠରୀଟି ଭିତରେ ଏକା ରହିବା ଢେର ଭଲ । ସେଠାର ଝରକାଟି ଉପରେ ହାତରଖି ଠିଆ ହେଲେ ବାହାରର ପର୍ବତ ଶ୍ରେଣୀର ସୌଧର୍ଯ୍ୟ ତାହାର ଆଖିରେ ପଡ଼ିବ । ଏହି ପର୍ବତ ଶ୍ରେଣୀର ପ୍ରାକୃତିକ ସୌନ୍ଦର୍ଯ୍ୟ ତାହାକୁ ସ୍ମରଣ କରାଇଦେବ–ତା’ ନିଜ ଦେଶର ପ୍ରକୃତିର ରୂପ । ଏଥିରେ ସେ ତାହାର ଏହି ଦୁର୍ଭାଗ୍ୟ ମଝିରେ ବି ଟିକିଏ ଶାନ୍ତି ପାଇବ ।

 

କେତେଦିନ ପରେ ।

 

ଲଫାଫା ଉପରେ ସାର୍ଡ଼ୋନିୟାର ମୋହର ମରା ହୋଇ କ୍ୟାସିଓର ନାମରେ ଖଣ୍ଡିଏ ଚିଠି ଆସିଲା । ଲଫାଫା ଉପରେ ନାମ ଓ ଠିକଣା ଖୁବ୍‍ ପରିଷ୍କାର ଅକ୍ଷରରେ ଲେଖାଯାଇଥିଲା । ଦେଖିଲା କ୍ଷଣି ଜଣାଯାଉଥିଲା, ତାହା କୌଣସି ନାରୀର ହସ୍ତାକ୍ଷର ।

 

କିନ୍ତୁ ଜେଲ୍‍ ପରିଚାଳକ ଚିଠିଖଣ୍ଡିକ ଖୋଲିଲେ । ଗୋଟାଏ ଇତସ୍ତତଃତା ଭିତରେ ସେ ତାହା ଆମୂଳଚୂଳ ପାଠ କଲେ । ତାଙ୍କର ମନେ ହେବାକୁ ଲାଗିଲା, ସତରେ ୟାରୀ ଅପେକ୍ଷାରେ ବୋଧହୁଏ ସେ ଏତେଦିନ ହେଲା ବସିଥିଲେ ।

 

ହଜାରେ ହେଲେ ବି ଜେଲ୍‍ ପରିଚାଳକ ତ ମଣିଷ-ପୁରୁଷ ମଣିଷ । ଯୌବନ ଯେ ସତରେ ତାହାଙ୍କ ଦେହରୁ ବିଦାୟ ନେଇଛି, ତାହା ନୁହେଁ । ସେ ଅନେକ ଦୁଃଖକଷ୍ଟ ଭୋଗ କରିଛନ୍ତି । କିନ୍ତୁ ସହାନୁଭୂତି ଓ ମମତା ତାହାଙ୍କ ହୃଦୟରେ ଅଛି । ଯଦି ୨୪୫ ନମ୍ବର କଏଦୀ ଜଣକ ଗରିବ ଶୟତାନ ଓ ଶତ୍ରୁ ହୋଇଥାଆନ୍ତା-ଯେମିତି ଅନ୍ୟ କଏଦୀମାନେ ହୋଇଥାଆନ୍ତି-ତାହାହେଲେ ଜେଲ୍‍ ପରିଚାଳକ କେବେ ହେଲେ ପ୍ରଥମ ଦିନଠୁଁ ତା’ ସମ୍ବନ୍ଧରେ ଗୋଟାଏ ସ୍ୱତନ୍ତ୍ର ଭାବ ଧାରା ମନେ ମନେ ପୋଷଣ କରିନଥାନ୍ତେ ।

 

୨୪୫ ନମ୍ବର କଏଦୀର ଚିଠିଟିରେ ଲେଖା ଯାଇଛି–

 

‘‘କ୍ୟାସିଓ, ଧୈର୍ଯ୍ୟ ଧରି ରୁହ, ହତାଶ ହୁଅ ନାହିଁ । ତୁମର ଏହି ପରିଣତି ଲାଗି ନିଜ ମନକୁ ଅଯଥା କଷ୍ଟ ଦିଅ ନାହିଁ । ମନେ ରଖିଥାଅ, ଏହି ପୃଥିବୀ ବକ୍ଷରେ ଆମେ ଏକା । ଭଲ ପାଇବାକୁ ସମ୍ବଳ କରି ଆମେ ବଞ୍ଚିରହିଛୁ । ଏହି ଭଲପାଇବାକୁ ଅବଲମ୍ବନ କରି, ଆମେ ପରସ୍ପରକୁ ବିଶ୍ୱାସ କରୁଁ । କ୍ୟାସିଓ, ସେହି ବିଶ୍ୱାସର ଅନ୍ତ ନାହିଁ । ସମୟ କାହାରି ସକାଶେ ଅପେକ୍ଷା କରେନା । ଦୁଃଖଦିନ କଟିଯିବ । ସମୟର ଅନୁକୂଳତାରେ ଯେତେବେଳେ ଭଗବାନ ଆମଦୁହିଁଙ୍କ ମଝିରେ ଠିଆହୋଇ ମିଳନର ସୁମଧୁର ବଂଶୀ ବଜାଇବେ, ସେତେବେଳେ ମୋ ଲାଗି ତୁମର ଏଇ ଯେଉଁ ସ୍ୱାର୍ଥତ୍ୟାଗ ମୁଁ ନିଶ୍ଚୟ ତାହାର ପ୍ରତିଦାନ ଦେବି । ନିଜକୁ ନୀଚ ଓ ଘୃଣିତ ବୋଲି ମନେ କର ନାହିଁ । ସଚ୍ଚୋଟ ଲୋକମାନେ ଜାଣନ୍ତି-ତୁମେ ମୋ ପାଇଁ ଯେଉଁ କାମ କରିଛ ଏବଂ ଯେଉଁ କାମ ଫଳରେ ତୁମର ଏହି ଦୁର୍ଦ୍ଦଶା, ସେ କାମ ବୀରର କାର୍ଯ୍ୟ । ବୀର ନ ହେଲେ ଏ କାମ କରିବାକୁ କେହି କେବେ ସାହସ କରିପାରିବ ନାହିଁ ।’’

 

ଚିଠିଟି ପଢ଼ି ଜେଲ୍‍ ପରିଚାଳକ ଚିନ୍ତିତ ହୋଇ ପଡ଼ିଲେ । ସାମାନ୍ୟ କେତୋଟି ଧାଡ଼ି ଲେଖାଯାଇଛି । କିନ୍ତୁ କି ପ୍ରେରଣା ଓ ପ୍ରେମର ସୌରଭ ଏହା ଭିତରୁ ବାହାରି ଆସୁଛି ! ଜେଲଖାନାରେ ଏହି ରକମ୍‍ ସୁନ୍ଦର ଚିଠି, ଏହା ହିଁ ପ୍ରଥମ । ସେ ବିଷୟରେ କୌଣସି ସନ୍ଦେହ ନାହିଁ-

 

ସେ ୨୪୫ ଅମ୍ବରର କଏଦୀକୁ ନିଜ କକ୍ଷକୁ ଡକାଇ ପଠାଇଲେ । ସେ ଆସିଲାରୁ, ତାହାକୁ ଅଫିସ କାମ ସମ୍ବନ୍ଧରେ ଦୁଇ ଚାରି କଥା କହିବା ପରେ, କ୍ୟାସିଓର ମୁହଁକୁ ସ୍ଥିର ଦୃଷ୍ଟିରେ ଅନାଇ ସେ କହିଲେ-ତୁମର ଖଣ୍ଡିଏ ଚିଠି ଆସିଛି ।

 

ଏହା କହି ସେ କ୍ୟାସିଓର ହାତକୁ ଚିଠିକି ଖଣ୍ଡି ବଢ଼ାଇ ଦେଲେ ।

 

କ୍ୟାସିଓ ନତମସ୍ତକର ହାତ ବଢ଼ାଇ ଖୋଲା ଚିଠିଖଣ୍ଡିକ ନିରୁତ୍ତରରେ ଗ୍ରହଣ କଲା ସତ, କିନ୍ତୁ ତାହାର ସମୁଦାୟ ମୁଖମଣ୍ଡଳ ଏକାବେଳକେ ଜବା ଫୁଲ ପରି ରଙ୍ଗୀନ ହୋଇଗଲା ।

 

ତାହାର ନିଜ ନାମରେ ଚିଠି ଜେଲ୍‍ ପରିଚାଳକ ଖୋଲି ପଢ଼ିଛନ୍ତି । ଏହି ସତ୍ୟଟା ଜାଣି ସୁଦ୍ଧା ସେ ଚୁପ ଚୁପ ଠିଆ ହୋଇ ରହିଲା । ସେ ମୁହଁ ଫିଟାଇ କହିପାରିଲା ନାହିଁ ଯେ ପରର ଚିଠି ଖୋଲି ପଢ଼ିବା ଖାଲି ତ ବେଆଇନ ନୁହେଁ, ପାପ ମଧ୍ୟ ।

 

କିନ୍ତୁ ଏହି ଖୋଲା ଚିଠି ପାଇଲା ଦିନଠୁଁ କ୍ୟାସିଓର ଭାଗ୍ୟ ଯେମିତି ହଠାତ୍‍ ସୁପ୍ରସନ୍ନ ହୋଇଗଲା । ଜେଲ୍‍ ପରିଚାଳକ ହଠାତ୍‍ ତାହାକୁ ସୁନଜରରେ ଦେଖିବାକୁ ଲାଗିଲେ । କିନ୍ତୁ ଜେଲ୍‍ ପରିଚାଳକଙ୍କର ଏହି ପକ୍ଷପାତିତା ଅନ୍ୟ କଏଦୀଙ୍କର ଆଖି ଓ କାନ ଏଡ଼ିଦେଇ ପାରିଲା ନାହିଁ । ସେମାନେ ଏଥିପାଇଁ ମନେ ମନେ ଅସନ୍ତୁଷ୍ଟ ଓ ଇର୍ଷାପରାୟଣ ହୋଇଉଠିଲେ । ସେମାନେ କୁହାକୁହି ହେବକି ଲାଗିଲେ-କ୍ୟାସିଓ ଜେଲ୍‍ ପରିଚାଳକଙ୍କର ନିକଟ ଆତ୍ମୀୟ । ସେଥିପାଇଁ ଏ ପକ୍ଷପାତିତା । ତେବେ ଏହା ନିଶ୍ଚୟ ଅନ୍ୟାୟ ଭାରି ଅନ୍ୟାୟ ।

 

ମାସକ ପରେ କ୍ୟାସିଓ ତାହାର ବୈମାତ୍ରେୟୀ ଭଉଣୀ ପୋଲାର ଚିଠିର ଜବାବ ଦେବାକୁ ଜେଲ୍‍ ପରିଚାଳକଙ୍କ ପାଖରୁ ଅନୁମତି ପାଇଲା ।

 

ତା’ପରେ ଦିନେ କ୍ୟାସିଓ ଲେଖିଲା–

 

‘‘ଏଠାରେ ମୁଁ ମାସକରୁ ଉପରେ ହେବ ଅଛି । କିନ୍ତୁ ଏହି ସମୟଟା ମୋପକ୍ଷରେ କୋଡ଼ିଏ ବର୍ଷ ପରି ବୋଧ ହେଉଛି । ମୋର ପରିଶ୍ରମ ଅନେକ କମିଯାଇଛି । ଏମାନେ ମୋତେ ଅଫିସରେ କିରାଣୀ କାମ ଦେଇଛନ୍ତି । ଯଦିଚ କାମ କମ୍‍ ନୁହେଁ, ତଥାପି ଏଟା ମୋର ସମୟ କଟାଇବା ସକାଶେ ଖୁବ୍‍ ଭଲ । ପ୍ରଥମ ଏ କାମରେ ମୋର ମନ ଲାଗୁନଥିଲା । କିନ୍ତୁ ଏକ୍ଷଣି ସବୁ ଦେହସହା ହୋଇଗଲାଣି । ଜେଲ୍‍ ପରିଚାଳକ ମହାଶୟ ମୋତେ ଖୁବ୍‍ ସ୍ନେହ କରନ୍ତି, ପ୍ରୀତିପୂର୍ଣ୍ଣ ଦୃଷ୍ଟିରେ ଦେଖନ୍ତି ଏବଂ ଯଥେଷ୍ଟ ଭଲ ମଧ୍ୟ ପାଆନ୍ତି । ହଁ, ମୁଁ ଜାଣେ-ବେଶ ଜାଣେ ଯେ, ସମୟ କେବେ ହେଲେ ବସି ରହେ ନାହିଁ । ସେ ତାହାର କାମ କରିଯିବ ହିଁ ଯିବ । କିନ୍ତୁ ମୋର ମନେ ହୁଏ, ମୋର ଏହି ଯେଉଁ ଶାସ୍ତି ଭୋଗ, ଏହା ଅନନ୍ତ କାଳ ଯାଏ ରହିଥିବ । ଏକ୍ଷଣି ଆଉ ନଅଶହ ସତାଅଶୀ ଦିନ ବାକି ଅଛି । ସମୁଦ୍ରରେ ଢେଉର ଯେମିତି ଶେଷ ନ ଥାଏ, ମୋର ବାକି ଦିନଗୁଡ଼ିକ ବି ସେହିପରି ସୀମାହୀନ ଓ ସଂଖ୍ୟାହୀନ ବୋଲି ମନେ ହୁଏ । ତୁମ କଥା ଯେତେବେଳେ ମୋର ମନେ ପଡ଼େ, ସେତେବେଳେ ମୁଁ ଭାରି ଅସ୍ଥିର ହୋଇଯାଏ । ମୋର ମନ ଭିତରେ ଯେମିତି କିଛି ଗୋଟାଏ ବ୍ୟଥା ମୁଁ ଅନୁଭବ କରେଁ । ତଥାପି ମୁଁ ଶାନ୍ତି ପାଏଁ । ପୋଲା, ତୁମେ କେଡ଼େ ଭଲ । ମୋର ଅନୁରୋଧ, ମୋତେ ତୁମେ ଭୁଲିଯାଅ ନାହିଁ । ମାତ୍ର ମୋର ଅନୁପସ୍ଥିତି ଭିତରେ ତୁମେ ବିବାହ କର, ଘର ସଂସାର କର । କିନ୍ତୁ ଏହା ତୁମପକ୍ଷରେ ଦୂର ଅସମ୍ଭବ, ତାହା ମୋତେ ବି ଅଜଣା ନାହିଁ । ମୁଁ ଜାଣେ-ପ୍ରକୃତ ଭଉଣୀ କେବେ ତାହାର ଦୁଃଖୀ ଭାଇଟିକୁ ଭୁଲିଯାଇ ପାରିବ ନାହିଁ । ରାତିରେ ଅଳ୍ପ ପରିସର ଭିତରେ ବିଛଣାରେ ମୋତେ ନିଦ ଆସେ ନାହିଁ । ବିଛଣାରେ ପଡ଼ି ମୁଁ ଛଟପଟ ହେଉଥାଏ । ସେତେବେଳେ ମୋତେ ଦ୍ୱାରା ଲାଗେ-ଭାରି ଡର ଲାଗେ । କିନ୍ତୁ ସେମାନେ ମୋର ଏ କି ସର୍ବନାଶ କଲେ ? ଶୀଘ୍ର ଚିଠିର ଜବାବ ଦେବ । ମୋତେ ଭୁଲିଯିବ ନାହିଁ, ପୋଲା, ମୋତେ ପାସୋରି ଦେବ ନାହିଁ ।’’

 

 

ପୋଲାର ଆଉ ଖଣ୍ଡିଏ ଚିଠି ଆସି ତାହାଙ୍କ ହାତରେ ପଡ଼ିବାରୁ, ଜେଲ୍‍ ପରିଚାଳକଙ୍କ ମନ ଈର୍ଷା ଓ ଆକାଂକ୍ଷାର ଗୋଟାଏ ବିସ୍ମୟକର ମୋହରେ ସମାଛନ୍ନ ହୋଇଗଲା । ଚିଠିର ଗୋଟିଏ ଜାଗାରେ ପୋଲା କ୍ୟାସିଓକୁ ଲେଖିଛି-କ୍ୟାସିଓକୁ ନିରାନନ୍ଦ ଥିବାର ଜାଣି ସେ ଆନ୍ତରିକ ଦୁଃଖିତ, ଆଉ କ୍ୟାସିଓ ଫେରି ନଆସିବା ଯାଏ ସେ କୌଣସି ମତେ ବିବାହ କରୁନାହିଁ । ଜେଲ୍‍ ପରିଚାଳକଙ୍କୁ ଲକ୍ଷ୍ୟକରି ସେ ଚମତ୍କାର କଥା କେତେପଦ ମଧ୍ୟ ଲେଖିଛି-ତାହାଙ୍କୁ ଶ୍ରଦ୍ଧା ଭକ୍ତି କରିବ । ସେ ତୁମ ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ସେ ତୁମକୁ ପୁଅପରି ମଣନ୍ତି । ଭଗବାନଙ୍କ ନିକଟରେ ମୁଁ ତୁମର ଓ ତାଙ୍କର ମଙ୍ଗଳ କାମନା କରୁଛି ।

 

ତା’ପରେ ଦିନେ ଆସିଲା ପୋଲାର ତୃତୀୟ ପତ୍ର । ଏଥିରେ ସେ ଲେଖିଥିଲା–’’ତୁମ ବିନା ମୋର ସମୟ ନିରାନନ୍ଦରେ କଟୁଛି । କାମ ଭିତରେ ବୁଡ଼ି ରହିବାକୁ ମୁଁ ସବୁବେଳେ ଚେଷ୍ଟା କରୁଛି । ଭାବେ, ହୁଏତ ଏଥିରେ ଶାନ୍ତି ପାଇବି ମୁଁ । କିନ୍ତୁ କାହିଁ-ତାହା ତ ହେଉ ନାହିଁ, ମୁଁ ତ ଆଦୌ ଶାନ୍ତି ପାଉ ନାହିଁ । ଶାନ୍ତି ପାଇବା ଆଶାରେ ମଝିରେ ମଝିରେ ମୋର ପାଳକ ବାପ-ମାଆଙ୍କ ସାଙ୍ଗରେ ମୁଁ ଦେଶକୁ ଚାଲିଯାଏଁ । ଏହି ଦେଶ ହିଁ ମୋର ଏକ୍ଷଣି ଆନନ୍ଦର ଏକମାତ୍ର ଆଶ୍ରୟ ସ୍ଥଳୀ । ଆମେ ଘୋଡ଼ାରେ ଚଢ଼ି ଯାଉଁ । ଏଟା କିନ୍ତୁ ମୋତେ ଭାରି ଭଲ ଲାଗେ । ମନକୁ ଭୁଲାଇ ରଖିବାର ଚମତ୍କାର ଉପାୟ । ଘରେ ନୂଆ କିଛି ଘଟଣା ଘଟି ନାହିଁ । ବିଦ୍ୟାଲୟରେ ଯେଉଁ ଲୁଗା ପର୍ଦା କରିବା ପାଇଁ ମୁଁ ବୁଣିଥିଲି, ଏକ୍ଷଣି ତା’ ଉପରେ ଉପରେ ସୂଚୀକର୍ମ କରୁଛି । ମୁଁ ଆଉ କାହାରି ଦେଖାପାଉ ନାହିଁ । ମୋର ବି କାହାକୁ ଦେଖା କରିବାକୁ ଇଚ୍ଛା ହୁଏ ନାହିଁ । ସବୁ ସମୟରେ ମୁଁ ତୁମକଥା ଭାବି ଭାବି ଦିନ ଗଣୁଛି ।’’

 

ଚିଠିଟି ପଢ଼ିସାରି ଜେଲ୍‍ ପରିଚାଳକ ନିଜ ମନେ ମନେ କହିପକାଇଲେ-ଏ ପୃଥିବୀରେ ଯେଉଁମାନେ ଧନୀ ଓ ମହତ ସେମାନେ କାହିଁକି କ୍ଷମା ପ୍ରାର୍ଥନା କରନ୍ତି ନାହିଁ ? ଆଶ୍ଚର୍ଯ୍ୟ-ବଡ଼ ଆଶ୍ଚର୍ଯ୍ୟ କଥା ।

 

ଏହା କହି ସେ ଆସନ ଛାଡ଼ି ଉଠି ଠିଆ ହେଲେ । ଘରପାଖ ଦେଇ ଯେଉଁ ବଗିଚାଟି ବହୁଦୂର ଯାଏ ଲମ୍ବିଯାଇଛି, ସେହି ବଗିଚାକୁ ଆସି ସେ ଧୀରେ ଧୀରେ ପଦାଚାରଣ କରିବାକୁ ଲାଗିଲେ । ଗୋଲାପ ଗଛଗୁଡ଼ିକରେ ଶହ ଶହ ଫୁଲ ଫୁଟିଛି, ଚାରିଆଡ଼କୁ ମତୁଆଲା ସୌରଭ ଛାଡ଼ିଦେଇଛି । ଜେଲ୍‍ ପରିଚାଳକ ଚିନ୍ତିତ ମନରେ ପଦାଚାରଣ କରୁଁ କରୁଁ ଫୁଲର ସୁବାସ ଆଘ୍ରାଣ କରିବାକୁ ଲାଗିଲେ । ମୁହୂର୍ତ୍ତକେ ଭିତରେ ତାଙ୍କର ମନ ସେହି ୨୪୫ ନମ୍ବର କଏଦୀର ଭଉଣୀ ପାଖକୁ ଧାଇଁଗଲା । ସେ କଳ୍ପନା ଚକ୍ଷୁରେ ନିରୀକ୍ଷଣ କଲେ-ପୋଲା ନନିଜର ଭାଇ ପରି ଦେଖିବାକୁ ସୁନ୍ଦର । ସମସ୍ତ ଅବୟବରୁ ଯେମିତି ମାଧୁରୀ ଓ ଲାଳିତ୍ୟ ଝଡ଼ି ପଡ଼ୁଛି । ସେହି ସୌନ୍ଦର୍ଯ୍ୟର ଅନନ୍ୟ ସାଧାରଣ ମାଦକତାରେ ଜେଲ୍‍ ପରିଚାଳକ ଆତ୍ମହରା ହୋଇ ତାହାରି ଉଦ୍ଦେଶ୍ୟରେ ଦୁଇହାତ ଦୁଇଦିଗକୁ ପ୍ରସାରିତ କରି ଧାଇଁ ଚାଲିଛନ୍ତି ।

 

କିନ୍ତୁ କିଛିକ୍ଷଣ ପରେ ତାଙ୍କର ମନ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲା । ନିଜ ଉପରେ ତାଙ୍କର ରାଗ ହେଲା । ଏ କି ପିଲାଳିଆ କଥା ସେ କରୁଛନ୍ତି ?

 

 

ଦୁଇ ତିନି ମାସ ଭିତରେ କ୍ୟାସିଓର ନାମରେ ପୋଲାଠାରୁ ଆଉ ତିନିଖଣ୍ଡ ଚିଠି ଆସିଲା । ଶେଷ ଚିଠିରେ ପୋଲା ଲେଖିଛି-ସେ ତାହାର ନିଜର ଖଣ୍ଡିଏ ପ୍ରତିକୃତି ପଠାଇପାରେ, ଯଦି କ୍ୟାସିଓ ସେଟା ପାଇବା ପାଇଁ ଜେଲ୍‍ ପରିଚାଳକଙ୍କ ଠାରୁ ଅନୁମତି ପାଏ ।

 

କ୍ୟାସିଓ ଅନୁମତି ପାଇଲା ।

 

ଏକ, ଦୁଇ, ତିନି ସପ୍ତାହ କାଳ ସେହି ଦୁଇଟି ପୁରୁଷ ଜଣେ ରମଣୀର ପ୍ରତିକୃତି ପାଇଁ ଅତ୍ୟନ୍ତ ବ୍ୟାକୁଳ ଭାବରେ ପ୍ରତୀକ୍ଷା କରିବାକୁ ଲାଗିଲେ ! ଅନ୍ଧ ଯେମିତି ପୃଥିବୀର ଆଲୋକ ଦେଖିବା ପାଇଁ ଅସ୍ଥିର ହୋଇ ପଡ଼େ, ଠିକ୍‍ ସେମିତି ।

 

କିନ୍ତୁ ସେହି ବ୍ୟାକୁଳ ପ୍ରତୀକ୍ଷାରେ ଥିଲେ ସୁଦ୍ଧା, ଦୁଇଜଣଙ୍କର ପ୍ରତୀକ୍ଷାର ଧାରା ସମ୍ପୂର୍ଣ୍ଣ ଭିନ୍ନ ଥିଲା । କ୍ୟାସିଓର ପ୍ରତୀକ୍ଷା ଭିତରେ ଥିଲା ଶାନ୍ତ-ମଧୁର ଭାବ; କିନ୍ତୁ ଜେଲ୍‍ ପରିଚାଳକଙ୍କ ପ୍ରତୀକ୍ଷା ଗୋଟାଏ ଉଗ୍ର ମାନସିକ ଚଞ୍ଚଳତାକୁ ଅବଲମ୍ବନ କରି ସାବୁନଫେଣ ପରି ଫୁଲି ଫୁଲି ଉଠୁଥିଲା । ତାହାଙ୍କ ମନର ଶାନ୍ତି ହଜିଗଲା, ସ୍ଵସ୍ତି କେଉଁଠି ତଳେଇଗଲା !

 

ଅବଶେଷରେ ଦିନେ ପୋଲାର ଚିଠି ଓ ପ୍ରତିକୃତି ଆସି ଜେଲ୍‍ ପରିଚାଳକଙ୍କ ହାତରେ ପଡ଼ିଲା । ସେଥିରେ ପୋଲା ଲେଖିଥିଲା–

 

‘‘ଯେତେବେଳେ ମୋର ଛବିଟି ଉଠୁଥିଲା, ସେତେବେଳେ ମୁଁ ତୁମ କଥା ଭାବି ନିଃଶବ୍ଦରେ ହସୁଥିଲି । ଆଶା କରେଁ,ମୋର ଏହି ଛୋଟ ଛବିଟି ତୁମ ମନରେ ନିର୍ମଳ ଆନନ୍ଦ ଓ ଶାନ୍ତିର ସ୍ରୋତ ବୁହାଇଦେବି । ତୁମର ଆସନ୍ତା ଶୁଭଦିନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ମୋ ଆଖିର ଭାଷା ତୁମକୁ କଅଣ କହିବାକୁ ଚାହେ, ଆଶା କରେ, ସେଟା ତୁମର ବୁଝିବାକୁ ତିଳେ ମାତ୍ର ଉଛୁର ହେବ ନାହିଁ ।’’

 

ଜେଲ୍‍ ପରିଚାଳକ ପ୍ରତିକୃତିର ଚକ୍ଷୁ ଦୁଇଟି ଉପରେ ତାହାଙ୍କ ଅନ୍ତରର ସମସ୍ତ ଦୃଷ୍ଟି ନ୍ୟସ୍ତ କରି ରହିଲେ । କିଛିକ୍ଷଣପରେ ସେ ଚିଠିଟି ଆମୁଳ ଚୁଳ ପଢ଼ିଗଲେ । ପଢ଼ିସାରି ପୁଣି ସେ ପ୍ରତିକୃତି ଉପରେ ଦୃଷ୍ଟିପାତ କଲେ । ତାଙ୍କର ମୁହଁରୁ ଅଜାଣତରେ ବାହାରି ପଡ଼ିଲା–ଏମିତି ଚମତ୍କାର ଚିଠି ସେ ତାହାର ଭାଇକୁ ଲେଖିପାରେ ! କିନ୍ତୁ–କିନ୍ତୁ ତାହାର ଭଲ ପାଇବାର ପାତ୍ରକୁ ସେ ଆହୁରି କେଡ଼େ ସୁନ୍ଦର ଚିଠି ଲେଖି ନପାରିବ !

 

ଏହି କଥାପଦକ ଯେତେବେଳେ ତାଙ୍କର କାନରେ ଆସି ବାଜିଲା, ସେତେବେଳେ ଜେଲ୍‍ ପରିଚାଳକଙ୍କ ମନ ହଠାତ୍‍ ଗମ୍ଭୀର ହୋଇଗଲା । ତାଙ୍କର ଦୁଃଖ ବି ହେଲା ଚିନ୍ତା କରି ଯେ ସେ କୁତ୍ସିତ ଓ ବିଗତ ଯୌବନ, ଆଉ ତାହାଙ୍କୁ, ତାଙ୍କର ଏହି ଚକ୍ଷୁ ଦୁଇଟିକୁ, ଏଠାର ସବୁ କଏଦୀ ଘୃଣା କରନ୍ତି, ଭୟ ମଧ୍ୟ କରନ୍ତି ।

 

ଜେଲ୍‍ ପରିଚାଳକଙ୍କ ଚକ୍ଷୁ ଦୁଇଟି ସହସା ସଜଳ ହୋଇ ଉଠିଲା । ସେ ଆଉଥରେ ଛବିଟି ଆଡ଼କୁ ବହୁ କ୍ଷଣଧରି ଏକ ଦୃଷ୍ଟିରେ ଚାହିଁ ରହିଲେ । ଏହାର ଫଳ ହେଲା, ସେ ଛବି ଓ ଚିଠି କୌଣସିଟା କ୍ୟାସିଓକୁ ଦେଲେ ନାହିଁ, ଏବଂ ଅମ୍ଳାନ ବଦନରେ ସତ୍ୟଟାକୁ ଗୋପନ କରି ରଖିଲେ-

 

 

ସେହି ରାତିରେ ଜେଲ୍‍ ପରିଚାଳକ ସ୍ଵପ୍ନ ଦେଖିଲେ । ଗୋଟିଏ ଅସାଧାରଣ ସ୍ଵପ୍ନ – ଜେଲରେ କଏଦୀମାନେ ଏକ ସଙ୍ଗେ ବିଦ୍ରୋହ ଘୋଷଣା କରିଛନ୍ତି । ଲୌହ ଶୃଙ୍ଖଳ ଚ୍ଛିନ୍ନ କରି ସେମାନେ ରୁଦ୍ର ମୂର୍ତ୍ତିରେ ତାହାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି । ସେ ପୋଲାର ପ୍ରତିକୃତି ଧରିଛନ୍ତି । ତାଙ୍କର ହାତ ଥରଥର ହୋଇ କମ୍ପୁଛି । ସେ ପଳାଇଯାଇ ପାରୁନାହାନ୍ତି, କି ନିଜକୁ ବି ରକ୍ଷା କରିପାରୁ ନାହାନ୍ତି । ହଠାତ୍‍ ଛବିଖଣ୍ଡିକ ତାଙ୍କର ହାତରୁ ଭୁଇଁରେ ଖସିପଡ଼ିବା ମାତ୍ରେ ୨୪୫ ନମ୍ବର କଏଦୀ ଜାଣିପାରିଲା–ଏହି ଛବିଖଣ୍ଡିକ ସେ ଆତ୍ମସାତ୍‍ କରିଥିଲେ; କିନ୍ତୁ କଏଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଉପକ୍ରମ କରିବା କ୍ଷଣି, କ୍ୟାସିଓ ସେମାନଙ୍କ ମଝିକୁ ଡେଇଁ ପଡ଼ିଲା ଏବଂ କହିଲା-ଛାଡ଼ି ଦିଅ, ତାହାଙ୍କୁ ଛାଡ଼ିଦିଅ । ସେ ମୋର ଭଉଣୀକୁ ବିଭା ହେବେ ।

 

ନିଦ ଭାଙ୍ଗିଯିବା ମାତ୍ରେ ଜେଲ୍‍ ପରିଚାଳକ ଉପଲବ୍ଧି କଲେ, ତାଙ୍କର ସର୍ବାଙ୍ଗ ଘର୍ମାକ୍ତ ହୋଇଯାଇଛି । ବାକି ରାତିଟା ସେ ଶଯ୍ୟାରେ ଛଟପଟ ହୋଇ କଟାଇଦେଲେ ।

 

 

ଦିନପରେ ଦିନ ପୋଲାର ଚିଠି ଓ ପ୍ରତିକୃତିକୁ କ୍ୟାସିଓ ଚାହିଁ ବସିଥାଏ । ଏକ ସପ୍ତାହ କଟିଗଲା । କ୍ୟାସିଓ ଅସ୍ଥିର ହୋଇପଡ଼ିଲା । ଦୁଶ୍ଚିନ୍ତାରେ ତାହାର ମନ ପୂର୍ଣ୍ଣ ହୋଇଗଲା । କଥା କଅଣ ! କୌଣସି ଖବର ନାହିଁ ! ପୋଲା ଅସୁସ୍ଥ ହୋଇପଡ଼ି ନାହିଁ ତ ? ସେ ମନେ ମନେ ସ୍ଥିର କଲା–ତା’ର କରିବ । ଜେଲ୍‍ ପରିଚାଳକଙ୍କୁ ଏହି କଥାଟି ଜଣାଇଲେ ସୁଦ୍ଧା ସେ ଅନୁମତି ଦେଲେ ନାହିଁ । କିନ୍ତୁ ବହୁ ସାଧ୍ୟ ସାଧନା ଓ ଅନୁନୟ ବିନୟ ପରେ ତାହାର ନିର୍ଦ୍ଧିଷ୍ଟ ମାସର ମାତ୍ର ଦୁଇ ଦିନ ପୂର୍ବରୁ ସେ ପୋଲାକୁ ଚିଠି ଲେଖିବାକୁ ପୁଣି ଆଦେଶ ପାଇଲା ।

 

ଏଥର କ୍ୟାସିଓର ଚିଠି ଏମିତି ଗୋଟାଏ ବ୍ୟଥାର ସହିତ ଲେଖାହୋଇଥିଲା ଯେ, ତାହା ପାଠକରି ଜେଲ୍‍ ପରିଚାଳକଙ୍କ ମନ ବେଦନାରେ ଆପ୍ଳୁତ ହୋଇଗଲା । ନିଜର କୁକୀର୍ତ୍ତି ହେତୁ ତାଙ୍କର ଲଜ୍ଜା ଓ ଅନୁଶୋଚନାର ସୀମା ରହିଲା ନାହିଁ । ମଣିଷ ନିଜର ଇଚ୍ଛା ବିରୁଦ୍ଧରେ କିପରି ଭାବରେ ପାପପଥକୁ ଓହ୍ଲାଇଯାଏ ସେ କଥା ବୁଝିବାକୁ ଆଜି ଆଉ ତାଙ୍କର ବାକି ରହିଲା ନାହିଁ । କିନ୍ତୁ ବୁଝିଲେ ସୁଦ୍ଧା ସେ ନିଜ ମନକୁ ଶାସନ କରିପାରିଲେ ନାହିଁ । ତାଙ୍କର ମନର ଅବସ୍ଥା ଏକ୍ଷଣି ଏମିତି ହେଲା ଯେ, ତାଙ୍କର ଇଚ୍ଛା ହେଲା, ଦୌଡ଼ିଯାଇ କ୍ୟାସିଓର ହାତ ଦୁଇଟି ଚାପିଧରି ସେ କହନ୍ତେ- ଭାଇ କ୍ୟାସିଓ, ମୁଁ ନିର୍ବୋଧ ହୋଇଥାଇପାରେ । କିନ୍ତୁ ତୁମ ଭଉଣୀକୁ ମୁଁ ପ୍ରାଣଦେଇ ଭଲ ପାଇଛି, ଯଦିଚ ମୁଁ ତାହାକୁ କେବେ ହେଲେ ଆଖିରେ ଦେଖି ନାହିଁ । ତୁମେ ତାହାକୁ ମୋର ସ୍ତ୍ରୀ ହେବାକୁ ଦେବ ?

 

 

କ୍ୟାସିଓର ଚିଠିର ଜବାବ ଭାବରେ ପୋଲା ତାର କଲା । କ୍ୟାସିଓକୁ ସେ ତାରରେ ଜଣାଇଛି- ସେ ନିଜର ଖଣ୍ଡିଏ ପ୍ରତିକୃତି ପଠାଉଛି । ଏତେଦିନ ହେଲା ତାହା ନ ପଠାଇ ପାରିବାର କାରଣ ହେଉଛି ଛବି ଉଠାଇବା ପାଇଁ ସେ କୌଣସି ମତେ ସମୟ ପାଉନଥିଲା । ଅନିବାର୍ଯ୍ୟ କାରଣବଶତଃ ତାହାର ଚିଠିଦେବାରେ ଏତେ ଉଛୁର ହେଲା । ଏଥି ପାଇଁ କ୍ୟାସିଓ ଯେମିତି ମନରେ ଦୁଃଖ ନ କରେ ।

 

ଏହି ମିଛକଥା ଲେଖିବା ମୂଳରେ ପୋଲାର ଗୋଟିଏ ସାଧୁ ଉଦ୍ଦେଶ୍ୟ ଥିଲା । ବିଚରା କ୍ୟାସିଓର ମନରେ ସେ ଆଉ ଥରେ ଦୁଃଖ ଦେବାକୁ ଚାହେନା । ପୋଲା ବୁଝି ପାରିଥିଲା, କେହି ତାହାର ଛବି ଓ ଚିଠି ଦୁଇଟି ଯାକ ଆତ୍ମସାତ୍‍ କରିଛି । କିନ୍ତୁ କାଳେ କ୍ୟାସିଓ ଜେଲ୍‍ ପରିଚାଳକଙ୍କୁ ସନ୍ଦେହ କରିପାରେ, ସେଠି ପାଇଁ ପୋଲା ଦୋଷଟା ନିଜ ଉପରକୁ ନେଇଗଲା ।

 

 

ଦିନେ ଜେଲ୍‍ ପରିଚାଳକ କ୍ୟାସିଓକୁ ନିଜ କକ୍ଷକୁ ଡକାଇ ପଠାଇଲେ । କ୍ୟାସିଓ କିଛିକ୍ଷଣପରେ ଆସି ତାହାଙ୍କୁ ସାମନାରେ ମଥାପୋତି ଠିଆହୋଇ ରହିଲା । କାମ ବିଷୟରେ ଏଣୁ ତେଣୁ କେତେ କଥା ପଚାରିବା ପରେ, ସେ ହଠାତ୍‍ ତାହାକୁ ପଚାରିଲେ-ତୁମେ କ୍ଷମା ପ୍ରାର୍ଥନା କରିଛ ?

 

–ହଁ, କରିଛି ।

 

–କାହା ପାଖରେ କରିଛ ?

 

ଜେଲ୍‍ ପରିଚାଳକ କାମ ଭିତରେ ଚକ୍ଷୁ ନିବଦ୍ଧ କରି ପ୍ରଶ୍ନ କଲେ । ତାହାଆଡ଼କୁ ସେ ଆଦୌ ଫେରି ଚାହିଁଲେ ନାହିଁ ।

 

–ମନ୍ତ୍ରୀମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି ।

 

–ତୁମର ଦୁର୍ଭାଗ୍ୟ ! ସେମାନଙ୍କ ପାଖରେ ଦରଖାସ୍ତ ଦେଲେ କିଅ ଫଛି ହେବ ନାହିଁ । ପ୍ରାୟ ଦେଖା ଯାଏ ମନ୍ତ୍ରୀମାନେ ଏସବୁ ବିଷୟରେ ସମ୍ପୂର୍ଣ୍ଣ ଉଦାସୀନ । କଏଦୀର ନିର୍ଦ୍ଧିଷ୍ଟ ଜେଲ୍‍ ଦଣ୍ଡର ସମୟ ଉତ୍ତୀର୍ଣ୍ଣ ହୋଇଯାଏ, ସେମାନେ ମୁକ୍ତିପାଇଁ ଜେଝେ ଯେଝାର ଘରକୁ ଫେରି ଯାଆନ୍ତି-। ତେବେ ସୁଦ୍ଧା ସେମାନଙ୍କଠାରୁ କୌଣସି ଜବାବ ଆସି ପହଞ୍ଚେ ନାହିଁ । ଅଦ୍ଭୁତ, ସତରେ ସେମାନେ ଅଦ୍ଭୁତ ।

 

ଏହା କହି ଜେଲ୍‍ ପରିଚାଳକ ଏକ ମୁହୂର୍ତ୍ତ ନୀରବ ରହି ପୁଣି କହିଲେ -ରାଣୀଙ୍କ ନିକଟରେ ତୁମେ ଦରଖାସ୍ତ ପେଶ କର । ନିଶ୍ଚୟ ଶୀଘ୍ର ଉତ୍ତର ପାଇବ ।

 

–କ୍ଷମା କରନ୍ତୁ, ମହାଶୟ ! ମୁଁ ଏ କଥା ଆଗରୁ ଜାଣିନଥିଲି । କିନ୍ତୁ ତାହାଙ୍କୁ ଜଣାଇଲେ କଅଣ ମୋର ଇଚ୍ଛା ପୂର୍ଣ୍ଣ ହେବ ?

 

ଯଦି ତୁମ ଭଉଣୀ ତରଫରୁ ତୁମ ପାଇଁ ନିବେଦନ କରାଯାଏ, ତାହା ହେଲେ ନିଃସନ୍ଦେହରେ ତୁମର ଇଚ୍ଛା ପୂର୍ଣ୍ଣ ହେବ ।

 

ଏହା କହି ଜେଲ୍‍ ପରିଚାଳକ କ୍ୟାସିଓ ଆଡ଼କୁ ପଛ କରି ଅନ୍ୟଆଡ଼କୁ ମୁହଁ ବୁଲାଇ ନେଲେ ।

 

କ୍ୟାସିଓ ଯଥା ସମୟରେ ପୋଲାକୁ ଲେଖି ଜେଲ୍‍ ପରିଚାଳକଙ୍କର ଉଦ୍ଦେଶ୍ୟ ଓ ଶୁଭେଚ୍ଛା ଜଣାଇଲା ।

 

 

ଶୀତ ଋତୁ ଚାଲିଗଲା । ଫେବୃୟାରୀ ମାସର ଏକ ସ୍ଵଚ୍ଛ ପ୍ରଭାତରେ କ୍ୟାସିଓ ତାହାର ତା’ର ଦିଆ ଝରକା ସାମନାରେ ଠିଆ ହୋଇଥିଲା । ତାହାର ମୁଖ ଶୁଷ୍କ, ରକ୍ତହୀନ ଦିଶୁଥିଲା । କିନ୍ତୁ ତାହାର ଆଖି ଦୁଇଟି ଆଶାରେ ପ୍ରଦୀପ୍ତ ଥିଲା । ତାହାର ସର୍ବାଙ୍ଗରେ ଶିରା-ଉପଶିରାଗୁଡ଼ିକ ଭାବୀ ଆନନ୍ଦର ପ୍ରତ୍ୟାଶାରେ ଯେମିତି ନାଚି ଉଠୁଥାଏ ।

 

କିନ୍ତୁ ଦିନ ଆସିଗଲା । ମନ୍ତ୍ରୀମଣ୍ଡଳୀ କ୍ୟାସିଓଲଙ୍ଗିନୋ ଇସିଡ଼ୋରୋର ସ୍ଵଭାବ ସମ୍ବନ୍ଧରେ ବିଶଦ ବିବରଣୀ ଜେଲ୍‍ ପରିଚାଳକଙ୍କ ନିକଟରୁ ମାଗିପଠାଇଲେ । ଜେଲ୍‍ ପରିଚାଳକ ଯେଉଁ ରିପୋର୍ଟ ପଠାଇଲେ ତାହାର ସାରମର୍ମ ହେଉଛି, ୨୪୫ ନମ୍ବର କଏଦୀ କଦାପି ଜାଲ କରିବାର ଆସାମୀ ହୋଇନପାରେ । ତାହାପରି ସତ, ସୁଶିକ୍ଷିତ ଓ ସୁନୀତି-ସମ୍ପନ୍ନ ଯୁବକ କେଉଁଠି ଦେଖିବାକୁ ମିଳେନା ।

 

ତା’ପରେ କାସିଓଲଙ୍ଗିନୋର ମୁକ୍ତିର ଆଦେଶ ଆସିଗଲା ।

 

୧୦

 

ଜେଲ୍‍ ପରିଚାଳକଙ୍କ ଅଫିସ କକ୍ଷ । ସେ ଟେବୁଲ ସାମନାରେ ଗୋଟିଏ ଚଉକିରେ ବସି କ୍ୟାସିଓର ପ୍ରତୀକ୍ଷା କରୁଥିଲେ । ସେ ତାହାକୁ ଡକାଇ ପଠାଇଛନ୍ତି ।

 

ଯଥା ସମୟରେ କ୍ୟାସିଓ ଧୀରେ ଧୀରେ ଆସି କକ୍ଷରେ ପ୍ରବେଶ କଲା । କିନ୍ତୁ ଏଥର ବୋଧହୁଏ ସର୍ବ ପ୍ରଥମେ ଜେଲ୍‍ ପରିଚାଳକ ଠିଆ ହୋଇଯାଇ ତାହାକୁ ସମ୍ମାନ ପ୍ରଦର୍ଶନ କଲେ । ଯୁବକଟିର ଦୃଷ୍ଟି ଏଟା ଏଡ଼ିଦେଇ ପାରିଲା ନାହିଁ । କଥା କହିବା ପାଇଁ ତାହାର ଜିଭ ଦୁଇ ଚାରି ଥର ଭିତରେ ଭିତରେ ହଲଚଲ ହେଲା ।

 

କିନ୍ତୁ ଶତଚେଷ୍ଟା ସତ୍ତ୍ୱେ ବି ତାହାର ତୁଣ୍ଡରୁ ପଦେ କଥା ବାହାରିଲା ନାହିଁ । ସେ ବେଶ୍‍ ଉପଲବ୍ଧ କରିବାକୁ ଲାଗିଲା,ତାହାର ଅନ୍ତଃକରଣ ସ୍ଵର୍ଗୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଇଛି ।

 

ଜେଲ୍‍ ପରିଚାଳକ ହାତରେ ଖଣ୍ଡିଏ କାଗଜ ଧରି କହିଲେ-ତୁମର ମୁକ୍ତିର ଆଦେଶ -ପତ୍ର ଆସିଯାଇଛି ।

 

–ମୁକ୍ତିର ଆଦେଶ-ପତ୍ର ?

 

–ହଁ, ମୁକ୍ତିର ଆଦେଶ-ପତ୍ର । କ୍ଷମା ପ୍ରାର୍ଥନା ତୁମର ମଞ୍ଜୁର ହୋଇଛି ।

 

କାହା ପାଇଁ ? –ପଚାରିଲା କ୍ୟାସିଓ ।

 

ମନେ ହେଲା, ଏହି ପ୍ରଶ୍ନରେ ଯେମିତି ଜେଲ୍‍ ପରିଚାଳକଙ୍କର ବୋଧହୁଏ ଧୈର୍ଯ୍ୟଚ୍ୟୁତି ଘଟିଲା । କିନ୍ତୁ ନିଜକୁ ସଂଯତ କରି ସେ କହିଲେ-ତୁମରି ପାଇଁ । ଆଉ କାହା ପାଇଁ ?

 

କ୍ୟାସିଓର ପାଟି ସହସା ଯେମିତି ଖନି ମାରିଗଲା । –ଏଁ, ମୋ ମୋର ? ମୋରି ପାଇଁ-? ମୋ-ମୋରି ପାଇଁ ? କେ-କେ-କେତେ ଦିନ ପାଇଁ ? କେତେ ଦିନ ପାଇଁ ?

 

ଜେଲ୍‍ ପରିଚାଳକ କହିଲେ–ଚିର ଦିନ ପାଇଁ-ତୁମେ ଚିର ଦିନ ପାଇଁ ମୁକ୍ତି ପାଇବ । କିନ୍ତୁ ଏକ୍ଷଣି, ଏହି ମୁହୂର୍ତ୍ତରେ ନୁହେଁ । ଏକ ସପ୍ତାହ–ଏକ ସପ୍ତାହ ପରେ ତୁମର ମୁକ୍ତି-ଚିରଦିନ ପାଇଁ, ବିନା ସର୍ତ୍ତରେ ଖଲାସ । ବୁଝିଛ–ଚିରଦିନ ପାଇଁ ।

 

୧୧

 

ଏହି ମୁକ୍ତି ଆଦେଶ ଶୁଣି କ୍ୟାସିଓ ଧୀରେ ଧୀରେ ଜେଲ୍‍ ପରିଚାଳକଙ୍କ ନିକଟବର୍ତ୍ତୀ ହୋଇ ଆଖି ଟେକି ଉଜ୍ଜ୍ଵଳ ଓ କୃତଜ୍ଞତାପୂର୍ଣ୍ଣ ଦୃଷ୍ଟିରେ ବହୁକ୍ଷଣ ତାଙ୍କର ମୁଖଆଡ଼କୁ ଚାହିଁ ରହିଲା ଏବଂ ଖୁବ୍‍ ଭଲଭାବରେ ଦେଖିଲା, ତାଙ୍କର ସେହି ପାଣ୍ଡୁର ମୁଖଟି ହଠାତ୍‍ କାହାର ସଂସ୍ପର୍ଶରେ ରକ୍ତରଞ୍ଜିତ ହୋଇଗଲା ।

 

କିନ୍ତୁ ତାହା ଖାଲି ମୁହୂର୍ତ୍ତକ ପାଇଁ ।

 

ସେ ତାହାକୁ ଖଣ୍ଡିଏ ଚଉକି ଦେଖାଇଦେଇ ବସିବାକୁ ଅନୁରୋଧ ଜଣାଇଲେ ଏବଂ ମୁକ୍ତିର ଆଦେଶ ପତ୍ର ଦେଖାଇ କହିଲେ–ଦେଖ, ମୋର ତୁମକୁ କିଛି କହିବାର ଅଛି । ଭଲକରି ଶୁଣ । ହଠାତ୍‍ ମୋତେ ବିଚାର କର ନାହିଁ । ଏହି ସମୟ ଟିକକ ପାଇଁ ମୁଁ ଅନେକ ଦିନ ହେଲା ବ୍ୟଗ୍ର ଭାବରେ ଅପେକ୍ଷା କରିଥିଲି ।

 

ଏହା କହି ଜେଲ୍‍ ପରିଚାଳକ ନିଃଶବ୍ଦରେ ଟିକିଏ ହସିଦେଲେ । କିନ୍ତୁ ତାଙ୍କର ସେହି ହସ ଭିତରେ ତିଳେ ମାତ୍ର ଆନନ୍ଦ ନଥିଲା ।

 

ସେ ଗଲା ଟିକିଏ ପରିଷ୍କାର କରି କହିଲେ–କେଉଁଭାବରେ ନିଜକୁ ତୁମ ନିକଟରେ ପ୍ରକାଶ କଲେ ତୁମେ ମୋତେ ଠିକ୍‍ ବୁଝିପାରିବ ମୁଁ ତାହା ଜାଣି ନାହିଁ । କିନ୍ତୁ ତୁମ ବୁଦ୍ଧି ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି ।

 

ଏତିକି କହି ସେ ମୁହୂର୍ତ୍ତେ ମାତ୍ର ଚୁପ ରହି ବାହାରର ଖୋଲା ପଡ଼ିଆ ଆଡ଼କୁ ଚାହିଁ ରହିଲେ । ତା’ପରେ ସହସା ଦୃଷ୍ଟି ଫେରାଇ ସେ କ୍ୟାସିଓର ମୁହଁଆଡ଼କୁ ଚାହିଁଲେ । ହାତର କାଗଜ ଖଣ୍ଡିକ ଦେଖାଇ ସେ କହିଲେ–ତୁମର ମୁକ୍ତିର ଆଦେଶ-ପତ୍ର ପାଇବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିଛି । ମୁଁ ଜାଣେ, ମୋର ସେହି ଅକ୍ଲାନ୍ତ ଚେଷ୍ଟା ଜଣେ ଯୋଗ୍ୟବ୍ୟକ୍ତି ପାଇଁ ହୋଇଛି । ସେଥିପାଇଁ ଅବଶ୍ୟ ମୁଁ କୃତଜ୍ଞତାଭାଜନ ହେବାକୁ ଚାହେନା । ତୁମ ସହିତ ମୁଁ ସମ୍ମାନରେ କଥା କହିବାକୁ ଚାହେ । ଏକ୍ଷଣି ତୁମେ ମୁକ୍ତ, ଏକ୍ଷଣି ତୁମେ ସ୍ୱାଧୀନ । ଏହି ସ୍ୱାଧୀନତା ବଳରେ ତୁମେ ଯାହା ଇଚ୍ଛା ତାହା କରିପାର ।

 

କ୍ୟାସିଓର ମନ ସନ୍ଦେହ ଓ କୌତୁହଳର ଦୋଳାରେ ଝୁଲିବାକୁ ଲାଗିଲା । କିନ୍ତୁ ଆତ୍ମସମ୍ବରଣ କରି ସେ ନମ୍ରସ୍ଵରରେ କହିଲା–କହନ୍ତୁ, ଆପଣଙ୍କର ଯାହା କହିବାର ଅଛି । ମୁଁ ଆପଣଙ୍କ ପାଇଁ ଯଥାସାଧ୍ୟ–

 

–କିନ୍ତୁ ମୁଁ ତ ଜାଣେ ନା, ସେଟା ତୁମର ସାଧ୍ୟ ଭିତରେ କି ନାଁ ।

 

–କହନ୍ତୁ ନାଁ, ଆପଣ ଆଗେ କହନ୍ତୁ । ଆପଣ ସଙ୍କୋଚ କି ଦ୍ଵିଧା ନକରି ପ୍ରକାଶ କରନ୍ତୁ-

 

–ତେବେ ଶୁଣ । କିନ୍ତୁ ମୋତେ ଭୁଲ୍‍ ବୁଝ ନାହିଁ । ପାଗଳ ବୋଲି ମୋତେ ଭାବି ଉପହାସ କର ନାହିଁ । ତୁମ ଭଉଣୀର ଚିଠି ପଢ଼ିବା ସମୟରେ ତାହାର ପରିଚୟ ପାଇଁ ତାହାକୁ ମୁଁ ପ୍ରୀତିପୂର୍ଣ୍ଣ ଦୃଷ୍ଟିରେ ଦେଖିଛି, ତାହାକୁ ମୁଁ ଭଲ ପାଇଛି । ୟା ଶୁଣି ଅବଶ୍ୟ ତୁମେ ହସ ନାହିଁ । ମୁଁ ଏକ୍ଷଣି ଯୁବକ-ମୋର ଏକ୍ଷଣି ଯୌବନ ଅଛି । କ୍ୟାସିଓ, ମୁଁ ଏକ୍ଷଣି ବୃଦ୍ଧ ହୋଇ ନାହିଁ ।

 

ଏହା ଶୁଣି କ୍ୟାସିଓର ମନେ ହେଲା, ତାହାର ପାଦ ତଳେ ଯେମିତି ଧରଣୀ କମ୍ପୁଛି । ତାହାର ମୁଣ୍ଡ ଘୂରିଗଲା । ସେ ଆଖିରେ ଅନାଇ କିଛି ଦେଖିପାରିଲା ନାହିଁ । ସବୁ ଧୂଆଁ- ସର୍ପିଳ ଗତିରେ ଧୂଆଁ ଉପରକୁ ଉଠିଯାଇଛି ।

 

କିନ୍ତୁ ତାହାକୁ ଆତ୍ମ-ସମ୍ବରଣ କରିବାକୁ ହେଲା । ଧୀର କଣ୍ଠରେ ସେ ଭୟରେ ପଚାରିଲା- ଆପଣ କଅଣ ତାହାକୁ ଚିଠି ଦେଇଥିଲେ ?

 

–ନା, ନା, କେବେ ନୁହେଁ ! ମୁଁ ତାହାକୁ ଚିଠି ଲେଖି ନାହିଁ, ନିଶ୍ଚୟ ଲେଖି ନାହିଁ । ଏତେଟା ସୁବିଧା ନେବାକୁ ମୁଁ ସାହସ କରି ନାହିଁ ।

 

–କିନ୍ତୁ ଏ ଯେ ଅସମ୍ଭବ !

 

–ଅସମ୍ଭବ ମନେ ହେଲେ ବି ଏଟା ସତ । ଯଦିଚ ଏଟା ଅଦ୍ଭୁତ, ତଥାପି ଏହା ଠିକ୍‍ ଯେ ଏପରି ଘଟଣା ଏହି ପ୍ରଥମ ଘଟୁ ନାହିଁ । କ୍ୟାସିଓଲଙ୍ଗିନୋ ମୋର, ମୋର ଦାବୀ ମୋର ପ୍ରାର୍ଥନା ସାମାନ୍ୟ ନୁହେଁ । ତୁମର କଅଣ ତାହା କେବେ ଅନୁମୋଦନ କରିବ ?

 

ଦାବୀ ? କି ଦାବୀ ? କି ପ୍ରାର୍ଥନା ? ରୁଦ୍ଧକଣ୍ଠରେ କ୍ୟାସିଓ ପଚାରିଲା ।

 

ଜେଲ୍‍ ପରିଚାଳକ କେତେ ମିନିଟ ନିର୍ବାକ ରହି କହିଲେ ବିବାହ ପସ୍ତାବ ! ଏହି ମୋର ଦାବୀ,ଏହି ମୋର ପ୍ରାର୍ଥନା !

 

କ୍ୟାସିଓ ହଠାତ୍‍ ଏ କଥାର କିଛି ଜବାବ ଦେଇପାରିଲା ନାହିଁ । ଅତିକଷ୍ଟରେ ସେ ନିଜକୁ ସମ୍ବରଣ କଲା । ସେ ଫେରିପଡ଼ି ଠିଆହୋଇ ତତ୍‍କ୍ଷଣାତ୍‍ ଜେଲ୍‍ ପରିଚାଳକଙ୍କ ମୁହଁଆଡ଼କୁ ନିର୍ନିମେଷ ଦୃଷ୍ଟିନିକ୍ଷେପ କଲା । ତାଙ୍କର ସୌନ୍ଦର୍ଯ୍ୟହୀନ, ଲାଳିତ୍ୟହୀନ, କୁତ୍ସିତ ମୁଖାକୃତି ତାହାର ଚକ୍ଷୁ ଦୁଇଟିକୁ ନିରତିଶୟ ବ୍ୟଥିତ କରିପକାଇଲା । ସେହି ସୀମାହୀନ ଅନ୍ତର୍ଯାତନା ମଝିରେ ବି ସେ ସ୍ଵସ୍ତିର ନିଶ୍ଵାସ ମାରି ବଞ୍ଚିଲା ପୋଲା କଦାପି ଏହି ଲୋକଟିର ପ୍ରସ୍ତାବ ଗ୍ରାହ୍ୟ କରିବ ନାହିଁ, କରିପାରେନା ।

 

କ୍ୟାସିଓ ପଚାରିଲା–କିନ୍ତୁ ଆପଣ କଅଣ କରୁଛନ୍ତି, ତାହା କଅଣ ଥରେ ମନରେ ଭାବି ଦେଖିଛନ୍ତି ? ଆମ ଦେଶ ସମ୍ବନ୍ଧରେ ଲେଖାଲେଖି କରି କିଛି ସମ୍ବାଦ ସଂଗ୍ରହ କରିଛନ୍ତି କି ? ସେପରି ସ୍ଥଳେ–

 

–ନା, ମୁଁ ଲେଖାଲେଖି କରି ନାହିଁ । କୌଣସି ଖୋଜ ଖବର ବି ନେଇ ନାହିଁ । ନେଇ ବା ଫଳ କଅଣ ହୋଇଥାଆନ୍ତା ? ମୁଁ ଭଲକରି ଜାଣେ, ତୁମର ଭଉଣୀ ନିଶ୍ଚୟ ସତ । ୟାଠାରୁ ବେଶୀ କିଛି ମୁଁ ଆଶା କରେନା ମୁଁ ନିଜେ ତ ଏ ପୃଥିବୀରେ ଏକା, ସମ୍ପୂର୍ଣ୍ଣ ଏକା ।

 

–ଆପଣଙ୍କ ମହତ୍ତ୍ୱର ପଟାନ୍ତର ନାହିଁ । କଅଣ କହି ଯେ ଆପଣଙ୍କୁ କୃତଜ୍ଞତା ଜଣାଇବି, ମୁଁ ତାହା ଠିକ୍‍ କରିପାରୁ ନାହିଁ । ଆପଣଙ୍କୁ ମୁଁ ଭୁଲ୍‍ ବୁଝିନାହିଁ । ଆପଣଙ୍କୁ ମୁଁ ଆନ୍ତରିକ ପ୍ରଶଂସା କରେ । ଆପଣ ଆଦୌ ହତାଶ ହେବେ ବାହିଁ । ଆପଣଙ୍କ ନିକଟରେ ମୁଁ ଚିରଋଣୀ । ଆପଣଙ୍କର ଉପକାର କରିବା ଲାଗି ମୁଁ ପ୍ରାଣପଣେ ଚେଷ୍ଟାକରିବି ।

 

କ୍ୟାସିଓର ଏହି କଥାଗୁଡ଼ିକ ଜେଲ୍‍ ପରିଚାଳକଙ୍କ କାନରେ ଯେମିତି ମଧୁବର୍ଷଣ କଲା-। ତାଙ୍କର ମନର ଗଭୀରତମ ସ୍ଥାନରେ ଗୋଟିଏ ଉଜ୍ଜ୍ଵଳ ଆଶାର ରେଖାସଞ୍ଚିତ ହୋଇ ଚକ୍ଷୁ ଦୁଇଟିକୁ ଅସ୍ୱାଭାବିକ ଜ୍ୟୋତିରେ ପୂର୍ଣ୍ଣ କରିଦେଲା । ତାହା ସହିତ କରମର୍ଦ୍ଦନ କରିବା ପାଇଁ ସେ ନିଜର ଗୋଟିଏ ହାତ ତାହା ଆଡ଼କୁ ବଢ଼ାଇଦେଲେ ।

 

୧୨

 

କ୍ୟାସିଓ ନିଜର କ୍ଷୁଦ୍ର କକ୍ଷଟିକୁ ଫେରି ଆସିଲା । ଗୁଡ଼ାହୋଇଥିବା ବିଛଣାଟା ପଟା ଉପରେ ପାରିଦେଇ ସେ ଗଡ଼ିପଡ଼ିଲା । ଶୋଇ ରହି ସେ ମର୍ମାନ୍ତିକ ଯାତନାରେ କେତେ କଅଣ ଭାବି ଯିବାକୁ ଲାଗିଲା–ପୋଲା ତାହାର ଭଉଣୀ ନୁହେଁ ପ୍ରେମିକା ! ତାହାରି ଲାଗି କ୍ୟାସିଓ ଆପଣାର ସମ୍ମାନ, ଆପଣାର ଭବିଷ୍ୟତ ନଷ୍ଟ କରିଛି । ନିଜର ଆତ୍ମୀୟସ୍ଵଜନଙ୍କ ମାୟା ପରିତ୍ୟାଗ କରିବାକୁ ସୁଦ୍ଧା ସେ ତିଳେମାତ୍ର ସଙ୍କୋଚବୋଧ କରି ନାହିଁ । ଏହି ପୋଲା ହିଁ ତାହାର ଜୀବନର ଏକମାତ୍ର ସୁଖ, ଏକମାତ୍ର ସମ୍ପଦ । ତାହାକୁ ଭଉଣୀ ବୋଲି ପରିଚୟ ଦେବାରେ ଗୋଟାଏ ବଡ଼ କାରଣ ଅଛି ! ଭଉଣୀ ବୋଲି ପରିଚୟ ନ ଦେଇଥିଲେ ବୋଧ ହୁଏ ପୋଲା ତାହାକୁ ଚିଠି ଲେଖିପାରି ନ ଥାଆନ୍ତା ! ଏହି ପୋଲାକୁ, ତାହାର ହୃଦୟକୁ ଏକମାତ୍ର କୋହିନୂରକୁ ସେ କଅଣ ଚିରଦିନ ପାଇଁ ହରାଇ ବସିବ ? ଜେଲ୍‍ ପରିଚାଳକ–ସେ ବି ମଣିଷ ହିସାବରେ ଅନେକ ବଡ଼ । ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସୁପ୍ରତିଷ୍ଠିତ । ତାହାଙ୍କ ସାଙ୍ଗରେ ପୋଲାର ବିବାହ ହେଲେ, ତାହାର ସୁଖ-ଐଶ୍ଵର୍ଯ୍ୟର ସୀମା ରହିବ ନାହିଁ । ତେବେ ତାହାର କି ଅଧିକାର ଅଛି ପୋଲାର ସେହି ଜୀବନର ଚମତ୍କାର ଭବିଷ୍ୟତ ନଷ୍ଟ କରିଦେବାରେ ? ପୋଲା ସକାଶେ ତାହାର ସ୍ୱାର୍ଥତ୍ୟାଗ ଜଗତରେ ଗୋଟାଏ ଆଲୋଚନାର ବସ୍ତୁ । ତାହାର ସ୍ୱାର୍ଥତ୍ୟାଗ ଜଗତର ଇତିହାସରେ ନିଶ୍ଚୟ ସ୍ଥାନ ପାଇବ ।

 

କିନ୍ତୁ ତାହାସତ୍ତ୍ୱେ ବି ପୋଲା ତ ସ୍ୱାର୍ଥତ୍ୟାଗ କରିବା ପାଇଁ ତାହାକୁ କେଉଁଦିନ ଅନୁରୋଧ କରିନାହିଁ । ଏହାର ବିନିମୟରେ କଅଣ ସେ ପୋଲାର ସମସ୍ତ ଜୀବନଟା ଦାବୀ କରିବାକୁ ଆଗଭର ହୋଇପାରେ ? ଯେକୌଣସି କ୍ଷେତ୍ରରେ ସେହି ଝିଅଟିକୁ ନିଜର ଭବିଷ୍ୟତ ବାଛିଦେବା ବରଂ ଭଲ ।

 

କିନ୍ତୁ କ୍ୟାସିଓର ହୃଦୟର ସମୁଦାୟ ସ୍ଥାନଟି ଅଧିକାର କରି ବସିଛି ପୋଲା-ତାହାର ସେହି ଦଶବର୍ଷର ଭଲ ପାଇବାର ପାତ୍ରୀ ପୋଲା । କ୍ୟାସିଓର ମନ ଏହି ସବୁ ଚିନ୍ତାରେ ସନ୍ତୁଷ୍ଟ ହୋଇପାରିଲା ନାହିଁ । ସେ ବିଷଣ୍ଣ ହୋଇପଡ଼ିଲା ।

 

୧୩

 

ପ୍ରାୟ ଘଣ୍ଟାଏ କାଳ ଏହିସବୁ ଚିନ୍ତାରେ ମଗ୍ନରହି କ୍ୟାସି ଓ ବିଛଣା ଉପରେ ଉଠି ବସିଲା ଏବଂ ପର ମୁହୂର୍ତ୍ତରେ ତାହାର ମୁହଁରୁ ବାହାରି ଆସିଲା-ଯାହା ହେବାର ହେଉ । ସବୁକଥା ମୁଁ ତାହାଙ୍କୁ ଖୋଲିକରି କହିଦେବି । କିନ୍ତୁ ତତ୍‍କ୍ଷଣାତ୍‍ ଅସ୍ପଷ୍ଟ ସ୍ଵରରେ ସେ ନିଜ ମନେ ମନେ କହିଲା– ନା, ନା, କିଛି କହିବି ନାହିଁ । କାହାରି କଥା ମୁଁ ପ୍ରକାଶ କରିବି ନାହିଁ । ସେ ସବୁ କଥା ଜାଣିବାର ତାଙ୍କର କୌଣସି ଅଧିକାର ନାହିଁ ।

 

କିନ୍ତୁ ନିଜର ଏହି ଉକ୍ତିରେ କ୍ୟାସିଓ ମନେ ମନେ ଅଶେଷ ବିରକ୍ତ ଓ କ୍ରୁଦ୍ଧ ହୋଇ, ଚିତ୍କାର କରି କହିଲା-କିନ୍ତୁ ମୁଁ କଅଣ ଅକୃତଜ୍ଞ ? ମଣିଷର ପ୍ରକୃତି କଅଣ ମୋ ଭିତରେ ନାହିଁ ?

 

କହୁଁ କହୁଁ ସେବିଛଣାରୁ ଉଠି ଠିଆ ହେଲା । ତା’ର–ଜାଲିଦିଆ ଖୋଲା ଝରକା ନିକଟକୁ ଆସି, ବାହାରଆଡ଼କୁ ପଲକହୀନ ଦୃଷ୍ଟିରେ ଚାହିଁ ରହି ସେ ଦେଖିବାକୁ ପାଇଲା–ସ୍ଵଚ୍ଛ ଧଳା ମେଘଗୁଡ଼ିକ ଆକାଶବକ୍ଷରେ ଜମା ହୋଇଛନ୍ତି ।

 

ଏହି ମେଘଗୁଡ଼ିକ ଠିକ୍‍ ମର୍ମର ନିର୍ମିତ ସୋପାନ ଶ୍ରେଣୀ ପରି ଦେଖାଯାଉଛନ୍ତି । ସେହି ଆଲୋକ–ବିକାଶୀ ସୋପାନ ଶ୍ରେଣୀ ଦୁର୍ଲଂଘ୍ୟ ଉଚ୍ଚତାରେ ଅଦୃଶ୍ୟ ହୋଇଯାଇଛନ୍ତି । ଏହାର ସୌନ୍ଦର୍ଯ୍ୟରେ କ୍ୟାସିଓର ମନ ନିଜ ଘର ଅଭିମୁଖରେ ଧାଇଁଗଲା । ତାହାର ମନେହେଲା, ସେ ବୋଧହୁଏ ସେହି ଶୁଭ୍ର ମେଘର ମର୍ମର ସଦୃଶ ସୋପାନ ଶ୍ରେଣୀର ସାହାର୍ଯ୍ୟରେ ନିଜ ଦେଶରେ ନିଜ ଘରେ ଯାଇ ପହଞ୍ଚିଛି । କ୍ୟାସିଓ ମନେ ମନେ କହି ପକାଇଲା–ତାଙ୍କର ଯୋଗୁଁ ମୋର ଏତେ ଶୀଘ୍ର ମୁକ୍ତିଲାଭର ଆଦେଶ ମିଳିଛି ! ସେ କେତେ ଚେଷ୍ଟା ନ କରିଛନ୍ତି ! ଆଉ କିଛିଦିନ ଏମିତି ଭାବରେ ରହିଥିଲେ, ମୋତେ ହୁଏତ ଆତ୍ମହତ୍ୟା କରିବାକୁ ପଡ଼ିଥାଆନ୍ତା କିମ୍ବା ମୁଁ ପାଗଳ ହୋଇଯାଇଥାଆନ୍ତି । କିନ୍ତୁ ଜେଲ୍‍ ପରିଚାଳକ ମୋତେ ସେଥିରୁ ରକ୍ଷା କରିଛନ୍ତି । ନା, ମୁଁ ସବୁକଥା ତାହାଙ୍କୁ ଖୋଲି କହିଦେବି । ଫଳାଫଳ ପ୍ରତି ଅପେକ୍ଷା କରିବି ନାହିଁ ।

 

୧୪

 

କ୍ୟାସିଓ ଜେଲ୍‍ ପରିଚାଳକଙ୍କ ସହିତ ଦେଖାକରି କହିଲା–ମହାଶୟ, ଆଜି ସକାଳେ ଯେଉଁ ବିଷୟ ଆପଣଙ୍କୁ କହିବା ପାଇଁ ମୋତେ ଆଦେଶ ଦେଇଥିଲେ, ମୁଁ ସେ ବିଷୟ ଚିନ୍ତା କରିଛି-

 

–ବେଶ, ବେଶ ।

 

ଜେଲ୍‍ ପରିଚାଳକଙ୍କ ମନର ଭିତରଟା ଧଡ଼ପଡ଼ ହେବାକୁ ଲାଗିଲା ।

 

କ୍ୟାସିଓ ଅବିଚଳିତ କଣ୍ଠରେ କହିଯିବାକୁ ଲାଗିଲା–ଆଜକୁ ଦଶବର୍ଷ ହେଲା ମୁଁ ନିଜର ଗାଁରେ ଗୋଟିଏ ଅବିବାହିତା ବାଳିକାକୁ ଭଲପାଇ ଆସୁଛି । ତାହାର ପ୍ରଚୁର ଐଶ୍ଵର୍ଯ୍ୟ ଥିଲା । ସେ ଜଣେ ଅବିଭାବକଙ୍କ ତତ୍ତ୍ୱାବଧାନରେ ଥିଲା । କାରଣ ତାହାର ବାପ ମାଆ ମରିଯାଇଥିଲେ । ପଦେକଥାରେ ସେ ଅନାଥା ବାଳିକା ଥିଲା । ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି, ସେତେବେଳେ ମୋତେ କେତେବର୍ଷ ପାଇଁ ଗାଁଛାଡ଼ି ବାହାରେ ରହିବାକୁ ପଡ଼ିଥିଲା । ଫେରିଆସି ଦେଖିଲି, ସେହି ଝିଅଟି ନିଜର ଅଭିଭାବକଙ୍କ ଠାରୁ ମର୍ମାନ୍ତିକ ଯାତନା ପାଉଛି । ତାହାର ଅଭିଭାବକ ତାହାକୁ ଅଯଥା ନିର୍ଯାତନା କରୁଛି । ତାହାର କୌଣସି ଅଭିଯୋଗ କାନକୁ ନେଉ ନାହିଁ-। ବିଚାର ନାହିଁ, ସହାନୁଭୂତି ନାହିଁ-ଖାଲି ଅତ୍ୟାଚାର । କିନ୍ତୁ ଏତିକିରେ ଶେଷ ହେଲା ନାହିଁ-। ଶେଷକୁ ତାହାର ସମସ୍ତ ସମ୍ପତ୍ତି ଅଭିଭାବକ ଆତ୍ମସାତ୍‍ କରିପକାଇଲା । ଦିନରାତି ତାହାକୁ ଏହାକହି ଭୟ ଦେଖାଇଲା ଯେ ସମ୍ପତ୍ତି ବିଷୟରେ ବେଶୀ କିଛି ପାଟିତୁଣ୍ଡ କଲେ ସେ ତାହାକୁ ତଣ୍ଟିଚିପି ମାରିଦେବ । ତା’ପରେ ଦିନେ ସୁଯୋଗ ଆସିଲା । ବହୁଚେଷ୍ଟାରେ ତାହା ସାଙ୍ଗରେ କଥାହୋଇ ମୁଁ ବୁଝିଲି ଯେ ସେ ମୋତେ ଭଲ ପାଏ । ମୁଁ ତାହାକୁ ପ୍ରତିଶ୍ରୁତି ଦେଲି, ମୁଁ ତାହାର ସମ୍ପତ୍ତି ଉଦ୍ଧାର କରି ତାହାକୁ ଫେରାଇଦେବି । ସେ କହିଲା–ତାହାହେଲେ ଆସ, ପରସ୍ପର ଆମେ ବିବାହସୂତ୍ରରେ ଆବଦ୍ଧ ହେବା । ଚାଲ, ଆମେ ଏଠାରୁ ପଳାଇଯିବା । କିନ୍ତୁ ସେତେବେଳେ ମୋର ଅନେକ ବାଧା ବିପତ୍ତି ଥିଲା । ସେଥି ପାଇଁ ତା’ କଥାରେ ମୁଁ ରାଜି ହୋଇପାରିଲି ନାହିଁ । ବନ୍ଧୁ ବାନ୍ଧବଙ୍କ ସାହାଯ୍ୟରେ ମୁଁ ତାହାକୁ ଦିନେ ସେଠାରୁ ଖସାଇ ଆଣିଲି ଏବଂ ଏଣେ ମୋର କର୍ତ୍ତବ୍ୟ ଆଡ଼େ ମନଦେଲି ।

 

କ୍ୟାସିଓ ବାହାରକୁ ମୁହଁ ଫେରାଇ ନେଇ କେତେ ମୁହୂର୍ତ୍ତ ନୀରବ ରହି ପୁଣି କହିଲା-ଅନୁମାନ କରି ପାରୁଛନ୍ତି, ମୁଁ କଅଣ କରୁଥିଲି ? ମୋର ଦୃଢ଼ ବିଶ୍ୱାସ, ଆପଣ ଅନୁମାନ କରିପାରିଛନ୍ତି । ମୁଁ ତାହାର ଅଭିଭାବକର ନାମ ଜାଲ କରିଥିଲି । ମୁଁ ସମସ୍ତ ସମ୍ପତ୍ତିର ମାଲିକ ହେଲି । କିନ୍ତୁ ସମସ୍ତ ଅର୍ଥ ମୁଁ ସେହି ବାଳିକାଟିକୁ ଦେଇଥିଲି । ମୋର ଏହି କୀର୍ତ୍ତି ଯଥା ସମୟରେ ପ୍ରଘଟ ହୋଇଗଲା । ପରିଣାମରେ, ଜାଲ କରିଥିବା ଅପରାଧରେ ମୁଁ ଧରାପଡ଼ିଲି । ଲୋକେ ମୋତେ ଛି-ଛାକର କରିବାକୁ ଲାଗିଲେ । ମୋର ମଧ୍ୟ ସାମାନ୍ୟ କିଛି ଅର୍ଥ ଓ ସମ୍ପତ୍ତି ଥିଲା । ସେ ସବୁ ସେମାନେ କାଢ଼ିନେଲେ । ମୋର ଆତ୍ମୀୟ ସ୍ଵଜନମାନେ ମୋତେ ପରିତ୍ୟାଗ କଲେ । ଏହି ବିଶାଳ ପୃଥିବୀବକ୍ଷରେ ମୋର ତାହାଛଡ଼ା ଆଉ କେହି ରହିଲେ ନାହିଁ । ଏବଂ ସେ ହେଉଛି ସେହି ପୋଲା, ମହାଶୟ, ସେହି ପୋଲା ।

 

ଜେଲ୍‍ ପରିଚାଳକ ନୀରବ ନିସ୍ତବ୍ଧ ହୋଇ ବସିରହିଲେ । ତାଙ୍କର ମୁଖରୁ ପଦିଏ ବି କଥା ବାହାରିଲା ନାହିଁ । ତାଙ୍କର ବା ଆଉ କହିବାର କଅଣ ଅଛି ? ସେ ମୌନ ହୋଇ ଖାଲି ଉପଲବ୍ଧି କରିବାକୁ ଲାଗିଲେ ଯେ କ୍ୟାସିଓର କାହାଣୀ ଓ ନିଜର କାହାଣୀ ଅସମ୍ଭବ ନହେଲେ ସୁଦ୍ଧା ସମ୍ପୂର୍ଣ୍ଣ ସତ୍ୟ !

 

କ୍ୟାସିଓ ଜେଲ୍‍ ପରିଚାଳକଙ୍କୁ କହିଲା-ଆଶ୍ଚର୍ଯ୍ୟ ? ଅସମ୍ଭବ ? ନୁହେଁ ? ହଠାତ୍‍ ବିଶ୍ୱାସ କରାଯାଏନା । ମୋତେ କେହି କହିଲେ ମୁଁ ତ ଏହା ବିଶ୍ୱାସ କରନ୍ତି ନାହିଁ ।

 

ହାତର ନଖ ସାହାଯ୍ୟରେ ଆଙ୍ଗୁଳି ଉପରେ ଅନ୍ୟମନସ୍କ ଭାବରେ ଆଘାତ କରୁଁ କରୁଁ ଜୀବନ ଜେଲ୍‍ ପରିଚାଳକ କହିଲେ-ମଣିଷର ଜୀବନ ବୈଚିତ୍ର୍ୟପୂର୍ଣ୍ଣ । ଭାଗ୍ୟ କାହାକୁ କେଉଁଦିଗକୁ ନେଇଯାଏ, କେହି କହିପାରିବ ନାହିଁ ।

 

କ୍ୟାସିଓ ତାଙ୍କର କଥାଶୁଣି ତାଙ୍କର ମୁହଁକୁ ଅନାଇ ଦେଖିଲା, ଜେଲ୍‍ ପରିଚାଳକଙ୍କର ସମଗ୍ର ମୁଖମଣ୍ଡଳରେ ବ୍ୟଥାର କରୁଣା ଛାୟା ଫୁଟି ଉଠିଛି ।

 

କ୍ୟାସିଓ କହିଲା–ମୋ ଲାଗି ଆପଣ ଯାହା କରିଛନ୍ତି, ତାହାର ତୁଳନା ନାହିଁ । ଏଥିପାଇଁ ମୁଁ ଆପଣଙ୍କ ନିକଟରେ ଚିରଋଣୀ । ମୁଁ ଯଥାସାଧ୍ୟ ଚେଷ୍ଟାକରି ଆପଣଙ୍କର ଋଣ ପରିଶୋଧ କରିବି-! ମହାଶୟ, ମୁଁ ଆଉ ଯାହା ହୁଏ ପଛକେ, କଦାପି କୃତଘ୍ନ ନୁହେଁ । ଅକୃତଜ୍ଞତାର ରକ୍ତ ମୋ ଦେହରେ ନାହିଁ ।

 

–ତୁମେ କଅଣ କହିବାକୁ ଚାହ, କ୍ୟାସିଓ ? ତୁମର ଏସବୁ.....

 

–ମୋତେ ଆଗ କହିବାକୁ ଦିଅନ୍ତୁ । ମୋର କର୍ତ୍ତବ୍ୟ ହେଉଛି ସତକଥାଟା ଆପଣଙ୍କୁ ଜଣାଇବା । ଆପଣ ମୋର ଏତେ ଉପକାର କରିଛନ୍ତି, ମୋ ପ୍ରତି ଏତେ ଭଦ୍ର ବ୍ୟବହାର ଦେଖାଇଛନ୍ତି ଯେ ମୁଁ ଆପଣଙ୍କୁ ବଚନ ଦେଉଛି, ଭଦ୍ରଲୋକ ପରି ବଚନ ଦେଉଛି, ଆପଣଙ୍କ ପାଇଁ ମୁଁ ସବୁ କିଛି..... ।

 

ଜେଲ୍‍ ପରିଚାଳକ ନିଜ କାନକୁ ବିଶ୍ୱାସ କରିପାରୁ ନଥିଲେ । ସେ ଅତିଶୟ ବିସ୍ମୟରେ ପଚାରିଲେ-କଅଣ କହୁଛ, ତୁମେ କଅଣ କହୁଛ ?

 

–ଭାବି ଦେଖିଲି, ଏକମାତ୍ର ପୋଲା ହିଁ ଏ ସମସ୍ୟାର ସମାଧାନ କରିପାର । ତାହାକୁ ମୁଁ ସବୁକଥା ଜଣାଇବି । ତା’ ନିକଟରେ ତିଳେହେଲେ କିଛିକଥା ଗୋପନ ରଖିବି ନାହିଁ । ଠିକ୍‍ ଭାଇର ସମ୍ପର୍କ ଧରି, ତାହାକୁ କହିବି, ଭାଇର ଦାବୀ ନେଇ, ମହାଶୟ, ଭାଇର ଦାବୀ ନେଇ । ଏହାର ଗୋଟିଏ ଅକ୍ଷର ବି ବ୍ୟତିକ୍ରମ ହେବ ନାହିଁ ।

 

–ଆରେ, ନା, ନା ! ତୁମେ କଅଣ କହୁଛ, କ୍ୟାସିଓ ?

 

–ଖାଲି ଏତିକି ନୁହେଁ । ଆପଣ ଯଦି ଅନୁମତି ଦିଅନ୍ତି, ତେବେ ଆଜି ପୋଲାକୁ ଲେଖି ଜଣାଇପାରିବ । ତାହାଠାରୁ ଜବାବ ନ ଆସିବା ଯାଏ ମୁଁ ଏଠାରେ ପ୍ରତୀକ୍ଷା କରିବି । ଯେତେବେଳେ ଜବାବ ଆସି ପହଞ୍ଚିବ, ହୁଏତ ସେତେବେଳେ ମୋର ଆଉ ଘରକୁ ଫେରିଯିବାର କୌଣସି ପ୍ରୟୋଜନ ହେବ ନାହିଁ ।

 

ଜେଲ୍‍ ପରିଚାଳକ ପୁଣି ତାହାକୁ ପଚାରିଲେ-ତୁମେ କଅଣ କହୁଛ ?

 

କିନ୍ତୁ ଏହି ପୁନରୁକ୍ତି କରିବା ସଙ୍ଗେ ସଙ୍ଗେ ତାଙ୍କର କଣ୍ଠସ୍ୱର ଶୁଣି ମନେ ହେଲା, ତାଙ୍କର ଅନ୍ତରରେ ଲୁପ୍ତ ଶକ୍ତି ଫେରିଆସିଛି । କ୍ୟାସିଓର ମୁଖ ଉପରେ ସ୍ଥିର ଦୃଷ୍ଟି ନିକ୍ଷେପ କରି ସେ କହିଲେ–ନା, ନା, ତୁମେ ଚିଠି ଲେଖ ନାହିଁ । ତୁମେ ଏକ୍ଷଣି ଘରକୁ ଫେରିଯାଅ । ମୁଁ ଭବିଷ୍ୟତବାଣୀ କରୁଛି, ତୁମଲାଗି ସେଠାରେ ଅନାବିଳ ଆନନ୍ଦ ପ୍ରତୀକ୍ଷା କରିଛି । ଠିକ୍‍,ଠିକ୍‍,–ଏ ଜୀବନଟା ଗୋଟାଏ ମଧୁର ପ୍ରେମ ଓ ସୁଲଳିତ ଛନ୍ଦରେ ଆପ୍ଳୁତ । ପ୍ରକୃତରେ ମଣିଷ ଜୀବନ ବୈଚିତ୍ର୍ୟମୟ ।

 

୧୫

 

କିନ୍ତୁ କ୍ୟାସିଓ କ୍ଷାନ୍ତ ହୋଇପାରୁ ନଥିଲା । ସେ ଜିଗର କରି କହିଲା–ମୋତେ ଚିଠି ଲେଖିବା ପାଇଁ ଅନୁମତି ଦିଅନ୍ତୁ । ଆପଣଙ୍କ ପ୍ରତି ମୋର ଯାହା କର୍ତ୍ତବ୍ୟ ଅଛି, ତାହା ମୋତେ କରିବାକୁ ଦିଅନ୍ତୁ । ମୁଁ ମୋର କର୍ତ୍ତବ୍ୟ କରିବି । ମୁଁ ମୋର ଋଣ ପରିଶୋଧ କରିବି । ସଂସାର ଜାଣୁ–ପ୍ରେମ ଠାରୁ କର୍ତ୍ତବ୍ୟ, ମଣିଷର ଉପକାରର ପ୍ରତିଦାନ ବଡ଼, ଢେର ବଡ଼ । ପୋଲା ମୋର ହେବାଠାରୁ ଆପଣଙ୍କର ହେଲେ, ଯଥେଷ୍ଟ ସୁଖରେ ରହିବ, ଖୁବ୍‍ ଆନନ୍ଦରେ ରହିବ । ମୋ ପକ୍ଷରେ ସବୁଠାରୁ ବଡ଼କଥା ହେଉଛି, ପୋଲାର ସୁଖ ସୁବିଧା ଦେଖିବା । ଆପଣଙ୍କ ପାଖରୁ ସେ ତାହା ସମ୍ପୂର୍ଣ୍ଣ ଭାବରେ ପାଇବ ।

 

ଜେଲ୍‍ ପରିଚାଳକ ଧୈର୍ଯ୍ୟ ସହକାରେ ସବୁ ଶୁଣିଲେ । ତାଙ୍କର ଚକ୍ଷୁ ଦୁଇଟି ଉଜ୍ଜ୍ୱଳ ହୋଇଗଲା ।

 

ଟିକିଏ କାଶି ଗଳାଟା ସଫା କରିନେଇ ସେ କହିଲେ-ଯଦି ତୁମର କର୍ତ୍ତବ୍ୟ ହୁଏ ତାହା ନିକଟରେ ନିଜକୁ କୃତଜ୍ଞ ଓ ମହତ ଭାବରେ ପରିଚୟ ଦେବା, ତାହାହେଲେ ପୋଲାର ବି କର୍ତ୍ତବ୍ୟ ହେବ ତୁମକୁ ଆନନ୍ଦ ଦେବା, ତୁମର ଏହି କାରାବାସର ଦୁଃଖକଷ୍ଟ ଲାଘବ କରିବା ।

 

କ୍ୟାସିଓ ବାଧାଦେଇ କହିପକାଇଲା–କିନ୍ତୁ......

 

ତାହାର କଥା ଅସମାପ୍ତ ରହିଗଲା । ଜେଲ୍‍ ପରିଚାଳକ ତାହାର କଥାରେ ପ୍ରବଳ ବାଧାଦେଇ କହିଲେ-ରୁହ ଟିକିଏ, ମୋ କଥା ଶେଷହେବାକୁ ଦିଅ । ଯଦି ପୋଲା ଭିନ୍ନ ବ୍ୟବହାର କରେ, ତାହାହେଲେ ମୋର ତାହା ସମ୍ବନ୍ଧରେ ଯେଉଁ ଉଚ୍ଚ ଓ ମହତ ଧାରଣା ଅଛି, ସେସବୁ କୁଆଡ଼େ ପବନରେ ଉଡ଼ିଯିବ । ପୋଲା ମହତ, ପୋଲ ଉଦାର-ପ୍ରେମର ମର୍ଯ୍ୟାଦା ଜାଣେ, ସମ୍ମାନ ଜାଣେ । କ୍ୟାସିଓ, ଏଟା ସମ୍ପୂର୍ଣ୍ଣ ସତ୍ୟ ଯେ ସେ କଦାପି ତାହାର ବହୁଦିନର ପ୍ରେମିକକୁ, ଅର୍ଥାତ୍‍ ତୁମକୁ ପ୍ରତାରଣା କରିନପାରେ । ଏହା ତାହାର ସ୍ଵଭାବ ନୁହେଁ, ଏବଂ ମୁଁ ଏହାହିଁ ଚାହେଁ ।

 

କହୁଁ କହୁଁ ଜେଲ୍‍ ପରିଚାଳକଙ୍କର ଆଖି ଦୁଇଟି ଅଶ୍ରୁସିକ୍ତ ହୋଇଗଲା ।

 

କିନ୍ତୁ କ୍ୟାସିଓର ତୁଣ୍ଡର ଆଉ ପଦେ ହେଲେ କଥା ବାହାରିଲା ନାହିଁ । ସେ ନୀରବରେ ବାହାରର ସେହି ବଗିଚା ଆଡ଼କୁ ମୁହଁ ବୁଲାଇ ଠିଆହୋଇ ରହିଲା ।

 

–ଗ୍ରାଜିୟା ଦେଳେଦ୍ଦା

Image

 

ପ୍ରତିଶୋଧ

 

ମୋସେଲାଇ ସହରରେ ମାଦୋନା ଜିଲିୟା ବାସ କରେ । ଜିଲିୟା ଆଜି ବିଧବା । କିଛିଦିନ ତଳେ ନିଜର ଏକମାତ୍ର ପୁଅକୁ ଛାଡ଼ିଦେଇ ଜିଲିୟାର ସ୍ୱାମୀ ଆର ପୁରକୁ ଚାଲିଗଲେ । ଜିଲିୟାର ବୟସ ଏକ୍ଷଣି ତେଇଶ କି ଚବିଶ ହେବ । ମୁଖ ଓ ଦେହର ଗଠନରୁ ଦେଖିଲେ ଅବଶ୍ୟ ତାହାକୁ ସୁନ୍ଦରୀ କୁହାଯାଇପାରେ, ମାତ୍ର ତାହାର ଆଚାର ବ୍ୟବହାର ଆଦୌ ଭଦ୍ରଜନୋଚିତ୍ତ ରୀତିଯୁକ୍ତ ନୁହେଁ, ପ୍ରାୟ ଚଷାଭୁଷାଙ୍କ ପରି । ପୁଅଟିର ବୟସ ପ୍ରାୟ ତିନି କି ଚାରି ବର୍ଷ ହେବ । ଜଣେ ସ୍ୱାମୀ ମରିଯିବା ପରେ ଆଉ ଜଣକୁ ପତି ଭାବରେ ଗ୍ରହଣ କରିବା ଯଦିଚ ସେମାନଙ୍କ ଦେଶରେ ବିଧି ନିଷିଦ୍ଧ ନୁହେଁ, ତଥାପି ଜିଲିୟା ସ୍ଥିର କଲା ଯେ ସେ ଆଉ ଦ୍ଵିତୀୟ ସ୍ୱାମୀ ଗ୍ରହଣ କରିବ ନାହିଁ, ଏକମାତ୍ର ପୁଅଟିକୁ ଧରି ଦିନ ବିତାଇବ ଏବଂ ତାହାକୁ ଉପଯୁକ୍ତ ମଣିଷ ଭାବରେ ଗଢ଼ିବା ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିବ । ଜିଲିୟାର ସାମାଜିକ ମର୍ଯ୍ୟାଦା ଅନୁଯାୟୀ ଯେଉଁ ରୀତିରେ ତାହାର ଜୀବନଯାପାନ କରିବା ବିଧେୟ, ସେ ଠିକ୍‍ ତାହା ନକରି ଜଣେ ଅତିଶୟ ଦରିଦ୍ର ରମଣୀ ପରି ଦୈନଦିନ ଜୀବନଯାପନ କରିବାକୁ ଆରମ୍ଭ କଲା । ଘରଖର୍ଚ୍ଚକୁ ଯଥାସମ୍ଭବ ସଂଯତ କରିବା ଉଦ୍ଦେଶ୍ୟରେ ପରିଚାରିକାର ସଂଖ୍ୟା କମାଇଦେଇ ସେ ନିଜେ ସଂସାରର କେତେକ ଛୋଟ କାମ କରିବାକୁ ଲାଗିଲା । ଯେତେବେଳେ ପାରେ ସେତେବେଳେ ସମସ୍ତଙ୍କ ସାମନାରେ ବାଟରେ ଘାଟରେ ବୁଲିବା ସେ ବନ୍ଦ କରିଦେଲା । ଘରପାଖରେ ଗୋଟିଏ ଛୋଟ ଗୀର୍ଜା ଥିଲା । ଖାଲି ପୂଜାପାର୍ବଣ ସମୟରେ ଜିଲିୟା ସେହି ଗୀର୍ଜାର ପ୍ରାଙ୍ଗଣରେ ଯାଇ ଉପସ୍ଥିତ ହେଉଥିଲା ।

 

ଏହି ସମୟରେ ଫିଲିବାର୍ତ୍ତୋ ନାମକ ଜଣେ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଭାର୍ଲି ସହରରୁ ଆସି ମୋସେଲାଇରେ ଉପସ୍ଥିତ ହେଲେ । ଫିଲିବାର୍ତ୍ତୋ ଜଣେ ନିର୍ଭୀକ ଯୋଦ୍ଧା ଓ ପରାକ୍ରମଶାଳୀ ବୀର ପୁରୁଷ ଥିଲେ । କେତେ ଦିନ ମୋସେଲାଇ ସହରରେ ରହି ସେ ଭାର୍ଲିକୁ ଫେରିଯିବାକୁ ବସିଛନ୍ତି, ଏହି ସମୟରେ ଦିନେ ଗୋଟାଏ କୌଣସି ପର୍ବ ଉପଲକ୍ଷେ ଫିଲିବାର୍ତ୍ତୋ ସେହି ଗୀର୍ଜାକୁ ଯାଇଥିଲେ । ଠିକ୍‍ ସେତିକି ବେଳେ ଜିଲିୟା ବି ସେଠାରେ ଉପସ୍ଥିତ ଥିଲା । ଜିଲିୟା ଉପରେ ଦୃଷ୍ଟି ପଡ଼ିଲା ମାତ୍ରେ ଫିଲିବାର୍ତ୍ତୋ ବିମୁଗ୍ଧ ନୟନ ମୃଗପରି ତାହାଆଡ଼କୁ ଅନାଇ ରହିଲେ । ତତ୍‍କ୍ଷଣାତ୍‍ ସେ ତାହା ପାଖକୁ ଚାଲିଯାଇ ତାହାକୁ ତାହାର ପରିଚୟ ପୁଛିଲେ । ଫିଲିବାର୍ତ୍ତୋ ଜିଲିୟାର ଚମ୍ପାବରଣୀ ରୂଷ-ଶିଖାରେ ପୋଡ଼ି ମଲେ । ଜିଲିୟା ନିଜର ବ୍ୟକ୍ତିଗତ ଜୀବନଯାତ୍ରାର ସବୁକଥା ଫିଲିବାର୍ତ୍ତୋଙ୍କୁ ଖୋଲି କହିଦେଲା । ଯଦିଚ ଜିଲିୟାର କଥାସବୁ ଫିଲିବାର୍ତ୍ତୋଙ୍କର ପ୍ରେମାନୁରାଗ ତିଳେମାତ୍ର ଉଣା ପଡ଼ିଲା ନାହିଁ । ସେହିଦିନହିଁ ଫିଲିବାର୍ତ୍ତୋ ଭାର୍ଲିକୁ ଫେରିଗଲେ । ସେଠାରୁ ନିଜର ଆସ୍ଥାନ ଉଠାଇନେଇ ମୋସେଲାଇରେ ଯାଇ ରହିବେ ବୋଲି ସେ ମନସ୍ଥ କଲେ । ଯେତେଦିନ ଲାଗୁ ପଛକେ, ଜିଲିୟାର ମନ ଜୟକରି ତାହାର ପ୍ରେମାସ୍ପଦ ହେବା ନିମନ୍ତେ ସେଠାରେ ରହି ନିଜର ଅଧ୍ୟବସାୟ ଓ ଏକାଗ୍ରଚିତ୍ତତା ଦ୍ୱାରା ଚେଷ୍ଟାରେ କୌଣସି ତ୍ରୁଟି କରିବେ ନାହିଁ ବୋଲି ସ୍ଥିର କଲେ ।

 

ଚିନ୍ତା ଯେମିତି, କାମ ବି ସେମିତି । ଫିଲିବାର୍ତ୍ତୋ ମୋସେଲାଇରେ ଯାଇ ବାସ କରିବାକୁ ଲାଗିଲେ । ତାଙ୍କର ସମସ୍ତ ଇନ୍ଦ୍ରିୟ ବର୍ତ୍ତମାନ ଜିଲିୟା ଉପରେ କେନ୍ଦ୍ରୀଭୂତ ହୋଇଗଲା । ଜିଲିୟା ସହିତ ଦେଖା କରିବା ଦିଗରେ ଫିଲିବାର୍ତ୍ତୋ ନିତି ଚେଷ୍ଟାର କୌଣସି ତ୍ରୁଟି କଲେ ନାହିଁ । କିନ୍ତୁ କୌଣସି ମତେ ତାହାର ଦେଖା ମିଳିଲା ନାହିଁ । ଏପରିକି କୌଣସି ପର୍ବ ବା ଉତ୍ସବ ଉପଲକ୍ଷେ ଗୀର୍ଜାକୁ ଗଲେ ସୁଦ୍ଧା ସେଠାରେ ପ୍ରାୟ ତାହାର ଦେଖା ମିଳିଲା ନାହିଁ । ଯଦିଚ କେବେ ତାହାର ଦେଖା ହେଲା, ଫିଲିବାର୍ତ୍ତୋ ତାହା ପାଖକୁ ଯାଇ କଥାବାର୍ତ୍ତା ଆରମ୍ଭ କରିବା ସଙ୍ଗେ ସଙ୍ଗେ ଜିଲିୟା ଗୋଟାଏ ଏଣୁତେଣୁ ଆଳ ଦେଖାଇ ତା’ ଘରକୁ ଖସି ଚାଲିଯାଏ । ଫଳରେ ଜିଲିୟାକୁ ପ୍ରେମାନୁରାଗ ଦ୍ୱାରା ନିଜ ପ୍ରତି ଆକୃଷ୍ଟ କରିନପାରି, ଫିଲିବାର୍ତ୍ତୋ ଅତ୍ୟନ୍ତ ଦୁଶ୍ଚିନ୍ତା ଓ ଅଶାନ୍ତିରେ ଦିନ କାଟିବାକୁ ଲାଗିଲା । ଜିଲିୟା ସହିତ ଯେଉଁ ସ୍ତ୍ରୀଲୋକଙ୍କର ଘନିଷ୍ଠତା ଅଛି, ସେମାନଙ୍କ ହାତରେ ଚିଠି ପଠାଇ ଅନୁନୟ ବିନୟ କରି ବି କିଛି ଫଳ ହେଲା ନାହିଁ । ସାଗରଗର୍ଭରେ ଶୈଳ ପ୍ରସ୍ତରଠାରୁ ବି କଠିନ ଯେମିତି ତାହାର ମନ ।

 

କିନ୍ତୁ ହତଭାଗା ପ୍ରେମିକ ଫିଲିବାର୍ତ୍ତୋ ନିଜ ପ୍ରେମର କୌଣସି ପୁରସ୍କାର ନପାଇଲେ କଅଣ ହେବ, ଜିଲିୟାକୁ ଅତି ଆପଣାର କରିପାଇବାର ଯେ ଐକାନ୍ତିକ ଆଗ୍ରହ ଓ ଚେଷ୍ଟା ତାହାଙ୍କ ଭିତରେ ଥିଲା, ସେଥିରୁ ସେଦିନକ ପାଇଁ ବିରତ ହେଲେ ନାହିଁ । ଏହିପରି ଭାବରେ ଦିନ ଯେତେ ଗଡ଼ିଯିବାକୁ ଲାଗିଲା, ଫିଲିବାର୍ତ୍ତୋଙ୍କ ମନରେ ଅଶାନ୍ତି ବଢ଼ିବାକୁ ବସିଲା । କ୍ରମେ କ୍ରମେ ସେ ନିଦ୍ରାତ୍ୟାଗ କଲେ, କ୍ଷୁଧାରେ ଲାଳସା ବି ହରାଇଲେ । ଫଳରେ ଫିଲିବାର୍ତ୍ତୋ ଦିନେ ସାଂଘାତିକ ଅସୁସ୍ଥ ହୋଇପଡ଼ିଲେ । ଡାକ୍ତରମାନଙ୍କ ନିକଟରେ ଫିଲିବାର୍ତ୍ତୋଙ୍କ ଅସୁସ୍ଥତାର କାରଣ ସମ୍ପୂର୍ଣ୍ଣ ଅଜ୍ଞାତ ରହିଲା । ସୁତରାଂ ସେମାନେ ପ୍ରତିକାରର କୌଣସି ବ୍ୟବସ୍ଥା କରିପାରିଲେ ନାହିଁ । କୌଣସି ଚିକିତ୍ସା ଓ ଶୁଶ୍ରୁଷା ବିନା ଫିଲିବାର୍ତ୍ତୋ ନିଜର ଦୀର୍ଘ ପଦକ୍ଷପ ଭିତରେ ଦିନକୁ ଦିନ ମୃତ୍ୟୁଆଡ଼କୁ ଆଗେଇଯିବାକୁ ଲାଗିଲା ।

 

ଏହି ସମୟରେ ସ୍ପୋଲେଟୋରୁ ଫିଲିବାର୍ତ୍ତୋଙ୍କର ଜଣେ ଅତ୍ୟନ୍ତ ଅନ୍ତରଙ୍ଗ ସୈନିକ ବନ୍ଧୁ ତାହାଙ୍କ ସହିତ ଦେଖା କରିବାକୁ ଆସିଲା । ଫିଲିବାର୍ତ୍ତୋ ତାହା ନିକଟରେ ନିଜର ପ୍ରେମ କାହାଣୀର କଥାସବୁ ଖୋଲି କହିଦେଲା । ତହିଁ ସଙ୍ଗେ ସଙ୍ଗେ ଜିଲିୟାର ନିଷ୍ଠୁର ବ୍ୟବହାର, ଗର୍ବ ଓ ଅନମନୀୟ ମନୋଭାବର କଥା ବି ପ୍ରକାଶ କରିବାକୁ ସେ ଭୁଲିଲେ ନାହିଁ । ବନ୍ଧୁର ମନ ଗୋଟାଏ ଭୀଷଣ ସମବେଦନା ଓ ସହାନୁଭୁତିରେ ଆବିଷ୍ଟ ହୋଇଗଲା । ଅତ୍ୟନ୍ତ ଦୁଃଖର ସହିତ ଫିଲିବାର୍ତ୍ତୋଙ୍କର ଗୋଟାଏ ହାତଧରି ସେ କହିଲା,’’ ଠିକ୍‍ ଅଛି, ଫିଲିବାର୍ତ୍ତୋ, ତୁମେ ମୋ ଉପରେ ଏହି କାମର ଭାର ଦେଇଦିଅ । ଯେ କୌଣସି ଉପାୟରେ ହେଉ, ତୁମେ ଯେମିତି ତୁମର ପ୍ରେମିକା ସହିତ କଥା କହିପାରିବ, ମୁଁ ତାହାର ବ୍ୟବସ୍ଥା କରିଦେବି ।’’

 

ଫିଲିବାର୍ତ୍ତୋ କହିଲେ, ‘‘ମୁଁ ତୁମଠାରୁ କିଛି ଚାହେଁ ନାହିଁ, ଭାଇ । ଯଦି ତୁମେ ମୋର ଏତିକି ମାତ୍ର ଉପକାର କରିପାରିବ, ତାହା ହେଲେ ମୁଁ ଧୀରେ ଧୀରେ ତାହାକୁ ନିଜର ବଶୀଭୂତ କରି ପାରିବି ।’’

 

ବନ୍ଧୁଟି ପୁଣି କହିଲା,’’ ଫିଲିବାର୍ତ୍ତୋ, ତୁମେ ଆଗେ ଭଲ ହୋଇଯାଅ । ନିଜର ଦେହପ୍ରତି ଯତ୍ନ ନିଅ । ତାହା ପାଇଁ ତୁମକୁ ମଥା ଖେଳାଇବାକୁ ପଡ଼ିବ ନାହିଁ । ଯାହା କରିବାର କଥା ମୁଁ ସବୁ ଠିକ୍‍ କରିଦେବି । ତୁମେ ଆଗେ ସୁସ୍ଥ ହୋଇ ଯାଅ ।’’

 

ଏହା କହି ବନ୍ଧୁଟି ଫିଲିବାର୍ତ୍ତୋଙ୍କ ଠାରୁ ବିଦାୟ ନେଲା । ବନ୍ଧୁର ମୁଖରୁ ପ୍ରତିଶ୍ରୁତି ପାଇ ଫିଲିବାର୍ତ୍ତୋଙ୍କର ମନ ଭିତରେ ତତ୍‍କ୍ଷଣାତ୍‍ ଏକ ଅପୂର୍ବ ପ୍ରଶାନ୍ତି ଫେରିଆସିଲା । ତାଙ୍କର କଳ୍ପନାର ରାଜ୍ୟରେ ଗୋଟାଏ ଅବ୍ୟକ୍ତ ହର୍ଷ-ପୁଲକର ବିଦ୍ୟୁତ୍‍ ପ୍ରବାହ ଖେଳିଗଲା ।

 

କିଛିଦିନ ପରେ ଫିଲିବାର୍ତ୍ତୋ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ । ଏହି ସ୍ପୋଲେଟାଇନମାନେ, ଅର୍ଥାତ୍‍ ଫିଲିବାର୍ତ୍ତୋଙ୍କ ବନ୍ଧୁର ଯେଉଁଠି ଘର, ସେଠାର ଲୋକମାନେ କଥା-ଚାତୁରୀରେ ଅସମ୍ଭବ କ୍ଷମତାଶାଳୀ । ସେମାନଙ୍କର ପ୍ରାୟ ସମସ୍ତଙ୍କର ପେଶା ହେଲା ସମଗ୍ର ଇଟାଲୀର ନାନା ସହରରେ ଓ ଗ୍ରାମରେ ଘୂରି ବୁଲି କୃତ୍ରିମ ଛଳନା ଦେଖାଇ ଭିକ୍ଷା କରି ବୁଲିବା । ତେବେ ସେମାନେ ଯେମିତି ରସିକ ଓ କୌତୁକପ୍ରିୟ ଲୋକ, ଠିକ୍‍ ସେମିତି ନିର୍ଭୟ ଓ ବାକ୍‍ଚତୁର । ଯାହାକୁ ପାରେ ତାହାକୁ ଯେତେବେଳେ ନାହିଁ ସେତେବେଳେ କଥାରେ ବଶୀଭୂତ କରି ମିଥ୍ୟା ଆଶୀର୍ବାଦ କରି ନିଜର ପାଉଣା ଗଣ୍ଡାକ ଆଦାୟ କରିନେବାର ଯଥେଷ୍ଟ ଦକ୍ଷତା ସେମାନଙ୍କଠାରେ ପରିଲକ୍ଷିତ ହୁଏ । ଲୋକଙ୍କୁ ଠକାଇ ବୁଲିବା ସେମାନଙ୍କର ପେଶା ହୋଇଥିବାରୁ, ସେମାନେ ଯେତେବେଳେ ବୁଲି ବାହାରନ୍ତି ସେତେବେଳେ ସେମାନଙ୍କର କାଖତଳେ ଗୋଟାଏ ବେଶ ବଡ଼ ବେତର ପାଛିଆ ଝୁଲୁଥାଏ । ସେଥିରେ ଥାଏ ସ୍ତ୍ରୀଲୋକଙ୍କ ପାଇଁ ନାନା ରକମର ଜିନିଷପତ୍ର-ଯଥା ମୁଣ୍ଡର କଣ୍ଟା, ଖେଳଣା, ଗହଣା, ସିଲାଇ ପାଇଁ ଆଙ୍ଗୁଳିରେ ଟୋପର, ରଙ୍ଗ ବେରଙ୍ଗର ଫିତା, ଛିଟା ଜାମା କଣା, ଆହୁରି କେତେ ରକମ୍‍ ସାମଗ୍ରୀ ! ଏହି ସବୁ ଜିନିଷ ସାଙ୍ଗରେ ଧରି ସେମାନେ ଡାକ ଛାଡ଼ି ବ୍ୟବସାୟର ଛଳନା କରି ଘୂରି ବୁଲନ୍ତି ।

 

ଫିଲିବାର୍ତ୍ତୋଙ୍କର ବନ୍ଧୁ ଜଣେ ସୈନିକ ହେଲେ ସୁଦ୍ଧା, ଏହି ସମ୍ପ୍ରଦାୟର ଲୋକ । ସୁତରାଂ ଅନ୍ୟାନ୍ୟ ପ୍ରତିବେଶୀମାନଙ୍କ ପରି ତାହା ଭିତରେ ବି ଲୋକ ଭୁଲାଇବାର ଯଥେଷ୍ଟ ଦକ୍ଷତା ଅଛି । କିନ୍ତୁ ସେଟା ତାହାର ପେଶା ନୁହେଁ । ତାହାର ପେଶା ହେଉଛି ସୈନିକର ଚାକିରୀ । ଫିଲିବାର୍ତ୍ତୋ ସୁସ୍ଥ ହୋଇଯିବାରୁ ତାଙ୍କର ବନ୍ଧୁ ଏକ୍ଷଣି ନିଜର ଜୀବନ ରଖିବା ପାଇଁ ପ୍ରସ୍ତୁତ ହୋଇଗଲା । ନିଜ ସମ୍ପ୍ରଦାୟର ଜଣେ ଲୋକକୁ ଖୋଜି ବାହାର କରି, ତାହାଙ୍କୁ କିଛି ଟଙ୍କା ପଇସା ଦେଇ, ତାହା ସହିତ ଗୋଟାଏ ଚୁକ୍ତି କରି, ତାହାର ବିକ୍ରିସାମଗ୍ରୀ ସମେତ ବେତ ପାଛିଆଟା ଓ ପୋଷାକପତ୍ର ତାହାଠାରୁ ନେଇ, ନିଜକୁ ଅବିକଳ ସେମାନଙ୍କ ପରି ଜଣେ ଫେରିବାଲା ଭାବରେ ସଜାଇ ଦେଲା । ତା’ ପତ୍ର ଜିଲିୟା ସହରର ଯେଉଁ ଅଂଶରେ ବାସ କରେ, ସେଠାକୁ ଯାଇ ଠିକ୍‍ ନକଲି ଫେରିବାଲା ଭଳି ଡକା ପାରି ସେ ଜିନିଷ ଫେରି କରିବାକୁ ଲାଗିଲା । ମାଡୋନା ଜିଲିୟା ସେହି ଡାକ ଶୁଣିପାରି ଲୋକଟିକୁ ଘର ଭିତରକୁ ଡାକି ଆଣିଲା, କାରଣ ସେତେବେଳେ ତାହାର କିଛି ଛିଟ କନାଦରକାର ପଡ଼ିଲା । ଫିଲିବାର୍ତ୍ତୋର ବନ୍ଧୁ ଦେଖିଲା, ନିଜର ଅଭିସନ୍ଧି ସତରେ ସଫଳ ହେବାକୁ ଯାଉଛି । ଘର ଭିତରେ ପ୍ରବେଶ କରି ଲୋକଟି ଜିଲିୟାକୁ ଏମିତି ଭାବରେ ଅଭିବାଦନ କରି କଥା କହିବାକୁ ଲାଗିଲା, ସତେ ଯେମିତି ଜିଲିୟା ସହିତ ତାହାର ବହୁଦିନର ପରିଚୟ ଅଛି ।

 

ଜିଲିୟା ପାଛିଆ ଭିତରେ ହାତ ପୁରାଇ ଗୋଟି ଗୋଟି କରି ଜିନିଷସବୁ କାଢ଼ିଆଣି ଦେଖିବାକୁ ଲାଗିଲା । ଦେଖୁଁ ଦେଖୁଁ ହଠାତ୍‍ ଖଣ୍ଡିଏ ଛିଟ କନା ଜିଲିୟାର ମନକୁ ଖୁବ୍‍ ପାଇଗଲା । ସେଠାକୁ ଦେଖାଇ ଜିଲିୟା ପଚାରିଲା–’’ଆଛା, ଏହି କଣା ଖଣ୍ଡିକର ଦାମ କେତେ ? ଦେଖ, ଯଦି ଦର ପଟେ ତ ମୁଁ ତୁମର ଏହି କନା ଖଣ୍ଡିକ କିଣି ନେବି ।’’

 

ଲୋକଟି କହିଲା–’’ଯଦି ପ୍ରକୃତରେ ଏଟା ଆପଣଙ୍କର ପସନ୍ଦ ହୋଇଥାଏ, ତାହାହେଲେ ଆପଣ ସମୁଦାୟଟା ନେଇ ନିଅନ୍ତୁ । ଦାମ କଥା ପଚାରିବେ ନାହିଁ କାରଣ ଏହାର ଦାମ ମୁଁ ଢେରଆଗରୁ ପାଇ ସାରିଛି ।’’

 

ଜିଲିୟା କହିଲା–’’ନା, ନା, ମୁଁ ତାହା ଚାହେନା । ଦାମ ନ ଦେଇ ତୁମ୍ଭମାନଙ୍କଠାରୁ କୌଣସି ଜିନିଷ ନେବା ଆଦୌ ଉଚିତ୍‍ ନୁହେଁ, ବିଶେଷତଃ ଯେତେବେଳେ ତୁମ୍ଭମାନଙ୍କର ଏଥିରୁ ଆୟକରି ପେଟ ପୋଷିବାକୁ ହେଉଛି । କେତେ ଦାମ ନେବ ତୁମେ ଆଗ କୁହ । ମୋତେ ପୋଷାଇଲେ, ମୁଁ ତାହା ଦେବାକୁ ରାଜି ଅଛି ।’’

 

ଲୋକଟା ପୁଣି କହିଲା–’’ନା, ନା, ଆପଣ ଭୁଲ୍‍ ବୁଝୁଛନ୍ତି । ଏଥିରେ ମୋର କିଛି ଲୋକସାନ ହେବ ନାହିଁ । କାରଣ ଜଣେ ବିଶିଷ୍ଟ ଭଦ୍ରଲୋକ ଏହି ଜିନିଷଗୁଡ଼ିକ ଆପଣଙ୍କଠାକୁ ଉପହାର ପଠାଇଛନ୍ତି । ସେ ନିଜର ଧନଦୌଲତ, ଏପରିକି ତାଙ୍କର ଜୀବନ ବି ଆପଣଙ୍କ ପାଇଁ ଦେବାକୁ ପ୍ରସ୍ତୁତ ଅଛନ୍ତି ।’’

 

ମେ ମାସରେ ସୂର୍ଯ୍ୟାଲୋକ ପାଇଲେ ଲାଲ୍‍ ଗୋଲାପ ନୂଆ ପାଖୁଡ଼ା ମେଲିବାବେଳେ ଯେଉଁ ରଙ୍ଗ ଧରେ, ଲୋକଟିର କଥାଶୁଣି ଜିଲିୟାର ମୁଖର ରଙ୍ଗ ଅବିକଳ ସେମିତିକା ହୋଇଗଲା-। ଲୋକଟାର ମୁଖକୁ ସିଧା ଅନାଇ ଜିଲିୟା କହିଲା–’’ଏ କଥା ଶୁଣାଇ ତୁମେ ମୋତେ ଭାରି ଅବାକ କରିଦେଲ । ତୁମେ କିଏ ଓ ତୁମର ଘର କେଉଁଠି, ତାହା ଜାଣିବା ଲାଗି ମୋର ବିଶେଷ କୌତୁହଳ ହେଉଛି । ତୁମେ ମୋତେ ଭୁଲ୍‍ ବୁଝିଛ । ତୁମେ ଠିକ୍‍ ଝିଅ ବାଛି ପାରିଲା ନାହିଁ-। କାରଣ ତୁମେ ଯେଉଁ ମାତାଲାପରେ ଏଠାକୁ ଆସିଛ, ମୋ ଠାରୁ ତାହା କୌଣସି ମତେ ଆଶା କର ନାହିଁ-।’’

 

କିନ୍ତୁ ଜିଲିୟାର ଏହି କଥାରେ ଲୋକଟି ତିଳେମାତ୍ର ହତାଶ ହେଲା ନାହିଁ । ମଥା ଥଣ୍ଡାରଖି ଯଥେଷ୍ଟ ବାକ୍‍-ଚାତୁରୀ ଦେଖାଇ ସେ ଫିଲିବାର୍ତ୍ତୋଙ୍କର ଦୁଃଖର କଥା ଜିଲିୟାକୁ ଜଣାଇଦେଲା । ତହିଁ ସଙ୍ଗେ ସଙ୍ଗେ ସେ ଆହୁରି କହିଲା ଯେ ଫିଲିବାର୍ତ୍ତୋ । ଅତ୍ୟନ୍ତ ସମ୍ଭ୍ରାନ୍ତ ବଂଶର ଲୋକ ଓ ଖୁବ୍‍ ଧନୀ । ଫିଲିବାର୍ତ୍ତୋ ଜିଲିୟାର ପ୍ରେମରେ ଆଜି ପାଗଳ । ସୁତରାଂ ଏକମାତ୍ର ଫିଲିବାର୍ତ୍ତୋ ଛଡ଼ା ପୃଥିବୀରେ ଆଉ ଏମିତି କୌଣସି ଧନୀ ଓ ମାନୀ ଲୋକ ଜିଲିୟାକୁ ମିଳିବ ନାହିଁ, ଯେ ତାହାର ସମ୍ପର୍ଣ୍ଣ ବଶୀଭୂତ ହୋଇ ରହିବ । ଏହିସବୁ କଥାକହି ଲୋକଟି ନିଜର ବାକ୍‍-ଚାତୁରୀ ଦେଖାଇ ଜିଲିୟାକୁ ଏମିତି ଭାବରେ ଭୁଲାଇଦେଲା ଯେ ଶେଷକୁ ଜିଲିୟା ଫିଲିବାର୍ତ୍ତୋ ସହିତ ଦେଖା କରିବାକୁ ରାଜି ହେଲା । ମାତ୍ର ସେହି ସାକ୍ଷାତ ହେବ ଜିଲିୟାର ଘର ଭିତରେ ଓ ଅତିଶୟ ଗୋପନରେ । ଜିଲିୟା ଲୋକଟିକୁ ନିର୍ଦ୍ଦିଷ୍ଟ ଦିନ ଓ ସମୟ ମଧ୍ୟ ଜଣାଇଦେଲା-

 

ଏହି କଥା ଶୁଣି ଫିଲିବାର୍ତ୍ତୋ ଆନନ୍ଦରେ ପ୍ରାୟ ଆତ୍ମହରା ହୋଇଗଲେ । ବନ୍ଧୁକୁ କୃତଜ୍ଞତା ଜଣାଇବା ପାଇଁ କୌଣସି ଭାଷା ସେ ଖୋଜିପାଇଲେ ନାହିଁ ।

 

ନିର୍ଦ୍ଦିଷ୍ଟ ଦିନ ଓ ସମୟରେ ଫିଲିବାର୍ତ୍ତୋ ଯାଇ ଜିଲିୟାର ଘରେ ଉପସ୍ଥିତ ହେଲେ । ପୂର୍ବ ନିର୍ଦ୍ଦେଶ ଅନୁସାରେ ସେ ପ୍ରଥମେ ଏକତାଲାର ଗୋଟିଏ ଘରେ ପ୍ରବେଶ କଲେ ଏବଂ ଦେଖିଲେ ଯେ ଜିଲିୟା ଆଗରୁ ଜଣେ ପରିଚାରିକା ସହିତ ସେଠାରେ ତାହାଙ୍କ ପାଇଁ ଅପେକ୍ଷା କରି ବସି ରହିଛି । ଫିଲିବାର୍ତ୍ତୋ ଜିଲିୟାକୁ ଅତିଶୟ ଭଲ ପାଉଥିଲେ ସୁଦ୍ଧା ତାହାକୁ ଲାଭ କରିନପାରିବାରୁ ନିଜର ମନରେ କି ଦାରୁଣ ଆଘାତ ଲାଗିଛି, ଯଥା ସମ୍ଭବ ମଧୁର ଭାଷାରେ ସେ ତାହା ଜିଲିୟା ଆଗରେ ପ୍ରକାଶ କଲେ । ସେ ଆହୁରି ମଧ୍ୟ ଜଣାଇଲେ ଯେ ଯଦି ଜିଲିୟା ତାହାଙ୍କୁ ସଦୟ ହୋଇ ଭଲପାଇ ନିଜପାଖକୁ ଟାଣିନିଏ, ତାହାହେଲେ ସେ ଆଜୀବନ ଜିଲିୟାର ଦାସ ହୋଇ ରହିବେ । କିନ୍ତୁ ଫିଲିବାର୍ତ୍ତୋଙ୍କର ଏହି ବିନୀତ ମୀନତିରେ କିଛି ଫଳ ହେଲା ନାହିଁ । ଜିଲିୟା କହିଲା ଯେ ସେ ବିଧବା ସୁତରାଂ ଏକାଧିକ ପତି ଗ୍ରହଣ କରିବା କିମ୍ବା ଅନ୍ୟ କାହାକୁ ଭଲ ପାଇବା, ଆଉ କାହାରି ପକ୍ଷେ ନ ହେଲେ ସୁଦ୍ଧା ଅନ୍ତତଃ ତାହାର ରୁଚି-ବିରୁଦ୍ଧ । ତାହାଛଡ଼ା ତାହାର ଗୋଟିଏ ପୁଅ ଅଛି । ସେହି ପିଲାଟିକୁ ଉପଯୁକ୍ତ ମଣିଷ କରି ଗଢ଼ିବା ଏକ୍ଷଣି ତାହାର ପ୍ରଧାନ କର୍ତ୍ତବ୍ୟ । ଏଠାରେ ଆହୁରି ଅନେକ ସୁନ୍ଦରୀ ନାରୀ ଅଛନ୍ତି, ସେମାନଙ୍କ ପଛରେ ନିଜର ଉତ୍ସାହ ବ୍ୟୟ କରିବାକୁ ସେ ଫିଲିବାର୍ତ୍ତୋଙ୍କୁ ପରାମର୍ଶ ଦେଲା ।

 

ବହୁ ବାକ୍ୟବ୍ୟୟ, ବହୁ ଅନୁରୋଧ-ଉପରୋଧ,ବହୁ କାକୁତି ମିନତି ସତ୍ତ୍ୱେ ଯେତେବେଳେ କିଛି ଫଳ ହେଲା ନାହିଁ, ସେତେବେଳେ ଫିଲିବାର୍ତ୍ତୋ ନିଜର ଅସୀମ ଦୁଃଖର ବନ୍ଧକୁ ଆଉ ସମ୍ଭାଳିପାରିଲେ ନାହିଁ । ଶ୍ରାବଣର ବର୍ଷା-ଧାରାପରି ଅଜସ୍ର ଲୋତକ-ବିନ୍ଦୁ ତାଙ୍କର ଦୁଇ ଆଖିରୁ ଝରିବାକୁ ଲାଗିଲା । ଅତ୍ୟନ୍ତ ଶୋକ ସନ୍ତପ୍ତ ହୃଦୟରେ ଅଶ୍ରୁ-ସଜଳ ନୟନରେ ଫିଲିବାର୍ତ୍ତୋ କହିଲେ, ‘‘ତୁମେ ତ ମୋତେ ମୋର ଏତେଦିନର ଆଶାରୁ ବଞ୍ଚିତ କଲ । ଏକ୍ଷଣି ମୋତେ ତୁମଠାରୁ ବିଦାୟ ନେବାକୁ ହେବ । ହୁଏତ ଏ ଜୀବନରେ ତୁମ ସହିତ ଆଉ ଦେଖାହେବାର ବା କଥା କହିବାର କୌଣସି ସୁଯୋଗ ମୋତେ ମିଳିନପାରେ । ଆମ ଦେଶର ରୀତି ଅନୁଯାୟୀ,ଯେଉଁଦିନ ମୁଁ ତୁମକୁ ପ୍ରଥମେ ଦେଖିଲି ସେହି ମୁହୂର୍ତ୍ତରେ ମୁଁ ତୁମର ମୁଖ ଚୁମ୍ବନ କରିବାକୁ ଚାହିଥିଲି । କିନ୍ତୁ ତୁମେ ମୋତେ ବିମୁଖ କରି ଆମର ଏହି ପ୍ରଚଳିତ ପ୍ରଶଂସନୀୟ ପ୍ରଥାର ଅମର୍ଯ୍ୟାଦା କରିଛ । ଯାହା ହେଉ, ଜିଲିୟା, ତୁମେ ଏହା ଜାଣିଥାଅ ଯେ ମୁଁ ତୁମକୁ ଭଲ ପାଏ । ଏମିତି ପ୍ରେମ ହୁଏତ ତୁମେ ନିଜର ସ୍ୱାମୀଠାରୁ ପାଇନଥିବ, ଏବଂ ଏ ଜୀବନରେ ଆଉ କାହା ଠାରୁ ପାଇବ କି ନା ସନ୍ଦେହ । ମୁଁ ଆଜୀବନ ତୁମକୁ ଭଲ ପାଉଥିବି । ମାତ୍ର ମୋର ଇଚ୍ଛା ଯେ ଏହି ବିଦାୟ ବେଳାରେ ତୁମେ ମୋତେ ଗୋଟିଏ ଚୁମ୍ବନ ଦିଅ । ତୁମର ଏହି ଚୁମ୍ବନହିଁ ମୋର ସାରା ଜୀବନରେ ଏକମାତ୍ର ସମ୍ବଳ ହୋଇ ରହିବ ।’’

 

ଫିଲିବାର୍ତ୍ତୋଙ୍କର କଥା ଶୁଣି ଜିଲିୟା କିଛି କ୍ଷଣ ନୀରବ ହୋଇ ବସି ରହିଲା । ତା’ପରେ ମୁଖ ଟେକି ସେ ଫିଲିବାର୍ତ୍ତୋଙ୍କ ଆଡ଼କୁ ଚାହିଁ କହିଲା–’’ଦେଖ ଫିଲିବାର୍ତ୍ତୋ, ମୁଁ ତୁମର କଥା ରଖିପାରେ, ମାତ୍ର ଗୋଟିଏ ସର୍ତ୍ତରେ ।’’

 

‘‘କଅଣ ତୁମର ସର୍ତ୍ତ ?’’ ଫିଲିବାର୍ତ୍ତୋ ପଚାରିଲା ।

 

‘‘ସର୍ତ୍ତଟି ହେଉଛି ଯେ ମୁଁ ଯେଉଁ ମୁହୂର୍ତ୍ତରେ ତୁମର ମୁଖ ଚୁମ୍ବନ କରିବି,ଠିକ୍‍ ପର ମୁହୂର୍ତ୍ତରୁ ପୁରା ତିନୋଟି ବର୍ଷ ତୁମକୁ ଏକାବେଳେ ମୁକ ହୋଇ ରହିବାକୁ ପଡ଼ିବ । କି ପୁରୁଷ କି ସ୍ତ୍ରୀ,କାହାରି ସହିତ ତୁମେ କିଛି କଥା ହୋଇ ପାରିବ ନାହିଁ । ଯାହାକୁ କହନ୍ତି ସମ୍ପର୍ଣ୍ଣ ମୁକ । ପାରିବ ତ ?’’

 

ସେତେବେଳେ ଫିଲିବାର୍ତ୍ତୋ ଭାବାବେଗରେ କହି ପକାଇଲେ–’’ପାରିବି, ଜିଲିୟା । ନିଶ୍ଚୟ ପାରିବି ।’’ ଫିଲିବାର୍ତ୍ତୋଙ୍କ କଥା ଶେଷ ହେବା ସଙ୍ଗେ ସଙ୍ଗେ, ଜିଲିୟା ତାହାଙ୍କୁ ନିଜର ବାହୁ ବନ୍ଧନରେ ଆବଦ୍ଧ କରି ତାଙ୍କର ମୁଖରେ ଥରେ ଚୁମ୍ବନ କରି ଘୁଞ୍ଚିଯାଇ ଠିଆହେଲା ।

 

ଫିଲିବାର୍ତ୍ତୋ ପ୍ରେମାବେଗରେ ଅବଶ୍ୟ ଉନ୍ମତ୍ତ ହୋଇ ଜିଲିୟା ନିକଟରେ ପ୍ରତିଜ୍ଞାକରି ପକାଇଥିଲେ, କିନ୍ତୁ ବର୍ତ୍ତମାନ ଭାବି ଦେଖିଲେ ଯେ ତାହାଙ୍କ ପକ୍ଷରେ ଏହି ପ୍ରତିଜ୍ଞା ରକ୍ଷା କରିବା ପ୍ରାୟ ଏକରକମ ଅସମ୍ଭବ, ଏବଂ ତାହାଛଡ଼ା ଯୁକ୍ତିହୀନ ଓ ଅଜ୍ଞାନତାର ଲକ୍ଷଣ । ପର ମୁହୂର୍ତ୍ତରେ ସେ ପୁଣି ଚିନ୍ତା କଲେ ଯେ ଯଦି ସେ ନିଜର ପ୍ରତିଜ୍ଞା ପାଳନ କରିପାରିବେ, ତାହା ହେଲେ ତିନିବର୍ଷ ପରେ ହୁଏତ ସେ ଜିଲିୟାକୁ ନିଜର କରି ପାଇପାରିବେ । ଶେଷ ଅବଧି ପର୍ଯ୍ୟନ୍ତ ଫିଲିବାର୍ତ୍ତୋ ନିଜର ପ୍ରତିଜ୍ଞା ରକ୍ଷା କରିବେ, ଏହିକଥା ଠାରରେ ଜିଲିୟାକୁ ବୁଝାଇଦେଇ ସେ ସେଠାରୁ ବିଦାୟ ନେଲେ ।

 

ଫିଲିବାର୍ତ୍ତୋ ମୋଁସେଲାଈରୁ ନିଜର ଘର ଭାର୍ଲିକୁ ଚାଲିଆସିଲେ । ସେଠାରେ ପହଞ୍ଚି ସେ ରଟାଇଦେଲେ ଯେ ମୋଁସେଲାଇରେ ସେ ସାଂଘାତିକ ବେମାର ପଡ଼ିଥିଲେ ଏବଂ ସେହି ବେମାର ପରଠୁ ସେ ହଠାତ୍‍ ନିଜର ବାକ୍‍-ଶକ୍ତି ହରାଇଛନ୍ତି । ସେଲୋକମାନଙ୍କ ସହିତ ଠାର, ଇଙ୍ଗିତ-ଲେଖାଦ୍ୱାରା କଥାବାର୍ତ୍ତା ହେବାକୁ ଲାଗିଲେ ।

 

ଫିଲିବାର୍ତ୍ତୋଙ୍କର ଏତାଦୃଶ ଅବସ୍ଥା ଦେଖି ସମସ୍ତଙ୍କର ତାହାଙ୍କ ପ୍ରତି ଅନୁକମ୍ପା ଜାତ ହେଲା । ଭାର୍ଲିରେ ଫିଲିବାର୍ତ୍ତୋଙ୍କୁ ଆଉ ରହିବାକୁ ଭଲ ଲାଗିଲା ନାହିଁ । କିଛିଦିନପରେ ଜଣେ ମାଉସୀ-ପୁଅ ଭାଇ ଉପରେ ନିଜର କାମଦାମ ଓ ସମ୍ପତ୍ତିର ତତ୍ତ୍ଵଧାନର ଭାର ଦେଇ, ଫିଲିବାର୍ତ୍ତୋ ଫ୍ରାନ୍ସକୁ ଚାଲିଗଲେ ।

 

ସେତେବେଳେ ଫ୍ରାନ୍ସର ରାଜା ହେଉଛନ୍ତି ସପ୍ତମ ଚାର୍ଲ୍ସ । ସେହି ସମୟରେ ଚାର୍ଲ୍ସଙ୍କର ଇଂରେଜମାନଙ୍କ ସହିତ ଭୟଙ୍କର ଯୁଦ୍ଧ ଚାଲିଥାଏ । ନର୍ମାଣ୍ଡି ଅଧିକାର କରିବା ପାଇଁ ସେ ପ୍ରାଣପଣେ ଲାଗି ପଡ଼ିଥାଆନ୍ତି । ଫିଲିବାର୍ତ୍ତୋ ଯାଇ ଚାର୍ଲ୍ସଙ୍କ ଦରବାରରେ ଉପସ୍ଥିତ ହେଲେ । ସେଠାରେ ପହଞ୍ଚିବାମାତ୍ରେ କେତେଜଣ ବନ୍ଧୁଙ୍କ ସହିତ ତାଙ୍କର ଦେଖାହେଲା । ବନ୍ଧୁମାନେ ସମସ୍ତେ ଜଣେ ଜଣେ ବ୍ୟାରେନ । ପ୍ରଥମେ ନିଜର ଦୈବୀ-ଦୁର୍ବିପାକର କଥା ସମସ୍ତଙ୍କୁ କହି, ତାହାପରେ ଫିଲିବାର୍ତ୍ତୋ ଇଙ୍ଗିତ ଦ୍ୱାରା ଜଣାଇଲେ ଯେ ସେ ରାଜକର୍ମ କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଛନ୍ତି-। ଏହା ଶୁଣି ସମସ୍ତେ ଅତିଶୟ ଆନନ୍ଦିତ ହେଲେ, ଏବଂ ତାଙ୍କର ଏହି ଆକସ୍ମିକ ବାକ୍‍-ଶକ୍ତି ରହିତ ହେତୁ ବି ପ୍ରକାଶ କଲେ ।

 

ରାଜା ଚାର୍ଲ୍ସ ଫିଲିବାର୍ତ୍ତୋଙ୍କ ଉପରେ ନର୍ମାଣ୍ଡି ଆକ୍ରମଣର ଭାର ନ୍ୟସ୍ତକଲେ ଏବଂ ତାହା ସହିତ ଯଥୋଚିତ ଯୁଦ୍ଧର ଆୟୋଜନ କରିବାକୁ ମଧ୍ୟ ଆଦେଶ ଦେଲେ ।

 

କେତେଦିନ ଭିତରେ ଫିଲିବାର୍ତ୍ତୋ ଅସୀମ ଦୁଃସାହସିକତା ସହକାରେ ଲଢେ଼ଇ କରି ନର୍ମାଣ୍ଡି ଅଧିକାର କରି ଫେରିଆସିଲେ ।

 

ରାଜା ବିଶେଷ ପ୍ରୀତ ହୋଇ ଫିଲିବାର୍ତ୍ତୋଙ୍କୁ ଯଥେଷ୍ଟ ପୁରସ୍କାର ଦେଲେ । ତା’ପରେ ପରିଚୟ ନେଇ ଯେତେବେଳେ ସେ ଜାଣିପାରିଲେ ଯେ ଫିଲିବାର୍ତ୍ତୋ ହେଉଛନ୍ତି ଭାଲିର ଲର୍ଡ଼ବଂଶର ଜଣେ ଉତ୍ତରାଧିକାରୀ, ସେତେବେଳେ ସେ ତାହାଙ୍କୁ ଆଉ ଯୁଦ୍ଧର କାର୍ଯ୍ୟରେ ଲିପ୍ତ ନରଖି ନିଜର ଅବସର ବିନୋଦନର ସଙ୍ଗୀ କରିନେଲେ ଏବଂ ମାସିକ ଦୁଇହଜାର ଫ୍ରାଙ୍କ ହାତ ଖରଚ ଦେବାର ବ୍ୟବସ୍ଥା କଲେ । ସେ ତାହାଙ୍କୁ ଆହୁରି ମଧ୍ୟ ପ୍ରତିଶ୍ରୁତି ଦେଲେ ଯେ ତାଙ୍କର ମୁକତ୍ୱ ଦୂର କରିବା ପାଇଁ ସେ କୌଣସି ଚେଷ୍ଟାର ତ୍ରୁଟି କରିବେ ନାହିଁ । ଫିଲିବାର୍ତ୍ତୋ ମଧ୍ୟ ରାଜାଙ୍କର ଏହି ଉଦାରତାର ବିନିମୟରେ ଇଙ୍ଗିତ ଦ୍ୱାରା ତାହାଙ୍କୁ ଅଶେଷ ଧନ୍ୟବାଦ ଜଣାଇଲେ ।

 

କିଛିଦିନପରେ ରାଜା ସପ୍ତମ ଚାର୍ଲ୍ସ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା-ଯୁଦ୍ଧ ଆୟୋଜନ କଲେ । ଫ୍ରାନ୍ସର ସବୁ ବଛା ବଛା ବୀର ପୁରୁଷମାନେ ଏହି ଯୁଦ୍ଧରେ ଯୋଗ ଦେଲେ । ଫିଲିବାର୍ତ୍ତୋ ମଧ୍ୟ ଅଂଶଗ୍ରହଣ କରିବାକୁ ପଛାଇଲେ ନାହିଁ । ଏହି କ୍ରୀଡ଼ା-ଯୁଦ୍ଧରେ ଅନେକେ ବହୁ କୃତିତ୍ୱ ଦେଖାଇଲେ ସତ, କିନ୍ତୁ ସମସ୍ତଙ୍କର କୃତିତ୍ଵକୁ ମ୍ଳାନ କରିଦେଇ ଫିଲିବାର୍ତ୍ତୋ ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେଲେ ।

 

ଏହିପରି ଭାବରେ ଫିଲିବାର୍ତ୍ତୋ କ୍ରମେ କ୍ରମେ ଚାର୍ଲ୍ସଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇଗଲେ । କିନ୍ତୁ ଚାର୍ଲ୍ସଙ୍କର ବଡ଼ ଦୁଃଖ ଯେ ଫିଲିବାର୍ତ୍ତୋଙ୍କ ସହିତ ଦୁଇଚାରି ପଦ ମନର କଥା କହି ଆନନ୍ଦ କରିପାରୁ ନାହାନ୍ତି । କାରଣ ଫିଲିବାର୍ତ୍ତୋ ମୁକ । ସେ ଯାହା କିଛି କହନ୍ତି ସବୁ ଆକାର ଇଙ୍ଗିତରେ । ସୁତରାଂ କଥାର ବିନିମୟରେ କଥା ଶୁଣିବାକୁ ନ ପାଇଲେ, କିପରି ବା ଆନନ୍ଦ ମିଳିବ-? ଚାର୍ଲ୍ସ ସ୍ଥିର କଲେ, ଯେଉଁ ଉପାୟରେ ପଛକେ ଫିଲିବାର୍ତ୍ତୋଙ୍କର ମୁଖରେ କଥା ଫେରାଇ ଆଣିବାକୁ ହେବ । ତତ୍‍କ୍ଷଣାତ୍‍ ଦେଶସାରା ଗୋଟାଏ ସରକାରୀ ଇସ୍ତାହାର ଦେଇଦିଆଗଲା-। ସେଥିରେ ଘୋଷଣା କରାହେଲା, ଯେ କୌଣସି ଲୋକ ଫିଲିବାର୍ତ୍ତୋଙ୍କ ମୁଖରେ କଥା ଫେରାଇ ଆଣିଦେଇପାରିବ ତାହାକୁ ଦଶ ହଜାର ଫ୍ରାଙ୍କ ପୁରସ୍କାର ଦିଆଯିବ ।

 

ଏହି ରକମ୍‍ ଗୋଟାଏ ଅଚିନ୍ତନୀୟ ପୁରସ୍କାରର କଥାଶୁଣି ପ୍ରତିଦିନ ଦେଶ ବିଦେଶରୁ ବହୁଲୋକ ଆସି ଫିଲିବାର୍ତ୍ତୋଙ୍କର ମୁକତ୍ଵ ଆରୋଗ୍ୟ କରିବା ନିମନ୍ତେ ଚେଷ୍ଟା ଚଳାଇବାକୁ ଲାଗିଲେ । କିନ୍ତୁ ଜଣ ଜଣ କରି ସମସ୍ତେ ବ୍ୟର୍ଥ ମନୋରଥ ହୋଇ ଫେରିଗଲେ ।

 

ଖବରଟା କ୍ରମେ ଇତାଲୀର ମୋସେଲାଇ ସହରରେ ଯାଇ ପହଁଚିଲା । ସହରର ଅଧିବାସୀମାନେ କୁହାକୋହି ହେବାକୁ ଲାଗିଲେ ଯେ ଫିଲିବାର୍ତ୍ତୋ ଫ୍ରାନ୍ସର ରାଜାଙ୍କର ଅତୀବ ପ୍ରିୟପାତ୍ର ଓ ତାହାଙ୍କ ଅନୁଗ୍ରହରେ ଅତିଶୟ ଧନୀ ହୋଇ ଯାଇଛନ୍ତି ।

 

ମାଡୋନା ଜିଲିୟାର କାନରେ ବି ଏହି ପୁରସ୍କାର କଥା ଯାଇ ବାଜିଲା । ଇତି ମଧ୍ୟରେ ଦୁଇବର୍ଷ ବିତିଗଲାଣି । ଫିଲିବାର୍ତ୍ତୋଙ୍କର ଏହି ବାକ-ଶକ୍ତିହୀନତାର କାରଣ ଏକମାତ୍ର ଜିଲିୟା ଛଡ଼ା ପୃଥିବୀରେ ଆଉ କାହାକୁ ମାଲୁମ ନାହିଁ । ବେଳେ ବେଳେ ଜିଲିୟାର ମନ ଭିତରେ କେବଳ ଦଶ ହଜାର ଫ୍ରାଙ୍କ ଉଙ୍କି ମାରିବାକୁ ଲାଗିଲା । ସେ ମନେ ମନେ କହି ପକାଇଲା-ମୁଁ ଏତେଦିନ ହେଲା ଫିଲିବାର୍ତ୍ତୋଙ୍କୁ ମୁକ କରି ରଖିଛି । ଏକ୍ଷଣି ଏକମାତ୍ର ମୁଁ ଇଚ୍ଛାକଲେ ପୁଣି ତାଙ୍କର ମୁଖରେ କଥା ଫେରାଇ ଆଣିପାରିବି । ସୁତରାଂ ଏହି ଦଶ ହଜାର ଫ୍ରାଙ୍କ କୌଣସି ମତେ ଛାଡ଼ିଦେବା ଉଚିତ୍‍ ନୁହେଁ ।

 

ଫିଲିବାର୍ତ୍ତୋଙ୍କ ପ୍ରତି ଅନୁକମ୍ପାପରାୟଣା ହୋଇ ତାଙ୍କର ମୁକତ୍ଵ ଦୂର କରିବା ଅପେକ୍ଷା ପୁରସ୍କାରର ପରିମାଣଟାହିଁ ଜିଲିୟାକୁ ଅଧିକ ଲୋଭାତୁରା କରିପକାଇଲା । ସୁତରାଂ ଜଣେ ବିଶ୍ଵସ୍ତ ପରିଚାରିକାର ହାତରେ ପୁଅର ଭାର ଅର୍ପଣ କରି ସେ ଦିନେ ଫ୍ରାନ୍ସ ଅଭିମୁଖରେ ଯାତ୍ରା କଲା ।

 

ଫିଲିବାର୍ତ୍ତୋଙ୍କର ଆରୋଗ୍ୟ ଲାଭ ନିମନ୍ତେ ରାଜା ଚାର୍ଲ୍ସ ଯେଉଁମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ, ଜିଲିୟା ରାଜଧାନୀ ପ୍ୟାରିସର ପହଞ୍ଚି ସେଠାକୁ ନିଜର ଆଗମନର ଅଭିପ୍ରାୟ ସେମାନଙ୍କ ନିକଟରେ ବ୍ୟକ୍ତ କଲା ।

 

ଏ ଖବର ଶୁଣିଲା ମାତ୍ରେ ଚାର୍ଲ୍ସ ହସି ହସି ଗଡ଼ିଗଲେ । ସେ ରାଜ-କର୍ମଚାରୀମାନକୁ ଅନାଇ କହିଲେ,’’ ଏ ତ ବଡ଼ ଆଶ୍ଚର୍ଯ୍ୟ କଥା ! ଦେଶ ବିଦେଶର ବଡ଼ ବଡ଼ ଡାକ୍ତରମାନେ ଯାହାକୁ ଭଲ କରିପାରିଲେ ନାହିଁ, ତାହାର ମୁଖରୁ କଥା ବାହାର କରିବ ଛାର ଜଣେ ସ୍ତ୍ରୀଲୋକ, ଯେ ଡାକ୍ତରୀ ବିଦ୍ୟା ଆଦୌ ଜାଣେ ନାହିଁ ! ତୁମ୍ଭେମାନେ ତ ମୋତେ ଅବାକ କରିଦେଲ ! ତାହାହେଲେ ଏହି ସ୍ତ୍ରୀଲୋକଟି କଅଣ କିଛି ଗୁଣି ଗାରିଡ଼ି ଜାଣେ କି ? କିଏ ଜାଣେ, ହୋଇଥାଇପାରେ ! କେତେ ରକମ୍‍ ଅଜବ କଥା ତ ଏ ଦୁନିଆରେ ଘଟୁଛି ! ଠିକ୍‍ ଅଛି, ମୁଁ ଏଥିରେ ରାଜି ଅଛି, ମାତ୍ର ଗୋଟାଏ ସର୍ତ୍ତରେ ।’’ କିଛିକ୍ଷଣ ଚିନ୍ତା କରି ଚାର୍ଲ୍ସ ପୁଣି କହିଲେ,’’ ସର୍ତ୍ତ ହେଉଛି ଯେ ଫିଲିବାର୍ତ୍ତୋଙ୍କୁ ଭଲ କରିପାରିଲେ ଜିଲିୟାକୁ ଦଶହଜାର ଫ୍ରାଙ୍କ ଓ ତାହାସଙ୍ଗରେ ଆହୁରି ଅନେକ ଉପହାର ଦିଆଯିବ । ଯେତେ ସମୟ ଲାଗିବ ଲାଗୁ, ସେଥିରେ କିଛି କ୍ଷତି ନାହିଁ । ମାତ୍ର ଭଲ କରିନପାରିଲେ, ତାହାକୁ ଦଶ ହଜାର ଫ୍ରାଙ୍କ ଜୋରିମାନା ଦେବାକୁ ହେବ । ତାହା ଦେଇ ନପାରିଲେ ତାହାର ମୁଣ୍ଡ କଟାଯିବ-। ଯଦି ସେ ଏଥିରେ ରାଜି ଥାଏ, ତାହାହେଲେ ତାହାକୁ କହିଦିଅ ତୁରନ୍ତ ଯାଇ ଚିକିତ୍ସା ଆରମ୍ଭ କରୁ-।’’ କଥାଗୁଡ଼ାକ ଏକ ନିଶ୍ୱାସରେ ଶେଷକରି, ଚାର୍ଲ୍ସ ରାଜକର୍ମଚାରୀମାନଙ୍କ ଠାରୁ ଅନ୍ୟଆଡ଼କୁ ମୁଖ ବୁଲାଇନେଲେ ।

 

ଜିଲିୟାକୁ ଏହି କଥା ଜଣାଇ ଦିଆଗଲାରୁ, ସେ କହିଲା, ‘‘ଦେଖନ୍ତୁ, ସବୁ କଥା ମୁଁ ମାନିନେଲି । ମାତ୍ର ଚିକିତ୍ସା ଆରମ୍ଭ କରିବା ଆଗରୁ ମୋର ମଧ୍ୟ କିଛି କହିବାର ଅଛି ।’’

 

ରାଜ-କର୍ମଚାରୀ କହିଲା–’’କୁହ ।’’

 

ଜିଲିୟା କହିବାକୁ ଲାଗିଲା,’’ ମୋର ଚିକିତ୍ସା ଅତ୍ୟନ୍ତ ଗୋପନୀୟ । ମୁଁ ଫିଲିବାର୍ତ୍ତୋର ଚିକିତ୍ସାରେ ଯେଉଁ ଔଷଧପତ୍ର ସବୁ ବ୍ୟବହାର କରିବି, ତାହା ମୁଁ ଏକମାତ୍ର ରୋଗୀ ଛଡ଼ା ଆଉ କାହାକୁ ଦେଖିବାକୁ ଦେବି ନାହିଁ । କାରଣ ଏହି ରୋଗର ଚିକିତ୍ସା ଏକମାତ୍ର ମୋ ଛଡ଼ା ପୃଥିବୀରେ ଆଉ କେହି ଜାଣନ୍ତି ନାହିଁ । ତେଣୁ ମୁଁ ଚାହେଁ, ଏହି ବିଦ୍ୟା କେବଳ ମୋରି ହୋଇ ରହିଥାଉ । ଆପଣ ରାଜା ଚାର୍ଲ୍ସଙ୍କୁ କହିଦିଅନ୍ତୁ ଯେ ମୁଁ ଠିକ୍‍ ଦୁଇ ସପ୍ତାହରୁ ବେଶି ସମୟ ନେବି ନାହିଁ । ଦୁଇ ସପ୍ତାହ କଟିଯିବା ମାତ୍ରେ ଆପଣ ଦେଖିବେ, ରୋଗୀ ଆପଣଙ୍କ ସମସ୍ତଙ୍କ ସହିତ ବେଶ ସୁନ୍ଦର ଭାବରେ କଥାବାର୍ତ୍ତା କରୁଛି । ଯଦି ତାହା ନ ହୁଏ, ତାହାହେଲେ ମୁଁ ତ ଏତେ ଟଙ୍କା ଜୋରିମାନା ଦେଇ ପାରିବି ନାହିଁ, ବରଂ ମୋର ମୁଣ୍ଡଟା ଦେବି । ଆଉ ଗୋଟାଏ କଥା ହେଉଛି ଯେ ଏହି ଦୁଇ ସପ୍ତାହ ଭିତରେ କେଉଁ ଦିନ କୌଣସି ଲୋକ ରୋଗୀର ଘର ଭିତରେ ପ୍ରବେଶ କରିବ ନାହିଁ । ଦିନ ରାତି ଖାଲି ମୁଁ ଏକା ସେଠାରେ ରହିବି, କାରଣ କେତେ ବେଳେ କେଉଁ ଔଷଧ ମୁଁ ବ୍ୟବହାର କରିବି ତାହାର କିଛି ଠିକ୍‍ ଠିକ୍‍ଣା ନାହିଁ । ଏପରିକି, ହୁଏତ ଢେର ରାତିରେ ବି ଔଷଧ ଖୁଆଇବା ଲାଗି ମୋତେ ଉଜାଗର ରହିବାକୁ ପଡ଼ିବ ।’’

 

ଏହି ଚିକିତ୍ସାର ପଦ୍ଧତି ଫିଲିବାର୍ତ୍ତୋଙ୍କୁ ଜଣାଇ ଦିଆଗଲାରୁ, ସେ ବିନା ଦ୍ଵିଧାରେ ରାଜି ହୋଇଗଲେ ।

 

ଯେତେବେଳେ ଜିଲିୟାକୁ ନେଇ ଫିଲିବାର୍ତ୍ତୋଙ୍କ ଘରେ ହାଜର କରାଗଲା, ସେତେବେଳେ ସେହି ସ୍ତ୍ରୀ ଲୋକଟିକୁ ଚିହ୍ନିବା ପାଇଁ ଫିଲିବାର୍ତ୍ତୋଙ୍କୁ ମୁହୂର୍ତ୍ତେ ବି ଲାଗିଲା ନାହିଁ । ସେ ମନେ ମନେ ଚିନ୍ତା କଲେ, ଜିଲିୟା ଯେଉଁ ଧରଣର ନିଷ୍ଠୁରା ରମଣୀ ସେଥିରେ ସେ ନିଶ୍ଚୟ ତାହାଙ୍କୁ ଭଲ ପାଇଁ ଏତେ ଦୁଆରକୁ ଧାଇଁ ଆସି ନାହିଁ, ମାତ୍ର ତାହାର ଆଖି ସେହି ଦଶ ହଜାର ଫ୍ରାଙ୍କ ଉପରେ ରହିଛି ।

 

ଫିଲିବାର୍ତ୍ତୋ ଜିଲିୟାକୁ ନିଜର ପ୍ରାଣଠାରୁ ବେଶି ଭଲ ପାଇଥିଲେ, କିନ୍ତୁ ବିନିମୟରେ ସେ ପାଇଛନ୍ତି ଖାଲି ନିର୍ମମ ବ୍ୟବହାର ଓ ଆନ୍ତରର ନିର୍ଦୟତା । ଫିଲିବାର୍ତ୍ତୋ ଏଯାଏ ନିଜର ପ୍ରତିଜ୍ଞା ପାଳନ କରି ଚାଲିଛନ୍ତି । କିନ୍ତୁ ବର୍ତ୍ତମାନ କେଜାଣି କାହିଁକି ଜିଲିୟାକୁ ଦେଖିଲା ମାତ୍ରେ ତାଙ୍କର ପ୍ରେମ ପ୍ରଦୀପର ଶିଖା ମୁହୂର୍ତ୍ତକରେ ନିର୍ବାପିତ ହୋଇ ତାହା ବଦଳରେ ଗୋଟାଏ ପ୍ରତିହିଂସାର ସ୍ପୃହା ଜାଗ୍ରତ ହେଲା । ଜିଲିୟାକୁ ଫିଲିବାର୍ତ୍ତୋଙ୍କ ଘରକୁ ନେଇଆସି ତାହାଙ୍କ ସହିତ ପରିଚୟ କରାଇଦେଇ, ରାଜ-କର୍ମଚାରୀମାନେ ଚାଲିଯିବାପରେ ଜିଲିୟା ବହୁତ ବେଳ ଯାଏ ନିର୍ବାକ ହୋଇ ଫିଲିବାର୍ତ୍ତୋଙ୍କ ଆଡ଼କୁ ଅନାଇ ରହିଲା । ମାତ୍ର ଫିଲିବାର୍ତ୍ତୋଙ୍କ ତୁଣ୍ଡରୁ ପଦେ ହେଲେ କଥା ପ୍ରକଟିଲା ନାହିଁ । ଫିଲିବାର୍ତ୍ତୋଙ୍କର ନୀରବତା ଦେଖି ଜିଲିୟା ଅବାକ ହୋଇଗଲା । ସେ ମନେ ମନେ ଭାବିଥିଲା, ହୁଏତ ତାହାକୁ ଦେଖିଲା ମାତ୍ରେ ଫିଲିବାର୍ତ୍ତୋ କଥା କହିପକାଇବେ । କିନ୍ତୁ ଯେତେବେଳେ ତାହା ହେଲା ନାହିଁ, ସେତେବେଳେ ଭିତରପଟୁ କବାଟ କିଳିଦେଇ ଜିଲିୟା ଫିଲିବାର୍ତ୍ତୋଙ୍କ ଆଖିରେ ଆଖିରଖି କହିପକାଇଲା,‘‘ଫିଲିବାର୍ତ୍ତୋ, ତୁମେ ମୋତେ ଚିହ୍ନିପାରୁ ନାହିଁ-? ମୁଁ ପରା ତୁମର ପ୍ରିୟା ଜିଲିୟା, ଯାହାକୁ ତୁମେ ତୁମର ପ୍ରାଣଠାରୁ ବି ଅଧିକ ଭଲ ପାଅ-।’’

 

ଜିଲିୟାର କଥା ଶେଷ ହେବା ସଙ୍ଗେ ସଙ୍ଗେ, ଫିଲିବାର୍ତ୍ତୋ ନିଜର ମୁଖରେ ଆଙ୍ଗୁଳି ଦେଇ ଇଙ୍ଗିତ ଦ୍ୱାରା ଜଣାଇଦେଲେ ଯେ ସେ କଥା କହିପାରିବେ ନାହିଁ । ତା’ପରେ କାନ୍ଧ ଦୁଇଟା ସେଠାରେ ହଲାଇଦେଲେ । ଏହି ହଲାଇବାର ଅର୍ଥ ହେଲା, କଅଣ କରାଯିବ ? ଉପାୟ କଅଣ ?

 

ଜିଲିୟା ଜବାବ ଦେଲା ଯେ ଫିଲିବାର୍ତ୍ତୋଙ୍କୁ ପ୍ରତିଜ୍ଞାରୁ ମୁକୁଳାଇବା ସକାଶେ ସେ ଏତେଦୂରକୁ ଧାଇଁ ଆସିଛି, ବର୍ତ୍ତମାନ ଫିଲିବାର୍ତ୍ତୋ ଯାହା କହିବେ ସେ ତାହା କରିବାକୁ ରାଜି ଅଛି ।

 

ଜିଲିୟାର କଥାର ଉତ୍ତରରେ ଫିଲିବାର୍ତ୍ତୋ ଖାଲି ନିଜରକାନ୍ଧ ଦୁଇଟି ଥରେ ହଲାଇ ଦେଇ ଡାହାଣ ହାତର ଗୋଟାଏ ଆଙ୍ଗୁଳି ଓଠ ଉପରେ ଚାପିଧରି ନିଜର ବାକ୍‍-ଶକ୍ତିର ଅକ୍ଷମତା ପ୍ରକାଶ କଲେ ।

 

ଫିଲିବାର୍ତ୍ତୋଙ୍କର ଏହି ସ୍ଵପ୍ନାତୀତ ଆଚାର ବ୍ୟବହାର ଦେଖି ଜିଲିୟା ହତାଶରେ ଭାଙ୍ଗିପଡ଼ିବାକୁ ଲାଗିଲା । ଜିଲିୟା ଫିଲିବାର୍ତ୍ତୋକୁ ଅନେକ କାକୁତି ମିନତୀ, ଅନେକ ଅନୁନୟ ବିନୟ, ଅନେକ ଆଦର ସୋହାଗ କରିବାକୁ ଲାଗିଲା । ମାତ୍ର ସେଥିରେ କିଛି ଫଳ ହେଲା ନାହିଁ । ଫିଲିବାର୍ତ୍ତୋ ଯେଉଁ ମୁକକୁ ସେହି ମୁକ ହୋଇ ରହିଲେ । ତହୁଁ ନିରୁପାୟ ହୋଇ ଜିଲିୟା ଫିଲିବାର୍ତ୍ତୋକୁ ଆଲିଙ୍ଗନ ପାଶରେ ଆବଦ୍ଧ କରି ପ୍ରଣୟାସକ୍ତ ଭାବରେ ଚୁମ୍ବନାଘାତରେ ଲାଞ୍ଛିତ କରିବାକୁ ଲାଗିଲା । ମାତ୍ର ଫିଲିବାର୍ତ୍ତୋ ତ ଦୁର୍ଦ୍ଦଷି ଯୁବକ । ସୁତରାଂ ଜିଲିୟାର ଏହି ଆଚରଣରେ ତାଙ୍କର ଦେହ ଓ ମନ ଆଚ୍ଛନ୍ନ ହେଲା ନାହିଁ ।

 

ତହୁଁ ଜିଲିୟା ମନେ ମନେ ଚିନ୍ତା କଲା–ଏହି ଦଶ ହଜାର ଫ୍ରାଙ୍କର ଲୋଭରେ ସେ କି ଦୁଃସାହସ, କି ପ୍ରଗଳ୍‍ଭତା ଓ ନିର୍ବୁଦ୍ଧିତାର କାମ କରିଛି ! ବର୍ତ୍ତମାନ ତାହାର ଜୀବନକୁ ନେଇ ଟଣାଟଣି । ଜିଲିୟା ଦୁଶ୍ଚିନ୍ତା ଓ ହତାଶାର ଏକାବେଳେ ଭାଙ୍ଗି ପଡ଼ିଲା । ସେ ନିଜକୁ ମନେ ମନେ ନିଶ୍ଚିତ ମୃତ୍ୟୁର ହାତରେ ସମର୍ପି ଦେଲା ।

 

ଏହିପରି ଭାବରେ ଦିନ ଗଡ଼ିଯିବାକୁ ଲାଗିଲା । ଫିଲିବାର୍ତ୍ତୋକୁ ଆରୋଗ୍ୟ କରିବାର ନିର୍ଦ୍ଦିଷ୍ଟ ଦିନ ଗତ ହେଲାମାତ୍ରେ, ରାଜ-କର୍ମଚାରୀ ଆସି ଜିଲିୟାକୁ ଦଶ ହଜାର ଫ୍ରାଙ୍କ ଜୋରିମାନା ଦେବାକୁ ଜଣାଇଲା । କିନ୍ତୁ ଯେତେବେଳେ ଜିଲିୟା ଏହି ଅର୍ଥଦଣ୍ଡର ଅକ୍ଷମତା ପ୍ରକାଶ କଲା, ସେତେବେଳେ ତାହାକୁ ଫିଲିବାର୍ତ୍ତୋଙ୍କ ଘରୁ କାଢ଼ିନେଇ କାରାରୁଦ୍ଧ କରାଗଲା ।

 

ଏଣେ ଫିଲିବାର୍ତ୍ତୋ ମନେ ମନେ ଭାବିଲେ ଯେ ସେ ଜିଲିୟାକୁ ଯଥେଷ୍ଟ ପୀଡ଼ନ କରିଛନ୍ତି ଏବଂ ତାହାର ଦେହକୁ ଧରି ନିଜର ଇନ୍ଦ୍ରିୟ-ବିଳାଶ ଚରିତାର୍ଥ କରିବାରେ ତ୍ରୁଟି କରି ନାହାନ୍ତି । ଜିଲିୟାର ନିର୍ମମତା ଓ ନିଷ୍ଠୁର ପରାୟଣତା ସକାଶେ ତାହା ଉପରେ ଯଥେଷ୍ଟ ପ୍ରତିଶୋଧ ନିଆହୋଇଛି । ତାହାର ଅବିମୁଷ୍ୟକାରିତା ହେତୁ ସେ ଯଥେଷ୍ଟ ଲାଞ୍ଛନା ଭୋଗ କରିଛି । ଏଥିରେ ସେ ଖୁବ୍‍ ଶାସ୍ତି ପାଇଛି, ଆଉ ଦରକାର ନାହିଁ । ସୁତରାଂ ବର୍ତ୍ତମାନ ତାହାକୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ହେବ ।

 

ତହିଁ ପରଦିନ ସକାଳେ ଫିଲିବାର୍ତ୍ତୋ ରାଜା ଚାର୍ଲ୍ସଙ୍କ ସମକ୍ଷରେ ହାଜର ହେଲେ । ସସମ୍ମାନରେ ଅଭିବାଦନ ଜଣାଇ ଫିଲିବାର୍ତ୍ତୋ ରାଜାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ । ଫିଲିବାର୍ତ୍ତୋଙ୍କୁ ଏତେ ସୁନ୍ଦର ଓ ସୁସ୍ପଷ୍ଟ ଭାବରେ କଥା କହିବାର ଦେଖି, ରାଜା ଓ ଅନ୍ୟମାନେ ବିସ୍ମୟରେ ଅଭିଭୂତ ହୋଇଗଲେ ।

 

କେହି କୌଣସି ପ୍ରଶ୍ନ କରିବା ଆଗରୁ, ଫିଲିବାର୍ତ୍ତୋ ନିଜେ ନିଜେ ସ୍ଵତଃସ୍ଫୂର୍ତ୍ତ ଭାବରେ ସୁଦୀର୍ଘ ଦିନ ହେଲା ଏହି ମଉନ ବ୍ରତ ଅବଲମ୍ବନ କରିବାର କାରଣ ବର୍ଣ୍ଣନା କରିଗଲେ ।

 

ଏହା ଶୁଣି ସମସ୍ତେ ଅବାକ ହୋଇଗଲେ । ସେମାନେ ମନେ ମନେ ଭାବିଲେ, ନାରୀ ହୃଦୟର ବିନ୍ଦୁଏ କରୁଣା ପାଇବା ଲାଗି ପୃଥିବୀରେ ଏହା ବି ଘଟେ !

 

ଫିଲିବାର୍ତ୍ତୋ ରାଜାଙ୍କ ନିକଟରେ ଜିଲିୟାର ମୁକ୍ତିଭିକ୍ଷା କଲେ । ସେତେବେଳେ ଫିଲିବାର୍ତ୍ତୋ ରାଜା ଚାର୍ଲ୍ସଙ୍କର ଅତିଶୟ ପ୍ରିୟପାତ୍ର ହୋଇଥାଆନ୍ତା । ସୁତରାଂ ତାଙ୍କର କଥାରେ ସେ ବିନା ସ୍ଵଧାରେ ଜିଲିୟାର ମୁକ୍ତିର ଆଦେଶ ଦେଲେ ।

 

ମୁକ୍ତିଲାଭ କରି ଜିଲିୟା ସ୍ଵଦେଶ ଇଟାଲୀର ମୋସେଲାଇକୁ ଫେରିଯିବା ସକାଶେ ପ୍ରସ୍ତୁତ ହେଲା । କିନ୍ତୁ ଫିଲିବାର୍ତ୍ତୋ ଜିଲିୟାକୁ କିଛି ଦିନ ତାଙ୍କର ଘରେ ରହିବାକୁ କହିଲେ । ଅନିଚ୍ଛା ସତ୍ତ୍ୱେ ଜିଲିୟା କୃତଜ୍ଞତା ତାଙ୍କର କଥାରେ ରାଜି ହେଲା ।

 

ଦିନେ ସନ୍ଧ୍ୟା ବେଳେ ଦୁହେଁ ବସି ଗପସପ ହେଉଥିଲେ । ଫିଲିବାର୍ତ୍ତୋ ଜିଲିୟାର ମୁଖ ଉପରେ ଏକ ପ୍ରଶାନ୍ତ ଦୃଷ୍ଟି ବୁଲାଇ ଆଣି କହିବାକୁ ଲାଗିଲେ, ‘‘ଦେଖ ଜିଲିୟା, ମୁଁ ତୁମକୁ ମୋର ପ୍ରାଣଠାରୁ ଅଧିକ ଭଲ ପାଉଥିଲି । କିନ୍ତୁ ତୁମେ ତାହାର ମୂଳରେ କୁଠାରାଘାତ କାଳ । ଖାଲି ଗୋଟାଏ ଚୁମ୍ବନର ବିନିମୟରେ ତୁମର ଇଚ୍ଛା ଅନୁଯାୟୀ ମୁଁ ଆଜିକି ପ୍ରାୟ ତିନିବର୍ଷ ହେଲା ମୁକ ସାଜି ରହିଛି । ତାହା ହେଲେ ତୁମେ ଏକ୍ଷଣି ଭାବି ଦେଖ ତ,ତୁମ ପ୍ରତି ମୋର ଭଲପାଇବା କେତେ ଗଭୀର ! କିନ୍ତୁ ତୁମେ କି ନିଷ୍ଠୁର ! କୌଣସି ନାରୀ ପୁରୁଷ ପ୍ରତି ଏତେ ନିର୍ଦ୍ଦୟ ହୋଇପାରେ, ତାହା ମୁଁ ଆଗରୁ ଜାଣିନଥିଲି । ତୁମଠାରୁ ମୁଁ ମୋର ପ୍ରଥମ ଓ ଶେଷଶିକ୍ଷା ପାଇଲି । ଯାହା ହେଉ, ତୁମେ ଯେ ମୋତେ ଭଲ ପାଅ ନାହିଁ, ତାହା ମୁଁ ଖୁବ୍‍ ଭଲ ଭାବରେ ବୁଝିଛି । ଆଜି ତୁମେ ଯେ ଏତେ ଦୂରକୁ ଧାଇଁ ଆସିଛ, ଜିଲିୟା, ତାହା ମୋରି ପାଇଁ ନୁହେଁ, ଆସିଛ ଦଶ ହଜାର ଫ୍ରଙ୍କର ଲୋଭରେ-। ତେଣୁ ତୁମର ନକଲି ପ୍ରେମ ମୋ ମୁଖରୁ ପଦିଏ କଥା ବାହାର କରିପାରିଲା ନାହିଁ-। ଇଚ୍ଛା କରିଥିଲେ ମୁଁ ତୁମକୁ ମରଣର ମୁଖକୁ ଠେଲିଦେଇ ଥାଆନ୍ତି କିନ୍ତୁ ମୁଁ ତାହା କଲି ନାହିଁ-। ଭାବିଲି ତୁମ ଉପରେ ଯଥେଷ୍ଟ ପ୍ରତିଶୋଧ ନେଇଛି । ତେଣୁ ତୁମକୁ ପ୍ରାଣରେ ମାରିଦେଇ କି ଫଳ ମୁଁ ପାଇବି ? ଆଶା କରେ, ମୋ ଦ୍ୱାରା ତୁମର ଯଥେଷ୍ଟ ଜ୍ଞାନ ଲାଭ ହୋଇଛି । ଆଉ କେବେ ହେଲେ ତୁମେ ଜୀବନରେ କୌଣସି ପୁରୁଷକୁ ମୋରି ପରି ବ୍ୟଥିତ କରିବ ନାହିଁ ।’’

 

ଏହି କଥୋପକଥନର କିଛିଦିନ ପରେ ଜିଲିୟା ସ୍ଵଦେଶକୁ ଫେରିଗଲା । ଗଲାବେଳେ ସେ ଅବଶ୍ୟ ଖାଲି ହାତରେ ଫେରିଯାଇ ନଥିଲା । ଫିଲିବାର୍ତ୍ତୋ ତାହାକୁ ସନ୍ତୁଷ୍ଟ କରିବା ସକାଶେ ପ୍ରଚୁର ଅର୍ଥ ଦେଇଥିଲେ ।

 

–ମାର୍ତ୍ତୋ ବାନଦେଲଲ

Image

 

Unknown

ଦୁଇ ଶିକ୍ଷକ

 

ରାଷ୍ଟ୍ରୀୟ ରେଳ ପରିବହନର ମହାଅଧିକର୍ତ୍ତା ତୃତୀୟ ଶ୍ରେଣୀର କାମେରାଗୁଡ଼ିକ କଦର୍ଯ୍ୟ ଚକଚକିଆ କାଠର ଆଠ ଆସନ ଯୁକ୍ତ ଦ୍ଵିତୀୟ ଶ୍ରେଣୀର ଅନୁକରଣରେ ତିଆରି ନକରି ବରଂ ପୁରୁଣା ଗାଡ଼ିର କାମରା ଭଳି କରିଥିଲେ ଆହୁରି ଭଲ ହୋଇ ଥାଆନ୍ତା ।

 

ପୁରୁଣା ବଡ଼ କାମରାଗୁଡ଼ାକ ଆଲୁଅ ଓ ହାୱାରେ ଯେମିତି ପୂର୍ଣ୍ଣ ଥିଲା, ସେମିତି ବି ସେଥିରେ ପଚାଶ ଷାଠିଏ ଜଣ ବସିବା ଭଳି ଆସନ ଥିଲା । ସବୁଠାରୁ ବଡ଼କଥା ହେଉଛି, ତାହା ହୋଇଥିଲେ ଏହା ଅଧିକ ଆଧୁନିକ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥାଆନ୍ତା । ଅନ୍ୟାନ୍ୟ ଅନେକ ବିଷୟ ପରି ଏହି ବିଷୟରେ ବି ଆମର ପୂର୍ବ-ପୁରୁଷମାନେ ଆମଠାରୁ ଢେର ବିଚକ୍ଷଣ ଥିଲେ । ପୁରୁଣା ତୃତୀୟ ଶ୍ରେଣୀର କାମରାଗୁଡ଼ିକୁ ଅବିକଳ ମାର୍କିନ ଶୟନ-କାମରାର ଅନୁକରଣରେ ତିଆରି କରାହେଉଥିଲା–ଆହୁରି ଶକ୍ତ ଚକଚକିଆ କାଠରେ, ହାତ ରହୁଥିଲା ଏବଂ ପିଠିର ଠେସାଗୁଡ଼ାକ ଆହୁରୀ ବଙ୍କା ଓ ଆରାମଦାୟକ ଥିଲା ।

 

ବାସ୍ତବିକ ଆମର ତୃତୀୟ ଶ୍ରେଣୀର କାମରାଗୁଡ଼ିକ ଚମତ୍କାର ଜନପ୍ରିୟ ସେଲୁନ ଥିଲା । ଆଜି ବି ଶାଖା ଲାଇନର ଗାଡ଼ିଗୁଡ଼ିକରେ ସେସବୁ ଦେଖାଯାଏ । ଯେତେବେଳେ ପ୍ରମୋଦ ବିହାର ବା ଗ୍ରୀଷ୍ମବକାଶ ଉପଲକ୍ଷେ ଗାଡ଼ିର ଅସମ୍ଭବ ଚାହିଦା ହେତୁ ବାଧ୍ୟହୋଇ ରାଷ୍ଟ୍ରୀୟ ରେଳ ପରିବହନ ବିଭାଗ ଯାହା ଏକ୍ଷଣି ବି କୌଣସିମତେ ଗଡ଼ି ଗଡ଼ି ଚାଲିଯାଇପାରେ ଏପରି ସବୁଗାଡ଼ିକୁ ଆଣି ଚଳାଇଦିଅନ୍ତି–ସେହିସବୁ କ୍ଷେତ୍ରରେ ସତକଥା କହିବାକୁ ଗଲେ, ସେହି ପୁରୁଣା ତୃତୀୟ ଶ୍ରେଣୀର କାମରାରେ ବସିଲେ ମୁଁ ବିପୁଳ ଆନନ୍ଦବୋଧ କରେ ।

 

ଆଠ ଆସନ ଦ୍ଵିତୀୟ ଶ୍ରେଣୀର ତୁଳନାରେ ନିତାନ୍ତ ଜଘନ୍ୟ । ଯେତେବେଳେ ସେ ସବୁଥିରେ ଭିଡ଼ ହୁଏ, କାହାର ଶ୍ୱାସରୋଧ ହୋଇଥାଏ ତ କେହି ଅଧୈର୍ଯ୍ୟରେ ଫଁ ଫଁ ହେଉଥାଏ । ଝରକାରେ ବାହାରର ଗ୍ରାମଗୁଡ଼ିକ ନିର୍ଜନ ଆୟତ କ୍ଷେତ୍ରରେ ସଙ୍କୁଚିତ ହୋଇଯାଏ । ଯଦି ବିପରୀତ ଦିଗରେ ବସିଥିବା କୌଣସି ଭଦ୍ରଲୋକ ଝରକାର ପରଦା ପକାଇଦିଏ, ତାହାହେଲେ ଅନ୍ୟଯାତ୍ରୀର ନିଶ୍ଚୟ ମନେ ହେବ ଯେ ସେ ଗୋଟାଏ କଏଦୀର ଗାଡ଼ିରେ ଭ୍ରମଣ କରୁଛି । ପୁରୁଣା କାଳିଆ ଗାଡ଼ିର ତୃତୀୟ ଶ୍ରେଣୀର କାମରାର ଅନେକ ଝରକାବାଟେ ଆପଣ ଇଚ୍ଛା କଲେ ବାହାରର ସବୁ ଗାଁ ଗଣ୍ଡା ଦେଖିପାରିବେ ।

 

ଆପଣ ପ୍ରଶଂସା କରିପାରନ୍ତେ, ଆପଣ ସହଜ ଭାବରେ ଦାମ ନେଇପାରନ୍ତେ- ଯେମିତି ନ୍ୟୁୟର୍କ ଚିକାଗୋ ଏକ୍ସପ୍ରେସର ବୀକ୍ଷଣ ଗାଡ଼ିରୁ କରନ୍ତି । ବୀକ୍ଷଣ ଗାଡ଼ିର ଯାତ୍ରୀମାନେ ପଞ୍ଚମ ଏଭିନ୍ୟୁ କ୍ଲବର ସଭ୍ୟମାନଙ୍କ ଭଳି ବ୍ୟବହାର କରନ୍ତି । ସେମାନେ ନିଜ ନିଜର ବେତ ଚଉକିରେ ହାତଗୋଡ଼ ଲମ୍ବାଇ ବସନ୍ତି, ପତ୍ରପତ୍ରିକା ମୋଡ଼ି ଗୋଲ କରି ତାହା ଭିତର ଦେଇ ଅନାନ୍ତି ପାଇପ ଟାଣନ୍ତି, ଏବଂ ସଂଯମୀ ମୁଖଭଙ୍ଗୀରେ ଗୋଟାଏ ଧର୍ମୀୟ ସ୍ତବ୍ଧତାରେ ଜିଞ୍ଜାର ଏଲ୍‍ ପାନ କରନ୍ତି । ପ୍ରତ୍ୟେକେ ନିଜକୁ ଆଦବ କାଇଦାରେ ଏମିତି ଫିଟଫାଟ କରି ରଖନ୍ତି ଯେ ସେଥିରୁ ପରିଷ୍କାର ବୁଝାଯାଏ, ତୁମେ ଯାହାକୁ ଚିହ୍ନି ନାହଁ ସେପରି ଲୋକ ସହିତ ଉପରେ ପଡ଼ି କଥା କହିବାକୁ ଆସ ନାହିଁ । ଇତିମଧ୍ୟରେ ଆମର ତୃତୀୟ ଶ୍ରେଣୀର ଯାତ୍ରୀମାନେ ସେମାନଙ୍କର ଗଲା ସପ୍ତମକୁ ଚଢ଼ାଇ କଥା କହିବାକୁ ଆରମ୍ଭ କରିଦେଲେଣି । ଅନେକେ କାମରାରେ ଅପରିଚିତ ଯାତ୍ରୀମାନଙ୍କୁ ଶୁଣାଇ ନିଜ ନିଜର କଷ୍ଟକର ଜୀବନ କିମ୍ବା କ୍ଷଣିକ ସୁଖର କାରଣଗୁଡ଼ିକର ଅନ୍ତରତମ କଥା ସବୁ ବ୍ୟାଖ୍ୟା କଲେଣି । ସେମାନଙ୍କର ଶ୍ରୋତାମାନଙ୍କ ଭିତରୁ କେହି ନା କେହି ସବୁବେଳେ ଉପଦେଶ ଦେଉଥିଲା, ପ୍ରତିବାଦ କରୁଥିଲା କିମ୍ବା ସାନ୍ତ୍ୱନା ଦେଉଥିଲା । ଯୁକ୍ତିତର୍କ, ବାଦ-ପ୍ରତିବାଦ, ଆଳାପ-ଆଲୋଚନା ଅନବରତ ଚାଲିଥାଏ । କହିବାକୁ ଗଲେ, ହଠାତ୍‍- ପ୍ରାୟ ହଠାତ୍‍ହିଁ ଏ ସବୁର ସୂତ୍ରପାତ । ତେରେଶତୋଲା ବା ଦେସେନଜାନୋ, ଅର୍ଥାତ୍‍ ଏ ସବୁ ଆଳାପ-ଆଲୋଚନାର ନାୟକଟିର ଗନ୍ତବ୍ୟସ୍ଥଳ ଆସିଗଲା ମାତ୍ରେ ହଠାତ୍‍ ପୁଣି ସବୁକଥା ବନ୍ଦ ହୋଇଯାଏ-। ମଝିସମୟ ଟିକକ କୌଣସିମତେ କଟାଇବା ସକାଶେ ଏସବୁର ବ୍ୟବସ୍ଥା-। ଅନ୍ୟଭାବରେ କହିବାକୁ ଗଲେ, ମାର୍କିନ ପୁଲମ୍ୟାନ ଗାଡ଼ିଗୁଡ଼ାକ ଏକବାଗିଆ ବିରକ୍ତିର ଜୀବନ୍ତ ପ୍ରତିମୂର୍ତ୍ତି-। ଆମ ନିଜର ପୁରୁଣା ତୃତୀୟ ଶ୍ରେଣୀର ବଡ଼ କାମରାଗୁଡ଼ିକରେ ହଜାରେ ରକମର ନାନା ଆଲୋଚନା ଓ ଘଟଣା ଦେଖାଯାଏ ତାହା ଭିତରୁ କେତେଗୁଡ଼ିଏ ଅବଶ୍ୟ ଆନନ୍ଦଦାୟକ, ମାତ୍ର ହୁଏତ ତାହାଠାରୁ ନୀରସ । କିନ୍ତୁ ଗୋଟିଏ ବିଷୟରେ ଆପଣ ନିଶ୍ଚତ ହୋଇପାରନ୍ତି । ଆପଣ କେବେ ହେଲେ ବିରକ୍ତ ହେବେ ନାହିଁ । ବିରକ୍ତିଟା ହେଉଛି ମାନବ ଜାତିର ସବୁଠାରୁ ବଡ଼ ପାପ, ବଡ଼ ବିପଦ-

 

୧୯...ସାଲର ଅଗଷ୍ଟ ୧୨ ତାରିଖର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀଯୁକ୍ତ ଦିରେତତତୋ ୮ ଗାଡ଼ିଟି ରୋମ୍‍ରୁ ରାତି ୧୧ଟା ୪୫ ମିନିଟରେ ବାହାରି ପରଦିନ ଦିପହର ୧୨ ଟା ୩୪ ମିନିଟରେ ତୁରିନରେ ଯାଇ ପହଞ୍ଚିଲା । ଏପରି ଗୋଟାଏ ଗାଡ଼ିରେ ବିରକ୍ତି ହେବା ଏକ ଅସମ୍ଭବ କଥା । ସବିଶେଷ କାରଣ ହେଉଛି, ଏଟା ଥିଲା ଅସମ୍ଭବ ଭିଡ଼ ତଥା ଅସ୍ଵସ୍ତିକର ।

 

ସେତେବେଳେ ଫେରାରା ସୋସ୍ତୋର ସମୟ । ମୁଁ ଏଠାରେ ଯେଉଁମାନଙ୍କର କଥା କହୁଛି, ସେମାନେ ଗୋଟାଏ ପୁରୁଣା ତୃତୀୟ ଶ୍ରେଣୀ କାମରାରେ ଏକ ଲମ୍ବା ଆସନର ଶେଷଆଡ଼କୁ ଜାକିଜୁକି ହୋଇ ବସିଥିଲେ ଏବଂ କେତେକ ଠିଆ ହୋଇଥିବେ । ଗାଡ଼ି ଛାଡ଼ିବାର କେତେ ମିନିଟ ଆଗରୁ ମୁଁ ତାରମନି ଷ୍ଟେସନରେ ପହଞ୍ଚିଲି । ଯାଇ ଦେଖିଲି ଯେ ରେଳଗାଡ଼ିଟି ଧୀରେ ଧୀରେ ଚାଲିବାକୁ ଆରମ୍ଭ କରିଛି । କୌଣସି ରକମ ଦ୍ଵିଧା ନକରି ମୁଁ ତୃତୀୟ ଶ୍ରେଣୀର କାମରାରେ ଚଢ଼ିଗଲି ଏହାଭାବି ଯେ ଅନ୍ତତଃ ସେଠାରେ ମୁଁ ଟିକିଏ ନିଶ୍ୱାସ ମାରିପାରିବି ।

 

କିନ୍ତୁ ମୁଁ ବଡ଼ ଭାଗ୍ୟବାନ । ପ୍ରାୟ ଷାଠିଏ ବର୍ଷ ବୟସ୍କା ଜଣେ ମହିଳାଙ୍କ କାଟିରେ ମୁଁ ଗୋଟାଏ ଜାଗା ଦେଖିପାରିଲି । ମହିଳାଟି ପରିଷ୍କାର ପରିଚ୍ଛନ୍ନ, ଶାନ୍ତ କଳା ପୋଷାକ ପିନ୍ଧି ଥାଆନ୍ତି-। ବୋଧହୁଏ ସେ ଉତ୍ତରର କୌଣସି ସହରର ଜଣେ ଛୋଟ ବୁରଜୋୟା ହେବେ । କାମଭଡ଼ାର ସୁଯୋଗ ନେଇ ସେ ନିଜର କିରାଣୀ ପୁଅ ଓ ସନ୍ନ୍ୟାସିନୀ ଝିଅକୁ ଦେଖିବା ପାଇଁ ରୋମ୍‍କୁ ଯାଉଥାଆନ୍ତି । ମୁଁ ମୋର ବହିଟି ବାହାର କଲି–ଷ୍ଟିଭେନ୍‍ସନ୍‍ଙ୍କର ‘‘ଦକ୍ଷିଣ ସାଗର ।’’ ଇତି ମଧ୍ୟରେ ଗାଡ଼ି ଛାଡ଼ିଦେଲା । ମୁଁ ବହି ପଢ଼ୁଥିଲି ।

 

ବିରାଟ କାମରାଟି ଭିତରେ ପ୍ରତ୍ୟେକ ଯାତ୍ରୀ ନିଜର ଗଳା ସପ୍ତମକୁ ଚଢ଼ାଇ କଥା କହୁଥିଲେ । କୌଣସି ଦିଗ ସହିତ ଯୋଗସୂତ୍ର ନରଖି ମୁଁ ଶାନ୍ତ ଭାବରେ ବହି ପଢ଼ିବାକୁ ଲାଗିଲି । ମୁଁ ଜାଣିଥିଲି ଯେ ଆଉ ଘଣ୍ଟାକ ଭିତରେ ପ୍ରାୟ ସବୁ ଯାତ୍ରୀଙ୍କ ଆଖିରେ ନିଦ ଚାଲି ଆସିବ । କିନ୍ତୁ କୋଳାହଳ ଓ ନାନା ପ୍ରକାର ହସ ତାମସା ଭିତରେ ହଠାତ୍‍ ମୁଁ ଗୋଟାଏ କର୍କଶ ଟାଣ ଦୁର୍ବିନୀତ କଣ୍ଠସ୍ଵର ବାରି ପାରିଲି । ବହିଟି ମୋତେ ତନ୍ମୟ କରି ରଖିଥିଲା । ତେଣୁ ଗାଡ଼ିର ସାଧାରଣ ଗଣ୍ଡଗୋଳ ମୋତେ ବିଶେଷ ବିରକ୍ତ କରିପାରୁ ନଥିଲା । ନିଜକୁ ସବୁକିଛିଠାରୁ ଦୂରେଇ ରଖି ମୁଁ ଗଣ୍ଡଗୋଳଭରା ଲୋକ ଠେସାଠେସି କାଫେରେ ବସି ଗୋଟାଏ ପ୍ରବନ୍ଧ ଲେଖିପାରେ । ମୋ ପଛର ସେହି କର୍କଶ ଜିଦ୍‍-ଖୋର କଣ୍ଠସ୍ଵର ଧୀରେ ଧୀରେ ମୋର ଅଜାଣତରେ ମୋତେ ପଢ଼ାରୁ କ୍ରମାଗତ ଦୂରକୁ ଠେଲିଦେଉଥିଲା । ମୋର ମନେ ହେଉଥିଲା, ଜଣେ ଲୋକ ନିଜର କୌଣସି ଭାଗ୍ୟ ପରିବର୍ତ୍ତନର ଦୀର୍ଘ ବିବରଣୀ ପ୍ରଦାନ କରୁଥିଲା ଏବଂ ଯେଉଁ ଅନ୍ୟାୟ ସବୁ ସେ କରିଥିଲା ସେଥିପାଇଁ ଅନୁତାପ କରୁଥିଲା । ତାହା ଛଡ଼ା ବେଳେ ବେଳେ ତାହାକୁ ଭୟଙ୍କର ଶବ୍ଦ କରି ହସିବାର ମୁଁ ଶୁଣୁଥିଲି । ଅନ୍ୟ ଯେଉଁମାନେ ଶୁଣୁଥିଲେ, ସେମାନେ ବି ହସୁଥିଲେ । ଯେତେବେଳେ ମୁଁ ରାଜା ଏପେମାନାଙ୍କ ସମ୍ବନ୍ଧରେ ପଢ଼ୁଥିଲି, ଏହି ହସ ମୋର ଔତ୍ସୁକ୍ୟରେ ଟିକିଏ ବ୍ୟାଘାତ ଘଟାଇଲା ଏବଂ ଲୋକଟିର କର୍କଶ ସ୍ଵର ମୋର ମନୋଯୋଗ ଆକର୍ଷଣ କଳା । ମୁଁ ମନ ଅନ୍ୟଆଡ଼େ ନେବାକୁ ଚାହିଁଲି ନାହିଁ । ମୁଁ ବୁଲିପଡ଼ି ଦେଖିବାକୁ ଚାହିଁଲି ନାହିଁ, ସେହି ଲୋକଟି କିଏ ହୋଇପାରେ । କିନ୍ତୁ ବିଶେଷ ଧରଣର ବାକ୍ୟପରେ ପ୍ରୟୋଗ କରି ଅଜଣା କୁହାଳିଆ ଲୋକଟି ଷ୍ଟିଭେନସନଙ୍କର ସ୍ଥାନ ଦଖଲ କରିନେଲା । ବନ୍ୟ ରାଜାଙ୍କର ପ୍ରାସାଦର ବର୍ଣ୍ଣନା ଭିତରେ-ମୋର କିଛି କରିବାର ନଥିଲା-ଶ୍ରୁତ ମନ୍ତବ୍ୟଗୁଡ଼ିକ ଆପେ ଆପେ ନିଜ ନିଜର ସ୍ଥାନ ଦଖଲ କରି ନେଉଥିଲେ ।

 

‘‘ମୁଁ ମୋର ରାଜନୀତିକ ଜୀବନର ଶେଷ ସୋପାନରେ ଆସିଛିଡ଼ା ହୋଇଛି ।’’

 

‘‘ଶୁଣନ୍ତୁ, ଆପଣମାନେ ସମସ୍ତେ ମୋ କଥା ଶୁଣିପାରୁଛନ୍ତି ତ !’’

 

ମୋର ବିପରୀତ ଦିଗରେ ବସିଥିବା ଜଣେ ଲୋକ ମୋର ଦୃଷ୍ଟି ଆକର୍ଷଣ କଲା । ଲୋକଟିର ବୟସ ପ୍ରାୟ ତିରିଶ ହେବ । ମୋଟା ଲମ୍ବା ନିଶ । ଗୋଟିଏ ପିଲା ତାହାର ଛାତି ଉପରେ ପଡ଼ି ଘୁମାଉଥାଏ ଏବଂ ଆଉ ଦୁଇଟି ତାହା କତିରେ ବସି ଥାଆନ୍ତି । ମୁଁ ଦେଖିଲି, ସେ ଆଖି ଦୁଇଟା ଡିମା କରି ଅଜଣା ଲୋକଟିର ବକ୍ତୃତା ଶୁଣୁଛି । ମୁଁ ଶୁଣିପାରିଲି, ମୋ କତିରେ ବସିଥିବା ମହିଳା ଜଣକ (ସେ ଯେତେବେଳେ ଏପଟ ସେପଟ ବୁଲି ପଡ଼ୁଥିଲେ, ସବୁବେଳେ ମୋତେ ଧକ୍‍କା ମାରୁଥିଲେ) ଅବଜ୍ଞା ଭରେ ଗୋଟାଏ ଫୁ କଲେ ଏବଂ ଦୀର୍ଘଶ୍ୱାସ ଛାଡ଼ି ଆତ୍ମଗତ ଭାବରେ କହିଲେ,’’ଓଃ ! କେତେବେଳେ ଯେ ସେ ବନ୍ଦ ହେବ......:’’

 

ଷ୍ଟିଭେନସନଙ୍କର ସୌନ୍ଦର୍ଯ୍ୟ ମୋର ବାହାରର କୋସ୍ତୃଲ୍ୟକୁ ଚାପି ରଖିଥିଲା । ମକର ସମଗ୍ର ମନୋଯୋଗ ବହିର ପୃଷ୍ଠ ଉପରେ ଥିଲା । କିନ୍ତୁ ହଠାତ୍‍ ଗୋଟାଏ କର୍କଶ ଅଜଣା କଣ୍ଠସ୍ଵରରୁ ମୁଁ ଏହି କେତେ ପଦ କଥା ଶୁଣିବାକୁ ପାଇଲି–’’...କ୍ୟାଲିଗୁଲାର ଘୋଡ଼ାଗୁଡ଼ାକ ।’’

 

ତତ୍‍କ୍ଷଣାତ୍‍ ବହିର ମୁଦ୍ରିତ ଅକ୍ଷରଗଡ଼ିକ ଅର୍ଥଶୂନ୍ୟ ହୋଇ ମୋର ଆଖି ସାମନାରେ ନାଚିବାକୁ ଲାଗିଲା । ଠିକ୍‍ ସେତିକିବେଳେ ଗାଡ଼ିର ଶେଷ ପଟରୁ ଗୋଟାଏ ଚିତ୍କାର ଶୁଭିଲା, ‘‘ଯଥେଷ୍ଟ ହେଲାଣି, ସେସବୁ ଏକ୍ଷଣି ବନ୍ଦ କରନ୍ତୁ ।’’

 

ମୁଁ ଉଠି ପଡ଼ିଲି । ସମସ୍ତଙ୍କ ପରି ମୁଁ ବି ଚାରିଆଡ଼େ ଆଖି ବୁଲାଇଲି । ଗାଡ଼ିର ଶେଷ ମୁଣ୍ଡରେ ଜଣେ କଳା ଦାଢ଼ିଆ ଭଦ୍ରଲୋକ-ମଥାରେ ସୋଲ ଟୋପି, ବେକରେ ଧଳା ରୁମାଲ୍ରେ ବନ୍ଧା ଯାଇଛି-ଜଣେ ଶକ୍ତ ସମର୍ଥ ବୁଢ଼ା ଆଡ଼କୁ ଅନାଇ ଚିତ୍କାର କରୁଛି ବୁଢ଼ା ଲୋକଟି କାମରାର ମଝିରେ ଠିଆ ହୋଇଛି । ତାହାର ହାତରେ ଗୋଟାଏ ମଦ ବୋତଲ ।

 

‘‘ସେତିକି ଥାଉ । ଆମର ଘୁମାଇବାର ଦାବୀ ଅଛି ।’’

 

‘‘ଆଜ୍ଞା, ନା ମହାଶୟ । ସେଟା ଠିକ୍‍ ନୁହେଁ ।’’ ବୁଢ଼ା ଲୋକଟି ଜବାବ ଦେଲା । ଏତେବେଳେ ମୁଁ ସେହି ଅଦ୍ଭୁତ କର୍କଶ କଣ୍ଠସ୍ଵରର ମାଲିକଟିକୁ ଚିହ୍ନିପାରିଲି ।

 

‘‘ଆପଣମାନେ କୌଣସି ମତେ ଘୁମାଇ ପାରିବେ ନାହିଁ । ଆପଣମାନଙ୍କ ଭିତରୁ କେହି ନୁହେଁ । ଆପଣମାନେ ସମସ୍ତେ ଚେଇଁ ରହିବେ । ଯେ ଚେଇଁ ରହିଥାଏ, ସେ ପ୍ରଲୋଭନରେ ପଡ଼େ ନାହିଁ । ଯୀଶୁ ନିଜେ ବି ଏହି କଥା କହିଛନ୍ତି । ଆପଣମାନେ ଅବଶ୍ୟ ଘୁମାଇବେ ନାହିଁ । ନିଦ୍ରା ହେଉଛି ମୃତ୍ୟୁର ବନ୍ଧୁ ।’’

 

ବୁଢ଼ାଲୋକ ଜଣକ ପ୍ରଶାନ୍ତ ଭାବରେ ପ୍ରବାଦ ବାକ୍ୟଟି କହିଲା । ତାହାଆଡ଼କୁ ଅନାଇ କାମରାର ଯାତ୍ରୀସବୁ ପ୍ରଚଣ୍ଡ ହାସ୍ୟର ଫାଟିପଡ଼ିଲେ । ତାହାର କଥାଗୁଡ଼ିକ ସମସ୍ତେ ବେଶ ଉପଭୋଗ କଲେ । ସେତିକି ବେଳେ ଜନସାଧାରଣଙ୍କର ଖୁସିର ସୁଯୋଗ ନେଇ ସେ ବୋତଲଟା ମୁହଁରେ ଲଗାଇଲା ଏବଂ ଗୋଟାଏ ବଡ଼ ଢ଼ୋକରେ ମଦ ପିଇଦେଲା । ଆଉ ପରସ୍ତେ ପ୍ରବଳ ହସର ସୁଅ ବହିଗଲା ଏବଂ ନାନା ଭାଷାରେ ଅଜସ୍ର ଚିତ୍କାରର ଶିଳା-ବୃଷ୍ଟି ହେବାକୁ ଲାଗିଲା ।

 

‘‘ସେଟା କେମିତିକା ଲାଗୁଛି-ମିଠା ନା ବାଜେ ?’’

 

‘‘ଚାଲୁ !’’

 

‘‘ରୁହ ।’’

 

‘‘ଖଣ୍ଡିଏ ମାଲ ତ !’’

 

କ୍ରମେ କ୍ରମେ ଦାଢ଼ିଆ ଲୋକଟିର ପ୍ରତିବାଦ ଉଲ୍ଲାସର ଏକ ପ୍ରାନ୍ତରେ ମିଳାଇଗଲା । ଏପରିକି, ମୋ କତିରେ ବସିଥିବା ମହିଳାଟି ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲେ ଏବଂ ନିଜେ ଶୁଣିବା ବନ୍ଦ କଲେ । କାରଣ ବୁଢ଼ା ଲୋକଟି ମୁଖପାଖରୁ ବୋତଲଟି କାଢ଼ିନେଇ ପୁଣି ସେହି ଚେଁଚେଁୟା ଗଳାରେ କହିବାକୁ ଲାଗିଲା । କିନ୍ତୁ ସେ ଯାହାସବୁ କହୁଥିଲା ଯଦି କେହି ମନଦେଇ ତାହା ଶୁଣେ ଜାଣିପାରିବ ଯେ ସେଗୁଡ଼ାକ ଆଦୌ ସ୍ଥୂଳ ନୁହେଁ । ଆଉ କେତେକ ଯାତ୍ରୀ, ଯେଉଁମାନେ ଘୁମାଇବା ଲାଗି ପ୍ରଥମେ ପ୍ରତିବାଦ କରୁଥିଲେ, ସେମାନେ ନିଜେ ଏକ୍ଷଣି ତାହା ଉପଭୋଗ କରିବାକୁ ଲାଗିଲେ । ସେମାନଙ୍କର ଢଙ୍ଗଢାଙ୍ଗ ଦେଖି ମନେ ହେଉଥିଲା, ଯେମିତି ସେମାନେ ଗୋଟାଏ ପ୍ରଦର୍ଶନୀ ଦେଖିବାକୁ ଆସିଛନ୍ତି ।

 

‘‘ଭଦ୍ର ମହୋଦୟା ଓ ଭଦ୍ର ମହୋଦୟଗଣ !’’ ଚାରିଆଡ଼େ ଥରେ ଆଖି ବୁଳାଇନେଇ, ବର୍ତ୍ତମାନ ଜନସାଧାରଣଙ୍କର ମନୋଯୋଗରେ ତୃପ୍ତ ହୋଇ ବୁଢ଼ା ଲୋକଟି କହିଯିବାକୁ ଲାଗିଲା, ‘‘ଭଦ୍ର ମହୋଦୟା ଓ ଭଦ୍ର ମହୋଦୟଗଣ, ଆପଣମାନେ ହୁଏତ ଭାବିପାରନ୍ତି ଯେ ଆପଣମାନେ ପ୍ରଥମ ଶ୍ରେଣୀରେ ବସିଛନ୍ତି । ନା, ଆପଣମାନେ ତୃତୀୟ ଶେଣୀର ଯାଉଛନ୍ତି । ତିନି ନମ୍ବରରେ । ହା ! ହା ! ହା ! ‘‘ଏତିକି କହି ସେ ଗୋଟାଏ ଦୀର୍ଘ ଉଚ୍ଚ ହସରେ ଫାଟି ପଡ଼ିଲା ।’’ ଆପଣମାନେ ଅକ୍ଳେଶରେ ରାତିଟିଏ ନ ଶୋଇ ରହିପାରନ୍ତି । ଶୁଣନ୍ତୁ, ଆପଣମାନଙ୍କର ଭଲ ପାଇଁ ଏ କଥା ମୁଁ କହୁଛି । ମୁଁ ରାଜ୍ୟର ସବୁ ମୁଖ୍ୟ ବିଦ୍ୟାଳୟଗୁଡ଼ିକ ବୁଲି ଦେଖିଛି । ମୁଁ ସେ ସବୁକୁ ଜାଣେ । ଏପରି କୌଣସି ବ୍ୟାୟାମାଗାର, ବିଦ୍ୟାଳୟ ବା ନୂଆ ବିଶ୍ଵବିଦ୍ୟାଳୟ ନାହିଁ, ଯାହାକୁ ମୁଁ ବ୍ୟକ୍ତିଗତ ଭାବରେ ନଜାଣେ । କ୍ୟାସିନୋ ହେଉଛି ଗୋଟିଏ ନୂତନ ବିଶ୍ଵବିଦ୍ୟାଳୟ । ତାହାର ଛାତ୍ର ସଂଖ୍ୟା ହେଉଛି ସତ ଶହ । ଆଉ ଆରବିନୋରେ ଯେଉଁ ବ୍ୟାୟାମାଗାରଟି ଅଛି ? ଏଟା ବି ଗୋଟାଏ ଚମତ୍କାର ବ୍ୟାୟାମାଗାର । ଏଥିରେ ମୋଟା ମୋଟି ପ୍ରାୟ ପାଞ୍ଚଶହ ଛାତ୍ର ଅଛନ୍ତି । ଆଭାରସାରେ ଶିଳ୍ପ ବିଦ୍ୟାଳୟଟି ଏକ ବଡ଼ ସୁନ୍ଦର ଅନୁଷ୍ଠାନ । କିନ୍ତୁ ଏଥିରେ ଲୋକ ଅଛନ୍ତି......ଦେଖିଲେ ତ, ମୋତେ ମାଲୂମ ନାହିଁ, ମୁଁ ଭୁଲିଯାଇଛି,ଏକାବେଳେ ଭୁଲିଯାଉଛି ।’’

 

ବ୍ୟାକରଣ ଗତ ଭୁଲ୍‍ ଛଡ଼ା ତାହାର ଢଙ୍ଗଢାଙ୍ଗ ଦେଖି କେହି ଭାବିପାରନ୍ତି ଯେ ସେ ଅମାର୍ଜିତ ଅଶିକ୍ଷିତ । ମାତ୍ର ସେ ଯାହା କହୁଥାଏ ସେଥିରୁ କିଏ ଠଉରାଇ ପାରିବ ଯେ ସେ କଅଣ-ସେ ମାତାଲ ନା ପାଗଳ ?

 

ତାହାକୁ ଦେଖିଲେ ମନେହୁଏ ଯେ ତାହାର ବୟସ ଷାଠିଏ ଟପି ସତୁରିର ପାଖାପାଖି ହୋଇଗଲାଣି । ତାହାର ଧଳାବାଳ ଟିକି ଟିକି ହୋଇ କଟାଯାଇଛି । ତାହାର ଲାଲ ଟହ ଟହ ରଙ୍ଗର ମୁଖଟି ଉଜ୍ଜ୍ଵଳ, ମାତ୍ର କଦର୍ଯ୍ୟ ଧରଣର ଅପ୍ରୀତିକର । ନିଚାକପାଳ, ଦୁଇଟି ଛୋଟ ଧୂର୍ତ୍ତ ଆଖି, ଚଉଡ଼ା ଚିବୁକ, ପତଳା ଓଠ, ଗୋଟାଏ ବଡ଼ ଖାଲୁଆ କଦାକାର ନାକ । ଶରୀରଟା ଆହୁରି କଦର୍ଯ୍ୟ-ପତଳା ଓ ଚଉଡ଼ା । ଏତେବଡ଼ ଗୋଟାଏ ପୋଷାକ ସେ ଦେହରେ ଗଳାଇଛି ଯେ ଚଉଡ଼ା ବଙ୍କାପିଠିଟା ଛଡ଼ା ତାହାର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଯେମିତି ସେଥିରେ ଢାଙ୍କି ହୋଇଯାଇଛି । ଏହି ପୋଷାକ ନିଶ୍ଚୟ ତାହାର ନିଜର ନୁହେଁ । ତାହାର କଳା ଜାକେଟଟା ଛିଡ଼ିଯାଇ ଆଣ୍ଠୁ ଯାଏ ଓହଳି ପଡ଼ିଛି । ସେ ଜାମାର ହାତଟା ଟେକିଦେଇଛି । କେହି ଭଲ ଭାବରେ ବୁଝିପାରୁ ନାହାନ୍ତି ଯେ ଏହି ବୁଢ଼ାଟି ଯେମିତିକା ଲୋକ ।

 

ଜଣେ ସାଧାରଣ ଲୋକ ଭ୍ରମଣ କଲାବେଳେ ତାହାପକ୍ଷରେ କ୍ଳାନ୍ତ ଓ ତୃଷାର୍ତ୍ତ ହୋଇ ପଡ଼ିବା ସ୍ୱାଭାବିକ । ଆଉ ଏ ତ ଫେର୍‍ ଜଣେ ବୁଢ଼ାଲୋକ । ଯେତେବେଳେ ସେ ମଦ ପିଉଥିଲା କିମ୍ବା ଓଠ ଚାପି ହସୁଥିଲା, ତାହାର ବଙ୍କା ପିଠିଟା ଦେଖିଲେ, ସେ ଜଣେ ଗାଉଁଲି ମୋଚି ବୋଲି କେହି ଧାରଣା କରିପାରନ୍ତି । କିନ୍ତୁ ହଠାତ୍‍ ରହି ରହି ତାହାର ଖୋଲା ହସ ଧ୍ଵନିତ ହେଉଥିଲା । ଗାଡ଼ି ଦୋହଲୁଥାଏ ସେ ଗୋଟାଏ ହାତରେ ଏ ଆସନ ସେ ଆସନ ଧରି ନିଜକୁ ସମ୍ଭାଳି ନେଉଥାଏ ଏବଂ ଆଉ ହାତଟିରେ ବୋତଲ ନଚାଉଥାଏ । କାମରାର ମଝିରେ ଠିଆ ହୋଇ ସେ ବକୁଥାଏ । ତାହାକୁ କେନ୍ଦ୍ରକରି ବାସ୍ତବିକ ଗୋଟାଏ ଅସ୍ଵଭାବିକ ପରିସ୍ଥିତି ସୃଷ୍ଟି ହୋଇଗଲା । ବୁଢ଼ା ଲୋକଟିର କଣ୍ଠସ୍ଵରରୁ ଗୋଟାଏ ଅମାର୍ଜିତ ଓ ନିର୍ଭୀକ ସ୍ଵର ବାହାରୁଥିଲା, ଯାହା ଅବଶ୍ୟ ମାତଲାମି ହେତୁ ନୁହେଁ । ଏହି ସ୍ଵରଟା ଯେମିତି ମନରେ ଗୋଟାଏ ଭୟର ଭାବ ଜାତ କରୁଥିଲା ।

 

‘‘ଏକ୍ଷଣି ଆପଣମାନେ ମୋତେ ଏମିତିକା ଦେଖୁଛନ୍ତି, ‘‘ସେ ଅକ୍ଳେଶରେ କହିଯିବାକୁ ଲାଗିଲା ।’’ କିନ୍ତୁ ମୁଁ ଆପଣମାନଙ୍କୁ ଠିକ୍‍ ଠିକ୍‍ କହିଦେଉଛି, ଏଠାରେ ଜଣେ ହେଲେ ସମ୍ମାନିତ ଲୋକ ନାହିଁ ଯେ ବୁଦ୍ଧିରେ ମୋ ସାଙ୍ଗରେ ଟକ୍କର ଦେଇପାରିବ । ବୁଦ୍ଧି ! ସ୍ଵୈରାଚାରୀର ବୁଦ୍ଧି ! ମୋତେ ନେପଲ୍ସଠାରୁ ସ୍ପେଜିୟା ଯାଏ ଟିକଟ ଲାଗି ଏକ ଶହ ଲିରା ଦେବାକୁ ହୋଇଥିଲା । ମୋର ପାଣ୍ଠି ଥିଲା ମାତ୍ର ଏକଶହ ଲିରା । ମୋର ବୟସ୍କା ଝିଅଟି ବାର ବର୍ଷ ଭିତରେ ଆସ୍ତେ ଆସ୍ତେ ଏତିକି ସଞ୍ଚିତ ଅର୍ଥ ପଠାଇଥିଲା । ଲିରାଗୁଡ଼ିକ ସହକାରୀ ଅଫିସରେ ଜମା ଦିଆଯାଇଥିଲା । ମୁଁ ନେପଲ୍ସରୁ ଗଲି । ସେଠାକୁ ଯାଇ ମୁଁ ଏହି ଏକ ଶହ ଲିରା କଥା ଶୁଣାଇଲି । ଠିକ୍‍ ଠିକ୍‍ କହିବାକୁ ଗଲେ,ଏକ ଶହ ବାର ଲିରା ହେଉଛି ପଇଁଚାଳିଶ ସେଣ୍ଟ୍‍ । ସେମାନେ ମୋତେ ମୋର ପାଉଣା ଅର୍ଥ ଦେଲେ ନାହିଁ । ମୁଁ ଆହୁରି ଅନେକ ଲୋକଙ୍କ ସାଙ୍ଗରେ ଦେଖା କରିବାକୁ ଚାହିଁଲି । କିନ୍ତୁ ସେମାନେ ମୋତେ ଅଖିଆ ଅବସ୍ଥାରେ ଗୋଟାଏ ବେଞ୍ଚ ଉପରେ ଆଠଘଣ୍ଟା କାଳ ତୁଚ୍ଛାଟାରେ ବସାଇ ରଖିଲେ । ତା’ପରେ ଶେଷକୁ ସେମାନେ ମୋତେ ନେଇଯାଇ ଜଣେ ଉଦ୍ଧତ ସବୈରାସହାରୀ ପ୍ରବର ନିକଟରେ ହାଜର କରାଇଲେ । ହା, ହା, ହା ! ପ୍ରବର ! ସେ ରକମ୍‍ ସବୈରାସହାରୀ ଆପଣ ଆଉ ଦ୍ଵିତୀୟ କେଉଁଠି ପାଇବେ ନାହିଁ । ଟିକଟର ଦାମ ବାବଦକୁ ସେମାନେ ମୋତେ ପନ୍ଦର ଲିରା କୋଡ଼ିଏ ସେଣ୍ଟ୍‍ ଫେରାଇଦେଲେ । ଭଦ୍ର ମହୋଦୟ ଓ ଭଦ୍ର ମହୋଦୟଗଣ, ଦୁଇ ବୋତଲ ମଦ, ଏହି ଯାହାକୁ ଆପଣମାନେ ମୋ ହାତରେ ଦେଖୁଛନ୍ତି,ଚଉଠ ପାଉଣ୍ଡ ପେକୋରିନୋ ପନିର ସଲାମୀ ଆଉ ଗୋଟାଏ ପାଉଁରୁଟି । ଏହି କେତେଦିନ ଭିତରେ ରୁଟି ସରିଗଲାଣି । ମୁଁ ଘରୁ ବାହାରିଗଲିଣି-କହୁଛି, ବାହାରିଲିଣି, କୋଡ଼ିଏ ବର୍ଷ ହେଲା । ମୋର ବୟସ୍କ ଝିଅ- ମୋର ଅଭାଗିନୀ ଝିଅଟି-ନିଶ୍ଚୟ ସେ ମୋତେ ଆଉ ଫେରିପାଇବ ବୋଲି ଆଶା କରୁନଥିବ । ମୋର ଏହି ଅବସ୍ଥା ସମ୍ବନ୍ଧରେ ଝିଅଟିକୁ କିଛି ମାଲୁମ୍‍ ନାହିଁ । ନା, ନା ଏତେ ଶୀଘ୍ର ମୋତେ ଫେରିପାଇବ ବୋଲି ସେ ଆଶା କରେ ନାହିଁ । ରାଜବନ୍ଦୀର ମୁକ୍ତି ସମ୍ବନ୍ଧରେ ସେ କିଛି ଜାଣେ ନାହିଁ ।’’

 

ବର୍ତ୍ତମାନ ମୁଁ ବିଷୟଟା ବୁଝିବାକୁ ଆରମ୍ଭ କଲି ।

 

‘‘ଯେତେବେଳେ ମୁଁ ସେଠାରେ ପହଞ୍ଚିବି ମୋର ଦରବୁଢ଼ୀ ଝିଅ ବିଚାରୀ ଠିକ୍‍ ସେତେବେଳେ ବିଛଣାରେ ପଡ଼ିଥିବ । କୋଡ଼ିଏ ବର୍ଷ ଚାରି ମାସ ତେଇଶ ଦିନ । କୋଡ଼ିଏ ବର୍ଷ ହେଲା ମୁଁ ଘରୁ ବାହାରିଲିଣି । କପାଳ, ମୋର ଦରବୁଢ଼ୀ ଝିଅ ବିଚାରୀର କପାଳ ।’’

 

ପ୍ରତିଥର ସେ ‘‘ମୋର ଦରବୁଢ଼ୀ ଝିଅ ବିଚାରୀ’’ କିମ୍ବା ‘‘ବୟସ୍କା ଝିଅ’’ ବୋଲି କହୁଥାଏ-। ଜଣାଯାଉଥିଲା, ବୋଧହୁଏ ସେ ଏକ୍ଷଣି କାନ୍ଦି ପକାଇବ । କିନ୍ତୁ କିନ୍ତୁ ସେ କିଛି କଲା ନାହିଁ । ବରଂ ସେ ବୋତଲରୁ ଢକ ଢକ କରି ଆଉ ଢୋକେ ମଦ ପିଇଲା ଏବଂ କହିବାକୁ ଲାଗିଲା;‘‘କୋଡ଼ିଏ ବର୍ଷ ତଳେ ସେମାନେ ମୋତେ ପୁରୁଣା ସ୍ପେଜିୟାରୁ କାଢ଼ିନେଇ ଯାଇଥିଲେ । କହିବାକୁ ଗଲେ, ସେମାନେ ମୋତେ ସତରେ କାଢ଼ିନେଇ ଯାଇଥିଲେ । ସେମାନେ ମୋତେ ଚତୁରଙ୍ଗର ବଳ ଭଳି ଏଠାରେ ସେଠାରେ ଗୋଟିଏ ଘରୁ ଅନ୍ୟ ଘରକୁ ନେଇ ଧୀରେ ଧୀରେ କାଢ଼ିନେଲେ ଏବଂ କେତେବେଳେ ମନ୍ତ୍ରୀ ପରି ସିଧା ଏପାଖ ସେପାଖକୁ ଟାଣି ଘୂରାଇବାକୁ ଲାଗିଲେ-।’’

 

ହଠାତ୍‍ ଟିକିଏ ଗର୍ବର ସହିତ ସେ ଏହି କଥାଗୁଡ଼ିକ କହିଲା । ତାହାର କାନ୍ଧ ଦୁଇଟି ଷଣ୍ଢ ପରି ବେକର ଦୁଇ ପାଖରେ ଟେକି ଦେଲା । ଏହା ଆଗରୁ ସେ ଯେମିତି କହିଥିଲା, ‘‘ଏଠାରେ ଜଣେ ହେଲେ ସମ୍ମାନିତ ଲୋକ ନାହିଁ ଯେ ବୁଦ୍ଧିରେ ମୋ ସାଙ୍ଗରେ ଟକ୍କର ଦେଇପାରିବ,’’ ଏଥର ମଧ୍ୟ ସେ ଠିକ୍‍ ସେୟା କହିଲା ।

 

‘‘ସେମାନେ ମୋତେ ବୁଲାଇବାକୁ ଲାଗିଲେ ପୁରୁଣା ସ୍ପେଜିୟାରୁ କାସିନୋ, ସେଠାରୁ ଆରବିନୋ, ଆରଭାସା, ପ୍ଲସଦା-ରାଜ୍ୟର ସବୁ ବଡ଼ ବଡ଼ ବିଦ୍ୟାଳୟ ଓ ନୂଆ ବିଶ୍ଵବିଦ୍ୟାଳୟ । ସେମାନେ ନିଜର ମନ ଇଚ୍ଛା ମୋତେ ବୁଲାଇବାକୁ ଲାଗିଲେ । ଆଉ ଏହିସବୁ ବୁଲାବୁଲି ଓ ଯାତାୟାତର ଭଡ଼ା ସେମାନେ ନିଜେ ଦେଉଥିଲେ । ନା, ନା, ନା ମୋର ଦରବୁଢ଼ୀ ଝିଅ ବିଚାରୀର ସଂଚିତ ଏକ ଶହ ଲିରାରୁ ନେପଲ୍ସଠାରୁ ସ୍ପେଜିୟାର ଟିକିଟି କିଣା ହୋଇଥିଲା । ଏହି କଥା ମୋତେ କହିବା ଭଳି ସାହସ ବି ସେହି ସ୍ଵୈରାଚାରୀ ପ୍ରବରର ଅଛି ।’’

 

‘‘ବେଶ, ତା’ପରେ, ‘‘ମୋ ବିପରୀତ ଦିଗରେ ବସିଥିବା ନିଶୁଆ ଲୋକଟି ପଚାରିଲା । ସେତେବେଳେ ବି ତାହାର କାନ୍ଧ ଉପରେ ପିଲାଟି ଶୋଇଥିଲା ।’’ ଆମେ ଜାଣିପାରୁ, ଆପଣ କିଏ-?’’

 

‘‘ଆପଣଙ୍କର ପଚାରିବାର କି ଅଧିକାର ଅଛି ?’’ ବୁଢ଼ାଲୋକଟି ଭୟଙ୍କର ଭାବରେ ଚିତ୍କାର କଲା ।’’ ଆପଣ କିଏ ଏମିତି କଥା ପଚାରିବାକୁ ?’’ ସେ ତାହାର ମଦ ବୋତଲଟା ଉଞ୍ଚାଈ ଆମଆଡ଼କୁ ଖେଦି ଆସିଲା ।

 

‘‘ମୁଁ ହେଉଛି ମାରିଓ ଦ୍ୟ ଏଞ୍ଜେଲିସ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ନଅଟି ସନ୍ତାନର ପିତା । ସେମାନଙ୍କ ଭିତରୁ ତିନୋଟିଙ୍କୁ ଆପଣମାନେ ଏଠାରେ ଦେଖିପାରୁଛନ୍ତି । ନବଜାତ ଶିଶୁଟି ସମେତ ବାକି ଛଅଟି ମୋର ସ୍ତ୍ରୀଙ୍କ ପାଖରେ ଆଉ ଗୋଟିଏ କାମରାରେ ଅଛନ୍ତି ।’’

 

ଅଧରରେ ଟିକିଏ ଉଜ୍ଜ୍ୱଳ ହସ ଖେଳାଇ ସେ ଏହି ଶେଷବାକ୍ୟଟି କହିଲା । ନବଜାତକର ଚିନ୍ତା ଯେମିତି ବୁଢ଼ା ଲୋକଟି’’ ସମ୍ବନ୍ଧରେ ତାହାର ସମସ୍ତ ଔତ୍ସୁକ୍ୟକୁ ମୁହୂର୍ତ୍ତକ ପାଇଁ ଭୁଲାଇଦେଲା । ସେ ଓଲଟି ଦେଖିଲା ଶିକ୍ଷାର ବିସ୍ମୟ, ଅପ୍ରତ୍ୟାଶିତ ପରିଚୟ, ଶୋଇଲା ପିଲାଟି । ଯେଉଁମାନେ କତିରେ ବସିଥିଲେ ସେମାନଙ୍କର ଉପସ୍ଥିତି ଯେମିତି ସେ ଭୁଲିଗଲା । ସେ ତତ୍‍କ୍ଷଣାତ୍‍ ଗର୍ଜିଉଠି କହିଲା,’’ ଆଉ ମୁଁ ଜଣେ ଅପରାଧୀ । କାହାରି ସନ୍ତାନ ନୁହେଁ-କାହାରି ନୁହେଁ-। ମୁଁ କାହିଁକି ଜଣେ ଭଦ୍ରଲୋକ ହୋଇପାରିବି ନାହିଁ ? ଆପଣମାନଙ୍କ ଭିତରୁ କେହି କଅଣ କାହାର କପାଳ କଥା ଜାଣନ୍ତି ? ଆପଣ ଜାଣନ୍ତି । ହଁ, ହଁ,ଆପଣ ଯେ ବହି ପଢ଼ୁଛନ୍ତି- ଆଉ ଦେଖିବାକୁ ଠିକ୍‍ ଛାତ୍ର ପରି ?’’ ଏ ପ୍ରଶ୍ନଟି ହେଲା ବାସ୍ତବିକ ମୋତେ । ଧୀରେ ଧୀରେ ସେ ମୋ ପାଖରେ ଆଗେଇବାକୁ ଲାଗିଲା । ଶେଷକୁ ସେ ମୋ ଉପରେ ନଇଁ ପଡ଼ିଲା । ମୁଁ ମଥାପୋତି ବିରୂପ ଭାବରେ ଜବାବ ଦେଲି, ଅର୍ଥାତ୍‍ କିଛି କଥା କହିବାକୁ ମୁଁ ଇଚ୍ଛୁକ ନୁହେଁ ।

 

ଏଥିରେ ମୁଁ ଯାଏ କୁଆଡ଼େ ? ସେ ବଡ଼ ପାଟିରେ ହସି ପକାଇଲା ଏବଂ କହିଯିବାକୁ ଲାଗିଲା ।’’ ମୁଁ ନିଜକୁ ଭଦ୍ରଲୋକ ସାଜିବାକୁ କଅଣ ନ କରିଛି ? ସବୁ କରିଛି । କପାଳ । ସେଇଥି ପାଇଁ ତ କୋଡ଼ିଏ ବର୍ଷ ହେଲା ମୁଁ ବାହାରି ପଡ଼ିଛି । ଦାନ୍ତେ ଘରଛାଡ଼ି ପଳାଇଥିଲେ, ଯାହାଦ୍ୱାରା ସେମାନେ ତାହାଙ୍କୁ ପୋଡ଼ିପାରିଲେ ନାହିଁ । ଏଥିରେ ସୂର୍ଯ୍ୟ ଘୂରିଲା ନାହିଁ । ପାଦ୍ରୀମାନେ ତାହାଙ୍କ ଦ୍ୱାରା କୁହାଇଛନ୍ତି ଯେ ପୃଥିବୀ ଘୂରି ନାହିଁ । ସେ ନିଜର ମନେ ମନେ କହିଥିଲେ-ପୃଥିବୀ ଘୂରେ । ଦାନ୍ତେ ପଳାଇଥିଲେ -ହଁ, ସେ ତାହା କରିଥିଲେ । ସେ ସ୍ଵର୍ଗ-ନର୍କ-ପାତାଳ ଆବିଷ୍କାର କରିଥିଲେ ସତ, ମାତ୍ର ସେ ସବୁ ବିଶ୍ୱାସ କରୁନଥିଲେ । ସେ ଏ ସବୁ ଆବିଷ୍କାର କରିଥିଲେ, ଯଦ୍ୱାରା ପାଦ୍ରୀମାନେ ତାହାଙ୍କୁ ଗିଓରଦାନୋ ବ୍ରୁନୋଙ୍କ ପରି ପୋଡ଼ି ମାରି ନ ପକାନ୍ତି । ଆପଣମାନେ ପଢ଼ିବା ଲାଗି ବହିସବୁ ପାଇଛନ୍ତି ଏବଂ ସେଥିରୁ ଜାଣିବା ଲାଗି ବିଷୟସବୁ ପାଇଛନ୍ତି-ଠିକ୍‍ ଯେମିତି ଆପଣମାନେ ଭିକ୍ଟର ଦୁଗୋ, କାର୍ଲମାର୍କ୍ସଙ୍କୁ ଜାଣିପାରିଛନ୍ତି ।’’

 

ଆହୁରି ଢେର କଥା ସେ କହିଗଲା । ରାତିସାରା ସେ ଏମିତି ଭାବରେ ବକିବାକୁ ଲାଗିଲା । ଅନେକ ସମୟ କାଟିଲା । ଆମେ ଗ୍ରୋସସେତୋ, ଲିଭର୍ଣ୍ଣୋ, ପିସା, ଇତ୍ୟାଦି ଟପି ଆସିଲୁ । ସେହି ବୁଢ଼ା କଏଦୀଟି, ଯେ କୋଡ଼ିଏ ବର୍ଷ ହେଲା ପଦେ କଥା କହିପାରି ନଥିଲା, ନିଜର କାରାବାସର ବିପୁଳ ଅଭିଜ୍ଞତା କଥା ପରମ ଦରଦ ଦେଇ କହିଯାଉଥିଲା । କଥା ପ୍ରସଙ୍ଗରେ ସେ ଅସରନ୍ତି ଶବ୍ଦର ସମ-ଧ୍ୱନି ମିଳାଇ ପ୍ରୟୋଗ କରିଯିବାକୁ ଲାଗିଲା । ଅନେକ ଯାତ୍ରୀ, ଯେଉଁମାନେ ଶୋଇବାକୁ ଚାହୁଁଥିଲେ, ସେମାଙ୍କର ସବୁ ପ୍ରତିବାଦ ଅଗ୍ରାହ୍ୟ କରି ବର୍ତ୍ତମାନ ସେ ନିଜର ପ୍ରଥମ ପ୍ରହରଗୁଡ଼ିକ ମଦ ଖାଇ ଗପସପ ମତାମତ ପ୍ରଚାର କରି ମୁକ୍ତିର ଆନନ୍ଦ ଲାଭ କରୁଥିଲା । ଲୋକଙ୍କୁ ହସାଇବା ଲାଗି ସେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଭାଣ୍ଡାମୀ ସୃଷ୍ଟି କରୁଥିଲା ଏବଂ ତହିଁ ସଙ୍ଗେ ସଙ୍ଗେ କାହାର କାହାର ସହାନୁଭୂତି ମନୋଯୋଗ ସମର୍ଥନ ଠୁଳାଉଥିଲା । ପ୍ରଥମେ କଅଣ ଘଟିଛି କି ନ ଘଟିଛି ବୁଝିବା ଆଗରୁ ମୁଁ ବି ତାହାକୁ ଚୁପ କରାଇଦେବାକୁ ଚାହିଁଥିଲି । ଶେଷକୁ ମୁଁ ହେଲି ତାହାର ସବଠାରୁ ବେଶୀ ଉତ୍ସାହୀ ଶ୍ରୋତା ।

 

ଦାଢ଼ିଆ ଲୋକଟି ଟିକଟ ପରୀକ୍ଷାକର ସାହାଯ୍ୟ ଲୋଡ଼ିଲା । କିନ୍ତୁ ଯେତେବେଳେ ରେଳ କର୍ମଚାରୀ ବୁଢ଼ା ଲୋକଟି ପାଖକୁ ଆସିଲା, ସେ ତାହାକୁ ଗୋଟିଏ ପାତ୍ର ମଦ ଖାଇବାକୁ ଦେଲା । ତା’ପରେ ସେ ଆସ୍ତେ ଆସ୍ତେ ତାହାର ପିଠି ଥାପୁଡ଼ାଇଲା, ସହସା କିଛି ତୀବ୍ର ବ୍ୟଙ୍ଗୋକ୍ତି କଲା, ଯାହା ମୁଁ ଠିକ୍‍ ଏକ୍ଷଣି ମନେ କରି ପାରୁ ନାହିଁ । ତା’ପରେ ଟିକଟ ପରୀକ୍ଷକ ବି ଉକ୍ତ ହସରେ ଫାଟି ପଡ଼ିଲା । ସେ ତାହାକୁ ନିଜର ବକ୍ତବ୍ୟ କହିଯିବାକୁ ଦେଲା ।

 

ବୁଢ଼ାଲୋକଟି ଯାହା କହୁଥିଲା, ଏକମାତ୍ର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସେସବୁ ଅତିଶୟ ଗୁରୁତର ବୋଲି ମନେ କରୁଥିଲା ଏବଂ ମନରେ ଆଘାତ ପାଉଥିଲା ।

 

‘‘କଅଣ’’, ଏକ୍ଷଣି ଶୋଇଲା ପିଲା ଦୁଇଟିକୁ ବାହୁରେ ଟେକିନେଇ ସେ ଗୋଟିଏ ବିଶେଷ ବିଷୟରେ ଇଙ୍ଗିତ କରି କହିଲା ।’’ ଆପଣ କଅଣ କହିବାକୁ ଚାହାନ୍ତି ଯେ ପୋପଙ୍କର ଅଭ୍ରାନ୍ତତାରେ ଆପଣ ବିଶ୍ୱାସ କରନ୍ତି ନାହିଁ ?’’

 

‘‘ନା,’’ ବୁଢ଼ା ଅପରାଧୀ ଜଣକ ନିର୍ଭୀକ ଭାବରେ କହିଲା ।

 

‘‘ତାହାହେଲେ ଆପଣ କଅଣ ଜଣେ ପ୍ରୋଟେଷ୍ଟାଣ୍ଟ, ନା ମୁସଲମାନ, ନା ବୌଦ୍ଧ ? କଅଣ ଆପଣ ?’’

 

ବୁଢ଼ାଲୋକଟି ନିଜକୁ ସେସବୁ ଭିତରେ ଜଡ଼ିତ କରି ପାରିବ ନାହିଁ, ମନେ ମନେ ଏହା ଭାବି ଗୁଣଗ୍ରାହୀ ଶିକ୍ଷକଟି ମୋତେ ଓ ତାହାର ଚାରିପଟେ ଅନ୍ୟଲୋକଙ୍କୁ ଫୁସ୍‍ଫୁସ୍‍ କରି କହିବାକୁ ଲାଗିଲା:’’ ଏହି ଲୋକଟି ସ୍ୱାଭାବିକ ଶିକ୍ଷା ପାଇଁ । କିନ୍ତୁ ସେ ବୋକା ନୁହେଁ । ମୋତେ ବିଶ୍ୱାସ କରନ୍ତୁ, ସେ ଶିକ୍ଷିତ । ହଁ, ସେ ନିଶ୍ଚିତ ଶିକ୍ଷିତ ।’’

 

‘‘ତିଓଦୋଲିନ୍ଦା ମୁରୀ !’’ ନିଜ ଚାରିପଟର ଲୋକଙ୍କର ଅଦ୍ଭୁତ ଯୋଗସୂତ୍ର ଧରି ଏକ୍ଷଣି ବୁଢ଼ା ଲୋକଟି ଚିତ୍କାର କରିବାକୁ ଲାଗିଲା ।’’ ଯେ କୌଣସି ମତେ ହେଉ ପଛକେ, ଆମେ ରାଣୀ ତିଓଦୋଲିନ୍ଦାଙ୍କ ସମ୍ବନ୍ଧରେ କଥା ହେଉଥିଲୁ । ତିଓଦୋଲିନ୍ଦା ମୁରୀ- ଅବିଚାରର ଆଉ ଏକ ଉଦାହରଣ । ସେ ଅପରାଧିନୀ ଥିଲେ ଏବଂ ପଳାଇ ଯାଇଥିଲେ । କିନ୍ତୁ ଆମେ ସମସ୍ତେ ଅପରାଧୀ-ଆମେ ସମସ୍ତେ । ମୋ ସାଙ୍ଗରେ ଏହି ଗାଡ଼ିରେ ଯେଉଁମାନେ ଅଛନ୍ତି,ସେମାନଙ୍କର ସମସ୍ତଙ୍କର ଦଣ୍ଡ ପାଇବା ଉଚିତ୍‍ । ଆଜ୍ଞା, ହଁ, ମହାଶୟ । ସେହି ବିଷୟରେ ଟିକିଏ ଚିନ୍ତା କରନ୍ତୁ । ଭଦ୍ର ମହୋଦୟଗଣ, ଏ କଥାଟା ଥରେ ଭାବି ଦେଖନ୍ତୁ । ଘୁମାଇବେ ନାହିଁ, ଘୁମାଇବେ ନାହିଁ-ମୁଁ କହୁଛି !’’

 

ସେ ମୋ କତିରେ ବସିଥିବା ମହିଳାଙ୍କ ପାଖରେ ଆସି ହାଜର ହେଲା ଏବଂ ତାଙ୍କର ଆଖି ଖୋଲିବା ଉଦ୍ଦେଶ୍ୟରେ ସେ ତାଙ୍କର ମୁଖପାଖରେ ଚିତ୍କାର କରିବାକୁ ଲାଗିଲା । କିନ୍ତୁ ସେ ତାହାକୁ ଆତ୍ମପ୍ରସାଦ ଲାଭ କରିବାକୁ ଦେଲେ ନାହିଁ । ଘୁମାଇବାର ଛଳନା କରି ସେ ତାହାକୁ ଠକାଇବାକୁ ଲାଗିଲେ ।

 

‘‘ନିଦ୍ରା ହେଉଛି ମୃତ୍ୟୁର ବନ୍ଧୁ,’’ ଗଳା ସପ୍ତମକୁ ଚଢ଼ାଇ ବୁଢ଼ା ଲୋକଟି ପୁଣି ଆରମ୍ଭ କଲା ।’’ ନିଦ୍ରା ଦେହର ଗୋଟାଏ ପ୍ରୟୋଜନ-ଗୋଟାଏ ଶାରୀରିକ ପ୍ରୟୋଜନ । ଆପଣମାନଙ୍କର ଜୀବନରେ ଅଧିକ ଆଦର୍ଶବାଦୀ ହେବ ଉଚିତ୍‍ ।’’

 

‘‘କାହିଁକି ? ଆପଣ କଅଣ ତାହା ହେଲେ ମନେ କରନ୍ତି ଯେ ଆପଣ ନିଜେ ଜଣେ ଆଦର୍ଶବାଦୀ ?’’ ସହସା ଆଖି ଖୋଲି ଭଦ୍ର ମହିଳା କ୍ଷିପ୍ର ଭାବରେ ପଚାରିଲେ, ଯେମିତି ବୁଢ଼ା ଲୋକଟିକୁ ସେ ଆଘାତ କରିବାକୁ ଚାହିଲେ । ଏଥର ଲୋକଟିକୁ ଦେଖି ମନେ ହେଲା ଯେ ସେ ସତରେ ଆଘାତ ଅନୁଭବ କରିଛି । ସେ ଗୋଟାଏ ହାତ ତାହାର ଛାତି ଉପରେ ରଖିଲା, ଟିକିଏ ଇତସ୍ତତଃ କଲା ଏବଂ ତା’ପରେ କେତେ ପାହୁଣ୍ଡ ପଛକୁ ହଟିଯାଇ ସେ ଗାଡ଼ିର ମଝିଆଡ଼କୁ ଚାଲିଗଲା । ସମସ୍ତେ ଚୁପ୍‍ଚାପ୍‍-ତାହାର ଉତ୍ତର ପାଇଁ ଅପେକ୍ଷା କରି ବସିଛନ୍ତି । କେହି କେହି ଲକ୍ଷ୍ୟ କଲେ, ବୁଢ଼ା ଲୋକଟି ଭାବୁଛି-ମନ ସ୍ଥିର କରୁଛି କଅଣ ଜବାବ ଦେବ । ଅବଶେଷରେ ସେ ଏମିତି ଭାବରେ ମୁଣ୍ଡ ହଲାଇଲା, ଯାହା ଦୁଃଖିତ ଓ ଭିନ୍ନ ପ୍ରକାରର-ଯାହା ଆଗରୁ ଭିତରେ ଥରେ ହେଲେ ଦେଖାଯାଇ ନଥିଲା ।’’ ହଁ, ମତବାଦରେ ମୁଁ ବିଶ୍ୱାସ କରେ, ମୁଁ ଜଣେ ଆଦର୍ଶବାଦୀ ।’’

 

‘‘ଆଉ ବ୍ୟବହାରରେ ?’’ ତତ୍‍କ୍ଷଣାତ୍‍ ଭଦ୍ର ମହିଳା ରାଗରେ ଫୁଲି ଯାଇ ସଁ ସଁ ହେଲେ-

 

‘‘ବ୍ୟବହାରରେ–’’ ବୁଢ଼ାଲୋକଟି ନିଜର ଦୁଇବାହୁ ପ୍ରସାରିତ କଲା । ତାହାର ବହୁବର୍ଷର ବନ୍ଦୀତ୍ଵର ଛାପାମରା ଅବୟବ ସେ ଆମ୍ଭମାନଙ୍କ ଦେଖାଇଲା–ଯେମିତି ସେ ମଣିଷ ବିଦ୍ଵେଷୀ, ହତଭାଗ୍ୟ, ଅଗୌରବର ପାତ୍ର, ଏବଂ ଇହୁଦୀମାନଙ୍କୁ ପ୍ରତିକୃତି ଦେଖାଇ କହୁଛି, ଲୋକଟାକୁ ଥରେ ଦେଖ । ନାକ ଟେକି ସେ କହିଲା,‘‘ବ୍ୟବହାରରେ ଆପଣମାନେ ନିଜେ ତ ଦେଖି ପାରୁଛନ୍ତି ।’’

 

ଯେତେବେଳେ କାରରାରା-ଆଭେଞ୍ଜରେ ଉଷାର ଆଲୋକ ପ୍ରକଟିତ ହେଲା, ଠିକ୍‍ ସେତିକି ବେଳେ ହାତରେ ସୁଟ୍‍କେସ୍‍ଟିଏ ଧରି ସାଦା ପନ୍ତଲୁନ ପିନ୍ଧି ଜଣେ ଯୁବକ ଆମ କାମରାକୁ ଉଠି ଆସିଲା । ଦେଖିଲେ ମନେ ହେଲା, ସେ ଜଣେ ଭ୍ରାମ୍ୟମାଣ ବିକ୍ରେତା । ତତ୍‍କ୍ଷଣାତ୍‍ ବୁଢ଼ାଲୋକଟି ଆଗେଇଯାଇ ତାହାକୁ ପଚାରିଲା,’’ ଆପଣ କାରରାରାରୁ ଆସିଲେ ?’’

 

‘‘ଆଜ୍ଞା’’ ଯୁବକଟି ଜବାବ ଦେଲା ।’’ କାହିଁକି ?’’

 

‘‘ମୁଁ ସ୍ପିଜିୟାରୁ ଆସୁଛି । କିନ୍ତୁ ଏକ ସମୟରେ ମୁଁ କାରରାରାରେ କାମ କରୁଥିଲି । ଆପଣ ମୋତେ ଚିହ୍ନ୍ନିଛନ୍ତି ? କୋଡ଼ିଏ ବର୍ଷ ହେଲା ମୁଁ ଘରୁ ବାହାରିଲିଣି । କହନ୍ତୁ, ଆପଣ ମୋତେ ଚିହ୍ନିପାରୁଛନ୍ତି ତ ? ଆପଣ ମୋତେ ଚିହ୍ନନ୍ତି ?’’

 

‘‘ବୋଧହୁଏ, ଆପଣ ମୋତେ ଚିହ୍ନନ୍ତି ?’’ ଯୁବକଟି କ୍ରୁଦ୍ଧ ଭାବରେ ପଚାରିଲେ ।

 

‘‘ନା । କିନ୍ତୁ ଆପଣଙ୍କର ମୋତେ ଚିହ୍ନିବା ଉଚିତ୍‍ ଥିଲା । କୋଡ଼ିଏ ବର୍ଷ ହେଲା ମୁଁ ବାହାରି ପଡ଼ୁଛି ।’’

 

ଜଣେ ବିଭ୍ରାନ୍ତ ଲୋକ ସହିତ କଥା ହେଉଛି ବୋଲି ବିବେଚନା କରି, ଯୁବକଟି ନିଜ ଗଳାର ସ୍ଵର ପରିବର୍ତ୍ତନ କରି କହିଲା । ସେ ଅଭଦ୍ର ଭାବରେ ଅବଶ୍ୟ ବିଦ୍ରୂପ କଲା,’’ ଓ, ହଁ, ହଁ, । ବାହାରିପଡ଼ିଲେଣି, ହଁ ? ଆଉ ଏତେଦିନ ହେଲା ଆପଣ କେଉଁଠି ଥିଲେ ?’’

 

କତିରେ ଯେଉଁମାନେ ବସିଥିଲେ, ସେମାନଙ୍କ ଭିତରୁ କେହି କେହି ହସିଲେ । ଆଉ କେତେଜଣ ପରିଷ୍କାର ଓ ରୁଢ଼ ଭାବରେ ସ୍ଥାନଟିର କଥା ଉଲ୍ଲେଖ କଲେ, ଯେଉଁଠୁ ସେ ଗାଡ଼ିରେ ଚଢ଼ିଥିଲା । ଏକ୍ଷଣି ଆମ୍ଭେମାନେ ଜାଣିପାରିଲୁ, ବୁଢ଼ା ଲୋକଟି କେଉଁଠୁ ଆସିଛି । ତା’ପରେ ଯୁବକଟି ବୁଢ଼ା ଲୋକକୁ ଟିକିଏ ଆଖିମାରି କହିଲା,‘‘ସ୍ୱାଗତଂ ମଦ୍ୟ ପାତ୍ର !’’ ତା’ପରେ ସେ ଓଠ ଚିପି ମୁଚ୍‍କି ମୁଚ୍‍କି ହସିଲା । ହସ ଦେଖି ମନେ ହେଲା, ସେ ନିଜକୁ ଖୁବ୍‍ ସିହାଣା ବୋଲି ଭାବୁଛି । ସେ କାନ୍ଧ ହଲାଇଲା ଏବଂ ତା’ପରେ ଅନ୍ୟ କାମରାକୁ ଚାଲିଗଲା ।

 

କିନ୍ତୁ ବୁଢ଼ାଲୋକଟି ତାହାକୁ ତିଳେମାତ୍ର ଗ୍ରାହ୍ୟ କଲା ନାହିଁ । ଏବେ ସୁଦ୍ଧା ବୋତଲର ତଳେ କିଛି ମଦ ଥିଲା । ସେ ସେତକ ଶେଷ କରିବାକୁ ଲାଗିଲା । ସ୍ପେଜିୟା ପ୍ରାୟ ଆସିଗଲା-ପାଖେଇ ଆସିଲା-ତାହାର ଶେଷ ଭ୍ରମଣର ଲକ୍ଷ୍ୟସ୍ଥଳ । ଆଗରୁ ଯେମିତି ସେ ଛକ ଓ ମନ୍ତ୍ରୀ କହୁଥିଲା, ଠିକ୍‍ ସେମିତି ତାହାର ପୁରୁଣା ଚତୁରାଙ୍ଗ ଖେଳର ଛକ ଧୀରେ ଧୀରେ ଫେରି ଆସିବାକୁ ଲାଗିଲା ।

 

ଭୋରର ଆଲୁଅରେ କାମରା ତା’ର ଆବାହାୱା ପରିବର୍ତ୍ତିତ ହେଲା । କେତେକ ଯାତ୍ରୀ ପିସାରେ ଓହ୍ଲାଇଗଲେ । ଅବଶିଷ୍ଟ ଯାତ୍ରୀଙ୍କର ମୁଖସବୁ ଓ ପ୍ରକୃତି ମଧ୍ୟ ରାତିର ଘନ-ପୀନ ବଦ୍ଧ ଗାଡ଼ିର ଉତ୍ତପ୍ତତା କମ୍ପିତ ବିଜୁଳି ବତିର ହଳଦିଆ ଆଲୁଅ ଠାରୁ ଭିନ୍ନ ରକମ ଦିଶୁଥିଲା । ଲିଗୁରିୟାର ଗ୍ରୀଷ୍ମର ତାଜା ନୀଳ ଉଷାର ଆଲୁଅ ଖୋଲା ଝରକା ବାଟେ ଭିତରକୁ ପଶିଆସୁଥିଲା-। ବୁଢ଼ାଲୋକଟିର ସ୍ଵାଗତ ଭୀଷଣ ଶୁଣିବାର ଆଗ୍ରହ ମିଳେଇ ଯାଇଥିଲା । କ୍ରମେ କ୍ରମେ ସମସ୍ତଙ୍କର ଆଖି ନିଦ୍ରାରେ ମୁଦି ଆସୁଥିଲା । ସେମାନଙ୍କର ମଥାସବୁ ଆସନର ଠେସ-ଦିଆ ଗୋଲ କଳାଜାଗା ଉପରେ ଠେସ ହେଉଥିଲା, କିମ୍ବା ପାଖଲୋକର କାନ୍ଧ ଉପରେ ଯାଇ ବାଜୁଥିଲା-। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକର ସ୍ତ୍ରୀ ଆମ କାମରାକୁ ଚାଲି ଆସିଥିଲା । ସେ ନବଜାତ ଶିଶୁଟିକୁ ଦୁଧ ଖୁଆଉଥିଲା ଏବଂ ତାହାର ସ୍ୱାମୀ ତାହାରି ପାଖରେ ବସି ଢୁଳାଉଥିଲା । ଶିକ୍ଷକର ବଡ଼ ଦାଢ଼ିଭରା ମୁଖଟି ନିଜର ଖୋଲା ଛାତି ଉପରେ ଲମ୍ବିଯାଇଥିଲା ।

 

ମୁଁ ଅପରାଧୀର ଏକମାତ୍ର ଦର୍ଶକ ଓ ଶ୍ରୋତା ଭାବରେ ରହିଲି । ସେ ମୁହୂର୍ତ୍ତେ ହେଲେ ବନ୍ଦ ନ ହୋଇ କହିଯିବାକୁ ଲାଗିଲା । ଏକ୍ଷଣି ତାହାର କଣ୍ଠସ୍ଵର ଶାନ୍ତ ଜଣା ଯାଉଥିଲା ।

 

ଯେତେବେଳେ ସେ ସାରଜାନା ଅତିକ୍ରମ କଲା,ସେତେବେଳେ ସହସା ସେ ବିଚଳିତ ହେବାର ଜଣାଗଲା । ଏହି ପ୍ରଥମ ଥର ସେ ଝରକା ବାଟେ ବାହାରକୁ ଅନାଇଲା । ସେ ମୋତେ ସମୟ ପଚାରିଲା । ସେ ପୁଣି ନିଜର ବିଚାରୀ ବୟସ୍କା ଝିଅ ସମ୍ବନ୍ଧରେ କହିଯାଉଥିଲା । ତଥାପି ସେ ଚାଲିଥିଲା, ଯଦି ସେ ଏକ୍ଷଣି ତାହାକୁ ତାହାର ରୋଗଶଯ୍ୟାରେ ଦେଖିବାକୁ ପାଏ ।

 

ଗାଡ଼ି ଗର୍ଜି ସ୍ପେଜିୟା ଷ୍ଟେସନର ଛାତର ତଳକୁ ଆସିଗଲା । ଆମ କାମରାଟି ଇଞ୍ଜିନ ପରେ ଥିଲା । ସେଟା ଛାତର ତଳେ ସିଧା ଚାଲିଗଲା ଏବଂ ଖୋଲା ଜାଗାରେ ଆସି ରହିଲା । ତଟକା ହାୱାରେ ଅନେକ ଯାତ୍ରୀଙ୍କର ନିଦ ଭାଙ୍ଗିଗଲା । ବୁଢ଼ା ଲୋକଟି ସମସ୍ତଙ୍କୁ, ବିଶେଷତଃ ମୋତେ, ନମସ୍କାର କରି କହିଲା !

 

‘‘ମୁଁ ଯେତିକି ଶିକ୍ଷିତ ମୋତେ ତାହା ଠାରୁ ବେଶୀ ଶିକ୍ଷିତ ଜଣାଯାଇପାରେ । ବାସ୍ତବିକ ମୁଁ ଶିକ୍ଷିତ ନୁହେଁ । ଏଟା ଖାଲି ଭସାଭସା, ଠିକ୍‍ ଭସାଭସା ଅଳ୍ପଜ୍ଞାନ । ମୁଁ ଜଣେ ଅତି ଦରିଦ୍ର ଅଜ୍ଞ ସାଧାରଣ ଲୋକ । ମୁଁ ଆପଣମାନଙ୍କ ନିକଟରେ କ୍ଷମା ଭିକ୍ଷା କରୁଛି ।’’

 

ସେ ଚାଲିଗଲା । ତାହାର ଟୋପି, କି ବାକ୍ସ, କି ବିଛଣା କିଛି ନଥିଲା । ସେ ପ୍ଲାଟଫର୍ମ ଉପରେ ସ୍ଥିର ହୋଇ ଛିଡ଼ା ହେଲା ତାହାର ଦେହରେ କଳା ଜାକେଟଟା ଆଣ୍ଠୁଯାଏ ଲମ୍ବିଯାଇଥିଲା ତାହାର ଧୂସର ମୁଖଟି ଭୋର୍‍ର ସ୍ନିଗ୍ଧ ହାଓ୍ୱାରେ ନଗ୍ନ ଦିଶୁଥିଲା ।

 

ଗାଡ଼ି ଆସ୍ତେ ଆସ୍ତେ ଚାଲିବାକୁ ଲାଗିଲା ।

 

ବୁଢ଼ା ଲୋକଟି ଆମ ଆଡ଼କୁ ଆଉ ଥରେ ହେଲେ ଅନାଇଲା ନାହିଁ । ଦୁଆର ମୁହଁରୁ ଦୁଇପାଦ ଆଗେଇଯାଇ ସେ ଯେଉଁଠି ଓହ୍ଲାଇ ପଡ଼ିଥିଲା, ସେହି ଏକା ଜାଗାରେ ସେ ସେତେବେଳେ ଠିଆ ହୋଇଥିଲା । ସେ ବୁଲିପଡ଼ି ଠିଆହୋଇ ସମୁଦ୍ରଆଡ଼କୁ ଅନାଇଥିଲା । ସମୁଦ୍ର ଆଡ଼କୁ ଅନାଇ ରହିଥିଲେ କେହି ଦେଖିପାରିବ ନାହିଁ, ସେହି ଉଚ୍ଚ ଉଚ୍ଚ କୋଠାଗୁଡ଼ାକ–ଧୂସର ଲାଲ, ସବୁଜ-ଟାଇଲ ଛାତସବୁ । ଉଜ୍ଜ୍ଵଳ ନୀଳ ଆଲୁଅରେ ଦେହ ଭସାଇ ନଗରୀ ଗାଧୋଉଥିଲା ।

 

ଝରକାବାଟେ ବେକ ଗଳାଇ ମୁଁ ବୁଢ଼ା ଲୋକଟିକୁ ଶେଷ ଅବଧି ଲକ୍ଷ୍ୟ କରୁଥିଲି । ମୁଁ ଦେଖିଲି, ଠିକ୍‍ ସେତିକି ବେଳେ ସେ ହଲଚଲ ହେବାକୁ ଆରମ୍ଭ କଲା । ତାହାର ଧଳା ମଥାଟି ଉଚ୍ଚ ଜଣାଯାଉଥିଲା । ସେ ପାଦ ପକାଇ ଚାଲୁଥିଲା-ଧୀର, ଅନିଶ୍ଚିତ, ଯେମିତି ବିଭ୍ରାନ୍ତ । ସେ ଚାଲିବାକୁ ଲାଗିଲା । ଷ୍ଟେସନରୁ ବାହାରିବାର ଦୁଆର ଆଡ଼କୁ ସେ ଗଲା ନାହିଁ । ଛାତ ତଳେ ଚାଲି ଚାଲି ଯାଇ ସେ ଗୋଟାଏ ବଡ଼ ପରିତ୍ୟକ୍ତ ଜାଗା ଆଡ଼କୁ ଆଗେଇବାକୁ ବସିଲା । ସେଠାରୁ ଅନେକ ଗୁଡ଼ିଏ ରେଳ ଲାଇନ ବିଭିନ୍ନ ଦିଗକୁ ପ୍ରସାରିତ ହୋଇଥିଲା ।

 

–ମାରିଓ ସଲଦାତି

Image

 

ଶୃଗାଳ

 

ଦାନିୟେଲ ଘୁଷୁରି ଗୁହାଳରେ ବସିଥିଲା । ମାଈ ଘୁଷୁରିଟାର ପ୍ରସବ ସମୟ । ତେଣୁ ସେ ତାହାକୁ ଦେଖାଦେଖି କରୁଥିଲା । ତିରିଶ ଗଜ ଭିତରେ ତାହାର ଘର । ସେଠାରୁ ହଠାତ୍‍ ତାହାର ସ୍ତ୍ରୀ ଫିଲୋମେନାର ଡାକ ଶୁଭିଲା– ‘‘ତୁମକୁ କିଏ ଡାକୁଛି, ଦାନିୟେଲ ।’’ ଘରେ ସେ ସ୍ପଷ୍ଟ ଜଣାଇ ଦେଇଥିଲା ଯେ ଏହି ସମୟରେ ସେ ଅତ୍ୟନ୍ତ ବ୍ୟସ୍ତ ରହିବ, କେହି ଯେମିତି ତାହାକୁ ବିରକ୍ତ ନ କରନ୍ତି । ସୁତରାଂ ଦାନିୟେଲ ସ୍ତ୍ରୀର ଡାକ ଶୁଣି ବି ନ ଶୁଣିଲା ପରି ଦେଖାଇଲା । ତାହାର ସ୍ତ୍ରୀ ବାରମ୍ବାର କେତେଥର ଡାକିଲା । ଶେଷକୁ କିଛି ଜବାବ ନ ପାଇଁ, ସେ ନିରସ୍ତ ହେଲା ।

 

ଦାନିୟେଲ ସବୁ ଦିଗରୁ ସାବଧାନ ହୋଇଥିଲା, ଯଦ୍ୱାରା ଘୁଷୁରିଟିର ଖଲାସ ହେବାରେ କୌଣସି ଅସୁବିଧା ନ ହୁଏ । ଆଗ ଦିନ ମାଈ ଘୁଷୁରିଟିକୁ ସେ ପରିମିତ ମାତ୍ରାରେ ଖାଦ୍ୟ ଦେଇଥିଲା । ଅତିରିକ୍ତ ସାବଧାନତା ବଶତଃ ସେ ତାହାକୁ ପାନେ କ୍ୟାଷ୍ଟର୍‍ ଅୟେଲ ଖୁଆଇ ଦେଇଥିଲା । ତାହାର ଭୟ ହେଉଥିଲା, ଯଦି ଛୁଆ ହେବାରେ କୌଣସି ବାଧା ଉପୁଜେ ତାହାହେଲେ ହୁଏତ ଦୁଧର ଅଭାବ ଘଟିପାରେ । ଏହି କାର୍ଯ୍ୟରେ ତାହାକୁ ସାହାଯ୍ୟ କରିବା ଲାଗି ସେ ଅଗଷ୍ଟିନୋକୁ ଡାକିଥିଲା । ଅଗଷ୍ଟିନୋ ବାରଗାମୋରୁ ଆସିଥିଲା । ତାହା ଆଗରୁ ସେ ଟିସିନୋରେ କେତେ ବର୍ଷ କଟାଇଥିଲା । ରାଜମିସ୍ତ୍ରୀ ହେଲେ ସୁଦ୍ଧା ତାହାକୁ ସବୁ ରକମର କାମ ମାଲୁମ ଥିଲା ।

 

ପ୍ରସବ ଭଲ ଭାବରେ ଆରମ୍ଭ ହେଲା । ମୂଷା ଛୁଆ ଭଳି ତିନୋଟି ଛୋଟ ଛୋଟ ଛୁଆ ବାହାରି ଆସିଲେ । ଅଗଷ୍ଟିନୋକୁ କିଛି କରିବାକୁ ପଡ଼ିଲା ନାହିଁ । ସେ ଖାଲି ଛୁଆ କେତୋଟିର ଉପଯୁକ୍ତ ନାମକରଣ କାଲା । କିନ୍ତୁ ଚାରି ନମ୍ବରର ଛୋଟ ଛୁଆଟା କୌଣସି ମତେ ବାହାରି ଆସିଲା ନାହିଁ । ଅଗଷ୍ଟିନୋ ମାଈ ଘୁଷୁରିଟାର ନାକ ଚିପି ଧରିଲା, ଆଉ ଦାନିୟେଲ ଚାରି ନମ୍ବର ଛୁଆଟାକୁ ଟାଣି ଆଣି ଆଣି ଅବଶିଷ୍ଟ ଛୁଆଗୁଡ଼ିକର ବାହାରି ଆସିବାର ବାଟ ପରିଷ୍କାର କରିଦେଲା-

 

ଛୋଟ ଛୁଆଟି ଆଡ଼କୁ ଆଙ୍ଗୁଳି ଦେଖାଇ ଅଗଷ୍ଟିନୋ କହିଲା,’’ ଏଟାକୁ ଆମେ ମାଣିକ ବୋଲି ଡାକିବା । ଏଟା ବାହାରିବାକୁ ଚାହୁ ନଥିଲା ।’’

 

ଦାନିୟେଲ କହିଲା,’’ ସେ କଥା ହବ ନାହିଁ । ମୁଁ ଛୁଆଗୁଡ଼ାକୁ ଇତାଲୀର ଜଣେ ବେପାରୀକୁ ବିକି ଦେଇଛି ।’’

 

‘‘ତୁମେ ଭାରି ହିସାବୀ,’’ ଅଗଷ୍ଟିନୋ କଟାକ୍ଷ କାଲା ।

 

ଠିକ୍‍ ସେତିକି ବେଳେ ଦାନିୟେଲର ସାନ ଝିଅ ଲୁଇସା ଆସି କହିଲା, ‘‘ବାବା, ତୁମକୁ କିଏ ଜଣେ ଡାକୁଛି ।’’

 

ଦାନିୟେଲ ନିଃଶବ୍ଦରେ ଘୁଷୁରି ଛୁଆଗୁଡ଼ିକର ପରିଚର୍ଯ୍ୟା କରିବାକୁ ଲାଗିଲା, ଲୁଇସାର ଡାକରେ କୌଣସି ଜବାବ ଦେଲା ନାହିଁ । ସେ ଛୋଟ ଛୁଆଗୁଡ଼ିକୁ ସଯତ୍ନରେ ଗୋଟାଏ ପ୍ରକାଣ୍ଡ ନଡ଼ା-ବିଛା ହୋଇଥିବା ବାକ୍ସ ଭିତରେ ପୁରାଇ ଖଣ୍ଡିଏ ପଶମୀ କମ୍ବଳ ଢାଙ୍କିଦେଲା । ଅଗଷ୍ଟିନୋ ପ୍ରସବ ପରେ ସେହି କଦର୍ଯ୍ୟ ଜିନିଷଗୁଡ଼ାକ କାଢ଼ିନେଇ ଗୁହାଳଟା ସଫା କରିବାକୁ ଲାଗିଲା । ଦାନିୟେଲର ବଡ଼ ଝିଅ ସିଲ୍‍ଭିୟା ପୁଣି ଏତିକି ବେଳେ ଡାକ ଛାଡ଼ିଲା,’’ ବାବା, ତୁମ ସାଙ୍ଗରେ ଜଣେ ଲୋକ ଦେଖା କରିବାକୁ ଆସିଛି ।’’ କୌଣସି ଜବାବ ନପାଇ, ଶେଷରେ ସେ ଗୁହାଳ ଆଡ଼କୁ ଚାଲି ଆସିଲା । ତାହା ସାଙ୍ଗରେ କାଟେରିନା ନାମରେ ଜଣେ ବୟସ୍କା ମହିଳା ଥିଲା । ସେ ଫ୍ଲୋରେନ୍ସରେ ଜାମାପଟା ତିଆରି କରେ । ସେ ମିନୁସିୟୋରେ ବି ଢେର ଦିନଥିଲା ।

 

କାଟେରିନା ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ଦାନିୟେଲ ହଠାତ୍‍ ଚିତ୍କାର କଲା,’’ ଏତେ ବେଳ ଯାଏ ତୁ ୟାରି ପାଇଁ ମୋତେ ବିରକ୍ତ କରୁଥିଲୁ ?’’

 

କାଟେରିନାର ତୁରନ୍ତ ଠୁଳେଇ ନେଇ କଥା କହିବାର କ୍ଷମତା ନଥିଲା । ତେଣୁ ସେ ଚୁପ୍‍ ହୋଇ ରହିଲା । ବାବାର ବକାବକିକୁ ଅଗ୍ରାହ୍ୟ କରି ସିଲ୍‍ଭିୟା ଜବାବ ଦେଲା,’’ କାଟେରିନା ତୁମ ସାଙ୍ଗରେ କଥା କହିବାକୁ ଚାହେ ।’’

 

ତା’ପରେ କାଟେରିନାକୁ ସେଠାରେ ଛାଡ଼ିଦେଇ ଅଗଷ୍ଟିନୋ ଓ ସିଲ୍‍ଭିୟା ଘର ଆଡ଼କୁ ଚାଲିଗଲେ ।

 

କାଟେରିନା କହିବାକୁ ଆରମ୍ଭ କାଲା,’’ ଆପଣ ତ ଜାଣନ୍ତି, ମୁଁ ସବୁ ବେଳେ ନିଜ କାମରେ ବ୍ୟସ୍ତ ଥାଏଁ ।’’

 

‘‘ତୁମ ବ୍ୟାପାରରେ ମୋର ବିନ୍ଦୁମାତ୍ର ଉତ୍ସାହ ନାହିଁ ।’’ ଦାନିୟେଲର ଗଳାର ସ୍ଵରରେ ତାହା ପ୍ରକାଶ ପାଇଲା ।

 

‘‘ଆପଣ ଜାଣନ୍ତି, ଅନେକ ଦିନ ହେଲା ମୁଁ ଟିସିନୋରେ ଅଛି । ଇତି ମଧ୍ୟରେ ମୁଁ କେବେ ହେଲେ ଅନ୍ୟର ବ୍ୟାପାରରେ ଅଯଥା ମଥା ଖେଳାଇ ନାହିଁ ।’’

 

‘‘ସେଥିରେ ମୋର କଅଣ ଯାଏ ଆସେ,’’ କହି ଦାନିୟେଲ ଘରଆଡ଼କୁ ଗୋଡ଼ ବଢ଼ାଇଲା । କାଟେରିନା ବୁଝିଲା, ଦାନିୟେଲ ତାହାର କଥା ଶୁଣିବ ନାହିଁ ବୋଲି ଠିକ୍‍ କରିଛି । ସେ ତତ୍‍କ୍ଷଣାତ୍‍ ଆଉ ଭୂମିକା ନ କରି, ଏକାବେଳେ ଅସଲ କଥା କହିବାକୁ ଆରମ୍ଭ କଲା:’’ଜଣେ ଇତାଲୀୟ ଭଦ୍ରଲୋକ ମୋ ସହିତ ଦେଖା କରିବାକୁ ଆସିଥିଲେ । ସେ ମୋତେ ଗୁପ୍ତଚର ହେବା ଲାଗି ଅନୁରୋଧ କରିଛନ୍ତି ।’’

 

ଦାନିୟେଲ ଠିଆ ହୋଇଗଲା ।

 

କାଟେରିନା ଦୀର୍ଘ ନିଃଶ୍ୱାସ ପକାଇ ସେହି ଇତାଲୀୟ ଭଦ୍ରଲୋକ କଥା ଆରମ୍ଭ କଲା । ସେହି ଭଦ୍ରଲୋକଙ୍କ ସହିତ ଲୋକାର୍ନୋରେ ଗୋଟିଏ ଅଫିସରେ ଥରେ ହଠାତ୍‍ ଦେଖାହୋଇଥିଲା-। ଲୋକଟି ତାହାକୁ କହିଥିଲା–

 

‘‘ତୁମେ ଟିସିନୋର କେତେ ବର୍ଷ ହେଲା ରହିଛ । ସେଠାକାର ସମସ୍ତଙ୍କୁ ବୋଧହୁଏ ତୁମେ ଚିହ୍ନିଛ । ନିଜର କାମ ପାଇଁ ତୁମକୁ ସବୁ ଜାଗାକୁ ଯିବାକୁ ହୁଏ । ଶହ ଶହ ଘରକୁ ଯାଅ, ଆଉ ନାନା ରକମ୍‍ କଥାବାର୍ତ୍ତା ଶୁଣ । କହିବାକୁ କେହି ଭୟ କରନ୍ତି ନାହିଁ ।

 

ମୁଁ ଜବାବ ଦେଇଥିଲି–ତାହା ସତ । ମୁଁ ନିଜର କାମରେ ସବୁବେଳେ ବ୍ୟସ୍ତ ରହିଥାଏ ବୋଲି ମୋତେ ସମସ୍ତେ ମାନ୍ୟ କରନ୍ତି ।

 

ତା’ପରେ ସେହି ଲୋକଟି କଥା ପ୍ରସଙ୍ଗରେ ପୁଣି କହିଥିଲା–ଟିସିନୋ ଭିତରେ ଏସ୍କୋନା ଓ ବେଲୀନଜୋନାର ମଝିଜାଗାରେ କେତେ ଜଣ ଫ୍ୟାସି-ବିରୋଧୀ ଲୋକଙ୍କର କାର୍ଯ୍ୟକଳାପ ସମ୍ବନ୍ଧରେ ଯଦି ତୁମେ କିଛି ଖବର ଯୋଗାଡ଼ କରିଦେବାକୁ ରାଜି ହୁଅ, ତାହାହେଲେ ଭବିଷ୍ୟତ ପାଇଁ ତୁମେ କିଛି ଟଙ୍କା ସଞ୍ଚି ପାରିବ ।’’

 

ଏକ୍ଷଣି ଦାନିୟେଲର ବିସ୍ମୟ କଟିଗଲା । କାଟେରିନା କଥା କହୁଥିଲା ବେଳେ ସେ ତାହାଆଡ଼କୁ ତୀକ୍ଷ୍‍ଣ ଦୃଷ୍ଟିରେ ଅନାଇ ରହିଥିଲା । କାଟେରିନା କଥା କହିଲା ବେଳେ ଗୋଟା ପଣେ ଥରି ଥରି ଧଇଁ ସଇଁ ହେଉଥିଲା ।

 

‘‘କାହିଁକି ତୁମେ ଏହି ଗପଟା ଧରି ମୋ ପାଖକୁ ଆସିଛ ?’’

 

‘‘ଆପଣ କଅଣ କହିବାକୁ ଯାଉଛନ୍ତି, ମୁଁ ଠିକ୍‍ ବୁଝିପାରୁ ନାହିଁ ।’’

 

ଦାନିୟେଲ ଜବାବ ଦେଲା, ‘‘ମୁଁ ଜଣେ ଟିସିନୀୟ । ତୁମର ଇତାଲୀୟ ବ୍ୟାପାରରେ ମୋର ତିଳେମାତ୍ର ଆଗ୍ରହ ନାହିଁ । କାହିଁକି ମିଛଟାରେ ମୋ ପାଖକୁ ଆସିଛ ? କିଏ ତୁମକୁ ପଠାଇଛି ?’’

 

କାଟେରିନା କାନ୍ଦିଲା କଣ୍ଠରେ କହିଲା, ‘‘ଆପଣ ମୋତେ ତିରିଶ ବର୍ଷ ହେଲା ଜାଣିଛନ୍ତି-। ଆପଣ ତ ଜାଣନ୍ତି ଯେ ମୁଁ ସବୁବେଳେ ସମ୍ମାନ ସହକାରେ ଆୟ କରିବାକୁ ଚେଷ୍ଟା କରେଁ । ଆଉ ଏ କଥା ବି ଜାଣନ୍ତି ଯେ ସବୁ ବେଳେ ମୁଁ ନିଜର କାମରେ ବ୍ୟସ୍ତ ରହିଥାଏଁ ।’’

 

ଦାନିୟେଲ ବାଧା ଦେଇ ଜୋରରେ କହି ପକାଇଲା, ‘‘ମୁଁ ଜାଣିବାକୁ ଚାହେ, କିଏ ତୁମକୁ ମୋ ପାଖକୁ ପଠାଇଛି ?’’

 

କାଟେରିନା ଜବାବ ଦେଲା, ‘‘କେହି ନୁହେଁ ।’’ ତା’ପରେ ଟିକିଏ ଶାନ୍ତ ସ୍ଵରରେ ସେ କହିଲା, ‘‘ମୁଁ ଦୁଃଖିତ । ଆପଣଙ୍କୁ ବିରକ୍ତ କରିଛି । ଆପଣଙ୍କୁ ଆଉ ମୁହୂର୍ତ୍ତେ ବି ମୁଁ ଅଟକାଇ ରଖିବି ନାହିଁ ।’’

 

ତା’ପରେ ସେ ପଛକୁ ବୁଲିପଡ଼ି ଗୋରା ଡୋଳା ଓ ମିନୁସିୟୋର ପ୍ରଧାନ ରାସ୍ତାରେ ଚାଲି ଚାଲି ଦୂରେଇ ଯିବାକୁ ଲାଗିଲା । ତାହାକୁ ଅନୁସରଣ କରି ଦାନିୟେଲ ଟିକିଏ ପରେ ପୁଣି କଥାବାର୍ତ୍ତା ଆରମ୍ଭ କରିଦେଲା । ସେ ପଚାରିଲା, ‘‘ଯଦି ତୁମକୁ କେହି ପଠାଇ ନଥାଆନ୍ତା, ତାହା ହେଲେ ତୁମେ କାହିଁକି ବା ଆମ ପାଖକୁ ଆସି ଥାଆନ୍ତ ?’’

 

ଯାଉଁ ଯାଉଁ ସିଧା ସାମନା ଆଡ଼କୁ ଅନାଇ କାଟେରିନା କହିଲା,’’ମୁଁ ଉପଦେଶ ନେବାକୁ ଆସିଥିଲି ।’’

 

‘‘କି ଉପଦେଶ ?’’

 

ସେ ସ୍ଥିର ହୋଇଯାଇ କହିଲା,’’ଭଦ୍ରଲୋକର ପ୍ରସ୍ତାବ ଗ୍ରହଣ କରିବି କି ନା, ସେହି ବିଷୟରେ ଆପଣଙ୍କର ପରାମର୍ଶ ନେବାକୁ ଆସିଥିଲି । ମୁଁ ଜାଣେ ନାହିଁ, ଏକ୍ଷଣି କିଅଣ କରିବା ଉଚିତ୍‍ । ଜୀବନରେ କଦାପି ମୁଁ ଏପରି ଅବସ୍ଥାରେ ପଡ଼ିନଥିଲି । ଯଦି ଏହି ପ୍ରସ୍ତାବ ମୁଁ ଗ୍ରହଣ କରେଁ, ତାହା ହେଲେ ହୁଏତ ଅଳ୍ପ କିଛି ଟଙ୍କା ଆୟ ହେବ । କିନ୍ତୁ ତାହା ବଦଳରେ, ଯେଉଁମାନେ କେବେ ମୋର କିଛି ଅନିଷ୍ଟ କରି ନାହାନ୍ତି, ମୋତେ ସେମାନଙ୍କର କ୍ଷତି କରିବାକୁ ହେବ । ଯଦି ମୁଁ ଏହି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରେଁ, ତାହା ହେଲେ ମୁଁ ଫ୍ୟାସି-ବିରୋଧୀ ବୋଲି ଚିହ୍ନିତ ହେବି । ଫଳରେ ମୋତେ ନିର୍ଯ୍ୟାତିତ ହେବାକୁ ପଡ଼ିବ । ଆପଣ ତ ମୋତେ ତିରିଶ ବର୍ଷ ହେଲା ଜାଣନ୍ତି । ମୁଁ ଫ୍ୟାସି ନୁହେଁ, କି ଫ୍ୟାସି -ବିରୋଧୀ ବି ନୁହେଁ । ମୁଁ ସବୁବେଳେ ସମ୍ମାନ ସହକାରେ ଆୟ କରିବାକୁ ଚେଷ୍ଟା କରେଁ ଏବଂ ନିଜର ବ୍ୟବସାୟରେ ବୁଡ଼ି ରହିଥାଏଁ ।’’

 

ଦାନୀୟେଲ ଗଭୀର ଚିନ୍ତାରେ ମଗ୍ନ ହେଲା ।

 

କାଟେରିନା କାନ୍ଦି କାନ୍ଦି ଆଗେଇ ଚାଲିଲା । ଦାନିୟେଲ ପୁଣି ତାହାକୁ ଅନୁସରଣ କଲା-। ଅଗଷ୍ଟିନୋ ରାସ୍ତାର ଶେଷ ମୁମଡ଼ାରେ ଅପେକ୍ଷା କରି ରହିଥିଲା । ତାହା ପାଖରେ ପହଞ୍ଚି ଦାନିୟେଲ କାଟେରିନାକୁ କହିଲା,’’ ଶୁଣ . ଡରି ଯାଅ ନାହିଁ । ଟିକିଏ ଆଗରୁ ମୋତେ ଯାହା କହିଲା, ସେ କଥା ଅଗଷ୍ଟିନୋକୁ କୁହ ତ ଦେଖି । ସେ ଯାହା କହିବି, ତୁମେ ସେୟା କରିବ-।’’

 

କାଟେରିନା ଓ ଅଗଷ୍ଟିନୋ ଗୋରଡୋଲା ଆଡ଼କୁ ଆଗେଇଗଲେ । ଦାନିୟେଲ ଠିଆହୋଇ ରହି ସେମାନଙ୍କୁ ଦେଖିବାକୁ ଲାଗିଲା । ତା’ପରେ ଘୁଷୁରୀ ଛୁଆଗୁଡ଼ିକର କଥା ମନେପଡ଼ିଯିବାରୁ ସେ ଗୁହାଳ ଆଡ଼କୁ ଫେରିଗଲା ।

 

ଦିନେ ସକାଳେ ଦାନିୟେଲ ନିଜର ଝିଅ ସିଲ୍‍ଭିୟାକୁ ନେଇ ଅଙ୍ଗୁର ଗଛଗୁଡ଼ିକୁ ଫିଲକ୍‍ସରା ପୋକର ଦାଉରୁ ରକ୍ଷା ପାଇଁ ଗୋଟାଏ ଛାଇ ଜାଗାରେ କାମ କରୁଥିଲା । ସେ ଗୋଟାଏ ଛୋଟ ଧାତୁ ବୁରୁସ ଧରି ଗଛର ପୋକ-ଖିଆ ଜାଗାଗୁଡ଼ାକ ଖୋଜି ବାହାର କରୁଥିଲା । ଗୋଟିଏ ଗରମ ଜଳର ପାତ୍ର ଧରି ସିଲ୍‍ଭିୟା ତାହାର ପଛେ ପଛେ ଆସି ସେହି ଜାଗାଗୁଡ଼ିକରେ ଗରମ ପାଣି ଛିଞ୍ଚି ଦେଉଥିଲା । ଏତିକିବେଳେ ଅଗଷ୍ଟିନୋ ଗୋଟାଏ ଇଟା ବୋଝେଇ ଲରୀ ଚଳାଇ ସେଠାରେ ହାଜର ହୋଇଗଲା । ସେ ଏହି ରାସ୍ତାରେ ଯାଉଥିଲା । ମାଈ ଘୁଷୁରିଟାର ପ୍ରସବପରେ ଏଟା ହେଲା ସେମାନଙ୍କର ପ୍ରଥମ ଦେଖା । ଗାଡ଼ିର ଗତି କମାଇ ସେ ଜୋରରେ ପଚାରିଲା,’’ ଏ, ଏବେ ବି ସେହି କାମ କରୁଛ ?’’

 

‘‘କେଉଁ କାମ ?’’ ନ ବୁଝିପାରି ଦାନିୟେଲ ପଚାରିଲା ।

 

ଗାଡ଼ି ଚଳାଇ ହାତ ହଲାଇ ଅଗଷ୍ଟିନୋ କହିଲା,’’ ମୋ କଥାର ଅର୍ଥ ତୁମକୁ ଜଣ ।’’ ଦାନିୟେଲ ଏଥର ବୁଝିପାରି ମୁଣ୍ଡ ହଲାଇଲା ।

 

ତା’ପରେ ସେ ତାହାର ଝିଅକୁ କହିଲା,’’ ଇତାଲୀୟମାନେ ଭାରି ଚମତ୍କାର ଲୋକ । ସେମାନେ ଯେମିତି ଉଦାର, ସେମିତି ଭାବପ୍ରବଣ ଓ ସାହାସୀ । ତେବେ ସେମାନେ ଖୁବ୍‍ ବେଶି କଥା ।’’

 

ସିଲ୍‍ଭିୟା କିଛି କହିବି ବୋଲି ମନେ ମନେ ପାଞ୍ଚିଲା । ବହୁତ ଦିନରୁ ସେ କହିବ କହିବ ବୋଲି ହେଉଥିଲା । ସେ କହିଲା,’’ ବାବା, ତୁମେ ଇତାଲୀର ସ୍ୱାଧୀନତା ପାଇଁ ବହୁତ କିଛି କରିଛ, ମୁଁ ଜାଣେ ଯଦିଚ ତୁମେ ସେ ବିଷୟରେ କିଛି କୁହ ନାହିଁ । ତୁମକୁ ସାହାଯ୍ୟ କରିବା ଲାଗି ମୋର ପ୍ରବଳ ଇଚ୍ଛା ହେଉଛି ।’’

 

‘‘ସେହି ସାନ ସାନ ଡାଳଗୁଡ଼ାକ ଏକାଠି କରି ପୋଡ଼ିଦେ ତ । ଏକ୍ଷଣି ଏହି କାମଟା କଲେ ଯଥେଷ୍ଟ ହେବ ।’’ ତାହାର ବାବା ଉତ୍ତର ଦେଲା ।

 

ସିଲ୍‍ଭିୟା ତାହାର ବାବାର କଥା ମୁତାବକ କାମ କଲା । ଅଙ୍ଗୁର ଗଛ ଭିତରେ ନଇଁପଡ଼ି ସେ ସଯତ୍ନରେ ଡାଳଗୁଡ଼ିକ ଆଣି ଛୋଟ ଛୋଟ ଗଦା କରିବାକୁ ଲାଗିଲା । ଗତ ନଭେମ୍ବରରେ ସିଲ୍‍ଭିୟାକୁ କୋଡ଼ିଏ ବର୍ଷ ହେଲା । ପରିପର୍ଣ୍ଣ ଗର୍ବ ଓ ଭୟରେ ଦାନିୟେଲ ତାହାଆଡ଼କୁ ଅନାଇ ରହିଥାଏ । କାରଣ ସେ ହେଉଛି ତାହାର ସବୁଠାରୁ ମୂଲ୍ୟବାନ ଓ ଅନିଶ୍ଚିତ ସମ୍ପତ୍ତି ।

 

କେତେଦିନ ପରେ ଦିନେ ରବିବାର ସକାଳେ ଅଗଷ୍ଟିନୋ ଦାନିୟେଲ ପାଖକୁ ଆସିଲା-। ଦାନିୟେଲ ଓ ଫିଲୋମେନା ଗୋଟାଏ ଶିଆଳ ସମ୍ବନ୍ଧରେ ଆଲୋଚନା କରୁଥିଲେ ।

 

‘‘ପ୍ରାୟ ପଚାଶଟା କୁକୁଡ଼ା–ଛୁଆ ବେକ-ମୋଡ଼ିଲା ଅବସ୍ଥାରେ ମିଳିଛନ୍ତି’’–ଫିଲୋମେନା ଜଣାଇଲା ।

 

ଦାନିୟେଲ କହିଲା,’’ ନିଶ୍ଚୟ ସେଟା ଶିଆଳର କାମ ନୁହେଁ । ବୋଧହୁଏ ବେଜି ଫେଜି ହେବ । ଦେଖୁ ନାହଁ, କେମିତି ବେକ ମୋଡ଼ି ଦେଇ ବଦମାସଟା ରକ୍ତ ଶୋଷି ନେଇଛି !’’

 

‘‘ଏଟା ଯେ ଶିଆଳ, ସେଥିରେ କୌଣସି ସନ୍ଦେହ ନାହିଁ । ଲାଙ୍ଗୁଳର ପର ଛଡ଼ା କିଛି ବାକି ରଖି ନାହିଁ ।’’ ଫିଲିମୋନା ଦୃଢ଼ ଭାବରେ ନିଜର ମତ ପ୍ରତିଷ୍ଠିତ କରିବାକୁ ବସିଲା ।’’ କୁକୁଡ଼ା ଛୁଆଗୁଡ଼ିକ ସମ୍ବନ୍ଧରେ ଏଣିକି ଆମକୁ ଭଲଭାବରେ ହୁସିଆର ହେବାକୁ ପଡ଼ିବ । ଗଲାବର୍ଷ ବେମାରିରେ ତ ଅଧେ ଶେଷ ହୋଇଛନ୍ତି, ଆଉ ଏଥର ଗୋଟାଏ ଶିଆଳ କଅଣ ବାଜିଟା ପୂରଣ କରିଦେବ ?’’

 

‘‘ଆମକୁ ଗୋଟାଏ ଫାସ ବସାଇବାକୁ ହେବ,’’ଦାନିୟେଲ କହିଲା । ଠିକ୍‍ ଏତିକି ବେଳେ ଅଗଷ୍ଟିନୋ ଆସି ହାଜର ହୋଇଗଲା । ସେ ଦାନିୟେଲକୁ ଗୋଟାଏ ପାଖକୁ ନେଇଯାଇ କହିଲା,’’ ସବୁ କଥା ଭଲ ଭାବରେ ଚାଲିଛି । କାଟେରିନା ମୋର ପରାମର୍ଶ ଗ୍ରହଣ କରିଛି, ଏବଂ ମୁଁ ଯାହା କହିଥିଲି ତାହା କରିଛି । ମାଲୁମ ହେଉଛି, ଗୁପ୍ତଚରଟି ଲୋଭ ଯୋଗୁଁ ଫାସର ପଡ଼ିବ । ଆମେ ଖାଲି ଏକ୍ଷଣି ଚୁପ ରହି ସବୁ ଦେଖିଯିବା ।’’

 

‘‘ତୁମର ମତଲପଟା କଅଣ କୁହ ତ ?’’ ଉତ୍ତେଜିତ ଦାନିୟେଲ ପଚାରିଲା ।

 

‘‘ଆମେ ଗୋଟାଏ ଫାସ ବସାଇବା’’ ଅଗଷ୍ଟିନୋ ଜବାବ ଦେଲା ।

 

ଫାସ କଥାଟା ଶୁଣି ଦାନିୟେଲକୁ ହସ ମାଡ଼ିଲା । ଅଗଷ୍ଟିନୋ ସାଙ୍ଗରେ କଥାବାର୍ତ୍ତା ବେଳେ ଫିଲୋମିନା ଏହି ଗୋଟିଏ କଥା ହଠାତ୍‍ ଶୁଣିପାରିଲା । ଏହି କଥାଟିର ଖିଅ ଧରି ସେ କହିବାକୁ ଲାଗିଲା ।

 

‘‘ଖାଲି ଫାସ ବସାଇଲେ ଚଳିବ ନାହିଁ । ଶିଆଳଟା ଭୀଷଣ ଚାଲାକ । ଆଗେ ସେ ଖୁବ୍‍ ସାବଧାନରେ ଚାରିଆଡ଼େ ଦେଖିନିଏ । ତା’ପରେ ସେ ହଠାତ୍‍ କାମୁଡ଼ିବାକୁ ଚାହେନା । ଗୋଡ଼ ଗଳାଇ ସେ ଫାଙ୍କ ବାଟେ ଖାଦ୍ୟଟା ଟାଣିଆଣିବାକୁ ଚେଷ୍ଟା କରେ । ଲୁହାଫାସ ମନ୍ଦ ନୁହେଁ । ତେବେ ବିଷମିଶା ଖାଦ୍ୟ ବୁଣିଦେଲେ ବୋଧହୁଏ ସବୁଠାରୁ ଭଲ ହେବ ।’’

 

ଅଗଷ୍ଟିନୋ ହଠାତ୍‍ ଫିଲୋମେନାର ଏହି ଧରଣର ମନ୍ତବ୍ୟର କାରଣ ବୁଝିପାରିଲା ନାହିଁ ।

 

ଦାନିୟେଲ ତାହାର ସ୍ତ୍ରୀଆଡ଼କୁ ବୁଲିପଡ଼ି କହିଲା,’’ ବିଷମିଶା ଖାଦ୍ୟ କଥା କହୁଛ ଯେ, ସେଥିରେ କଅଣ କିଛି ନିଶ୍ଚିତ୍ତତା ଅଛି ? ଶିଆଳ ଭୋକିଲା ଥିଲେ ସୁଦ୍ଧା ବୁଣା ହୋଇଥିବା ଖାଦ୍ୟ ଛୁଇଁବ ନାହିଁ । ବିଷାମିଶା ମାଂସ ଖଣ୍ଡ ଖାଇଲେ ବି ଅନେକ ସମୟରେ ବିଷ କାମ କରେ ନାହିଁ । ତାହାଛଡ଼ା ଗୋଟାଏ ଅଜଣା ଶିଆଳ ପାଇଁ କେତେ ବିଷ ଦରକାର, ତାହା କେହି କହିପାରିବ ନାହିଁ-। ଯଦି ଶିଆଳଟାର ଜୀବନୀ-ଶକ୍ତି ବେଶି ହୁଏ, ତାହାହେଲେ ବଡ଼ ଜୋର ତାହାର ପେଟ କାମୁଡ଼ିବ-। ସେଥିରେ କଅଣ ତାହାର କୁକୁଡ଼ା ଖାଇବା ବନ୍ଦ କରାଯାଇପାରିବ ?’’

 

‘‘ମୋଟ କଥା, ଶିଆଳ ଧରିବା ଅସମ୍ଭବ ।’’ ଏତେବେଳେ ଅଗଷ୍ଟିନୋ ତାହାର ଆସିବା ଆଗରୁ କି କଥାବାର୍ତ୍ତା ହେଉଥିଲା ବୁଝିପାରି ମନ୍ତବ୍ୟ ପ୍ରକାଶ କଲା ।

 

ଦାନିୟେଲ କହିଲା, ‘‘ନା, ଅସମ୍ଭବ ନୁହେଁ, ମାତ୍ର ଟିକିଏ କଷ୍ଟକର ।’’

 

ସାନ ଝିଅର ଡାକ ଶୁଣି ଫିଲୋମେନା ଘର ଭିତରକୁ ଚାଲିଗଲା । ଦାନିୟେଲ ଓ ଅଗଷ୍ଟିନୋ କଥା ହୋଇ ଫଳ ବଗିଚାରେ ପହଞ୍ଚିଗଲେ । ଅଗଷ୍ଟିନୋ କହିଲା,’’ କାଟେରିନା କାମଟା କରିବାକୁ ରାଜି ହୋଇଛି । ଗତକାଲି ସେହି ଇତାଲୀୟ ଗୁପ୍ତଚରଟା ପୁଣି ତାହା ପାଖକୁ ଆସିଥିଲା । ସେ ତାହାକୁ ପାଲାନାଜୋର ଗୋଟାଏ ଠିକଣା ଦେଇ ଯାଇଛି । ଖବର ପାଇଲା ମାତ୍ରେ ତାହାକୁ ସେହି ଠିକଣାରେ ଲେଖି ଜଣାଇବାକୁ ସେ କହି ଯାଇଛି ।’’

 

‘‘ସେ କଅଣ କୌଣସି ଲୋକର ନାମ ଦେଇଯାଇଛି ?’’

 

ଅଗଷ୍ଟିନୋ ଜବାବ ଦେଲା,’’ ନା, ଏଯାଏ ସେ ନାମ ଦେଇ ନାହିଁ । ତେବେ ନିତି ଯେଉଁମାନେ ସୀମା ଟପି ରାଜନୈତିକ ସନ୍ଦେହଗ୍ରସ୍ତ ଲୋକ ବା ଉଦବାସ୍ତୁମାନଙ୍କ ସଂସ୍ପର୍ଶରେ ଆସନ୍ତି, ସେହିସବୁ ଇତାଲୀୟ କର୍ମୀମାନଙ୍କୁ ଖୋଜି ବାହାର କରିବା ଲାଗି ସେ କହିଯାଇଛି । ସେ ଆହୁରି କହିଛି, ଯେଉଁମାନେ ସୁଇଜରଲାଣ୍ଡରୁ ଇତାଲୀକୁ ବେଆଇନ୍‍ ବୈପ୍ଲବିକ ବହି ଓ ପୁସ୍ତିକା ନେଇଆସନ୍ତି, ସେମାନଙ୍କୁ ଖୋଜି ବାହାର କରିଦେଲେ ତାହାକୁ ଅନେକ ଟଙ୍କା ଦେବ ।’’

 

ଦାନିୟେଲ ପଚାରିଲା,’’ କୌଣସି ବିଶେଷ ବ୍ୟକ୍ତିର ନାମ କହିଛି କି, ଯାହାକୁ ସେ ସନ୍ଦେହ କରେ ?’’

 

‘‘ଏବେ ସୁଦ୍ଧା କହି ନାହିଁ,’’ ଅଗଷ୍ଟିନୋ ଜଣାଇଲା ।

 

‘‘କାଟେରିନା କଅଣ ଜାଣେ ଯେ ଇତାଲୀୟ ବିପ୍ଲବୀମାନଙ୍କ ସହିତ ମୋର ସମ୍ପର୍କ ଅଛି-?’’

 

ଅଗଷ୍ଟିନୋ ଭରସା ଦେଇ କହିଲା,’’ ନା, ତାହା ଜାଣେ ନାହିଁ । ସେ ବରଂ କହେ ଯେ ମିଷ୍ଟର ଦାନିୟେଲ ଜଣେ ପ୍ରକୃତ ଭଦ୍ରଲୋକ । ତାହା ଛଡ଼ା ଟିସିନିଜର ତ କେବେ ହେଲେ ରାଜନୀତି ସହିତ କିଛି ସମ୍ପର୍କ ନାହିଁ । ସବୁ ସମୟରେ ତାହା ପ୍ରମାଣ କରିପାରନ୍ତି ।’’

 

ଦୋତାଲାର ଛୋଟଘରୁ ସିଲ୍‍ଭିୟା ଦେଖିଲା, ତାହାର ବାବା ଅଗଷ୍ଟିନୋ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି ।

 

ସେ ବଡ଼ପାଟିରେ ପଚାରିଲା,’’ ଯିବି, ବାବା ?’’

 

‘‘ତୋର ଇଚ୍ଛା ।’’

 

ସିଲ୍‍ଭିୟା ଅଙ୍ଗୁର ଖେତ ଭିତରକୁ ଚାଲି ଆସିଲା । ଦାନିୟେଲ ଓ ଅଗଷ୍ଟିନୋ ତାହାକୁ ଦେଖିପାରି ତତ୍‍କ୍ଷଣାତ୍‍ ଆଲୋଚନ୍ୟ ବିଷୟ ବଦଳାଇ ପାଣିପାଗ ବିଷୟରେ କଥାବାର୍ତ୍ତା ଆରମ୍ଭ କରିଦେଲେ ।

 

ନୀତି ସନ୍ଧ୍ୟାବେଳେ ଦାନିୟେଲ କୁକୁଡ଼ା ଘରର ବାହାରେ ଗୋଟିଏ ଲୁହା ଫାସ ବସା ବିଷ-ମିଶା ଖାଦ୍ୟ ଗ୍ଲାସବୁ ବୁଣିଦେଉଥିଲା । କିନ୍ତୁ ଶିଆଳର କୌଣସି ପତ୍ତା ନଥିଲା । ତେଣେ ଶିଆଳର ବି ଫାସର ପଡ଼ିବାର କୌଣସି ଚଞ୍ଚଳତା ନାହିଁ ବୋଲି ଅଗଷ୍ଟିନୋ ଭାବୁଥିଲା ।

 

ଦାନିୟେଲ ପ୍ରାୟ ବରାବର କହୁଥିଲା,’’ ଗାଁର ଲୋକଙ୍କୁ ସବୁ ସମୟରେ ପରିଶ୍ରମ କରି ଦିନ ବିତାଇବାକୁ ପଡ଼େ । ଖରାପ ପାଣିପାଗ, ମଡ଼କ, ପକ୍ଷୀମାନଙ୍କର ଜ୍ଵାଳା-ଗୋଟାଏ ନା ଗୋଟାଏ ବରାବର ଲାଗି ରହିଛି । ତେବେ ସବୁ ଠାରୁ ବେଶି ଖରାପ ହେଉଛି ଶିଆଳର ଉପଦ୍ରବ-।’’

 

ଅଙ୍ଗୁର ଲତାରୁ ପୋକ-ମରା ସରିଗଲେ, ଦାନିୟେଲ ନିଜର ନିଜର ସ୍ତ୍ରୀ ଓ ଝିଅକୁ ନେଇ ଅନ୍ୟ ଗଛରୁ ପୋକ ମାରିବାରେ ଲାଗିଯାଏ । ଦିନେ ସେ ସେମାନଙ୍କ ସାଙ୍ଗରେ କାମ କରୁଥିଲା, ଠିକ୍‍ ଏତିକି ବେଳେ ଅଗଷ୍ଟିନୋ ଦାଣ୍ଡ ଆସି ଦୁଆର ମୁହଁରେ ହାଜର ହୋଇଗଲା ।

ଦାନିୟେଲ ପଚାରିଲା,’’ ଖବର କଅଣ ?’’

‘‘ଫାସଟା ବସା ଯାଇଛି,’’ ଅଗଷ୍ଟିନୋ ଜବାବ ଦେଲା ।

‘‘ଆଉ ଶିଆଳଟା ?’’

‘‘ଆଜି ରାତିରେ ଧରା ପଡ଼ିବ ।’’

ଦାନିୟେଲ କହିଲା,’’ ଆହା, ସବୁ ଶିଆଳ ସମ୍ବନ୍ଧରେ ଯଦି ଏହିପରି ନିଶ୍ଚିତ ହେବାକୁ ପଡ଼ନ୍ତା ।’’

ତା’ପରେ ଶିଆଳଟା କିପରି ଭାବରେ ଧରାପଡ଼ିବ, ଅଗଷ୍ଟିନୋ ତାହା ଦାନିୟେଲକୁ ବିଶଦ ଭାବରେ ବୁଝାଇବାକୁ ଲାଗିଲା ।

ଅଗଷ୍ଟିନୋ କହିଲା,’’ ଆଉ ଗୋଟାଏ ନୂଆ ଖବର ଅଛି । କାଟେରିନା ମୋତେ ଲେଖିକରି ଜଣାଇଛି ଯେ ସେ ଆଜି ଗୋଟାଏ ଖବର ଦେଇପାରିବ । ଆଜି ରାତି ନଅଟା ବେଳେ ପୁରୁଣା ସାନ୍‍କିରିକୋ ଗୀର୍ଜାର ବାହାରେ ହ୍ରଦକୂଳରେ ରିଭାପିୟାନାରେ ତାହା ସହିତ ଦେଖା କରିବାକୁ ହେବ । ତାହାର କଥା ଅନୁଯାୟୀ ମୁଁ ଓ ଆଉ ଦୁଇଜଣ ଲୋକ ଆଜି ସେଠାକୁ ଯାଉଛୁଁ ।’’

 

‘‘ପୋଲିସକୁ କଅଣ ଖବର ଦେବା ଉଚିତ୍‍ ନୁହେଁ ?’’ ଦାନିୟେଲ ପଚାରିଲା ।

 

‘‘ପୋଲିସକୁ ଖବର ଦେବାଟା ଖୁବ୍‍ ବୋକାମୀ ହେବ । ସେମାନେ ଖବର ପାଇଲେ ଅବଶ୍ୟ ଯିବେ । ମାତ୍ର ଶିଆଳଟା ଆଉ ଆସିବ ନାହିଁ ।’’

 

ଦାନିୟେଲ ଆଉ କଥା ବଢ଼ାଇଲା ନାହିଁ । ସେ ଚୁପ ହୋଇ ଭାବିବାକୁ ଲାଗିଲା ।

 

ସେ ଦିନ ଦିପହରେ ଦାନିୟେଲ ଲୋକାର୍ଣ୍ଣଙ୍କୁ ଯିବାର ଗାଡ଼ି ଧରିଲା । ଦଶଟାବେଳକୁ ହ୍ରଦକୂଳରେ ଅଗଷ୍ଟିନୋ ସାଙ୍ଗରେ ଦେଖା କରିବା ଲାଗି ସେ ସେଲେଗଗି ଆଡ଼କୁ ଚାଲି ଚାଲି ଗଲା-। ଇତି ମଧ୍ୟରେ ଯାହାସବୁ ଘଟିଛି, କହିବା ପାଇଁ ଅଗଷ୍ଟିନୋ ଆସିବ । ପ୍ରାୟ ସାଢ଼େ ଦଶଟା ବେଳେ ଅଗଷ୍ଟିନୋ ବଦଳରେ ମିନୁସିୟୋର ଇତାଲୀୟ ମିସ୍ତ୍ରୀ ଲୁକା ଆସି ହାଜର ହେଲା-। ସେ ଜଣାଇଲା,‘‘ଅଗଷ୍ଟିନୋର ହାତରେ ସାମାନ୍ୟ ଆଘାତ ଲାଗିଛି । ସେ ପଟିବନ୍ଧା ହାତରେ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ନାହିଁ । ତେଣୁ ସେ ଆସିଲା ନାହିଁ ।’’

 

ଦାନିୟେଲ ଚିନ୍ତିତ ହେଲା, ଆଉ ପଚାରିଲା,’’ କଅଣ ସବୁ ଘଟିଛି ଜଲଦି କହିଯାଅ ।’’

 

ଲୁକା କହିଯିବାକୁ ଲାଗିଲା,’’ ଅଗଷ୍ଟିନୋ ଆମକୁ ଗୀର୍ଜାର ପଛରେ ରଖି ଦେଇ ଗୁପ୍ତଚରଟା ଆଡ଼କୁ ଏକା ଆଗେଇଗଲା । ଆଗରୁ ଆମ ଭିତରେ ସ୍ଥିର ହୋଇଥିଲା, ଯଦି ଲୋକଟି ପ୍ରଥମେ ତାହାର ପିସ୍ତଲ ବାହାର କରିବାର କୌଣସି ଲକ୍ଷଣ ଦେଖାଏ ତାହା ହେଲେ କେବଳ ଅଗଷ୍ଟିନୋ ପିସ୍ତଲ ବାହାର କରିବ । ଅଗଷ୍ଟିନୋ ତାହା ଆଡ଼କୁ ଏମିତି ଭାବରେ ଚାଲିଗଲା, ସତେ ଯେମିତି ସେ ସେହି ବାଟଦେଇ ଚାଲିଯାଉଛି । ସେତେବେଳେ ବାହାରେ ଅନ୍ଧାର ଥିବାରୁ ସେ ଖଣ୍ଡିଏ ସିଗାରେଟ ଲଗାଇଲା ଏବଂ ଡିଆସିଲିର ଆଲୁଅରେ ତାହାକୁ ଚିହ୍ନିପାରିଲା । ସେ ଚିତ୍କାର କରି କହି ପକାଇଲା,’’ ଆଃ, ଏ ଯେ ଦେଖୁଛି ଗୋଟାଏ ଚିହ୍ନାମୁଖ । ତୁମେ ଜଣେ ଇତାଲୀୟ ଗୁପ୍ତଚର ନା ?’’ ତା’ପରେ ସିଗାରେଟଟା ଦୂରକୁ ଫିଙ୍ଗି ଦେଇ, ସେ ତାହା ଉପରକୁ କୁଦି ପଡ଼ିଲା । ଆମେ ଆମର ଲୁଚିବା ଜାଗାରୁ ବାହାରି ଆସିଲୁ, ଆଉ କାଟେରିନା ଦଉଡ଼ି ପଳାଇଗଲା ।’’

 

‘‘ତୁମେ ବି ସେମାନଙ୍କ ସାଙ୍ଗରେ ଯୋଗ ଦେଇଥିଲ ନା କଅଣ ।

 

‘‘ଦରକାର ପଡ଼ିଲା ନାହିଁ । ବାହାରୁ କେହି ଯେମିତି ଆସି ନ ଯାଏ, ମୁଁ କେବଳ ସେଥିପ୍ରତି ନଜର ରଖିଥିଲି । ଅଗଷ୍ଟିନୋ କେତୁଟା ମୁହୂର୍ତ୍ତ ଭିତରେ ଲୋକଟାକୁ ଘାଇଲା କରିଦେଲା । ଲୋକଟିକୁ ଭୂଇଁରେ ପକାଇଦେଇ ସେ ତାହାର ମୁଣ୍ଡ ଉପରେ ଏତେ ଜୋରରେ ଭୁଷି ମାରୁଥିଲା ଯେ ସେଥିରେ ବୋଧ ହୁଏ ଖଣ୍ଡିଏ ପଥର ବି ଭାଙ୍ଗିଯାଇ ପାରିଥାଆନ୍ତା । ଅଗଷ୍ଟିନୋର ଦେହରେ ଜୋର କେତେ, ଆମକୁ ମାଲୁମ ଥିଲା । ତାହା ଭିତରେ ଯେ ଏତେ ଘୃଣା ଲୁଚି ରହିଛି, ମୁଁ ତ କେବେ ତାହା ଭାବିପାରି ନାହିଁ ।’’

 

ଦାନିୟେଲ କହିଲା,’’ ଭୁଲିଯାଅ ନାହିଁ ଯେ ଫ୍ୟାସିମାନେ ତାହାର ଭାଇକୁ ଖୁନ କରିଥିଲେ । ଛାଡ଼ ସେ କଥା, ତାହାର ହାତରେ ଆଘାତ ଲାଗିଲା କିପରି ?’’

 

‘‘ଗୁପ୍ତଚରଟା କାମୁଡି ଦେଇଛି । ଅଗଷ୍ଟିନୋର ବାମ ହାତଟା ସେ ଏମିତି ଭାବରେ କାମୁଡି ଧରିଥିଲା ଯେ କୌଣସି ମତେ ସେଟା ଛଡ଼ାଇ ହେଲା ନାହିଁ । ଅଗଷ୍ଟିନୋ ପାଗଳ ପରି ହୋଇ ଅନ୍ୟ ହାତଟାରେ ତାହାର ଗାଲରେ ଖୁନ୍ଦା ମାରୁଥାଏ । ତେବେ ବି ଲୋକଟା ଅଗଷ୍ଟିନୋର ହାତ ଛାଡ଼ିଲା ନାହିଁ । ଶେଷକୁ ଅଗଷ୍ଟିନୋ ତାହାର ଗଳା ଚିପି ଦମ୍‍ ବନ୍ଦ.... ?’’

 

‘‘ଆଃ, ଖତମ କରିଦେଇଛିନା କଅଣ ?’’ ଦାନିୟେଲ ଡରିଯାଇ ପଚାରିଲା ।

 

‘‘ସେମିତିକା ତ ମାଲୁମ ହେଉଥିଲା ।’’

 

‘‘ତାହାହେଲେ ଅଗଷ୍ଟିନୋ ନିଶ୍ଚୟ ପଳାଇବ । ତାହାପକ୍ଷରେ ଫ୍ରାନ୍ସକୁ ଚାଲିଯିବା ଭଲ-।’’

 

ଅବସ୍ଥା ବୁଝି ଦାନିୟେଲ ଲୋକାର୍ଣ୍ଣୋରେ ରାତିଟା ବିତାଇ ପରଦିନ ଭୋର୍‍ରୁ ବେନାଲିଜୋନାକୁ ଯିବ ବୋଲି ଠିକ୍‍ କଲା । ଘରେ ଯେମିତି କେହି ତାହା ପାଇଁ ଚିନ୍ତା ନ କରନ୍ତି, ସେଥିପାଇଁ ସେ ଟେଲିଫୋନ କରିବା ଲାଗି ଗୋଟାଏ କାଫେ ଭିତରକୁ ପଶିଗଲା ।

 

ସୀଲ୍‍ଭିୟା ଟେଲିଫୋନ ଧରି କହିଲା,’’ ହାୟରେ ବିଧାତା ! ବାବା, ତୁମେ ଟେଲିଫୋନ କରୁଛ । ପ୍ରାୟ ଘଂଟାଏ ହେଲା ମୁଁ ଚାରିଆଡ଼େ ତୁମକୁ ଖୋଜିବାରେ ଲାଗିଛି ।’’

 

‘‘କଥା କଅଣ ?’’ ଡରି ଯାଇ ଦାନିୟେଲ ପଚାରିଲା । ସିଲ୍‍ଭିୟା ଜବାବ ଦେଲା,’’ ଭୟ କର ନାହିଁ ବାବା, ଆମର କିଛି ହୋଇ ନାହିଁ । ନିକଟରେ ଗୋରଡଲାର ରାସ୍ତାରେ ଦୁଇଟି ଗାଡ଼ି ଧକ୍କା ଲାଗିଥିଲା । ଜଣେ ଲୋକ ଖୁବ୍‍ ସାଂଘାତିକ ଭାବରେ ଆହତ ହୋଇଛି । ଡାକ୍ତର କହିଛି, ଲୋକଟି ଏତେ ବେଶୀ ଜଖମ ଯେ ଏକ୍ଷଣି ତାହାକୁ ବେଶି ଦୂରକୁ ନେଇ ହେବ ନାହିଁ । ଗାଁରେ ସେମାନେ ଖୋଜାଖୋଜି କରିଥିଲେ । ସମସ୍ତେ ଆମ ଘର ଦେଖାଇଦେଲେ । ମାଆ କହିଲା, ତୁମେ ବାହାରକୁ ଯାଇଛ, କୌଣସି ଅପରିଚିତ ଲୋକକୁ ଆମେ ଏକ୍ଷଣି ଘରେ ରଖିପାରିବୁ ନାହିଁ । ମୁଁ କହିଲି, ତୁମେ ଘରେ ଥିଲେ ନିଶ୍ଚୟ ରାଜି ହୋଇ ଥାଆନ୍ତ ।’’

 

ଦାନିୟେଲ କହିଲା,’’ ନିଶ୍ଚୟ ! ତାହାକୁ କେଉଁଠି ରଖିଛୁ ?’’

 

‘‘ଦୋତାଲାରେ, ମୋରି ଘରେ,’’ ସିଲ୍‍ଭିୟା ଜବାବ ଦେଲା ।’’ ମୁଁ ଲୁଇସା ପାଖରେ ଶୋଇବି ।’’

 

‘‘ଲୋକଟାର ଅବସ୍ଥା ଖରାପ ନା କଅଣ ?’’

 

‘‘ଡାକ୍ତର ସେ ସବୁକିଛି କହି ନାହିଁ । ଆଜି ରାତିପାଇଁ ସେ ଜଣେ ସେବିକାକୁ ପଠାଇବେ-। ମୁଁ ନିଜେ ଅବଶ୍ୟ ସବୁ କାମ ତୁଲାଇନେବି ବୋଲି ପ୍ରସ୍ତାବ କରିଥିଲି ।’’

 

‘‘ଲୋକଟି କେଉଁଠିକାର ? ତାହାର ନାମ କଅଣ ?’’

 

‘‘ସେ ତ ଏକ୍ଷଣି ଅଜ୍ଞାନ ହୋଇ ରହିଛି । ନିଶ୍ଚୟ ବଡ଼ ଲୋକ ହେବ । କାରଣ ଡାକ୍ତର ମାଆକୁ ଆଗତୁରା ଟଙ୍କା ଦେବାକୁ ବସିଥିଲେ ।’’

 

ଦାନିୟେଲ କହିଲା ‘‘ଶୁଣ ଆଜି ରାତିରେ ମୁଁ ଘରକୁ ଫେରିବି ନାହିଁ । ମୋତେ ଲୋକାର୍ଣ୍ଣୋରେ ରହିବାକୁ ହେବ । ଗୋଟାଏ ଜରୁରୀ କାମରେ ଖୁବ୍‍ ଭୋର୍‍ରୁ ମୋତେ ବେଲିନ୍‍ଜୋନାକୁ ଯିବାକୁ ହେଉଛି । ତୋ ଉପରେ ମୋର ବିଶ୍ୱାସ ଅଛି । ଡାକ୍ତର ଯାହା କହୁଛି, ଆନନ୍ଦରେ ତାହା କରିବୁ । ବୁଝିଲୁ ?’’

 

ଆହତ ଲୋକଟି ବଞ୍ଚିଛି କି ନା ଜାଣିବାଲାଗି ପର ଦିନ ଦାନିୟେଲ ତାହାର ଘରକୁ ପୁଣି ଫୋନ କଲା । କିଛି କିଣାକିଣି କରିବା ଲାଗି ସିଲ୍‍ଭିୟା ବାହାରକୁ ଯାଇ ଥିବାରୁ, ଲୁଇସା ଫୋନ ଧରିଲା ।

 

‘‘କିରେ ଖବର କଅଣ ? ଲୋକଟି କେମିତି ଅଛି ?’’

 

‘‘ଟିକିଏ ଭଲ ଅଛି,ବାବା । କାଲି ରାତିରେ ଜଣେ ସେବିକା ଆସିଥିଲା । ଅପା ବି ଆଖି କଷା କରି ନାହିଁ । ବାବା,ଡାକ୍ତର ବାବୁ ଆସିଗଲେଣି ।’’

 

‘‘ତାହାଙ୍କୁ ଫୋନଟା ଦେ ତ ।’’

 

‘‘ଡାକ୍ତର ବାବୁ, ଆପଣ ନିଃସଙ୍କଚରେ ମୋର ଘର ବ୍ୟବହାର କରିପାରନ୍ତି । ଏତେ ବେଳେ ଘରେ ରହି ନ ପାରିଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ ।’’ ଦାନିୟେଲ କହିଲା ।

 

ଡାକ୍ତର ଜବାବ ଦେଲେ, ‘‘ଭଦ୍ରଲୋକ ନିଶ୍ଚୟ ଭଲ ହୋଇଯିବେ । ମୁଣ୍ଡରେ ଖୁବ୍‍ ସାଂଘାତିକ ଆଘାତ ଲାଗିଛି । ତେବେ ଭୟର କିଛି କାରଣ ନାହିଁ । ଆପଣମାନଙ୍କର ଖରଚ ଯେମିତି ଦିଆଯାଇ ପାରିବ, ମୁଁ ସେ ଦାୟିତ୍ୱ ବହନ କରୁଛି ।’’

 

‘‘ଲୋକଟି କିଏ ? ତାହାର ଆତ୍ମୀୟସ୍ଵଜନମାନେ କେଉଁଠି ଥାଆନ୍ତି ?’’ ଦାନିୟେଲ ପଚାରିଲା ।

 

‘‘ସେ ହେଉଛି ବଲୋଗନାର ଜଣେ ଇତାଲୀୟ ଇଞ୍ଜିନିୟର । ତାହାର ନାମ ଆମବେଟୋଷ୍ଟେଲା । ଆପଣ ହୁଏତ ତାହାର ନାମ ଶୁଣିଥିବେ । ବିଦ୍ୟୁତ-ଶକ୍ତି ଉତ୍ପାଦନ ସମ୍ବନ୍ଧରେ ପଢାଶୁଣା କରିବା ପାଇଁ ସେ ସୁଇଜାରଲାଣ୍ଡକୁ ଆସିଥିଲା ।’’

 

‘‘ଯାହା ହେଉ, ମୋର ଘରଦ୍ୱାର ଆପଣ ଦରକାର ମୁତାବକ ବ୍ୟବହାର କରନ୍ତୁ,’’ ଦାନିୟେଲ କହିଲା ।

 

ତା’ପରେ ଅଗଷ୍ଟି ନ ଯେଉଁ ହତ୍ୟାକାଣ୍ଡ କରିବାକୁ ଚେଷ୍ଟା କରିଥିଲା ତାହା ଅନୁସନ୍ଧାନ କରିବାରେ ପୋଲିସ କେତେଦୂର ଆଗେଇଛି ଦାନିୟେଲ ବେଲୋନଜୋନାରେ ଓ ରିଭା ପିୟାଲାରେ ତୁରନ୍ତ ଜାଣିବା ପାଇଁ ଚେଷ୍ଟା କଲା । ସେ ବୁଦ୍ଧିମାନ ହୋଇ ନିଜେ ଚୁପ ରହି ଅନ୍ୟର କଥାବାର୍ତ୍ତା ଶୁଣିବାକୁ ଅପେକ୍ଷା କଲା । ସେ ନିଜର ଓକିଲ ସହିତ ଦେଖା କଲା । ସେ ଏମିତି କେତେଗୁଡ଼ିଏ ବିଷୟ ମୀମାଂସା କରିବା ପାଇଁ ତାହା ସହିତ ଅଦାଲତରେ ଯାଇ ଉପସ୍ଥିତ ହେଲା, ଯାହା ସେତେବେଳେ ଏତେ ତରବରରେ କରିବାର ଜରୁରୀ ଦରକାର ନଥିଲା । ରାସ୍ତାରେ ଯେଉଁ ପରିଚିତ ଲୋକଙ୍କ ସହିତ ତାହାର ଦେଖା ହେଲା, ସେ ଅଟକିଯାଇ ସେମାନଙ୍କ ସହିତ କଥା ହେଲା । ତାହା ଛଡ଼ା ସେ ଦୁଇଖଣ୍ଡ ସକାଳର ଖବରକାଗଜ କିଣିଲା । କିନ୍ତୁ ଗଲା ରାତିର ଘଟଣା ସମ୍ବନ୍ଧରେ କେଉଁଠି କିଛି ଉଲ୍ଲେଖ ଥିବାର ଦେଖାଗଲା ନାହିଁ । ସେ ସ୍ପଷ୍ଟ ଭାବରେ ବୁଝିପାରିଲା,ବେଲିନଜୋନାରେ କେହି ଏହି ବିଷୟରେ କିଛି ଜାଣିପାରି ନାହାନ୍ତି ।

 

ଶେଷ ଅବଧି ସାହସ ସଞ୍ଚୟ କରି ସେ ନିଜର ଓକିଲ ନିକଟରେ ଏହି କଥାଟି ଉଲ୍ଲେଖ କରି କହିଲା,’’ମୁଁ ଶୁଣିଛି, କାଲି ରାତିରେ ଲୋକାର୍ଣ୍ଣୋର ବାହାରେ ଇତାଲୀୟମାନଙ୍କ ମଧ୍ୟରେ ରାଜନୈତିକ ପ୍ରସଙ୍ଗ ଘେନି କେତେକ ପରିମାଣରେ ହାତାହାତି ହୋଇଯାଇଛି ।’’

 

ଓକିଲ ଜବାବ ଦେଲା, ‘‘ଯଦି ତାହା ହୋଇଥାଏ, ସେ ସମ୍ବନ୍ଧରେ ଏଯାଏ ଏଠି କିଛି ଜଣାପଡ଼ି ନାହିଁ । ତେବେ ସେମିତି କିଛି ସାଂଘାତିକ କଥା ହୋଇଥିଲେ, ଆମେ ନିଶ୍ଚୟ ଜାଣି ପାରିଥାଆନ୍ତୁ । ଫ୍ୟାସି ଓ ଫ୍ୟାସି-ବିରୋଧୀମାନଙ୍କର ସମ୍ପର୍କ ଏଠାରେ ଖୁବ୍‍ ଖରାପ ହୋଇଛି ।’’

 

ଦାନିୟେଲ ଭୀଷଣ ଚିନ୍ତିତ ହୋଇଥିଲା । ଏହି ଉତ୍ତରରେ ସେ ଟିକିଏ ନିଶ୍ଚିନ୍ତ ହେଲା ।

 

ଘରର ବାହାରେ ରାତି କଟାଇ ଅନର୍ଥକ ନିଜର କାମ ନଷ୍ଟ କରିବା ହେତୁ ଦାନିୟେଲକୁ ଖରାପ ଲାଗୁଥିଲା । ବାଟରେ ରେଳରେ କେତେଜଣ କୃଷକଙ୍କର କଥାବାର୍ତ୍ତା ତାହାର କାନରେ ପଡ଼ିଲା । ସେମାନେ ମାଗଡ଼ିନୋରେ ଶିଆଳର କୁକୁଡ଼ା-ଛୁଆ ଆକ୍ରମଣ ସମ୍ବନ୍ଧରେ ଆଲୋଚନା କରୁଥିଲେ ।

 

ଘରେ ପହଞ୍ଚି ଆହତ ଲୋକଟିକୁ ଦେଖିବା ପାଇଁ ଦାନିୟେଲ ଦୋତାଲାକୁ ଗଲା । ସେ ଦେଖିଲା, ଘରର ଦୁଆର ମୁହଁରେ ସିଲ୍‍ଭିୟା ବାଟ ଓଗାଳି ଠିଆହୋଇଛି । ତାହାକୁ ଦେଖି ମୁଖରେ ଆଙ୍ଗୁଳି ଦେଇ ଚୁପ ହୋଇ ରହିବା ପାଇଁ ସେ ଇଙ୍ଗିତ କଲା । ତା’ପରେ ତାହାର କାନ ପାଖରେ ସେ ଫୁସ୍‍ଫୁସ୍‍ କରି କହିଲା, ‘‘ରୋଗୀକୁ ସମ୍ପୂର୍ଣ୍ଣ ଶାନ୍ତ ପରିବେଶରେ ରଖିବାକୁ ହେବ । ତାହାକୁ ଦେଖିବାକୁ ଆସିବା କିମ୍ବା ତାହା ସହିତ କଥା କହିବା ଚଳିବ ନାହିଁ ।

 

ଡାକ୍ତର ବାବୁ କହିଛନ୍ତି, କୌଣସି କଥାରେ ଯେମିତି ସେ ଉତ୍ତେଜିତ ନ ହୁଅନ୍ତି ।’’

 

ଦାନିୟେଲ ହତାଶ ହୋଇ କହିଲା, ‘‘ଅତଏବ ଏଠାରେ ମୋର କିଛି କରିବାର ନାହିଁ,ଏୟା ତ ?’’

 

ସିଲ୍‍ଭିୟା ପୁଣି ଫୁସ୍‍ଫୁସ୍‍ କରି କହିଲା, ‘‘ଏକାତାଲାକୁ ଯିବା ଆଗରୁ ଜୋତା ଖୋଲି ପକାଅ । ଯେମିତି କୌଣସି ଶବ୍ଦ ନହୁଏ ।’’

 

ଦାନିୟେଲ ତାହାର ଜୋତା ଖୋଲି ପକାଇ ଏକାତାଲାକୁ ଓହ୍ଳାଇଗଲା । ତା’ପରେ ବଗିଚାକୁ ଯାଇ କାଠ ଚାଳିଆଟିରେ ବସି ବଡ଼ ପାଇଁ କୁରାଢ଼ିରେ ଟିକି ଟିକି କରି କାଠ କାଟିବାକୁ ଆରମ୍ଭ କଲା । କାଠକଟା ଶବ୍ଦ ଶୁଣି ସିଲ୍‍ଭିୟା ଚଟି-ପିନ୍ଧା ପାଦରେ ବଗିଚାକୁ ଧାଇଁ ଆସି କହିଲା,’’ବାବା ତୁମେ ପାଗଳ ହେଲ ନା କଅଣ ? ଘର ଭିତରେ ଜଣେ ସାଂଘାତିକ ଆହତ ଲୋକ ରହିଛି, ଆଉ ତୁମେ ଏମିତି ଗୋଟାଏ ଶବ୍ଦ ଆରମ୍ଭ କରି ଦେଇଛ ?’’

 

ଦାନିୟେଲ କୁରାଢ଼ିଟା ଫିଙ୍ଗିଦେଇ ଫୁସ୍‍ଫୁସ୍‍ କରି ପଚାରିଲା, ‘‘ମାଟି ଖୋଳିବାରେ କିଛି ଆପତ୍ତି ଅଛି ?’’

 

ସିଲ୍‍ଭିୟାକୁ ମୁଣ୍ଡ ହଲାଇ ଧୀରେ ଧୀରେ ଚାଲିଗଲା । ଦାନିୟେଲ କୋଦାଳରେ ଅଙ୍ଗୁର ଖେତର ଗୋଟାଏ କୋଣ ଖୋଲିବାକୁ ଲାଗିଲା ।

 

ଟିକିଏପରେ ବଡ଼ ଝିଅ ସିଲ୍‍ଭିୟାକୁ ଗୋଟିଏ ଝୁଡ଼ି ଧରି ଘରୁ ବାହାରିଯିବାର ଦେଖି, ସେ ଘରକୁ ଫେରିଆସି ଜୋତା ଖୋଲିପକାଇ ଦୋତାଲାକୁ ଉଠିଗଲା । ରୋଗୀର ଘରୁ ସେବିକା ବାହାରି ଆସି ତାହାକୁ ଯିବା ପାଇଁ ବାଟ ଦେଇଦେଲା । ଘରେ ପ୍ରବେଶ କରି ଦାନିୟେଲ ଦେଖିଲା, ସିଲ୍‍ଭିୟାର ଛୋଟ ଶେଯରେ ଗୋଟାଏ ପ୍ରକାଣ୍ଡ ପାଟି-ବନ୍ଧା ମୁଣ୍ଡ ଶୋଇଛି । ଏହି ଦୃଶ୍ୟ ଦେଖିଲା ମାତ୍ରେ ତାହାର ତୁଷାର ମାନବର କଥା ମନେ ପଡ଼ିଗଲା । ମୁଣ୍ଡଟା ଗୋଟାଏ ବିରାଟ ଧଳା ବଲ୍‍ ପରି ଦିଶୁଥିଲା । ସେଥିରେ ଖାଲି ଦୁଇଟା ଗାତ ରହିଥିଲା । ଛୋଟ ଗାତଟା ଆଖି, ଆଉ ବଡ଼ଟା ମୁଖ ।

 

ସେବିକା ତାହାକୁ ଘରୁ ଚାଲିଯିବା ପାଇଁ ଇଙ୍ଗିତ କଲା । ଚୁପ ଚୁପ ଜୋତା ହାତରେ ଧରି ସେ ସିଡ଼ିରେ ତଳକୁ ଓହ୍ଲାଇ ଆସୁଥିଲା । ହଠାତ୍‍ ସିଲ୍‍ଭିୟା ସହିତ ତାହାର ମୁହାଁମୁହିଁ ଦେଖା ହୋଇଗଲା । ସେତେବେଳେ ସେ ବାହାରୁ ଫେରୁଥିଲା ।

 

‘‘ତୁମେ କୁଆଡ଼େ ଯାଇଥିଲ ?’’ ତାହାର ଗଳାରେ ଭର୍ତ୍ସନାର ସ୍ଵର ।

 

‘‘ବାବା ସାଙ୍ଗରେ କଅଣ ଏମିତି ଭାବରେ କଥା କୁହାଯାଏ ?’’ ଏହା କହି ସେ ତାହାକୁ ଆଡ଼େଇ ଚାଲିଆସିଲା ।

 

ତା’ପରେ ସେ ବଗିଚାକୁ ଯାଇ ପୁଣି ଗାତ ଖୋଳିବାକୁ ଆରମ୍ଭ କଲା । କିଛିକ୍ଷଣ ପରେ ତାହାର ସ୍ତ୍ରୀ ଫିଲୋମେନା ସେଠାରେ ଆସି ହାଜର ହେଲା ।

 

‘‘ଶୁଣୁଛ, ସିଲ୍‍ଭିୟା ଯେ ସମ୍ପୂର୍ଣ୍ଣ ଜ୍ଞାନ ହରାଇବାକୁ ବସିଲାଣି ।’’ ଝିଅ ବିରୁଦ୍ଧରେ ସେ ସ୍ୱାମୀ ନିକଟରେ ସାଲିସ କରିବାକୁ ଚେଷ୍ଟା କଲା ।’’ ଗଲା କାଲିଠୁ ସେ ଥରେହେଲେ ଆଖି କଷା କରି ନାହିଁ, କି କିଛି ଟିକିଏ ହେଲେ ତୁଣ୍ଡରେ ଦେଇ ନାହିଁ ।’’

 

‘‘ଭଲ କଥା, ଝିଅର ଅସଲ ଜ୍ଞାନ ହୋଇଛି,’’ ଦାନିୟେଲ ଜବାବ ଦେଲା ।

 

ମାଆ କହିଲା, ‘‘କିନ୍ତୁ ତାହାର ହୃଦୟଟାଖୁବ୍‍ ଭଲ ।’’

 

‘‘ଖୁବ ଭଲ ? କଅଣ ଦେଖିଲେ ହୃଦୟ ଖୁବ୍‍ ଭଲ ବୋଲି କୁହାଯାଏ ?’’

 

ଦାନିୟେଲ ନିଜ ଝିଅ ଉପରେଖୁବ୍‍ ସନ୍ତୁଷ୍ଟ ହୋଇଥିଲା । ଠିକ୍‍ ଏତିକି ବେଳେ ସିଲ୍‍ଭିୟା ଆସି ସେଇଠି ପହଞ୍ଚିଗଲା । ଫଳ ବଗିଚାର ଛୋଟ ପାଚେରୀ ତଳେ କେତେ ଗୁଡ଼ିଏ ବଡ଼ ବଡ଼ ପ୍ରିମରୋଜ ଫୁଲ ଫୁଟିଥିଲା । ରୋଗୀ ପାଇଁ କିଛି ଫୁଲ ତୋଳିନେବା ଲାଗି ସେ ଆସିଥିଲା ।

 

‘‘ତୁ ଯାହା ପାଇଁ ସେଗୁଡ଼ାକ ତୋଳୁଛୁ, ସେ ତ ଦେଖିପାରିବ ନାହିଁ । ତାହାର ଆଖିରେ ଯେ ପଟି ବନ୍ଧା ହୋଇଛି ।’’ ଫିଲୋମେନା ଶାନ୍ତ ଭାବରେ ଆପତ୍ତି ଜଣାଇଲା ।

 

ସିଲ୍‍ଭିୟା କହିଲା, ‘‘ମାଆ, ତୁମେ ତୁମର ଆଖି ମୁଦି ଦେଲେ ବି ଫୁଲର ବାସନା ତ ପାଅ ।’’

 

ଦାନିୟେଲ ପାହାଡ଼ ଉପରେ ଅଙ୍ଗୁର ଖେତରେ କାମ କରି ଦିନଟା କଟାଇଦେଲା । ସନ୍ଧ୍ୟା ବେଳେ ଫେରିଆସି ଲୋକଟିର ଅବସ୍ଥା କିପରି ଅଛି ସେ ଆଉ ଥରେ ଖବର ନେଲା । ସିଲ୍‍ଭିୟା ଜଣାଇଲା, ଲୋକଟି ଖୁବ୍‍ ଦ୍ରୁତ ଆରୋଗ୍ୟ ଲାଭ କରୁଛି । ସେବିକାଟିକୁ ବିଦାୟ କରିଦିଆଯାଇଛି । ଏକ୍ଷଣି ସେ ନିଜେ ତାହାକୁ ଦେଖାଶୁଣା କରୁଛି । ତା’ପରେ କେତେ ଦିନ ଯାଏ ଦାନିୟେଲ ନିତି ଥର ଦି ଥର ତାହାକୁ ଦେଖିବାକୁ ଯାଏ । କିନ୍ତୁ ତାହା କେତେ ମୁହୂର୍ତ୍ତ ଲାଗି । ରୋଗୀଟିକୁ ଦେଖି ଭଦ୍ର ବୋଲି ତାହାର ଧାରଣା ହୋଇଥିଲା । ଦାନିୟେଲର ମଥା ଖେଳାଇବା ଭଳି ବହୁତ ବିଷୟ ଥିଲା । ତେବେ ସିଲ୍‍ଭିୟାର ପରିବର୍ତ୍ତନ ତାହାର ଦୃଷ୍ଟି ଏଡ଼ାଇଲା ନାହିଁ ।

 

ଦିନେ ଦିପହରେ ତାହାର ସ୍ତ୍ରୀ ତାହାକୁ ଅନୁରୋଧ କଲା, ‘‘ଅନ୍ୟ ବିଷୟରେ ଟିକିଏ କମ୍‍ ମନୋଯୋଗ ଦେଇ, ତୁମ ଝିଅ ପ୍ରତି ଟିକିଏ ନଜର ଦିଅ ।’’

 

‘‘ସିଲ୍‍ଭିୟା ତ ଏକ୍ଷଣି ସାନ ପିଲା ନୁହେଁ । ସେ ବେଶ ବୁଦ୍ଧିମତୀ ଝିଅଟିଏ ହୋଇଛି ।’’ ଦାନିୟେଲ ଜଣାଇଲା ।

 

‘‘ବୁଦ୍ଧି ମତୀ ହୋଇଥାଉ, କିନ୍ତୁ ଅନଭିଜ୍ଞ ତ,’’ ସ୍ତ୍ରୀ କହିଲା । କିଛି ଦିନ ହେଲା ଦୁଶ୍ଚିନ୍ତା ବୋଧ କରିବାରୁ ସେ ସ୍ୱାମୀକୁ ଏ କଥା ନ କହି ରହିପାରିଲା ନାହିଁ ।

 

ଦାନିୟେଲ ଟିକିଏ ଚିନ୍ତିତ ହେବାର ଜଣାଗଲା । କିଛିକ୍ଷଣ ପରେ ସେ ପଚାରିଲା,’’ମୋର କଅଣ ତାହା ସାଙ୍ଗରେ ଏ ବିଷୟରେ କଥା ହେବା ତୁମେ ଉଚିତ୍‍ ବୋଲି ମନେ କର ?’’

 

‘‘ହଁ, କୁହ, ବେଶି ଉଛୁର ହୋଇଯିବା ଆଗରୁ କହିଦେବା ଭଲ ।’’

 

ପରଦିନ ଦାନିୟେଲ ବସ୍ତାଏ ମଟର ନେଇ ଭାଲ ଭେରଜାସ୍କାର କୋମାର ଜଣେ ବନ୍ଧୁର ଘରକୁ ଗଲା । ସେ ସିଲ୍‍ଭିୟାକୁ ବି ସାଙ୍ଗରେ ନେଇଗଲା । ସେଠାକାର କାମ ତାହାର ଗୋଟାଏ ଛଳନା ମାତ୍ର । ସେହି କାମଟା ସେଖୁବ୍‍ ଶୀଘ୍ର ସାରିଦେଲା । ସିଲ୍‍ଭିୟା ଅତ୍ୟନ୍ତ ବିମର୍ଷ ଦିଶୁଥିଲା । ଦାନିୟେଲ ବୁଝି ପାରିଲା, ତାହାର କିଛି ଖୋଲା ହାଓ୍ୱା ଦରକାର,ଯଦ୍ୱାରା କିଛି କ୍ଷଣ ସକାଶେ ତାହାର ମନଟା ହାଲୁକା ହୋଇପାରେ ।

 

ଘରକୁ ଫେରିବା ବେଳେ ବାପ ଓ ଝିଅ ନିଃଶବ୍ଦରେ ଗୋରଡୋଲା ଆଡ଼କୁ ଚାଲିବାକୁ ଲାଗିଲେ । ରାସ୍ତାଟା ବାଙ୍କି ବାଙ୍କି ନଦୀଠୁଁ ବହୁତ ଉଚ୍ଚକୁ ଉଠି ଯାଇଛି । ଉପତ୍ୟକା ତଳେ ନଦୀଟି ଫଣା ଟେକି ଚାଲିଛି ।

 

ସିଲ୍‍ଭିୟା ତାହାର ବାପକୁ କହିଲା,’’ଚାଳନା, ନଦୀ କୂଳେ କୂଳେ ଚାଲି ଚାଲି ଯିବା ।’’

 

‘‘ହେଉ, ଚାଲ,ନଦୀ କୂଳେ କୂଳେ ଯିବା ।’’ ସେ ଝିଅର ମନ ରକ୍ଷା କଲା ।

 

ସେମାନେ ସିଡ଼ିଭଳି ସରୁ ଗୋଟିଏ ଛୋଟ ରାସ୍ତାଦେଇ ଚାଲିଲେ । ରାସ୍ତାଟା ବାଙ୍କି ଯାଇଥିଲା । ସେହି ରାସ୍ତାରେ ଆସି ସେମାନେ ନଦୀ କୂଳରେ ପହଞ୍ଚିଲେ । ସେଠାରେ ନଦୀର ପାଣି ପଥରର କାନ୍ଥ ଉପରକୁ ଡେଇଁପଡ଼ି ଫେନାୟିତ ହେଉଥିଲା ।

 

ନିକଟରେ ଗୋଟାଏ ଛୋଟ ଶାନ୍ତ ପରିଷ୍କାର ଜଳାଧାର ସୃଷ୍ଟି ହୋଇଥିଲା । ତାହାର ପାଣି ଏତେ ସ୍ଵଚ୍ଛ ଯେ ତଳେ ପଥରଗୁଡ଼ାକ ଦିଶୁଥିଲା । ବାପ ଓ ଝିଅ ଯଥା ସମ୍ଭବ କମ୍‍ କଥା ହେଉଥିଲେ ।

 

ସିଲ୍‍ଭିୟାର ଏତାଦୃଶ ବ୍ୟବହାରରୁ ଦାନିୟେଲ ବୁଝି ପାରିଲା, ନିଜ ଝିଅର କି ବିରାଟ ପରିବର୍ତ୍ତନ ହୋଇଛି ।

 

‘‘ବାଃ, କି ସୁନ୍ଦର ଗୋଡ଼ି,’’ ପାଣିତଳେ କିଛି ବାଲିଆଡ଼କୁ ଆଙ୍ଗୁଳି ଦେଖାଇ, ସିଲ୍‍ଭିୟା ନିସ୍ତବ୍ଧତାର ଦୂରତ୍ୱ ଘୁଞ୍ଚାଇବାକୁ ଚେଷ୍ଟା କଲା ।

 

‘‘ନାଁରେ,ସେଗୁଡ଼ାକ ଗୋଡ଼ି ନା ମାଛର ଅଣ୍ଡା ।’’ ବାପ ବୁଝାଇଲା ।‘‘ସେପ୍ଟେମ୍ବର ମାସର ଶେଷଆଡ଼କୁ ଟ୍ରାଉଟ୍‍ ମାଛସବୁ ନଦୀର ତଳଭାଗରୁ ଉପରକୁ ପହଁରିଯିବାକୁ ଚେଷ୍ଟା କରନ୍ତି-। ସ୍ତ୍ରୀ ମାଛସବୁ ଅଣ୍ଡା ଦେବାପାଇଁ ସୁରକ୍ଷିତ ଜାଗା ଖୋଜି ବୁଲନ୍ତି । ପ୍ରଥମେ ସେମାନେ ଗୋଡ଼ିଗୁଡ଼ାକୁ ଲାଞ୍ଜରେ ଗୋଟାଏ ପାଖକୁ ଆଡ଼େଇ ଦିଅନ୍ତି । ତାପରେ ସେମାନେ ଅଣ୍ଡା ଦିଅନ୍ତି-। ତା’ପରେ ଅଣ୍ଡାଗୁଡ଼ିକ ଏହିସବୁ ଗୋଡ଼ି ଦେହରେ ଲାଗିଯାଏ ।’’

 

‘‘ଟ୍ରାଉଟ୍‍ ମାଛସବୁ ଏମିତି ଭାବରେ ଜନ୍ମ ହୁଅନ୍ତି ?’’

 

ଦାନିୟେଲ କହିଲା, ‘‘ପରେ ପୁରୁଷ ମାଛସବୁ ଅଣ୍ଡା ଫୁଟାଇବାରେ ସାହାଯ୍ୟ କରନ୍ତି । ସେମାନେ ସ୍ତ୍ରୀ ମାଛ ଗୁଡ଼ିକୁ ଅନୁସରଣ କରି ଗୋଟାଏ ଦୁଧ ଭଳି ମୋଟା ତରଳ ପଦାର୍ଥ ଅଣ୍ଡାଗୁଡ଼ିକ ଉପରେ ଛିଞ୍ଚି ଦିଅନ୍ତି । କେତେ ଦିନ ପରେ ଅଣ୍ଡାସବୁ ଫୁଟିବାକୁ ଲାଗେ ?’’

 

ସିଲ୍‍ଭିୟା ବିସ୍ମୟରେ ଅବାକ ହୋଇ ପାଣି ତଳେ ଗୋଡ଼ିଗୁଡ଼ାକ ଆଡ଼କୁ ଅନାଇ ରହିଲା ।

 

‘‘ବାଃ, କି ସୁନ୍ଦର ମଜା କଥା ।’’ ସେ କହିଲା ।

 

‘‘ଟ୍ରାଉଟ୍‍ ମାଛସବୁ ଆମ ପରି ଗୀର୍ଜାକୁ ଯାଆନ୍ତି ନାହିଁ । ବୁଝିଲୁ ଝିଅ ।’’

 

 

ଘର-ବାହୁଡ଼ା ବେଳେ ସେମାନେ ବାଟରେ ଖାଲି ଏହି କେତେପଦ କଥା କହିଥିଲେ । ଘରକୁ ଫେରିଲା ପରେ,ତାହାର ସ୍ତ୍ରୀ ପଚାରିଲା,’’ତାହା ସାଙ୍ଗରେ ତୁମେ କଥା ହୋଇଛ ?’’

 

‘‘ହଁ ।’’

 

‘‘କାନ ବୁଝିଲ ?’’

 

‘‘କିଛି ନା ।’’

 

ଏଣେ ଇଞ୍ଜିନିୟର ଧୀରେ ଧୀରେ ଆରୋଗ୍ୟ ହେବାକୁ ଲାଗିଲା । ଦିନେ ସେ ଘରୁ ବାହାରି ଆସି, ଫଳ ବଗିଚାରେ ଖଣ୍ଡିଏ ଚଉକିରେ ଆଉଜି ବସିଥିଲା । ଠିକ୍‍ ଏତିକି ବେଳେ କାଟେରିନା ଓ ଦାନିୟେଲ ବାହାରୁ ଆସି ସେଠାରେ ହାଜର ହୋଇଗଲେ । ଇଞ୍ଜିନିୟର ହଠାତ୍‍ ଚିତ୍କାର କରି ସିଲ୍‍ଭିୟାକୁ ଡକା ଛାଡ଼ିଲା,’’ସିଲ୍‍ଭିୟା ! ଏହି ଯେ ସିଲ୍‍ଭିୟା, ଏଣେ ।’’

 

ଇଞ୍ଜିନିୟରର ଗଳାର ସ୍ଵର ଶୁଣି କାଟେରିନା ଚମକି ଠିଆ ହୋଇଗଲା । ତା’ପରେ ଯେଉଁ ବୁଦାଟା ବଗିଚା ଓ ରାସ୍ତାର ମଝିରେ ଥିଲା, ତାହା ପାଖକୁ ଯାଇ ସେ ଇଞ୍ଜିନିୟରକୁ ଭଲ ଭାବରେ ଦେଖିବାକୁ ଲାଗିଲା । ସେତେବେଳେ ମୁଣ୍ଡଠାରୁ ଗୋଡ଼ ଯାଏ ତାହାର ଦେହ ଗୋଟାଏ ପଣେ ଥରୁଥାଏ ।

 

‘‘ଦାନିୟେଲ, ସେହି ଲୋକଟା ଗୋଟାଏ ଗୁପ୍ତଚର । ମୁଁ ଆପଣଙ୍କୁ କହି ଦେଉଛି ।

 

‘‘ତୁମେ ପାଗଳ ହେଲ ନା କଅଣ,’’ ଦାନିୟେଲ କଥାଟା ହସି ଉଡ଼ାଇଦେଲା ।

 

ଆଉଥରେ ଭଲ କରି ଦେଖିବା ଲାଗି କାଟେରିନା ପୁଣି ବୁଦା ପାଖକୁ ଗଲା । ସେଠାରୁ ସେ ଲକ୍ଷ୍ୟ କଲା, ଲୋକଟି ଆହୁରି ଘନିଷ୍ଠ ହୋଇ ସିଲ୍‍ଭିୟା ସାଙ୍ଗରେ ଥଟ୍ଟା-ପରିହାସ କରୁଛି ।

 

ତା’ପରେ ସେ କହିଲା, ‘‘ସେ ନିଶ୍ଚୟ ସେହି ଲୋକ ହେବ । ସେ ମୋତେ ଦେଖିବା ଆଗରୁ, ମୁଁ ପଳାଉଛି ।’’

 

ଦାନିୟେଲ କେମିତିକା ବିବର୍ଣ୍ଣ ହୋଇଯାଇ କହିଲା,‘‘ଠିକ୍‍ ଅଛି । ଅଗଷ୍ଟିନୋକୁ କାଲି ଠିକ୍‍ ଏତିକିବେଳେ ଥରେ ଆସିବାକୁ କହିବ । ସେ ଯେମିତି ତାହାକୁ ଦେଖି ନପାରେ,ସେଥିପାଇଁ ମୁଁ ବ୍ୟବସ୍ଥା କରିବି ।’’

 

କିଛିକ୍ଷଣ ପରେ ସିଲ୍‍ଭିୟା ଆସି ବାପ ସହିତ କଥା ହେବାକୁ ଲାଗିଲା: ‘‘ବାବା,ଆମର ରୋଗୀଟି ଆଗ ଅପେକ୍ଷା କିଛି ଭଲ ହୋଇଗଲାଣି । ଯଦି ତୁମେ ଥରେ ତାହା ସହିତ କଥା ହୁଅ, ଦେଖିବି କି ଚମତ୍କାର ଲୋକ ସେ ।’’

 

‘‘ଆଛା, କେତେ ବେଳେ ତାହା ସାଙ୍ଗରେ ଯାଇ ଟିକିଏ କଥା ହେବି ।’’ ଦାନିୟେଲ ନିଜର ମନୋଭାବ ଲୁଚାଇ ରଖିଲା । ‘‘ଆଜି ଦିପହରେ ସମସ୍ତେ ଏକାଠି ଖାଇ ବସିଲା ବେଳେ ହେଲେ ବି ଚଳିବ ।’’ ଦିପହରେ ଭୋଜନ ବେଳେ ଅବସ୍ଥା ଅଧିକ ଖରାପ ହୋଇଗଲା । ସେ ଖାଇବାକୁ ଯାଇ ଦେଖିଲା,ଲୋକଟି ଦୁଇ ଝିଅଙ୍କ ମଝିରେ ବସିଛି । ସେ ଏହା ଆଦୌ ସହିପାରିଲା ନାହିଁ । ମୁଣ୍ଡ ବଥାଉଛି ବୋଲି ବାହାନା କରି ସେ ବାହାରକୁ ଚାଲି ଆସିଲା ।

 

କିଛିକ୍ଷଣ ପରେ ସମସ୍ତେ ପୁଣି ଅଙ୍ଗୁର ଖେତକୁ ଆସିଲେ । ଇଞ୍ଜିନିୟର ଦାନିୟେଲକୁ ପଚାରିଲା, ‘‘ଆଜିର ଖବର କଅଣ ? ପ୍ରାୟ ସପ୍ତାହେ ହେଲା କାଗଜ ମୋ ଆଖିରେ ପଡ଼ି ନାହିଁ ।’’

 

ଦାନିୟେଲ ଜବାବ ଦେଲା, ‘‘ନିତି କିଛି ନା କିଛି ଦୁର୍ଘଟଣା ତ ଲାଗି ରହିଛି । ଗଲାକାଲି ଫ୍ରାନ୍ସରେ ଗୋଟାଏ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ପ୍ରାୟ ଶହେ ଖଣ୍ଡେ ଲୋକ ନିହତ ହୋଇଛନ୍ତି ।’’

 

‘‘ଯାହା କହୁଛନ୍ତି ଖାଣ୍ଟି ସତ, କିଛି ନା କିଛି ଦୁର୍ଘଟଣା ନୀତି ଘଟିବ ।’’ ଦାନିୟେଲର କଥାକୁ ଇଞ୍ଜିନିୟର ସମର୍ଥନ କରି କହିଲା ।’’ କିନ୍ତୁ ମଣିଷ ଯେମିତି ଭାବରେ ଅଦୃଷ୍ଟର ଫଳ ଭୋଗ କରେ, ତାହା ନିତାନ୍ତ ମର୍ମାନ୍ତକ । ଏହି ଦେଖନ୍ତୁ, କାଲିର ଦୁର୍ଘଟଣାରେ ଯେଉଁ ଶହ ଶହ ଲୋକ ମଲେ, ସେମାନଙ୍କ କଥା । ସେମାନଙ୍କର ଭିତରେ ଛାତ୍ର, କୃଷକ, ପର୍ଯ୍ୟଟକ, ଅଫିସର, ଡାକ୍ତର, କୋଟିପତି, ଅଭିନଜ୍ଞ–ସମସ୍ତେ ଥିଲେ । ସେମାନେ ସମସ୍ତେ ଗୋଟିଏ ଗାଡ଼ିରେ ଥିଲେ ସତ । ତଥାପି କୁହାଯାଇପାରେ, ସେମାନେ ଗୋଟିଏ ଗାଡ଼ିରେ ନ ଥିଲେ । କୃଷକ ମାନେ ବଜାର ଦର ବିଷୟରେ ଭାବୁଥିଲେ, ଆଇନଜ୍ଞମାନେ ଅଦାଲତରେ ଜେରା କଥା ଭାବୁଥିଲେ, ଧନୀମାନେ କନ୍ୟାର ସନ୍ଧାନ କଳ୍ପନା କରୁଥିଲେ, ଆଉ ଅଫିସର ମାନେ ଶ୍ରାମର ପ୍ରଧାନଙ୍କ ସାଙ୍ଗରେ ଏବଂ ଡାକ୍ତର ମାନେ ନିଜ ମନେ ମନେ ଝଗଡ଼ା କରୁଥିଲେ । ଛାତ୍ରମାନେ ଏବେ କିଣା ଯାଇଥିବା ନୂଆ ଟାଇ ସମ୍ବନ୍ଧରେ ଦିବା ସ୍ଵପ୍ନ ଦେଖୁଥିଲେ । ଠିକ୍‍ ଏହିପରି ଭାବରେ ସେମାନେ ନିଜ ନିଜର ଗାଡ଼ିରେ ଭ୍ରମଣ କରୁଥିଲେ । ତେଣୁ କୁହାଯାଏ, ପ୍ରତ୍ୟେକ ମଣିଷ ନିଜର ଗାଡ଼ିରେ ଭ୍ରମଣ କରେ । ତାପରେ ହଠାତ୍‍ ସେମାନଙ୍କୁ ସମସ୍ତଙ୍କୁ ଗୋଟିଏ ଗାଡ଼ିକୁ ଉଠାଇ ନିଆଯାଏ-ସେହି ଗାଡ଼ି ହେଉଛି ମୃତ୍ୟୁର ଗାଡ଼ି-ଛାତ୍ରମାନଙ୍କର ଟାଇ କୃଷକମାନଙ୍କର ଜୋତା ତଳେ ରହିଯାଏ, ଅଫିସରମାନଙ୍କର ତଲାବାରୀ ପର୍ଯ୍ୟଟକମାନଙ୍କର ବକ୍ଷ୍ୟଭେଦୀ ଚାଲିଯାଏ, ଆଉ କୋଟିପତିର ମଡେଲ ଧୂଆଁ ଓ ନିଆଁର ଶିଖାରେ ଅଦୃଶ୍ୟ ହୋଇଯାଏ । କିନ୍ତୁ ସମସ୍ତେ ନିଜର ଅଜଣାତରେ ଗୋଟିଏ ଗାଡ଼ିରେ ଯାଉଥିଲେ ।

 

ଦାନିୟେଲ କହିଲା ‘‘ଆଗରୁ ସେମାନଙ୍କର ନିଜ ନିଜର ଶବ ପଶମ କୋଟ ଭିତରେ ସଜ ହୋଇ ରହିଥିଲା, ଏହା କହିବାକୁ ଚାହଁ ତ ?’’

 

‘‘ମଣିଷର ଯେଉଁ ସ୍ଵଭାବ, ଭାଗ୍ୟ ଓ ସମାଜ ତାହାକୁ ତିଆରି କରେ, ତାହା ହିତରେ ଗୋଟାଏ ଅତଳସ୍ପର୍ଶୀ ଗଭୀରତା ରହିଛି ।’’ ଆହତ ଲୋକଟି ଜବାବ ଦେଲା ।’’ ଯେତେବେଳେ ମୁଁ ମରଣ ସହିତ ଯୁଦ୍ଧ କରୁଥିଲି, ସେତେବେଳେ ବାରମ୍ବାର ଏହି ଚିନ୍ତା ଅଭିଭୂତ କରୁଥିଲା । ଆମେ ପ୍ରତ୍ୟେକେ ବିଶେଷ ରେଳଗାଡ଼ିରେ ଭ୍ରମଣ କରୁଁ । ତଥାପି ଆମେ ସମସ୍ତେ ଗୋଟାଏ ରେଳପଥରେ ଛାଲିଛୁ ।’’

 

‘‘ଆଜିର ସମାଜ ସମ୍ପୂର୍ଣ୍ଣ ପାର୍ଥକ୍ୟ ଉପରେ ଏବଂ ମଣିଷ ହିତ ମଣିଷର ଶତ୍ରୁତା ଉପରେ ପ୍ରତିଷ୍ଠିତ ।’’ ଡାନିୟେଲ କହିଲା, ‘‘ମଣିଷର ବେଶି ଭାଗ ନିଜର ପରିଶ୍ରମର ଫଳରୁ ବଞ୍ଚିତ । ସେମାନଙ୍କର ଶ୍ରମଦ୍ୱାରା ଉତ୍ପନ୍ନ ଦ୍ରବ୍ୟ କ୍ଵଚିତ୍‍ ସେମାନଙ୍କର ହାତରେ ଥାଏ । ସେସବୁ ଚାଲିଯାଏ ସେମାନଙ୍କ ଶତ୍ରୁର ହାତକୁ । ଉତ୍ପନ୍ନ ଦ୍ରବ୍ୟ ହେଉଛି ଉତ୍ପାଦକର ଶତ୍ରୁ । ନିର୍ଜୀବ ବସ୍ତୁ ସବୁ ମଣିଷ ସମକ୍ଷରେ ଦେବତା ପରି ଠିଆହୋଇଛି, ଆଉ ତାହା ଆଗରେ ମଣିଷ ମଥାନତ କରିବାକୁ ବାଧ୍ୟ ହେଉଛି ।

 

ସବୁ ସମୟରେ କାଁ ଏହିପରି ହେବ ?’’ ସିଲ୍‍ଭିୟା ପଚାରିଲା ।

 

ଆହତ ଲୋକଟି ଜବାବ ଦେଲା,’’ ଯେତେବେଳେ ମୋତେ ଅଳ୍ପ ବୟସ ହୋଇଥିଲା, ମୁଁ ବି ଆମ ସମାଜ ଠାରୁ ଏକ ପୃଥକ ରକମର ସମାଜ ପାଇବାକୁ ଆଶା କରୁଥିଲି ।’’

 

ଦାନିୟେଲ ଉଠିପଡ଼ି ନିଜର ଅଙ୍ଗୁର ଖେତ ଆଡ଼କୁ ଚାଲିଗଲା । ବସନ୍ତ ନିକଟଇ ଆସୁଥିଲା । ତାହାର ବହୁତ କିଛି କରିବାକୁ ଥିଲା । ସେ ରାଗରେ କୋଦାଳରେ ମାଟି ତାଡ଼ୁଥିଲା । ଡାହାଣ ପାଦରେ ଶରୀରର ସବୁ ଭାର ସେହି ମାଟି ଉପରେ ରଖି ସେ ଠିଆ ହୁଏ ଏବଂ ତା’ପରେ ଲମ୍ବା ହାତିଆ କୋଦାଳରେ ମାଟି ଟେଳାସବୁ ଉଠାଇ ଗୋଟାଏ ପାଖକୁ ପକାଇଦିଏ । ଫିଲେମେନା ଆସି ତାହା ପଛରେ ବସି ମାଟି ସମାନ କରୁଥିଲା । ମଝିରେ ମଝିରେ ଫଳ ବଗିଚାରୁ ଓଦା ମାଟିର ସୁଗନ୍ଧ ପବନରେ ଭାସି ଆସୁଥିଲା ।

 

ସନ୍ଧ୍ୟାବେଳେ ମନଟେ ସେନେରି ଉପରେ ପ୍ରଥମ ତାରା ଉଭା ନହେଲା ପର୍ଯ୍ୟନ୍ତ ଦାନିୟେଲର ଦୁଃସହ୍ୟ ଯନ୍ତ୍ରଣା କାତରେ ବ୍ୟଥିତ ମୁଖ ଉପରେ ଘାସର ବଡ଼ ବଡ଼ ଛିଟା ଦେଖାଯାଉଥିଲା । ସେତେବେଳେ ଯାଏ ଆହତ ଲୋକଟି ବଗିଚାରେ ଶୋଇ ରହିଥିଲା ।

 

‘‘କେତେ ବର୍ଷ ହେଲା ମୁଁ ଆକାଶ ଆଡ଼କୁ ଅନାଇ ନାହିଁ,’’ ଚାରିପଟେ ପରିବାରର ଲୋକେ ବସିଥିଲେ ସେମାନଙ୍କୁ ଲକ୍ଷ୍ୟ କରି ଇଞ୍ଜିନିୟର ଶାନ୍ତ ଭାବରେ କହିଲା । ସିଲ୍‍ଭିୟା ଉଠିଯାଇ ଖଣ୍ଡିଏ ବହି ନେଇ ଫେରି ଆସିଲା ।

 

‘‘ଆପଣ ଟଲଷ୍ଟୟଙ୍କର ଯୁଦ୍ଧ ଓ ଶାନ୍ତି’’ର ପ୍ରଥମ ଖଣ୍ଡର ଗୋଟାଏ ଘଟଣା ମୋର ମନେ ପକାଇଦେଇଛନ୍ତି ।’’ ସିଲ୍‍ଭିୟା କହିଲା–ରୁଷୀୟ ଓ ଫରାସୀମାନଙ୍କ ମଧ୍ୟରେ ୧୮୦୫ ସାଲର ନଭେମ୍ବର ମାସର ଗୋଟାଏ ଯୁଦ୍ଧରେ ରାଜକୁମାର ଆନ୍ଦେଇ ଆହତ ହୋଇଥିଲେ । ଟଲଷ୍ଟୟ ତାହାଙ୍କ ସମ୍ବନ୍ଧରେ ଏହିପରି ଭାବରେ ବର୍ଣ୍ଣନା କହିଛନ୍ତି:

 

‘‘ଦୁଇଜଣ ଫରାସୀଙ୍କ ସହିତ ଗୋଲନ୍ଦାଜ ସୈନିକର ଯୁଦ୍ଧର ଫଳ ଜାଣିବା ପାଇଁ ଆଶାକରି ଏବଂ ଲୋହିତ କେଶ ଗୋଲନ୍ଦାଜ ସୈନିକଟି ନିହତ ହୋଇଛି କି ନା ତାହା ଜାଣିବା ପାଇଁ, ତା’ପରେ ସେ ପୁଣି ତାଙ୍କର ଚକ୍ଷୁ ଖୋଲିଲେ । ସେ ଆହୁରି ଜାଣିବାକୁ ଚାହିଁଥିଲେ ଯେ ବନ୍ଧୁକଗୁଡ଼ିକ ଦାଖଲ କରାହୋଇଛି କି କିମ୍ବା ସେଗୁଡ଼ିକ ନିରାପଦରେ ରହିଛି । କିନ୍ତୁ ମୁଣ୍ଡ ଉପରେ ବହୁତ ଉଚ୍ଚରେ ଆକାଶ ଛଡ଼ା ଆଉ କିଛି ସେ ଦେଖିପାରିଲେ ନାହିଁ । ସେତବେଳେ ଆକାଶ ସେତେ ପରିଷ୍କାର ନଥିଲା । ତଥାପି ତାହା ଅପରିମିତ ଉଚ୍ଚ ବୋଲି ତାହାକୁ ଜଣାଗଲା । ଧୂସର ମେଘ ତାହା ଉପରେ ଧୀରେ ଧୀରେ ଭାସି ଯାଉଥିଲା । ଏହା ଗୋଟାଏ ଶାନ୍ତ ସ୍ଥିର ଓ ମହାନ ଦୃଶ୍ୟ । ରାଜକୁମାର ଆନ୍ଦ୍ରେଇ ମନେ ମନେ କହିଲେ । ଆମର ଚିତ୍କାର ହଟ୍ଟଗୋଳ ଓ ଯୁଦ୍ଧଠାରୁ ଏହା ଢେର ତଫାତ୍‍ । ଶୋଷକ ସମ୍ପ୍ରଦାୟର ଲାଳସା ହେତୁ ଫରାସୀ ଓ ଗୋଲନ୍ଦାଜ ସୈନ୍ୟଙ୍କର ଏହି ଉନ୍ନତ୍ତ ଓ ଉତ୍ତେଜନାପୂର୍ଣ୍ଣ ଯୁଦ୍ଧ । କିନ୍ତୁ ସେହି ଯୁଦ୍ଧ ସହିତ ଏହି ଉଚ୍ଚ ଓ ଅସୀମ ଆକାଶ ଭିତରେ ଶାନ୍ତ ମେଘର ଯାତ୍ରାର କୌଣସି ସମ୍ବନ୍ଧ ନାହିଁ । କିପରି ଏହା ସମ୍ଭବ ହେଲା ? ମୁଁ ଆକାଶ ଆଡ଼କୁ ଅନାଇ ନାହିଁ । ମୁଁ ଭାଗ୍ୟବାନ । ଶେଷରେ ଏକ୍ଷଣି ମୁଁ ଏହା ଆଡ଼କୁ ଅନାଇଲି ।

 

ଆକାଶର ଅସୀମତା ଛାଡ଼ ସବୁ ବୃଥା, ସବୁ ଶୁନ୍ୟ, ସବୁ ମାୟା । ଏହା ଛଡ଼ା କିଛି ନାହିଁ, କିଛି ନ ଥାଏ । କିନ୍ତୁ ଆକାଶ ମଧ୍ୟ ଅସ୍ତିତ୍ୱ ବିହୀନ । ଶାନ୍ତ ଓ ନିସ୍ତବ୍ଧତା ଛଡ଼ା କିଛି ନାହିଁ । ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ।’’

 

ଆକାଶରେ ଧୀରେ ଧୀରେ ଜହ୍ନ ଉଠିଲା । ମାଗାଡ଼ିନୋର ଉପତ୍ୟକା ଆଲୋକରେ ପ୍ଲାବିତ ହୋଇଗଲା ।

 

‘‘ଆମରି ପରି ଜହ୍ନର ବି ଆଖି ଓ ନାକ ଆଛି’’ ଲୁଇସା କହି ପକାଇଲା ।

 

‘‘ଧେତ, ସେଗୁଡ଼ାକ ପାହାଡ଼ ଆଉ ସମୁଦ୍ର ।’’ ସିଲ୍‍ଭିୟା ସାନ ଭଉଣୀକୁ ବୁଝାଇଲା ।

 

‘‘ଯଦି ଚନ୍ଦ୍ରଲୋକର ମଣିଷମାନେ ଏକ୍ଷଣି ପୃଥିବୀ ଆଡ଼କୁ ଅଣାଇଥିବେ, ତାହାହେଲେ ନିଃସନ୍ଦେହରେ ସେମାନଙ୍କୁ ବି ଏଟା ଏକା ଭଳି ମାଲୁମ ହେଉଥିବ ।’’ ଇଞ୍ଜିନିୟର କହିଲା ।’’ ପୃଥିବୀର ବଡ଼ ବଡ଼ ସହରଗୁଡ଼ାକ ଉପରୁ କେମିତିକା ଦିଶେ ? ଉପରୁ ନିଶ୍ଚୟ ଇଟାଲୀ ଗୋଟାଏ କମା ଚିହ୍ନ ପରି, ଆଉ ସୁଇଜରଲାଣ୍ଡ ପୂର୍ଣ୍ଣଛେଦ ପରି ଦିଶୁଥିବ ।

 

ଲୁଇସା ପଚାରିଲା,’’ ଉପରୁ ମୁସୋଲିନୀଙ୍କୁ ଦେଖାଯାଉଥିବ ?’’

 

‘‘ଆଉ ମୋର୍ଚ୍ଚାକୁ ?’’ ଦାନିୟେଲ ପଚାରିଲା । ସମସ୍ତେ ଏକା ସାଙ୍ଗରେ ହସିଦେଲେ ।

 

ପରଦିନ ଅଗଷ୍ଟିନୋକୁ ଆସୁଥିବାର ଦେଖି ଦାନିୟେଲ ତାହାଆଡ଼କୁ ଆଗେଇଗଲା । ବିପରୀତ ଦିଗରେ ଗୋଟାଏ ଦୁଆର ବାଟେ ସେ ତାହାକୁ ଘର ଭିତରକୁ ନେଇଗଲା । ସେତେବେଳେ ଇଞ୍ଜିନିୟର ଫଳ ବଗିଚାରେ ଖରାରେ ଶୋଇଥିଲା । ସେମାନେ ଦୁହେଁ ଲୁଇସାର ଘରକୁ ଯାଇ ଗୋଟାଏ ପରଦାର ଅନ୍ତରାଳରୁ ଗୁପ୍ତଚରଟିକୁ ଦେଖିବାକୁ ଲାଗିଲେ, ଯଦ୍ୱାରା ସେ ସେମାନଙ୍କୁ ଦେଖିନପାରେ ।

 

‘‘ଆରେ ଠିକ୍‍ ସେହି ମଣିଷଟା ତ ?’’ ଅଗଷ୍ଟିନୋ ଫୁସ୍‍ଫୁସ୍‍ କରି କହିଲା ।’’ ଏଥର ପୁଅକୁ ଆଉ ନ ଛାଡେ ।’’ ସେ ତାହାର ହାତରେ ହାତ ଘସିବାକୁ ଲାଗିଲା ।

 

‘‘ତୁମେ ନିଶ୍ଚୟ ଥଟ୍ଟା କରୁଛ ।”

 

ଦାନିୟେଲର କଥାର ଧରଣ ଦେଖି ଅଗଷ୍ଟିନୋକୂ ଅବାକ ହୋଇଗଲା । ସେ କହିଲା, ‘‘ଯେତେବେଳେ ଶିଆଳଟା ଫାସରେ ଆସି ପଡ଼ିଛି, ତୁମେ କଅଣ ତାହାକୁ ବାହାରିଯିବାକୁ ଦେବାକୁ ଚାହଁ ? ଯେତେବେଳେ ଆମ ଇଟାଲୀୟ କାମେରାଡ଼ଙ୍କ ହତ୍ୟାକାରୀ ଭିତରୁ ଜଣକୁ ବିନା ଚେଷ୍ଟାରେ ଏଠାରେ ହାତମୁଠାରେ ପାଇଛି ସେତେବେଳେ ତୁମେ କଅଣ ମନେକର ଯେ ମୁଁ ତାହାକୁ ଛାଡ଼ିଦେବି ?’’ ଅଗଷ୍ଟିନୋର କଣ୍ଠସ୍ଵରରେ କ୍ରୋଧର ଭାବ ପ୍ରକଟିତ ହେଲା ।

 

‘‘ସେ ଆଜି ମୋର ଅତିଥି ।’’

 

‘‘ମନେରଖ, ସେ ଜଣେ ଗୁପ୍ତଚର ।’’ ଅଗଷ୍ଟିନୋ କହିଲା ।

 

‘‘ତାହା ହେଉ ପଛକେ, ଏକ୍ଷଣି ସେ ମୋର ଅତିଥି ।’’ ଦାନିୟେଲ୍‍ ଏକା ଉତ୍ତର ଦେବାକୁ ଲାଗିଲା ।’’ ‘‘ମୁମୂର୍ଷୁ ଅବସ୍ଥାରେ ସେ ମୋତେ ମୋର ଅତିଥି ହୋଇଥିଲା । ମୋରି ଘରେ ସେ ଆରୋଗ୍ୟ ହୋଇଛି ।’’

 

ନିଜ କାନରେ ଶୁଣାକଥାଗୁଡ଼ାକ ଅଗଷ୍ଟିନୋକୁ କିପରି ଅବିଶ୍ଵାସ ବୋଇଲି ମନେ ହେଉଥିଲା । ସେ କହିଲା,’’ କିନ୍ତୁ ତୁମେ କାହିଁକି ଏହି ରକମ୍‍ ସଙ୍କୋଚ କରୁଛ ? ତୁମେ ଭଲଭାବରେ ଜାଣ ଫ୍ୟାସୀମାନେ କିପରି ଭାବରେ ଆମ ସହିତ ଯୁଦ୍ଧ କରନ୍ତି । କାହିଁ ସେମାନେ ତ କେବେ କୌଣସି ନୈତିକ ସଙ୍କୋଚର ଧାର ଧାରନ୍ତି ନାହିଁ ?’’

 

ଦାନିୟେଲ ଜବାବ ଦେଲା,’’ ମୁଁ ତାହା ଜାଣେ । ସେଥିପାଇଁ ମୁଁ ଫ୍ୟାସୀ ନୁହେଁ ।’’

 

‘‘ଆମର ଏମିତିକା ନୈତିକ ସଂକୋଚ ଯୋଗୁଁ ଆମେ ହାରିଯାଇଛୁଁ ।’’ ଅଗଷ୍ଟିନୋକୁ ବିରକ୍ତାରେ କହିଲା ।

 

‘‘ଏଇଥି ପାଇଁ ତ ଆମେ ଜିଣିବା ।’’ ଦାନିୟେଲ କହିଲା ।

 

ଏହି ଧରଣର ଏକଗୁୟାଁମୀ ବିରୁଦ୍ଧରେ ଚୁପ ରହିବା ବରଂ ଭଲ ବୋଲି ମନେ କରି ଅଗଷ୍ଟିନୋ ଚୁପ ହେଲା । ସେ ଖାଲି ମୁଣ୍ଡ ହଲାଇବାକୁ ଲାଗିଲା । କିଛିକ୍ଷଣ ପରେ ସେ ପଚାରିଲା,’’ ଲୋକଟା ଆଉ କେତେ ଦିନ ଏଠି ରହିବ ?’’

 

‘‘ହୁଏତ ଆଉ ଗୋଟାଏ ସପ୍ତାହ । ଏକ୍ଷଣି ସେ ଭୀଷଣ ଦୁର୍ବଳ ।’’

 

‘‘ଛାଡ଼, ସେ ପଳାଇବା ଆଗରୁ ଆଉଥରେ ଏହି ବିଷୟରେ ଆମେ କଥା ହେବା ।

 

ଦାନିୟେଲ ସ୍ଥିର କଲା, ଏ ବିଷୟରେ ଘରେ କାହାକୁ କିଛି କହିବି ନାହିଁ । ସେମାନଙ୍କୁ ଉଦ୍‍-ବେଗ କି କିଛି ଫଳ ନାହିଁ । ଅତିଥିଟି ଯେମିତି କିଛି ବୁଝି ନପାରେ, ସେଥିପାଇଁ ସେ ହୋସିଆର ହୋଇଗଲା ।

 

କିଛିଦିନ ତଳେ ତାହାର ଶାଳୀର ଗୋଟିଏ ପୁଅ ହୋଇଥିଲା । ଦାନିୟେଲ ତାହାର ସ୍ତ୍ରୀ ଓ ଝିଅକୁ ସିଲ୍‍ଭିୟାକୁ ନେଇ ତାହାକୁ ଦେଖିବାକୁ ଯିବ ବୋଲି ସ୍ଥିର କଲା । ଆହତ ଲୋକଟିକୁ ଦେଖାଶୁଣା କରିବା ପାଇଁ ସେମାନେ ଲୁଇସାକୁ ଘରେ ରଖିଦେଇ ଗଲେ ।

 

‘‘ଆପଣ ତ ଏଠି କେତେ ସପ୍ତାହ ହେଲା ଅଛନ୍ତି । କିନ୍ତୁ ଏଯାଏ ଆପଣ ଆମର ବାଡ଼ିଘର ବୁଲି ଦେଖି ନାହାନ୍ତି ।’’ ସମସ୍ତେ ଚାଲିଯିବା ପରେ ଲୁଇସା ଇଞ୍ଜିନିୟରକୁ କହିଲା ।

 

‘‘ଦିନ ରାତି ତ ବିଛଣାରେ ପଡ଼ି ପଡ଼ି କଟାଇଲି । ଆଉ ଦେଖିବି କେତେବେଳେ ?’’

 

ତା’ପରେ ଲୁଇସା ତାହାକୁ ସବୁ ଦେଖାଇବାକୁ ଲାଗିଲା । ଯେଉଁଠି ଆଳୁ, ପିଆଜ, ଫଳ ଓ ବଗିଚାର ଯନ୍ତ୍ରପାତି ସବୁ ରହିଛି ସେହି ଭଣ୍ଡାରଘରଠାରୁ ଆରମ୍ଭ କରି, ନିଜର ଶୋଇବାଘର ପର୍ଯ୍ୟନ୍ତ ସେ ତାହାକୁ ନ ଦେଖାଇ ଛାଡ଼ିଲା ନାହିଁ । କାନ୍ଥରେ ଲାଲ କାଗଜରେ ବନ୍ଧା ଗୋଟାଏ ଛବି ଉପରେ ହଠାତ୍‍ ଇଞ୍ଜିନିୟରର ଦୃଷ୍ଟି ପଡ଼ିଲା ।

‘‘ସେ କିଏ ?

‘‘ମେଁଟ୍ଟେଓଟି ।’’

ଇଞ୍ଜିନିୟର ଚଉକିରେ ବସି ପଡ଼ିଲା । ତା’ପରେ ସେ ପାହାରିଲା’’ ମେଁଟ୍ଟେଓଟି କିଏ ?’’

‘‘ସେ ଗରିବମାନଙ୍କ ପାଇଁ ଠିଆ ହୋଇଥିଲେ । ସେଥିପାଇଁ ମୁସୋଲିନୀ ତାହାଙ୍କୁ ହତ୍ୟା କରିଛନ୍ତି ।’’

‘‘ତୁମେ କଅଣ ଫ୍ୟାସୀ ବିରୋଧୀ ?’’

‘‘ନିଶ୍ଚୟ ।’’

‘‘ସିଲ୍‍ଭିୟା କଅଣ ସେୟା ?’’

‘‘ସେ ମୋଠାରୁ ବେଶି ।’’

‘‘ଆଉ ତୁମର ବାପା ?’’

 

‘‘ସେ ଆମ ସମସ୍ତଙ୍କଠାରୁ ବେଶି । ସେ ଏହି ବିଷୟରେ କିଛି କଥା କହନ୍ତି ନାହିଁ, ଖାଲି କାମ କରିଯାଆନ୍ତି ।

 

ତା’ପରେ ଲୁଇସା ତାହାକୁ ତେତାଲାକୁ ନେଇଗଲା ।

 

‘‘ଏଇଟା ହେଉଛି ମୋର ବାବାଙ୍କର ଘର ।’’

 

‘‘ସେଟା କାହାର ଘର ?’’

 

‘‘ସେଟା ବି ବାବାଙ୍କର । ସେଠାକୁ କେହି ଯାନ୍ତି ନାହିଁ । ବାବା ମନା କରିଛନ୍ତି । ସେଠି ଢେର କାଗଜପତ୍ର ଅଛି କି ନା, ସେଇଥି ପାଇଁ । ସେ ଚାହାନ୍ତି ନାହିଁ, କେହି ସେଠାକୁ ଯାଇ କାଗଜ ପାତ୍ରସବୁ ଘଣ୍ଟାଘଣ୍ଟି କରୁ ।’’

 

ଲୁଇସା ଓ ଇଞ୍ଜିନିୟର ବଗିଚାକୁ ଫେରି ଆସିଲେ ।

 

ଇଞ୍ଜିନିୟର ବଗିଚାରେ ଏଣେତେଣେ ବୁଲାବୁଲି କରି ଅଧଘଣ୍ଟାଏ କଟାଇଦେଲା । ତା’ପରେ ସେ ମନ ସ୍ଥିର କରି ଲୁଇସା ପାଖକୁ ଯାଇ କହିଲା–‘‘ଲୁଇସା, ତୁମେ ମୋର ଗୋଟାଏ ତା’ର ପଠାଇଦେବ ?’’

 

ଲୁଇସା ମୁଣ୍ଡ ହଲାଇ ସମ୍ମତି ଜଣାଇଲା । ଇଞ୍ଜିନିୟର ତାହାକୁ ତା’ର-ବାର୍ତ୍ତା ଓ ଟଙ୍କା ଦେଇ କହିଲା,’’ ମୁଁ ଭାରି କ୍ଳାନ୍ତି ବୋଧ କରୁଛି । ଶୋଇବାକୁ ଯାଉଛି ।’’

 

ପରଦିନ ସିଲ୍‍ଭିୟା ପ୍ରାତଃ-ଭୋଜନ ଧରି ଇଞ୍ଜିନିୟରର ଘରେ ହାଜର ହେଲା । ଢେର ଡକା ଡକି କଲେ ସୁଦ୍ଧା ସେ ଇଞ୍ଜିନିୟରଠାରୁ କୌଣସି ଜବାବ ପାଇଲା ନାହିଁ । ଦୁଆର ଭିତରୁ କିଳା ହୋଇଥିଲା । ନିଶ୍ଚୟ କିଛି ଘଟିଛି ବୋଲି ମନେ କରି ସେ ଚିତ୍କାର କରିବାକୁ ଲାଗିଲା । ତାହାର ପାଟି ଶୁଣି ଘରର ସମସ୍ତେ ଧାଇଁ ଆସିଲେ । ଡାନିୟେଲ କବାଟରେ କେତେଥର ଧକ୍କା ମାରିଲା । ତା’ପରେ ଜୋରରେ ଧକ୍କା ଦେଇ ଦୁଆର ଭାଙ୍ଗି ସେ ଭିତରକୁ ପଶିଗଲା । ଘରଟା ଶୂନ-। କାଲି ରାତିରେ ବିଛଣାରେ କେହି ଶୋଇଥିବାର ଜଣାଗଲା ନାହିଁ । ଇଞ୍ଜିନିୟରର ଜିନିଷପତ୍ରସବୁ ଅଦୃଶ୍ୟ ହୋଇ ଯାଇଥିଲା ।

 

‘‘ଏଁ, ଚାଲି ଯାଇଛି’’ ସିଲ୍‍ଭିୟା ଚିତ୍କାର କଲା ।

 

‘‘ବିଦାୟ ନ ନେଇ ଚାଲିଗଲା,’’ ଲୁଇସା କହିଲା ।

 

ତହୁଁ ଦାନିୟେଲ ଦୁଇକୁଦାରେ ଯାଇ ତେତାଲାରେ ହାଜର ହେଲା । ତା’ପରେ ତଳୁ ସମସ୍ତେ ଶୁଣିଲେ, ସେଠାରେ ସେ ରାଗରେ ପାଗଳଙ୍କ ପରି ଚିତ୍କାର କରି ବକୁଛି, ‘‘ଚୋର ! ଶଇତାନ ! ବିଶ୍ଵାତଘାତକ ! ମୋର ସବୁ କାଗଜପତ୍ର ନେଇ ପଲାଇଛି । ଏକ୍ଷଣି ମୁଁ କଅଣ କରିବି-!’’

 

ତତ୍‍କ୍ଷଣାତ୍‍ ସମସ୍ତେ ଉପରକୁ ଚାଲି ଆସିଲେ । ସେମାନେ ତେତାଲାର ଘରେ ପଶି ଦେଖିଲେ, ଘରଟା ବିଶୃଙ୍ଖଳ ହୋଇଛି । ଦରଜାଗୁଡ଼ାକ ତଳେ ଖାଲିହୋଇ ପଡ଼ି ରହିଛି ।

 

ଏତିକିବେଳେ ଅଗଷ୍ଟିନୋ ଆସି ପହଞ୍ଚିଗଲା । ସେ ଏ ବିଷୟ କିଛି ଜାଣି ନଥିଲା । ସବୁ ଶୁଣି ସେ ବିମର୍ଷ ଓ ଉତ୍ତେଜିତ ହୋଇ ପଡ଼ିଲା ।

 

‘‘ଗୁପ୍ତଚରଟା କାଲି ରାତିରେ ଖସି ପଲାଇଛି । ମୋର ଅଧିକାଂଶ କାଗଜପତ୍ର ସେ ନେଇ ଯାଇଛି । ସୀମାନ୍ତର ଯାତାୟାତ ସମ୍ପର୍କୀୟ କାଗଜଗୁଡ଼ାକ ତାହା ଭିତରେ ଥିଲା । ଯେଉଁମାନେ ଏଥି ସହିତ ଜଡ଼ିତ ଅଛନ୍ତି, ଏକ୍ଷଣି ସେମାନଙ୍କୁ ତାଗିଦ କରିଦେବା ଦରକାର । ଆଉ ମୁହୂର୍ତ୍ତେ ସମୟ ନଷ୍ଟ କରିବା ଉଚିତ୍‍ ନୁହେଁ ।’’

 

ଅଗଷ୍ଟିନୋ କହିଲା,’’ ଆଜି ବଡ଼ି ସକାଳୁ ସକାଳୁ ଲୁଇନୋରେ କୋଡ଼ିଏ ଜଣ କର୍ମୀ ଧରାପଡ଼ିଛନ୍ତି । ଏମାନେ ଦିନବେଳେ ସୁଇଜରଲାଣ୍ଡକୁ କାମ କରିବାକୁ ଆସନ୍ତି, ଆଉ ରାତିରେ ଇତାଲୀକୁ ଫେରି ଯାଆନ୍ତି ।’’

 

ସିଲ୍‍ଭିୟା ଲୁହ ଛଳ ଛଳ ଆଖିରେ ତାହାର ବାପା ଆଡ଼କୁ ଅନାଇଲା । ଅଗଷ୍ଟିନୋ ବିସ୍ମିତ ଓ ବିହ୍ଵଳ ହୋଇଯାଇଥିଲା । ଏକ୍ଷଣି ଯେମିତି ଗୋଟାଏ ଅଭିନୟ ହୋଇଗଲା ।

 

ସିଲ୍‍ଭିୟା ହଠାତ୍‍ କାନ୍ଦି ପକାଇଲା ।’’ ନା, ନା ନା ଏଟା ସତ ନୁହେଁ । ଭଗବାନଙ୍କ ରାଣ ଅଗଷ୍ଟିନୋ, ମୋତେ କୁହ ଏଟା ସତ ନା, ସବୁ ଠିକ୍‍ ଅଛି ତ ।’’

 

ଦାନିୟେଲ ନିଜକୁ ସମ୍ଭାଳିନେଲା । ତା’ପରେ ସେ ଅଗଷ୍ଟିନୋକୁ କହିଲା, ‘‘ଚାଲ, ଅଗଷ୍ଟିନୋ, ଯେଉଁମାନେ ଏ ଯାଏଁ ଧରାପଡ଼ି ନାହାନ୍ତି, ସେମାନଙ୍କୁ ରକ୍ଷା କରିବାକୁ ହେବ ।’’

 

ଏହା କହି ସେ ଅଗଷ୍ଟିନୋ ସହିତ ଦ୍ରୁତ ବେଗରେ ବାହାରି ଗଲେ ।

 

ଡାନିୟେଲ ଦିନସାରା ବାହାରେ କଟାଇ ସନ୍ଧ୍ୟାବେଳେ ଘରକୁ ଫେରି ଆସିଲା । ଦେଖିଲା, ଫିଲୋମେନା ଓ ଲୁଇସା ଚୁଲି ପାଖରେ ବସିଛନ୍ତି । ହାଣ୍ଡିଶାଳର ପଛପଟ ଅନ୍ଧାରରେ ସିଲ୍‍ଭିୟା ଗୋଟାଏ କାଠ ବାକ୍ସ ଉପରେ ଚୁପ୍‍ ହୋଇ ବସିଥିଲା । ଦୁଆର ମୁହଁରେ ଠିଆହୋଇ କହିଲା,’’ ଆଜି ବଡ଼ି ସକାଳେ ଆମର ବେଆଇନ ଆମଦାନୀକାରୀମାନେ ଧରା ପଡ଼ିଛନ୍ତି । ଦିପହରେ ଗୋଟାଏ ବହି ଦୋକାନ ଖାନତଲାସ ହୋଇଛି । ପୋଲିସ କାଟେରିନା ପାଖକୁ ଯାଇଛି-। ଅଗଷ୍ଟିନୋ ବୋଧହୁଏ ଇତି ମଧ୍ୟରେ ଧରାପଡ଼ିଯାଇଥିବ । ତାହାକୁ ନିଶ୍ଚୟ ସୁଇଜରଲାଣ୍ଡରୁ ବାହାର କରି ଦିଆଯିବ । ଏଠାକୁ ଏଯାଏ ପୋଲିସ ଆସି ନାହିଁ, ନା ?’’

 

‘‘ନା,’’ ଫିଲୋମେନା ଜବାବ ଦେଲା ।

 

ଦାନିୟେଲ ଦୁଆର-ବନ୍ଧ ଉପରେ ବସି ପଡ଼ିଲା ।

 

ରାତି ଆସିଗଲା । ଧୀରେ ଧୀରେ ଆକାଶରେ ତାରା ଫୁଟିଲେ । ପ୍ରଥମ ଥର କୁକୁଡ଼ା ଡାକ ଛାଡ଼ିଲା । କିନ୍ତୁ କେହି ଶୋଇବାକୁ ଯିବାକଥା ଥରେହେଲେ ଭାବିଲେ ନାହିଁ । କେହି ଦୋତାଲାରେ ପାଦ ଦେବାକୁ ଚାହିଁଲେ ନାହିଁ । କାଲି ଯାଏ ଇଞ୍ଜିନିୟର ସେଟା ଦଖଲ କରିଥିଲା । କୁକୁଡ଼ା ଦ୍ଵିତୀୟ ଥର ଡାକିଲା । ଫିଲୋମେନା ଓ ଲୁଇସା ଚୁଲି କତିରେ ବସିଥିଲେ । ହାଣ୍ଡିଶାଳର ପଛପଟ ଅନ୍ଧାରରେ ସିଲ୍‍ଭିୟା ଗୋଟାଏ କାଠ ବାକ୍ସ ଉପରେ ଚୁପ୍‍ ହୋଇ ବସିଥିଲା । ସେମାନଙ୍କର ଆତ୍ମୀୟ ଯେମିତି ମାରିଯାଇଥିଲା । ଶବକୁ ଜଗି ରହିଲା ଭଳି ହୋଇ ସେମାନେ ବସିଥିଲେ । କୁକୁଡ଼ା ତୃତୀୟ ଥର ଡାକ ଦେଲା ।

 

ଗୋଟାଏ ଜାନୁଆରର ତୀବ୍ର ସୁତୀକ୍ଷ୍ଣ ଚିତ୍କାର ନିସ୍ତବ୍ଧତାକୁ ଭାଙ୍ଗିଦେଲା । ସେଟା ଯନ୍ତ୍ରଣା-କ୍ଲିଷ୍ଟ କୁକୁରର ବିକଟ ଚିତ୍କାର ପରି ଶୁଭିଲା । ତା’ପରେ ଚାରିଆଡ଼େ ଗଞ୍ଜା ଓ କୁକୁଡ଼ାର ଅବିଶ୍ରାନ୍ତ ଡାକ ଧ୍ଵନିତ ହେବାକୁ ଲାଗିଲା । ଦାନିୟେଲ କୁଦିପଡ଼ି ଠିଆ ହୋଇ ବଗିଚାରେ କୁକୁଡ଼ା-ଘର ଆଡ଼କୁ ଦ୍ରୁତଗତିରେ ଧାଇଁଗଲା । ସେ ଦେଖିଲା, ଗୋଟାଏ ଶିଆଳ ଫାସରେ ପଡ଼ିଛି । ଜନ୍ତୁଟା କୁଜା ହୋଇ ତାହାର ଅନ୍ୟ ତିନୋଟି ମୁକ୍ତ ଗୋଡ଼ରେ ଫାସର ପଡ଼ିଥିବା ଗୋଡ଼ଟାକୁ ଛଡ଼ାଇବାକୁ ଚେଷ୍ଟା କରୁଛି । ଦାନିୟେଲକୁ ଆସିବାର ଦେଖି ସେଟା ପାଗଳ ପରି ହୋଇ ଏଣେ ତେଣେ କୁଦା କୁଦି କରିବାକୁ ଲାଗିଲା । କିନ୍ତୁ ପ୍ରତି ମୁହୂର୍ତ୍ତରେ ସେ ଫାସର ଶିକୁଳିରେ ବାଧା ପାଇବାକୁ ଲାଗିଲା ।

 

‘‘ରହ, ପାଇଛି ତୋତେ !’’ ଦାନିୟେଲ ଚିତକାର କଲା । କୁକୁଡ଼ା ଘର ପାଖରେ ପଡ଼ିଥିବା କୋଦାଳଟା ସେ ଉଠାଇନେଇ ଜୋରରେ ମୁଠାଇ ଧରିଲା । ତା’ପରେ ସେ ଜନ୍ତୁଟା ଭୟଙ୍କର ଭାବରେ ଆଘାତ କରିବାକୁ ଲାଗିଲା । ସେ ଯେମିତି ଗୋଟାଏ ଶକ୍ତ ଓକ୍‍ ଗଛ ହାଣୁଥିଲା-। ଜନ୍ତୁଟାର ମୁଣ୍ଡରେ, ପିଠିରେ, ଗୋଡ଼ରେ ସେ ବାରମ୍ବାର ଆଘାତ କଲା । ମୃତ ଦେହଟା ଟିକି ଟିକି ହୋଇ ରକ୍ତାକ୍ତ ମାଂସପିଣ୍ଡରେ ପରିଣତ ହେଲେ ସୁଦ୍ଧା, ତାହାର ଜ୍ଞାନ ନଥିଲା ।

 

–ଇଗନାତସି ଓ ସିଲୋନ

Image

 

ଶିକାରୀ ପକ୍ଷୀ

 

ଫ୍ଲୋରେନ୍ସ ନଗରୀରେ ଏକ ଭଦ୍ରବଂଶରେ ଫେଡ଼େରିଗୋ ନାମରେ ଜଣେ ଯୁବକ ଥିଲା । ସମଗ୍ର ଟାସ୍କାନୀ ପ୍ରଦେଶରେ କ୍ରୀଡ଼-ନୈପୁଣ୍ୟ ଓ ଭଦ୍ର ବ୍ୟବହାରରେ ତାହାର ସମକକ୍ଷ ପ୍ରାୟ କେହି ନଥିଲେ । ଦିନେ ଏହି ଯୁବକଟିର ଅନ୍ତରରେ ଏକ ପ୍ରେମର ଉଦଗ୍ର କାମନା ଜାତ ହେଲା । ତାହାର ପ୍ରେମର ଲକ୍ଷ୍ୟ ହେଲା ଫ୍ଲୋରେନ୍ସ ନଗରୀରେ ଏକ ସମ୍ଭ୍ରାନ୍ତ ପରିବାରର ଜଣେ ଅପୂର୍ବ ସୁନ୍ଦରୀ ମହିଳା । ତାହାର ସ୍ଵଭାବ ଓ ମାଧୁର୍ଯ୍ୟର ପଟାନ୍ତର ନଥିଲା । ଏହି ମହିଳାର ପ୍ରେମ ଓ ପ୍ରୀତି ଆକର୍ଷଣ କରିବା ନିମନ୍ତେ ଫେଡ଼େରିଗୋ ଆମନ୍ତ୍ରଣ, ନିମନ୍ତ୍ରଣ, ଆଦର ଆପ୍ୟାୟନରେ ବହୁ ଅର୍ଥ ବ୍ୟୟ କରିବାକୁ ଲାଗିଲା । ସେହି ମହିଳାର ନାମ ଥିଲା ମନା ଗିୟେଭନା । ତାହାର ଶରୀରରେ ଯେମିତି ସୌନ୍ଦର୍ଯ୍ୟର ଦୀପ୍ତି ଥିଲା, ତାହାର ଅନ୍ତର ମଧ୍ୟ ସେମିତି ପବିତ୍ରତାର ଆଧାର ଥିଲା । କିନ୍ତୁ ଫେଡ଼େରିଗୋର ଅନ୍ତରରେ ପ୍ରେମର ପ୍ଲାବନ ଓ ଯୌବନ ଆବେଗରେ ଶତ ଉଚ୍ଛ୍ୱାଶ ତିଳେ ହେଲେ ଗିୟେଭନା ନିକଟରେ ପ୍ରଶ୍ରୟ ପାଇଲା ନାହିଁ ।

 

ଫେଡ଼େରିଗୋର ଚରିତ୍ରରେ ଅଧ୍ୟବସାୟର ଦୃଢ଼ତା ଥିଲା । ତରୁଣ ମନର ପ୍ରେମର ଆବେଗ ଓ ଅକୃପଣ ଉତ୍ସାହର ବ୍ୟୟ ବାହୁଲ୍ୟରେ ତାହାର ଧନ-ସମ୍ପତ୍ତି କ୍ରମେ ନିଃଶେଷ ହେବାକୁ ଲାଗିଲା । ଅବଶେଷରେ ରହିଲା ମାତ୍ର ସାମାନ୍ୟ ବିଲବାଡ଼ି, ଯାହାର ଉତ୍ପନ୍ନ ଫସଲର ମୂଲ୍ୟ ଅତିଶୟ ପରିମିତ ଥିଲା । ତାହାଛଡ଼ା ତାହାର ଗୋଟିଏ ଶିକାରୀ ପକ୍ଷୀ ଥିଲା-ସେହି ଜାତୀୟ ପକ୍ଷୀର ଏକ ଶ୍ରେଷ୍ଠ ନମୁନା । ଯୁବକଟି ଆର୍ଥିକ ସଂକଟରେ ବ୍ୟତିବ୍ୟସ୍ତ ହୋଇ ବାଧ୍ୟ ହୋଇ ଚିରାଭ୍ୟସ୍ତ ନାଗରୀକ ଜୀବନରୁ ବିଦାୟ ଗ୍ରହଣ କରି ତାହାର ଖଳାବାଡ଼ିରେ ଯାଇ ଆଶ୍ରୟ ନେଲା । ସେଠାକୁ ଯାଇ ତାହାର ଶିକାର-ସୂଚୀ ଯଥା ସମ୍ଭବ ପରିମିତ ଭାବରେ ଚାଲିବାକୁ ଲାଗିଲା । ମାତ୍ର ତାହାର ହୃଦୟର ଦୁଃଖ-ବେଦନା ଓ ଆର୍ଥିକ ସଂକଟର କଥା ବାହାରେ କାହା ନିକଟରେ ପ୍ରଘଟ ହେଲା ନାହିଁ ।

 

ଯେତେବେଳେ ଫେଡ଼େରିଗୋର ଏହି ଅବସ୍ଥା, ସେତେବେଳେ ସେହି ମହିଳାର ସ୍ୱାମୀ ପୀଡ଼ିତ ହେଲା । ବିତ୍ତଶାଳୀ ଭଦ୍ରବ୍ୟକ୍ତି ଥିବାରୁ, ଧନ-ସମ୍ପତ୍ତିର ଭବିଷ୍ୟତ ବ୍ୟବସ୍ଥା ସମ୍ବନ୍ଧରେ ସେ ତତ୍ପର ହୋଇପଡ଼ିଲା । ଦାନପତ୍ରରେ ବ୍ୟବସ୍ଥା ହେଲା ଯେ ତାହାର ମୃତ୍ୟୁ ଅନ୍ତେ ସମସ୍ତ ସମ୍ପତ୍ତିର ମାଲିକ ହେବ ନିଜର ଏକମାତ୍ର ପୁତ୍ର । ସେତେବେଳେ ପୁତ୍ରଟି ପ୍ରାୟ ପୂର୍ଣ୍ଣ ବୟସ୍କ ହୋଇଯାଇଥିଲା-। ଏହି ପୁତ୍ରର ମୃତ୍ୟୁ ହେଲେ ଯଦି ସେତେବେଳେ ତାହାର କୌଣସି ଉତ୍ତରାଧିକାରୀ ନ ଥାଏ, ତାହାହେଲେ ସମସ୍ତ ସମ୍ପତ୍ତିର ମାଲିକ ହେବ ତାହାର ସ୍ତ୍ରୀ ଗିୟୋଭନା ଦାନପତ୍ରର ସମ୍ପାଦନ ପରେ ସେହି ଭଦ୍ରବ୍ୟକ୍ତିର ମୃତ୍ୟୁ ହେଲା ।

 

ସ୍ୱାମୀର ଦେହାନ୍ତ ପରେ ଗିୟୋଭନା ନାଗରିକ ଜୀବନ ପରିହାର କରି ଏକମାତ୍ର ପୁତ୍ରକୁ ସାଙ୍ଗରେ ଧରି ଗ୍ରାମ-ଘରକୁ ଯାଇ ବସବାସ କରିବାକୁ ଲାଗିଲା । ଅନତି ଦୂରରେ ଫେଡ଼େରିଗୋର ଖଳାବାଡ଼ି ଥିବାରୁ, ଗିୟୋଭନାର ପୁତ୍ରର ତାହା ସହିତ ପରିଚୟ ହେଲା । ଶିକାରର ଅନୁସରଣ ଫଳରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଜାତ ହେଲା । ଏହି ବାଳକ ଫେଡ଼େରିଗୋର ଶିକାରୀ ପକ୍ଷୀ ଓ ତାହାର କୃତୀତ୍ତ୍ୱ ଦେଖି ବିମୁଗ୍ଧ ହୋଇଗଲା । କୌଣସି ଉପାୟରେ ଏହି ଶିକାରୀ ପକ୍ଷୀଟି ଲାଭ କରାଯାଇପାରେ କି ନା, ସେହି ଏକମାତ୍ର ଚିନ୍ତା ତାହାର ମନ ଭିତରେ ପ୍ରାଧାନ୍ୟ ବିସ୍ତାର କଲା । କିନ୍ତୁ ସେ ଜାଣିଥିଲା ଯେ ଏହି ପକ୍ଷୀଟି ହିଁ ଫେଡ଼େରିଗୋର ନିଭୃତ ଓ ଶୂନ୍ୟ ଜୀବନର ଅବଲମ୍ବନ ସ୍ଵରୂପ । ସୁତରାଂ ଫେଡ଼େରିଗୋର ନିକଟରେ ଏହି ପକ୍ଷୀଟି ନିମନ୍ତେ କୌଣସି ପ୍ରକାର ପ୍ରାର୍ଥନା କରାଯାଇନପାରେ ।

 

ବାଳକର ଚିତ୍ତରେ ଏହି ନୈରାଶ୍ୟ ଅତିଶୟ ତୀବ୍ର ଭାବରେ ଆଘାତ କଲା । ଫଳରେ ତାହାର ଶରୀର ଭାଙ୍ଗିପଡ଼ିଲା । ଏକମାତ୍ର ସନ୍ତାନର ଏତାଦୃଶ ଅସୁସ୍ଥତାରେ, ମାଆର ପ୍ରାଣ ଅତ୍ୟନ୍ତ ବିଚଳିତ ହୋଇପଡ଼ିଲା । ଗିୟୋଭନା ପୁତ୍ରର ସେବା-ଶୁଶ୍ରୂଷାରେ ତତ୍ପର ହେଲା । ବାଳକର ମାନସିକ ଚଞ୍ଚଳତାର ଲକ୍ଷଣ ବୁଝିପାରି ସେ ତାହାକୁ ସ୍ପଷ୍ଟ ଭାବରେ ପଚାରିଲା ଯଦି ତୋହର ମନରେ କୌଣସି ବିଷୟରେ କିଛି ଆକାଂକ୍ଷାକୁ ଥାଏ, ତାହାହେଲେ ମୋତେ ଫିଟାଇ କହ-। ତୋହର ଅଭିଳାଷ ପୂରଣ ଦିଗରେ ମୁଁ ଯଥାସାଧ୍ୟ କରିବି ।

 

ମାଆ ନିକଟରୁ ବହୁବାର ଏହିପରି ଆଶ୍ୱାସନା ପାଇଲାରୁ, ବାଳକ ତାହାର ପ୍ରାଣର ଆବେଦନ ଜଣାଇଲା-ଯଦି କୌଣସି ପ୍ରକାରେ ଫେଡ଼େରିଗୋର ଶିକାରୀ ପକ୍ଷୀଟି ଆଣି ମୋତେ ଦେଇପାରିବ, ତାହାହେଲେ ହୁଏତ ମୋର ଆରୋଗ୍ୟ ଲାଭ ଅତ୍ୟନ୍ତ ସହଜ ଓ ନିଶ୍ଚିତ ହୋଇ ପାରିବ ।

 

ପୁଅର ପ୍ରାର୍ଥନା ଶୁଣି ମାଆ ନିଜକୁ ଅତିଶୟ ବିବ୍ରତ ବୋଧ କଲା । ଯଦି ଫେଡ଼େରିଗୋର ପ୍ରାଣର ଉନ୍ମୁଖ ଆକାଂକ୍ଷା କେବେ ହେଲେ ଗିୟୋଭନା ନିକଟରେ ପ୍ରଶୟ ପାଇନଥିଲା, ତଥାପି ଫେଡ଼େରିଗୋର ଅନ୍ତରରେ ତାହାରି ସମ୍ପର୍କରେ କେଉଁ ଭାବଧାରା ପ୍ରବାହିତ ହେଉଥିଲା ତାହା ଗିୟୋଭନାକୁ ଅବିହିତ ନଥିଲା । ଏତାଦୃଶ ଚିନ୍ତାଧାରାକୁ ଅନୁସରଣ କରି ଗିୟୋଭନା ଭାବିବାକୁ ଲାଗିଲା କିପରି ମୁଁ ନିଜେ ଯାଇ କିମ୍ବା ମୋର ପ୍ରତିନିଧି ପଠାଇ ସେହି ପକ୍ଷୀଟି ପାଇଁ ତାହା ନିକଟରେ ପ୍ରାର୍ଥନା କରିପାରିବି ? କାରଣ ମୁଁ ଜାଣେ ଯେ ଏହି ପକ୍ଷୀଟି ସର୍ବଗୁଣଧାର । ସେଥିପାଇଁ ଏହି ପକ୍ଷୀଟି ତାହାର ଅନ୍ତରର ଧନ ଓ ଅର୍ଥ-ଉପାର୍ଜନର ଉପାୟ ମଧ୍ୟ-। ଏହା ସତରେ ତାହାର ଜୀବନର ଅବଲମ୍ବନ ଓ ଆନନ୍ଦ ସ୍ଵରୂପ । କିପରି ବା ମୁଁ ତାହାକୁ ସେଥିରୁ ବଞ୍ଚିତ କରିବାର କଥା ମନରେ ଭାବିପାରିବ ।

 

କିନ୍ତୁ ମାତୃ-ହୃଦୟରେ ପୁତ୍ରର ମଙ୍ଗଳ କାମନା ସକଳ ବିବେଚନା ଉପରେ ଲାଭ କଲା । ତାହାକୁ ମନ ସ୍ଥିର କରିବାକୁ ହେଲା । ସେ ପୁଅକୁ ଆଶ୍ଵାସନା ସେଇ କହିଲା-ଏହି ସାମାନ୍ୟ କଥା ତ । ତୁ ନିଶ୍ଚିନ୍ତ ହୋଇ ରହ । ତୁ ଖାଲି ତୋ ନିଜର ସ୍ୱାସ୍ଥ୍ୟ କଥା କର । ମୁଁ ତୋତେ ଜବାବ ଦେଉଛି, କାଲି ସକାଳେ ମୋର ପ୍ରଥମ କାମ ହେବ ତୋର ମନସ୍କାମନା ପୂର୍ଣ୍ଣ ହେବା ନିମନ୍ତେ ସେହି ପକ୍ଷୀଟି ଆଣିବା । ତହୁଁ ବାଳକର ଚିତ୍ତରେ ଆନନ୍ଦର ସୀମା ରହିଲା ନାହିଁ । ମନର ଆନନ୍ଦ ଯେମିତି ତାହାର ଶାରିରୀକ ସ୍ୱାସ୍ଥ୍ୟ ଉପରେ ବି ପ୍ରତିଫଳିତ ହେଲା ।

 

ପରଦିନ ସକାଳେ ଗିୟୋଭନା ଆଉ ଜଣେ ସ୍ତ୍ରୀ ଲୋକକୁ ସାଙ୍ଗରେ ଧରି ଫେଡ଼େରିଗୋର ଦୁଆରେ ଯାଇ ଉପସ୍ଥିତ ହେଲା । ଫେଡ଼େରିଗୋ ଏହି ସମ୍ବାଦ ପାଇ ଚମକି ପଡ଼ିଲା ଏବଂ ଆନନ୍ଦରେ ଅଧୀର ହୋଇଗଲା । ପ୍ରଥମେ କୁଶଳ ଆଳାପ ଆଦି ପରେ, ଗିୟୋଭନା ଫେଡ଼େରିଗୋକୁ କହିଲା-ଆପଣଙ୍କ ଜୀବନରେ ମୋରି ପାଇଁ ପ୍ରତ୍ୟକ୍ଷ ଭାବରେ ନ ହେଲେ ସୁଦ୍ଧା ଯେଉଁ କ୍ଷତି ଆପଣଙ୍କୁ ସହିବାକୁ ପଡ଼ିଛି, ତାହା ମୋତେ ଅବିଦିତ ନାହିଁ । ମୁଁ ଆଜି ଆପଣଙ୍କ ପାଖକୁ ଆସିଛି, ଯଦି ଆପଣଙ୍କର ସେହ ଦୁର୍ଭାଗ୍ୟର କ୍ଷତିପୂରଣ କୌଣସି ପ୍ରକାରେ କରିପାରେ ।

 

ଫେଡ଼େରିଗୋ ତତ୍‍କ୍ଷଣାତ୍‍ ଜବାବ ଦେଲା–ମୋର ତ ମନେ ହେଉ ନାହିଁ ଯେ ତୁମେ କେବେ ହେଲେ କୌଣସି ପ୍ରକାରେ ମୋର ଦୁଃଖ ଦୁର୍ଦ୍ଦଶାର କାରଣ ହୋଇଛି । ବରଂ ତୁମଠାରୁ ମୁଁ ଉପକାର ପାଇଛି । ମୋର ଅନ୍ତରରେ ତୁମର ମହତ ଚରିତ୍ରର ଯେଉଁ ଆଦର୍ଶ ଅଙ୍କିତ ହୋଇଅଛି ଏବଂ ମୋର ହୃଦୟରେ ତୁମ ପ୍ରତି ଯେଉଁ ପ୍ରୀତିର ଉପଲବ୍ଧି ଅଛି, ତାହା ହିଁ ମୋର ଜୀବନରେ ଯାହା କିଛି ସମ୍ପଦ ଆଣି ଦେଇଛି । ମୋର ଏହି ଅନାଡ଼ମ୍ବର କୁଟୀରକୁ ତୁମର ଶୁଭ ଆଗମନ ମୋର ନିଃଶେଷିତ ସକଳ ଧନ-ସମ୍ପଦର ପୁନଃପ୍ରାପ୍ତିର ସମ୍ଭାବନାଠାରୁ ଅଧିକ ମଧୁମୟ ବୋଧ ହେଉଛି । କିନ୍ତୁ ତୁମେ ବର୍ତ୍ତମାନ ଆସିଛ ଜଣେ ଅତି ଦରିଦ୍ର ଓ ନିତାନ୍ତ ଅକିଞ୍ଚନର କୁଟୀରକୁ ।

ଏହା କହି ଫେଡ଼େରିଗୋ ଗିୟୋଭନା ଓ ତାହାର ସଙ୍ଗିନୀକୁ ଆଦରରେ ନେଇଯାଇ ନିଜର ବଗିଚାରେ ବସାଇଲା । ତାହାର ଘରେ ଆତ୍ମୀୟସ୍ଵଜନ କେହିନଥିଲେ । ତାହାର କାର୍ଯ୍ୟରେ ସାହାଯ୍ୟକାରିଣୀ ଜଣେ ଳ୍ପଷକ ରମଣୀକୁ ଅତିଥିମାନଙ୍କର ସଙ୍ଗରକ୍ଷା ପାଇଁ ନିଯୁକ୍ତ କରି, ଫେଡ଼େରିଗୋ ଭିତରକୁ ଚାଲିଗଲା । ବର୍ତ୍ତମାନ ତାହାର ସମସ୍ୟା ହେଲା, ଅତିଥିମାନଙ୍କର ଅଭ୍ୟର୍ଥନା ନିମନ୍ତେ କି ବ୍ୟବସ୍ଥା କରାଯାଇପାରେ । ତାହାର ଅର୍ଥ ସାମର୍ଥ୍ୟ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଆସିଥିଲା ସତ, କିନ୍ତୁ ତାହା ଯେ ଏପରି ନିଦାରୁଣ ସଙ୍କଟମୟ ହୋଇଯାଇଛି ସେ ନିଜେ ସୁଦ୍ଧା ତାହା କେବେ ହୋଇ ଏପରି ତୀବ୍ର ଭାବରେ ଉପଲବ୍ଧି କରିନଥିଲା । ଘର ଭିତରକୁ ଯାଇ ଆର୍ଥିକ ସମସ୍ୟାରେ ଅଧୀର ହୋଇ ସେ ଚାରିଆଡ଼େ ଖୋଜି ବୁଲିବାକୁ ଲାଗିଲା–ହାତରେ ତ ଟଙ୍କା ପଇସା ନାହିଁ, ଘରେ ବି ଏମିତି କିଛି ନାହିଁ ଯାହାର ବିନିମୟରେ ଅର୍ଥ ସଂଗ୍ରହ କରାଯାଇପାରେ । କିପରି ବା ଅତିଥିମାନଙ୍କର ଅଭ୍ୟର୍ଥନାର ବ୍ୟବସ୍ଥା କରାଯାଇ ପାରେ ? ଏତିକିବେଳେ ତାହାର ଦୃଷ୍ଟି ଯାଇ ପଡ଼ିଲା ନିଜର ଅତି ଆଦରଣୀୟ ସେହି ପକ୍ଷୀଟି ଉପରେ । ସେ ଗଛର ଡାଳରେ ବସିଥିଲା । ଏହି ପକ୍ଷୀଟି ଯେ ତାହାର ଜୀବନର ଅବଲମ୍ବନ ଓ ଆନନ୍ଦ, ସେ ତାହା ଭୁଲିଗଲା । ଖାଦ୍ୟଦ୍ରବ୍ୟ ଭାବରେ ଏହାର ଯେ ମୂଲ୍ୟ ଥାଇପାରେ, ତାହା ହିଁ ହେଲା ବିବେଚନାର ବିଷୟ । ତହୁଁ ସେ ତିଳେମାତ୍ର ଦ୍ଵିଧା ନ କରି ନିଜ ହାତରେ ପକ୍ଷୀଟିକୁ ବଧ କରିଦେଲା । ଏ ଦିଗରେ ନିଶ୍ଚିନ୍ତ ହୋଇ ସେ ହୃଷ୍ଟ ମନରେ ଆସି ଅତିଥିମାନଙ୍କ ସହିତ ଯୋଗଦାନ କଲା ।

ସେମାନେ ସମସ୍ତେ ଯଥା ସମୟରେ ଭୋଜନରେ ବସିଲେ । ନାନା ପ୍ରକାର କଥାବାର୍ତ୍ତା ଓ ଆଳାପ ଆଲୋଚନା ଭିତରେ ଭୋଜନ କାର୍ଯ୍ୟ ଆଗେଇବାକୁ ଲାଗିଲା । ତଥାପି ନିଜର ବର୍ତ୍ତମାନ ଅବସ୍ଥାରେ ଯେ ଅତିଥିମାନଙ୍କ ପାଇଁ ଯଥାଯୋଗ୍ୟ ଭୋଜନର ବ୍ୟବସ୍ଥା ହୋଇପାରିଛି, ଏହା ଭାବି ଫେଡ଼େରିଗୋର ଅନ୍ତର ତୃପ୍ତିରେ ପରିପୂର୍ଣ୍ଣ ହୋଇଗଲା ।

ଭୋଜନ ସମାପନାନ୍ତେ ପୁଣି ନାନା ବିଷୟରେ ଆଳାପ ଆଲୋଚନା ହେବାକୁ ଲାଗିଲା-। ସେତେବେଳେ ଗିୟୋଭନା ନିଜର ଆଗମନର ଉଦ୍ଦେଶ୍ୟ ଜଣାଇବା ନିମନ୍ତେ ଅତିଶୟ ଭଦ୍ରଭାବରେ ଫେଡ଼େରିଗୋକୁ ସମ୍ବୋଧନ କରି କହିଲା- ଆପଣଙ୍କର ଅତୀତ ଜୀବନରେ ଆପଣ ମୋ ନିକଟରୁ ଯେଉଁ ଅସୌଜନ୍ୟସୂଚକ ବ୍ୟବହାର ପାଇଛନ୍ତି, ତାହା ଆପଣଙ୍କ ପକ୍ଷରେ ପ୍ରାୟ ନିଷ୍ଠୁରତା ସଦୃଶ ହୋଇଥାଇପାରେ । ସେହି ଦୃଷ୍ଟିରୁ ଆପଣ ଘରେ ଆସି ହାଜର ହୋଇଛି -ବିଶେଷତଃ ଯେତେବେଳେ ଶୁଣିବେ ଯେ ମୁଁ କେଉଁ ଉଦ୍ଦେଶ୍ୟରେ ଏଠାକୁ ଆସିଛି-। କିନ୍ତୁ ଯଦି ଆପଣଙ୍କର ନିଜର ସନ୍ତାନ ଥାଆନ୍ତା ତାହାହେଲେ ଆପଣ ନିଶ୍ଚୟ ବୁଝିପାରିଥାଆନ୍ତେ ଯେ ମୁଁ ଆଜି କି ବିପଦରେ ପଡ଼ି ଆପଣଙ୍କଠାକୁ ଧାଇଁ ଆସିଛି । ମୋର ନିଜ ଇଚ୍ଛା ବିରୁଦ୍ଧରେ ମୋତେ ଆସିବାକୁ ପଡ଼ିଛି- ଖାଲି ମୋର ପୀଡ଼ିତ ପୁତ୍ର ନିମନ୍ତେ । ତାହାର ଅଭିଳାଷ ଏପରି ଗୋଟାଏ ଜିନିଷ ପ୍ରତି, ଯାହା ଆପଣଙ୍କ ନିକଟରେ ଅଶେଷ ମୂଲ୍ୟବାନ । ମୁଁ ଜଣେ, ବର୍ତ୍ତମାନ ଆପଣଙ୍କର ଦୁଃସ୍ଥ ଅବସ୍ଥାରେ ତାହାଠାରୁ ଭଲ ଅବଲମ୍ବନ ବା ସାନ୍ତ୍ୱନାର ବିଷୟ ଆଜି ଆଉ କିଛି ନାହିଁ-। ଆପଣଙ୍କର ସେହି ବିଶିଷ୍ଟ ପକ୍ଷୀଟିର କଥା କହୁଛି । ସେହି ପକ୍ଷୀଟିକୁ ଯେ ସେ କି ଦୃଷ୍ଟିରେ ଦେଖିଛି-। ସେହି ପକ୍ଷୀଟି ପାଇବା ପାଇଁ ତାହାର ଏପରି ଆଗ୍ରହ ଯେ, ଯଦି ମୁଁ ଆପଣଙ୍କ ନିକଟରୁ ସେହି ପକ୍ଷୀଟି ଆଦାୟ କରି ନେଇ ଯାଇନପାରେ ତାହାହେଲେ ମୋର ବିଶ୍ୱାସ ତାହାର ଶରୀର କୌଣସି ମତେ ଆରୋଗ୍ୟ ହେବ ନାହିଁ ଏବଂ ଏଥର ତାହାର ଜୀବନ ଅନୁରୋଧ କରୁଛି -ମୋ ନିଜ ପାଇଁ ନୁହେଁ, ସେଥିପାଇଁ ଆପଣଙ୍କର କୌଣସି ପ୍ରକାର ବାଧ୍ୟବାଧକତା ନାହିଁ ଯଦି ଆପଣ ନିଜର ପକ୍ଷୀଟି ଦୟାକରି ମତେ ଦିଅନ୍ତେ । ଆପଣଙ୍କର ସ୍ଵଭାବଗତ ସଦାଶୟତାର କଥା ମୁଁ ଜାଣିଛି । ବର୍ତ୍ତମାନ ହୁଏତ ଭଗବାନଙ୍କର ଇଚ୍ଛାରେ ମୁଁ କହି ପାରିବି ଯେ ଆପଣଙ୍କର ସହୃଦୟତା ଫଳରେ ମୋର ପୁଅର ଜୀବନ ରକ୍ଷା ହୋଇଛି । ସେଥିପାଇଁ ଆମେ ଉଭୟେ ଆପଣଙ୍କ ନିକଟରେ ଆଜୀବନ କୃତଜ୍ଞ ରହିବୁ ।

ଏପରି ପ୍ରସ୍ତାବ ଶୁଣି ଫେଡ଼େରିଗୋ ଅଭିଭୂତ ହୋଇ ପଡ଼ିଲା । କିଛି ସମୟ ଯାଏ ତାହାର ତୁଣ୍ଡରୁ ପଡ଼େ ହେଲେ କଥା ବାହାରିଲା ନାହିଁ । ଗିୟୋଭନା ସ୍ଵଭାବତଃ ମନେ କଲା ଯେ ପକ୍ଷୀଟି ପରହସ୍ତଗତ କରିବାରେ ଅସ୍ଵୀକୃତିର ଏହା ଏକ ଲକ୍ଷଣ ସତ । ହୁଏତ ସ୍ପଷ୍ଟ ଭାବରେ ଅସ୍ଵୀକୃତିର ସମ୍ବାଦ ତାହାକୁ ଶୁଣିବାକୁ ହେବ । କିନ୍ତୁ ତାହା ହେଲା ନାହିଁ ।

ଫେଡ଼େରିଗୋ ସବୁ କଥା ତାହା ଆଗରେ ଫିଟାଇ କହିଦେଲା-ଯେଉଁ ଦିନରୁ ମୋ ଅନ୍ତରରେ ତୁମ ପ୍ରତି ପ୍ରୀତିର କାମନା ଜାଗ୍ରତ ହୋଇଛି, ସେହି ଦିନରୁ ମୋଟ ଉପରେ ଭାଗ୍ୟ ମୋ ପ୍ରତି ବିରୂପ । ତାହାର ଯଥେଷ୍ଟ ପରିଚୟ ମୁଁ ପାଇଛି । କିନ୍ତୁ ଯେଉଁ ଭାଗ୍ୟ-ବିଡ଼ମ୍ବନା ବର୍ତ୍ତମାନ ଘଟିଛି, ତାହାର ଆଦୌ ତୁଳନା ନାହିଁ । ଯେତେବେଳେ ମୋର ଘର ସୁଖ-ସମ୍ପଦରେ ପରିପୂର୍ଣ୍ଣ ଥିଲା, ସେତେବେଳେ ମୋର ଘରକୁ ଟିକିଏ ଆସିବା ପାଇଁ ତୁମର କେବେ ହେଲେ ଆଗ୍ରହ ହୋଇ ନାହିଁ । ଆଜି ଯେତେବେଳେ ଅଯାଚିତ ଭାବରେ ତୁମର ଶୁଭାଗମନ ହେଲା, ସେତେବେଳେ ମୋର ଘର ଗୋଟାଏ ଦରିଦ୍ରର କୁଟୀର । ତୁମେ ଆସିଛ ଗୋଟିଏ ସାମାନ୍ୟ ଜିନିଷ ପାଇଁ । କିନ୍ତୁ ଆଜି ସେହି ସାମାନ୍ୟ ଜିନିଷଟି ବି ତୁମକୁ ଦେବା ଭଳି ସାମର୍ଥ୍ୟ ମୋର ନାହିଁ । କାରଣ ଯେତେବେଳେ ତୁମେ ମୋ ଘରକୁ ଆସିଲା, ସେତେବେଳେ ତୁମ ପରି ବିଶିଷ୍ଟ ଅତିଥିର ଯଥାର୍ଥ ଅଭ୍ୟର୍ଥନା କରିବା ନିମନ୍ତେ ସ୍ଵଭାବତଃ ମୋର ଆଗ୍ରହର ସୀମା ରହିଲା ନାହିଁ । ସେତେବେଳେ ଆଉ କିଛି ଉତ୍କୃଷ୍ଟ ଜିନିଷ ନ ପାଇ ମୁଁ ସେହି ପକ୍ଷୀଟିକୁ ଅତିଥି -ସେବାରେ କାର୍ଯ୍ୟରେ ଲଗାଇଦେଲି-। ଇ ଏ ମୋର ଅମୂଲ୍ୟ ପକ୍ଷୀଟି ଠାରୁ ଅଧିକ ମୂଲ୍ୟବାନ ସମ୍ପତ୍ତି ଆଉ କଅଣ ଥାଇପାରେ-? କିନ୍ତୁ ମୁଁ ବର୍ତ୍ତମାନ ଦେଖୁଛି, ସେହି ପକ୍ଷୀଟି ହିଁ ଥିଲା ତୁମର ପ୍ରୟୋଜନ, ଅବଶ୍ୟ ଅନ୍ୟ ଭାବରେ-। ପକ୍ଷୀଟିକୁ ଅବଶ୍ୟ ତୁମ ପାଇଁ ଉତ୍ସର୍ଗ କଲି, ଅଥଚ ତୁମକୁ ଦେଇପାରିଲି ନାହିଁ, ଏହି ଦୁଃଖ ମୁଁ ଆଜୀବନ ପାଶୋରି ପାରିବି ନାହିଁ ।

ଏହା କହି ଫେଡ଼େରିଗୋ ଧାଇଁ ଯାଇ ସେହି ପକ୍ଷୀଟିର ପର ଇତ୍ୟାଦି ଆଣି ଗିୟୋଭନା ଦେଖାଇଦେଲା ।

ଗିୟୋଭନା ତାହାକୁ ଦୋଷ ଦେଇ କହିଲା-ମୋ ଭଳି ଜଣେ ସାମାନ୍ୟ ଲୋକର ଆତିଥ୍ୟ ସତ୍କାର ପାଇଁ ଏପରି ଗୋଟାଏ ଆଦରଣୀୟ ପକ୍ଷୀକୁ କେହି ଏବେ ହତ୍ୟା କରେ ।

କିନ୍ତୁ ଗିୟୋଭନା ମର୍ମେ ମର୍ମେ ଉପଲବ୍ଧି କଲା କି ସଦାଶୟ ଏହି ଲୋକଟିର ଅନ୍ତଃକରଣ ! ଶତ ଦାରିଦ୍ର୍ୟ ବି ତାହାକୁ ଆଜି ଯାଏ ନିଷ୍ପ୍ରଭ କରିପାରି ନାହିଁ ।

ପକ୍ଷୀଟି ଲାଭ କରିବାର ଆଉ କୌଣସି ଆଶା ନାଇଁ ବୋଲି ଜାଣି, ଗିୟୋଭନା ଅଗତ୍ୟା ଫେଡ଼ିରିଗୋ ଠାରୁ ବିଦାୟ ନେଇ ନିଜ ଘରକୁ ଫେରି ଆସିଲା । କହିବା ବାହୁଲ୍ୟ ଯେ ଏହି ସମ୍ବାଦଟି ପାଇ ତାହାର ପୁଅ ଅତ୍ୟନ୍ତ ନିରାଶ ହେଲା । ଏହି ନୈରାଶ୍ୟର ପ୍ରଭାବରେ ହେଉ କିମ୍ବା ରୋଗର ତୀବ୍ରତା ଯୋଗୁଁ ହେଉ, କେତେ ଦିନ ଭିତରେ ତାହାର ପୁଅ ସବୁ ମାୟା ମମତା ତୁଟାଇ ସଂସାରରୁ ଚିର ବିଦାୟ ଗ୍ରହଣ କଲା ।

ତହୁଁ ଗିୟୋଭନାର ଦୁଃଖର ସୀମା ରହିଲା ନାହିଁ -ତାହାର ଏକମାତ୍ର ପୁଅ ଗୃହଶୂନ୍ୟ କରି ଚାଲିଗଲା । କିନ୍ତୁ ତାହା ନିକଟରେ ଚିରଦିନ ସମସ୍ତ ସଂସାର ଓ ସମସ୍ତ ଜୀବନ ମୂଲ୍ୟ-ବିହୀନ ପ୍ରତୀତ ହେଲା ।

ଗିୟୋଭନା ଜଣେ ଧନ-ସମ୍ପଦଶାଳିନୀ ବିଧବା । ସେଥିପାଇଁ ତାହାର ଭାଇମାନେ ତାହାକୁ ପୁଣି ବିବାହ କରିବାକୁ ବିଶେଷ ଭାବରେ ପ୍ରବର୍ତ୍ତାଇବାକୁ ଲାଗିଲେ । କିନ୍ତୁ ତାହାର ମତି ଏହାର ବରୋଧ କଲା । ମାତ୍ର ଭାଇମାନଙ୍କର କ୍ରମାଗତ ଅନୁରୋଧ ଏଡ଼ି ନ ପାରି, ସେ ଫେଡ଼ିରିଗୋର କଥା ମନେ ପକାଇଲା-ତାହାର ଚରିତ୍ରର ସୟମ ଓ ଦୃଢ଼ତା ତଥା ତାହାର ସଦାଶୟ ଅନ୍ତଃକରଣ ।

ଦିନେ ଗିୟୋଭନା ନିଜର ଭାଇମାନଙ୍କୁ ଡାକି କହିଲା-ମୋର ଇଚ୍ଛା ଥିଲା, ମୁଁ ଯେପରି ଭାବରେ ଅଛି ମୋର ଜୀବନ କଟିଯିବ । କିନ୍ତୁ ଯେତେବେଳେ ତୁମ୍ଭମାନଙ୍କର ଏକାନ୍ତ ଇଚ୍ଛା ଯେ ମୁଁ ଅନ୍ୟ ଗତି ଅବଲମ୍ବନ କରେ, ସେତେବେଳେ ମୋତେ ତୁମ୍ଭମାନଙ୍କର ପରାମର୍ଶ ଗ୍ରହଣ କରିବାକୁ ହେଲା । କିନ୍ତୁ ମୁଁ ମୋର ପୁରୁଣା ବନ୍ଧୁ ଫେଡ଼ିରିଗୋ ଛଡ଼ା ଆଉ କାହାରି କଥା ଏଥି ପାଇଁ ବିବେଚନା କରିପାରୁ ନାହିଁ ।

ତତ୍‍କ୍ଷଣାତ୍‍ ସେମାନେ ତାହାକୁ ତାଚ୍ଛଲ୍ୟ କରି କହିଲେ ତୁ ଗୋଟାଏ ନିପଟ ମୂର୍ଖ ଓ ବୋକା । ତୋତେ ଆଉ କୌଣସି ଲୋକର କଥା ଭାବିବାକୁ ମିଳିଲା ନାହିଁ ଯେ ପାଇଲୁ ଫେଡ଼ିରରିଗୋକୁ, ଯାହାର ମୂଲ୍ୟ ଫଟା ପାହୁଳାର ବି ନୁହେଁ ?

ଗିୟୋଭନା କହିଲା–ମୁଁ ତୁମ୍ଭମାନଙ୍କର କଥା ଆଦୌ ଅବିଶ୍ୱାସ କରୁ ନାହିଁ । ମାତ୍ର ଫେଡ଼ିରରିଗୋର ମୂଲ୍ୟ ଅର୍ଥଦ୍ୱାରା ନିର୍ଦ୍ଧାରିତ ହୋଇନପାରେ । ମୁଁ ବରଂ ଏପରି ଲୋକକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି, ଯାହାର ଧନ ସମ୍ପତ୍ତିର ଅଭାବ ଅଛି ।

କିନ୍ତୁ ମୁଁ ଏପରି ଧନ ସମ୍ପତ୍ତି ଚାହେଁ, ଯାହା ଭିତରେ ମାନବିକତାର ଅଭାବ ଅଛି ।

ଗିୟୋଭନାର ଏତାଦୃଶ ଦୃଢ଼ ସଂକଳ୍ପ ଶୁଣି, ତାହାର ଭାଇ ମାନେ ଆଉ ବିରୋଧ ନକରି ବରଂ ସବୁ ଧନସମ୍ପତ୍ତି ସହ ନିଜର ଭଉଣୀକୁ ଫେଡ଼ିରିଗୋର ହସ୍ତରେ ସମର୍ପଣ କରିଦେଲେ । ଫେଡ଼ିରରିଗୋ ମଧ୍ୟ ବ୍ୟବସ୍ଥା ବିଷୟରେ ଅସାମାନ୍ୟ କୃତିତ୍ୱର ପରିଚୟ ଦେବାକୁ ଲାଗିଲା ।

–ଗିଓଭାନନି ବୋକକାସିଓ

Image